url
stringlengths
29
226
text
stringlengths
7
18.1k
https://www.dharitri.com/exam-results-published/
ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକ, ସ୍ନାତକୋତ୍ତର, ବିଏଡ୍‌ ପରୀକ୍ଷାଫଳ ପ୍ରକାଶ କଟକ,୧୦ା୬(କାର୍ତ୍ତିକ ସାହୁ): ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ୍ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ ମୋଟ ୩୮୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍ନାତକୋତ୍ତରରେ ୨୫୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩୭ ଜଣ ପାସ୍ କରିଛନ୍ତି। ସେହିପରି ବିଏଡ୍ ପାଠ୍ୟକ୍ରମରେ ୪୨ ଜଣ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍ନାତକରେ ପ୍ରାଣୀବିଜ୍ଞାନ ଛାତ୍ରୀ ସ୍ବର୍ଣ୍ଣପ୍ରଭା ସାହୁ ସର୍ବୋଚ୍ଚ ନମ୍ବର ରଖିଥିବା ବେଳେ ବିଏଡ୍ର କଳା ବିଭାଗରେ ସୁଦୀପ୍ତା ବେହେରା ଓ ବିଜ୍ଞାନରେ ମୋନାଲିସା ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସ୍ନାତକ ଶ୍ରେଣୀର ୨୨ଟି ବିଭାଗରୁ ନୃବିଜ୍ଞାନରେ ସଂଯୁକ୍ତା ମାଝି, ଅର୍ଥନୀତିରେ ଅନେଶ୍ୱେତା ମନ୍ତ୍ରୀ, ଶିକ୍ଷାରେ ରିତୁ ମହାପାତ୍ର, ଇଂରାଜୀରେ ଶିବାନୀ ମହାକୁଲ, ହିନ୍ଦୀରେ ତନିଶା ପ୍ରିୟଦର୍ଶୀ, ଇତିହାସରେ ପାୟଲ ସାହା, ଗୃହ ବିଜ୍ଞାନରେ ଜୋରେନ୍ ମେହେକ, ଲାଇବ୍ରେରୀ ସାଇନ୍ସରେ ଆସମାତୁନ ନିଶା, ଓଡ଼ିଆରେ ଅଙ୍କିତା ମହାରଣା, ଦର୍ଶନଶାସ୍ତ୍ରରେ ସରୋଜିନୀ ଖୁଣ୍ଟିଆ, ରାଜନୀତି ବିଜ୍ଞାନରେ ପାନାମଣି ମୁର୍ମୁ, ମନସ୍ତତ୍ତ୍ୱ ବିଜ୍ଞାନରେ ତନ୍ମୟୀ ମହାନ୍ତି, ସଂସ୍କୃତରେ ପାୟଲ ସ୍ବାଇଁ, ସମାଜବିଜ୍ଞାନରେ ସାଇଜ୍ୟୋତି ମହାପାତ୍ର, ଊର୍ଦ୍ଦୁରେ ସାଏଦା ନସିଦା, ବାଣିଜ୍ୟରେ ସର୍ବାଣି ଶ୍ରୀୟାଣୀ ପଣ୍ଡା, ଉଦ୍ଭିଦ ବିଜ୍ଞାନରେ ସୌମ୍ୟା ଶ୍ରୀରୂପା ପାଣ୍ଡବ, ରସାୟନ ବିଜ୍ଞାନରେ ରଶ୍ମି କର୍ମକାର, କମ୍ପ୍ୟୁଟର ବିଜ୍ଞାନରେ ପ୍ରିୟଦର୍ଶୀନି ସ୍ବାଇଁ, ଗଣିତ(କଳା)ରେ ଅନନ୍ୟା ମହାନ୍ତି, ଗଣିତ(ବିଜ୍ଞାନ)ରେ ମୋନାଲିସା ତ୍ରିପାଠୀ, ପଦାର୍ଥ ବିଜ୍ଞାନରେ ସୋନମ ଶତପଥୀ ଓ ପ୍ରାଣୀ ବିଜ୍ଞାନରେ ସ୍ବର୍ଣ୍ଣପ୍ରଭା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସ୍ନାତକୋତ୍ତର ୧୨ଟି ବିଭାଗରୁ ଅର୍ଥନୀତିରେ ଅମିତା ପତି, ଶିକ୍ଷାରେ ମଧୁସ୍ମିତା ସାହୁ ଓ ନାହିଦ ଅଖତର, ଇଂରାଜୀରେ ସୁଚୀସ୍ମିତା ସାହୁ, ହିନ୍ଦୀରେ ଅର୍ପିତା ମିଶ୍ର, ଇତିହାସରେ ଦୀପ୍ତିମୟୀ ସାମନ୍ତରାୟ, ଗୃହ ବିଜ୍ଞାନରେ ଏସ୍. ଫାତିମା ବୁସ୍ରା, ଓଡ଼ିଆରେ ସନ୍ଦୀପ୍ତା ପଣ୍ଡା, ଦର୍ଶନଶାସ୍ତ୍ରରେ ଶ୍ୱେତା ଦାସ, ରାଜନୀତି ବିଜ୍ଞାନରେ ଭବାନୀ ମହାପାତ୍ର, ମନସ୍ତତ୍ତ୍ୱ ବିଜ୍ଞାନରେ ଶ୍ରଦ୍ଧାଞ୍ଜଳି ପାଇକରାୟ, ସଂସ୍କୃତରେ ପ୍ରୀତିଛନ୍ଦା ଦାସ ଓ ସମାଜବିଜ୍ଞାନରେ ଅମ୍ରିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ. ନର୍ମଦା କୁମାରୀ ପରିଡ଼ାଙ୍କ ସମେତ ଡ. ପ୍ରଭାତ ମଞ୍ଜରୀ ମହାନ୍ତି, ଡ. ଗାୟତ୍ରୀ କର, ପ୍ରତାପ ସାମଲ ଓ ପ୍ରଣତି ପ୍ରିୟଦର୍ଶିନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
https://www.dharitri.com/୪୮-ବର୍ଷ-ପୁରୁଣା-ଟେନିସ-ବହି-ନ/
୪୮ ବର୍ଷ ପୁରୁଣା ଟେନିସ ବହି ନିଜ ପାଖରେ ରଖନ୍ତି ଅଜିଙ୍କେ ରାହାଣେ: ଜାଣନ୍ତୁ କାହିଁକି ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡରେ ଗସ୍ତରେ ଯାଇଛି। ପାଞ୍ଚଟିକିଆ ଟି୨୦ ସିରିଜ୍ ହାତେଇବା ପରେ ଏବେ ୩ଟିକିଆ ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଜିଙ୍କେ ରାହାଣେ ଟେଷ୍ଟ ଏବଂ ଏକଦିବସୀୟ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି। ଏହାପୂବ;ରୁ ନିଜ ବ୍ୟାଗ୍ ପ୍ୟାକ୍ କରୁଥିବାର ଏକ ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାହାଣେ ଏକ ପୁସ୍ତକ ନିଜ ବ୍ୟାଗ୍ରେ ରଖୁଥିବାର ଦେଖାଯାଇଛି। ଏହି ପୁସ୍ତକଟିର ନାମ ‘ଦ ଇନର ଗେମ୍ ଅଫ୍ ଟେନିସ୍’। ଟେନିସ୍ କୋର୍ଟ ସମ୍ବନ୍ଧୀତ ଏହି ପୁସ୍ତକଟି ବଜାରୁକୁ ଆସିବା ପ୍ରାୟ ୪୮ ବର୍ଷ ହୋଇଗଲାଣି। ଏତେ ପୁରୁଣା ବହିକୁ ରାହାଣେ ସମୟ ବାହାର କରି ପଢନ୍ତି। କେବଳ ରାହାଣେ ନୁହେଁ, ବିଶ୍ୱର ଅନେକ ଖେଳାଳି ଏହି ପୁସ୍ତକ ପଢନ୍ତି। ଏହି ପୁସ୍ତକଟିକୁ ଲେଖିଖିବା ବ୍ୟକ୍ତି ଜଣଙ୍କ ହେଲେ ଟିମୋଥି ଗଲଓ୍ବେ। ସେ ଜଣେ ଟେନିସ୍ ଖେଳାଳି ଥିଲେ। ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିବାବେଳେ ନ୍ୟାଶନାଲ ଜୁନିୟର ଟେନିସ୍ ଚାମ୍ପିୟନଶିପ୍ ଏକ ଜିତିବା ମ୍ୟାଚ୍ ହାରି ଯାଇଥିଲେ। ଏହାପରେ ସେ ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ। ପୁସ୍ତକରେ ଏକାଗ୍ରତା, ଇଚ୍ଛା ଶକ୍ତି ଏବଂ ବିଶ୍ୱାସ ଉପରେ ଉଲ୍ଲେଖ ରହିଛି। ଏହି କାରଣରୁ ଆଜି ପର୍ଯ୍ୟନ୍ତ ଏହି ପୁସ୍ତକଙ୍କ ଅନେକ ଖେଳାଳି ପଢନ୍ତି।
https://www.dharitri.com/ହାଓଡି-ମୋଦିଙ୍କ-ସହ-ନେହେରୁ-ଇ/
ହାଓଡି ମୋଦିଙ୍କ ସହ ନେହେରୁ, ଇନ୍ଦିରାଙ୍କୁ ତୁଳନା କରି ଟ୍ରୋଲ ହେଲେ ଥରୁର ନୂଆଦିଲ୍ଲୀ,୨୪।୯: କେରଳ ଥିରୁଭାନନ୍ତପୁରମ୍ର ଏମ୍ପି ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବତ୍ତର୍ମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି ବିବାଦ ଘେରକୁ ଚାଲିଆସିଛନ୍ତି। ରବିବାର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୋଇଥିବା ସ୍ବାଗତକୁ ନେହେରୁ ଓ ଇନ୍ଦିରାଙ୍କ ସ୍ବାଗତ ସହ ତୁଳନା କରି ଥରୁର ଟ୍ରୋଲର ଶିକାର ହୋଇଛନ୍ତି। ଥରୁର ଟୁଇଟରରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଦେଖନ୍ତୁ ୧୯୫୪ରେ ଆମେରିକାରେ କିଭଳି ନେହେରୁ ଓ ଇନ୍ଦିରାଙ୍କୁ ସ୍ବାଗତ କରାଯାଇଥିଲା। ବିନା କୌଣସି ଜନସମ୍ପର୍କ ଅଭିଯାନ ଏବଂ ଗଣମାଧ୍ୟମରେ କୌଣସି ପ୍ରଚାର ନ ହେବା ସତ୍ତ୍ୱେ ମଧ୍ୟ ଲକ୍ଷାଧିକ ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ। ଥରୁରଙ୍କ ଏହି ଟୁଇଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଉକ୍ତ ଫଟୋକୁ ବହୁ ୟୁଜର୍ସ ୧୯୫୬ର ମସ୍କୋ ଗସ୍ତ ସମୟର ବୋଲି ଦାବି କରିଛନ୍ତି। ତେବେ ସମାଲୋଚନା ହେବା ପରେ ଥରୁର ନିଜର ବୟାନ ବଦଳାଇ ଏହା ଆମେରିକାର ନୁହେଁ ବରଂ ସୋଭିଏଟ ସଂଘ ଗସ୍ତ ସମୟର ଫଟୋ ବୋଲି କହିଛନ୍ତି।
https://www.dharitri.com/strange-creatures-sitting-on-the-hill/
ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌ ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାହାଡ଼ ଉପରେ କଳା ରଙ୍ଗର ଏକ ଅଜବ ଜୀବ ଶାନ୍ତ ତଥା ଧୀରସ୍ଥିର ଭାବରେ ବସିଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦୂରରୁ ଦେଖିଲେ ଲାଗୁଛି ଏହା ଏକ ବ୍ଲାକ୍ ପାନ୍ଥର। ମାତ୍ର ଏହା ପାନ୍ଥର ନୁହେଁ, ଏହି ଅଜବ ଜୀବକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓଟିରେ କ୍ୟାମେରାମ୍ୟାନ୍ ଯେତେବେଳେ ଜୁମ୍ କରି ଦେଖାଉଛନ୍ତି ସେତେବେଳେ ଏହା ଅନ୍ୟ ଜୀବଜନ୍ତୁଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛି। ଭିଡିଓଟି ଯେଉଁ ଟୁଇଟର୍ରେ ଭାଇରାଲ ହୋଇଛି ସେଥିରେ ଲେଖାହୋଇଛି ଏହା ନୀଳଗିରି ମାର୍ଟନ ପ୍ରଜାତିର। ଏହା ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥାଏ। ଏହା ମାଂସାହାରୀ। ଏହା ଏକ ଦୁଲର୍ଭ ପ୍ରାଣୀ। ଏହା ନୀଳଗିରିର ପାହାଡ଼ିଆ ଏବଂ ପଶ୍ଚିମାଞ୍ଚଳରେ ଦେଖିବାକୁ ମିଳିଥାଏ। କ୍ୟାମେରାରେ ଏହି ନୀଳଗିରି ମାର୍ଟନଟି କଏଦ ହୋଇଥିଲା। ଯେଉଁମାନେ ଏହାକୁ ଶେୟାର କରିଥିଲେ ସେମାନଙ୍କ ମଧ୍ୟରେ ଭାରତୀୟ ବନ ସେବା ଅଧିକାରୀ ସୁଧାରମଣ ମଧ୍ୟ ଥିଲେ। ଭିଡିଓ ଶେୟାର କରି ସେ କ୍ୟାପ୍ଶନ ଲେଖିଛନ୍ତି, ‘ଏହା ଆପଣଙ୍କୁ ଉତ୍ସାହିତ କରୁଥିବା ବ୍ଲାକ୍ ପାନ୍ଥର ନୁହେଁ। ଏହା ନୀଳଗିରି ମାର୍ଟନ। ଦକ୍ଷିଣ ଭାରତରେ ଏହା ଏକମାତ୍ର ମାର୍ଟନ ପ୍ରଜାତିର ଅଟେ। ସେ କହିଛନ୍ତି ଯେ, ଏହା ବହୁତ ଛୋଟ ପଶୁପକ୍ଷୀଙ୍କୁ ଶିକାର କରି ଖାଇଥାଏ। ଏହି ଭିଡିଓଟିକୁ ୧୧ ଅଗଷ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୭୦,୦୦୦ରୁ ଅଧିକ ଲୋକ ଦେଖିଥିବା ବେଳେ ୪୦୦୦ରୁ ଅଧିକ ପସନ୍ଦ କରିସାରିଲେଣି। ୭୦୦ରୁ ଅଧିକ ୟୁଜର ରି-ଟୁଇଟ୍ ମଧ୍ୟ କରିଛନ୍ତି।
https://www.dharitri.com/sharmila-not-contest-in-telangana/
ତେଲଙ୍ଗାନାରେ ଲଢ଼ିବେନି ଶର୍ମିଲା ହାଇଦ୍ରାବାଦ,୪ା୧୧ : ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ତଥା ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟିର ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲା ନଭେମ୍ବର ୩୦ରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ଶାସନ ବିରୋଧରେ ଲଢ଼େଇରେ ଶର୍ମିଲାଙ୍କ ଦଳ କଂଗ୍ରେସକୁ ସମର୍ଥନ ଦେବ ବୋଲି ସେ ଘୋଷଣା କରିଛନ୍ତି। ସରକାର ବିରୋଧୀ ଭୋଟ ନ ଭାଙ୍ଗିବା ପାଇଁ ଶର୍ମିଲା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ହେଲେ ସରକାର ବିରୋଧୀ ଭୋଟକୁ ଏକାଠି କରିବାକୁ ହେବ। ତାଙ୍କର କଂଗ୍ରେସ ନେତା ଓ କର୍ମୀମାନଙ୍କ ପ୍ରତି ସମ୍ମାନ ରହିଛି ଓ ସେ କଂଗ୍ରେସ ଭୋଟ ବିଭାଜନ କରିବାକୁ ଚାହନ୍ତି ନାହିଁ ବୋଲି ଶର୍ମିଲା କହିଛନ୍ତି। ଓ୍ବାଇଆର୍ଏସ୍ ତେଲଙ୍ଗାନା ପାର୍ଟି କଂଗ୍ରେସ ଦଳରେ ମିଶ୍ରଣ ହେବ କିମ୍ବା ସେମାନଙ୍କ ମଧ୍ୟରେ ପ୍ରାକ୍ ନିର୍ବାଚନ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା। ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ସହ ବୈଠକରେ ତାହା ଫଳପ୍ରଦ ହୋଇ ନ ଥିଲା।
https://www.dharitri.com/ଘରେ-ଶୋଇଥିଲେ-ମହିଳା-ଛାତ-ଫଟା/
ଘରେ ଶୋଇଥିଲେ ମହିଳା, ଛାତ ଫଟାଇ ପଡ଼ିଲା ଉଲ୍‌କାପିଣ୍ଡ; ତା’ ପରେ… ଭାବିଲେ ଆପଣ ଘରେ ଶୋଇଥିବେ ଆଉ ରାତିରେ ଏକ ଉଲ୍କାପିଣ୍ଡ ସେହି କୋଠରିରେ ପଡ଼ିବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ? ଠିକ୍ ଏମିତି ଏକ ଘଟଣା ଘଟିଛି କାନାଡାର ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା ଜଣକ ଘରେ ରାତିରେ ଶୋଇଥିବା ବେଳେ ମହାକାଶରୁ ଏକ ଉଲ୍କାପିଣ୍ଡ ଆସି ତାଙ୍କ ବିଛଣାରେ ପଡ଼ିଥିଲା। ସେ ଭୟଭୀତ ହୋଇପଡ଼ିଥିଲେ। ମହିଳା ଜଣକ କୁହନ୍ତି, ସେ ରାତିରେ ଘର ଭିତରେ ଏକୁଟିଆ ଶୋଇଥିଲେ। ଏହି ସମୟରେ କୋଠରି ଭିତରେ ହଠାତ୍ ଆଲୋକ ଜଳି ଉଠିଲା। ସେ ଉଠି ଘରର ଲାଇଟ୍ ଲଗାଇଲେ। ଦେଖିଲେ ତାଙ୍କ ତକିଆ ନିକଟରେ ଏକ ଉଲ୍କାପିଣ୍ଡ ପଡ଼ିଛି। ସେ ଉପରକୁ ଚାହିଁବାରୁ ଛାତରେ ଏକ କଣା ହୋଇଥିବା ଦେଖିବାକୁ ପାଇଥିଲେ। ଏଥିରେ ସେ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ଘଟି ନ ଥିବା ସେ କହିଛନ୍ତି।
https://www.dharitri.com/ଦିଲ୍ଲୀ-ସେଲ୍ସଟ୍ୟାକ୍ସ-ଅଫିସ/
ଦିଲ୍ଲୀ ସେଲ୍ସଟ୍ୟାକ୍ସ ଅଫିସରେ ନିଆଁ ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ଆଇଟିଓରେ ଥିବା ସେଲ୍ସଟ୍ୟାକ୍ସ ଅଫିସରେ ଗୁରୁବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ୫ ଦମକଳ ଗାଡି ପହଞ୍ଚି ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ୧୩ ମହଲାରୁ ଧୂଆଁ ବାହାରୁ ଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ବାହିନୀ। ତେବେ ପ୍ରାୟ ୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହେବାର ସୂଚନା ମିଳି ନାହିଁ। ଅନ୍ୟପଟେ ନିଆଁ ଲାଗିବାର କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
https://www.dharitri.com/bride-beauty-parlour-ready-marriage/
ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଏଥିରେ ଲେଖାଥିଲା ବିବାହ କ୍ୟାନସେଲ। ଆମେ ବରଯାତ୍ରୀ ନେଇ ଯାଉନାହୁଁ। ଉତ୍ତରପ୍ରଦେଶର କାନପୁରରୁ ଏପରି ଏକ ଖବର ଆସିଛି। କାନପୁରର ପନକୀ ଥାନା ଅନ୍ତର୍ଗତ କଙ୍ଗାଗଞ୍ଜ କଲୋନୀରେ ରହୁଥିବା ପୁଷ୍ପଲତାଙ୍କର ବିବାହ ମହାରାଜପୁରର କ୍ରାନ୍ତି ସିଂହଙ୍କ ସହ ବିବାହ ୨୮ ଏପ୍ରିଲରେ ହେବାର ଥିଲା। ପୁଷ୍ପଲତା ସାଙ୍ଗମାନଙ୍କ ସହ ପାର୍ଲର ଯାଇଥିଲେ। ଏପଟେ ବରପକ୍ଷ କନ୍ୟାପକ୍ଷଙ୍କୁ ଫୋନ୍ କରି ବିବାହ କରିବାକୁ ମନା କରିଛନ୍ତି। ଫଳରେ ମଙ୍ଗୁଳା କନ୍ୟାଙ୍କ ପାଦତଳୁ ମାଟି ଖସିଯାଉଛି। ଏ ସମ୍ପର୍କରେ କନ୍ୟାଙ୍କ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ଯାଞ୍ଚ କରୁଛି।
https://www.dharitri.com/there-will-be-medical-colleges-in-all-districts-odishas-health-minister-made-a-big-announcement/
ସବୁ ଜିଲାରେ ହେବ ମେଡିକାଲ କଲେଜ, ବଡ଼ ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର,୨୩।୭: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏଥର ସବୁ ଜିଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନ ଥିବା କଥା ଛଲେ୍ଲଖ କରିଛନ୍ତି ମନ୍ତ୍ରୀ। ଏକଥାକୁ ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି । ସେପଟେ ଓଡିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ଧ୍ରୁବ ସାହୁ । ଗୃହରେ ବିଜେଡି ଓ କଂଗ୍ରେସ ବିଧାୟକ ଜୋରଦାର ହଙ୍ଗାମା କରିଛନ୍ତି। ସେହିପରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ। ବିରୋଧ ଓ ନାରାବାଜି ଭିତରେ ଗୃହକୁ ବୁଧବାର ସାଢେ ୧୦ଟା ଯାଏଁ ମୁଲତବି ରଖାଯାଇଛି ।
https://www.dharitri.com/aap-released-the-first-list-of-10-people-for-the-gujarat-assembly-elections/
ଗୁଜରାଟ ବିଧାନସଭା ନିର୍ବାଚନ: ୧୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି ଅହମଦାବାଦ,୨।୮: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି(ଏଏପି)ର ଲକ୍ଷ୍ୟ ଗୁଜରାଟ ମିଶନ ରହିଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ମଙ୍ଗଳବାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଏପି। ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅନେକ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ତାଲିକାରେ ସ୍ଥାନ ଦିଆଯାଇଛି। ଜଗମାଲ ୱାଲାଙ୍କୁ ସୋମନାଥ, ଅର୍ଜୁନ ରଠୱାଙ୍କୁ ସାନ ଉଦୟପୁର, ଦେଓଦରରୁ ଭୀମାଭାଇ ଚୌଧୁରୀ ଟିକେଟ ପାଇଛନ୍ତି। ସେହିପରି ରାଜକୋଟ ଗ୍ରାମରୁ ବଶରାମ ସାଗଠିଆଙ୍କୁ ଏବଂ ରାଜକୋଟ ଦକ୍ଷିଣରୁ ଶିବଲାଲ ବାର୍ସିଆଙ୍କୁ ଟିକେଟ ଦିଆଯାଇଛି।
https://www.dharitri.com/cannabis-seized-accused-goes-to-jail/
ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଖ୍ରୀଷ୍ଟିଆନ ସାହିର ଶ୍ରବଣ ବଳିୟାର ସିଂ ଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ପଠାଇଛି। ଥାନା ମାମଲା ନଂ.୪୨୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ରବିବାର ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ, ଏଏସଆଇ ସୁଧୀର ନାୟକ ସଦଳବଳେ ତପ୍ତପାଣି,ପୋଡ଼ାମାରି,କଂସାମାରି, ଧରମପୁର ଗ୍ରାମ ମୁଖ୍ୟରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଧରମପୁର ଗାଁ ଶେଷମୁଣ୍ଡରେ ଥିବା ଶ୍ମସାନ ନିକଟରେ ଅଭିଯୁକ୍ତ ଶ୍ରବଣ ଠିଆ ହୋଇଥିଲେ। ତାଙ୍କୁ ପୋଲିସ ଟିମ ଅଟକାଇ ପଚରାଉଚୁରା କରିବାପରେ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା। ପରେ ସେ ଠିଆ ହୋଇଥିବା ଶ୍ମଶାନ ରାସ୍ତାକ ରେ ପୋଲିସ ଟିମ ଖାନ ତଲାସ କରିବାରୁ ୫ଟି ଜରିଅଖା ମିଳିଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ଟିମ ଗଞ୍ଜେଇ ଭର୍ତ୍ତି ଜରିଅଖା ଜବତ କରିବା ସହ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ଏନେଇ ଏସ.ଆଇ ଶ୍ରୀନିବାସ ଦାସ ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା।
https://www.dharitri.com/ନୂଆ-ଇନିଂସରେ-ଗମ୍ଭୀରଙ୍କ-ଦମ/
ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଟିକେଟରୁ ସେ ଇଷ୍ଟ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପାଖାପାଖି ୭ ଲକ୍ଷ ଭୋଟ ହାସଲ କରି ସେ କଂଗ୍ରେସର ଅରବିନ୍ଦର ସିଂ ଲଭଲି ଓ ଆମ୍ ଆଦ୍ମୀ ପାର୍ଟିର ଆତିଶୀ ମାରଲେନାଙ୍କୁ ବୃହତ୍ ବ୍ୟବଧାନରେ ହରାଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆତିଶୀଙ୍କୁ ଗମ୍ଭୀର ୩.୯୧ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି। ସେ ବିଜୟର ଶ୍ରେୟ ଭାଜପାର ବିଚାରଧାରାକୁ ଦେଇଛନ୍ତି। ସେ ଲଭଲି ଓ ଆତିଶୀଙ୍କୁ ପରୋକ୍ଷରେ ଇଙ୍ଗିତ କରି ନିଜ ବିଜୟର ଶ୍ରେୟ ଭାଜପାକୁ ପ୍ରଦାନ କରିଛନ୍ତି। ‘ଏହା ଏକ ଲଭଲି କଭର ଡ୍ରାଇଭ୍ ନୁହଁ କି ଏହା ଆତିଶୀ ବଲ୍ଲେବାଜୀ ନୁହଁ’ ବୋଲି ସେ ଟୁଇଟ୍ କରିଛନ୍ତି। ସେ ଏହି ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟରୁ ରାଜନୀତି ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ ମଧ୍ୟ ଗମ୍ଭୀର ପଦାର୍ପଣରେ ବେଶ୍ ଜଲଓ୍ବା ଦେଖାଇଛନ୍ତି। ଗମ୍ଭୀରଙ୍କ ପିତା ଦୀପକ ଗମ୍ଭୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। କ୍ରିକେଟ ପଡିଆରେ ଓ ରାଜନୀତିରେ ଗମ୍ଭୀର ନିଜକୁ ଜଣେ ଲଢୁଆ ଖେଳାଳିଭାବେ ପ୍ରମାଣିତ କରିଛନ୍ତି। ସାହସିକ ଭାବେ ମତ ରଖି ଓ ନିଷ୍ପତ୍ତି ନେଇ ସେ ଏକାଧିକବାର ବିବାଦୀୟ ହୋଇଥିଲେ ମଧ୍ୟ ପଛକୁ ହଟିବାକୁ ପସନ୍ଦ କରି ନ ଥାନ୍ତି। ଅଜୟ ଜାଡେଜାଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିବାରୁ ତାଙ୍କ ତତ୍ତ୍ୱାବଧାନରେ ସେ ଖେଳିବାକୁ ମନାକରି ବିବାଦୀୟ ହୋଇପଡିଥିଲେ। ଏକଦା ସେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକରଙ୍କ ପ୍ରାର୍ଥିତ୍ୱଙ୍କୁ ମଧ୍ୟ ବିରୋଧ କରିଥିଲେ। ନିର୍ଭୀକ ଆଭିମୁଖ୍ୟ ତାଙ୍କୁ ବିବାଦୀୟ କରିଥିଲେ ମଧ୍ୟ ଏକ ଭିନ୍ନ ପରିଚୟ ମଧ୍ୟ ପ୍ରଦାନ କରିଛି। ଆନ୍ତର୍ଜାତିକ କ୍ରିକେଟରେ ୧୦, ୦୦୦ ରନ ସଂଗ୍ରହ କରିଥିବା ଗମ୍ଭୀର ୨୦୧୮ରେ ଅବସର ଗ୍ରହଣ କରିଥିଲେ। ବିଜୟ ପାଇଁ ଗମ୍ଭୀରଙ୍କୁ ସାଥୀ ଖେଳାଳି ତଥା ପୂର୍ବତନ ସ୍ପିନର ହରଭଜନ ସିଂ ଓ ଅନ୍ୟ କ୍ରିକେଟରମାନେ ଅଭିନନ୍ଦନ ଜଣାଇଛନ୍ତି।
https://www.dharitri.com/pavitra-rishta-2-first-look-out/
ସାମ୍ନାକୁ ଆସିଲା ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌ ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରୁଛି ବେଶ୍ ଲୋକପ୍ରିୟ ସିରିୟଲ୍ ପବିତ୍ର ରିସ୍ତା। ପୁଣିଥରେ ମାନବ ଅର୍ଚ୍ଚନାଙ୍କୁ ଦେଖିପାରିବେ ଦର୍ଶକ। ହେଲେ ଚଳିତ ଥର ମାନବ ଭୂମିକାରେ ଅଭିନେତା ଶାହିର ଶେଖଙ୍କୁ ଦେଖିବାକୁ ମିଳିବ। ଇତିମଧ୍ୟରେ ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ସୋମବାର ସୋସିଆଲ ମିଡିଆରେ ଆଲଟ ବାଲାଜି ପକ୍ଷରୁ ଏହି ଶୋ’ର ଫାଷ୍ଟ ଲୁକ୍କୁ ଶେୟାର କରାଯାଇଛି। ଚଳିତ ଥର ମାନବଙ୍କ ଚରିତ୍ରରେ ଶାହିର ଶେଖ ଓ ଅର୍ଚ୍ଚନାଙ୍କ ଚରିତ୍ରରେ ଅଙ୍କିତା ଲୋଖଣ୍ଡେ ନଜର ଆସିବେ। ଫାଷ୍ଟ ଲୁକ୍ରେ ଏହି ଯୋଡିଙ୍କୁ ମାନବ ଅର୍ଚ୍ଚନାର ଚରିତ୍ରରେ ଦେଖିବା ପରେ ସିରିୟଲ୍ର ପାର୍ଟ-୧ର ସ୍ମୃତିକୁ ସତେଜ କରିଦେଇଛି। ଶାହିରଙ୍କୁ ଦେଖିଲେ ଆଖିରେ କେବଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚେହେରା ନାଚି ଯାଉଛି। ସେହିପରି ପୂର୍ବରୁ ମାନବଙ୍କ ମା’ଙ୍କ ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିବା ଅଭିନେତ୍ରୀ ଉଷା ନାଡକରନୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ପବିତ୍ର ରିସ୍ତା ପାର୍ଟ-୧ରେ ଅଭିନେତା ସୁଶାନ୍ତ ସିଂହ ମୁଖ୍ୟ ଚରିତ୍ର ବା ମାନବ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ଆଜିବି ଲୋକେ ତାଙ୍କ ଅଭିନୟକୁ ଝୁରୁଛନ୍ତି। ତେବେ ଦେଖାଯାଉ ଏହି ଶୋ’ରେ ସାହିର ଓ ଅର୍ଚ୍ଚନା ଯୋଡି କେତେ ସଫଳ ହେଉଛି।
https://www.dharitri.com/al-qaedas-terrorist-poison-on-kashmir-babri-jihad-new-video-continues/
କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍‌କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି… ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍ କାଏଦାର ମିଡ଼ିଆ ଶାଖା ଆଜ୍ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ ଭିଡିଓ ଜାରି ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଭିଡ଼ିଓରେ ୫ ଜଣ ଆତଙ୍କବାଦୀ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିଥିବାର ଦେଖିବାକୁ ମିଳୁଛି। ଏଥିରେ ଅଲକାଇଦା ମୁଖ୍ୟ ଅଲ୍ ଜବାହିରଙ୍କ ଅଡ଼ିଓ ଶୁଣିବାକୁ ମିଳୁଛି। ଜଣେ ଆତଙ୍କବାଦୀ ନିଜ ନାମ ମୀର୍ ମହିବୁଲ୍ଲା ବୋଲି କହୁଛନ୍ତି। ସେ କଶ୍ମୀର ସହିତ ଜଡ଼ିତ ଥିବା ପ୍ରକାଶ କରିଛନ୍ତି। ଏହା ସହିତ କଶ୍ମୀରରେ ଜେହାଦ୍ ସମ୍ପର୍କରେ ସେ ଭିଡ଼ିଓରେ କହୁଥିବାର ଦେଖିବାକୁ ମିଳୁଛି। ୧ ମିନିଟ୍ ୩୦ ସେକେଣ୍ଡର ଏହି ଭିଡିଓରେ ଭାରତ ସରକାରଙ୍କ ବିରୋଧୀ ମନ୍ତବ୍ୟ ଦିଆଯାଇଛି। ଭିଡ଼ିଓକୁ ଦେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
https://www.dharitri.com/ash-pipe-burst-roadblock/
ଆଶ୍‌ ପାଇପ ଫାଟି ରାସ୍ତା ଅବରୋଧ କଣିହାଁ,୩୦।୬(ସଚିଦାନନ୍ଦ ପ୍ରଧାନ): କଣିହାଁ ବ୍ଲକସ୍ଥିତ ଏନ୍ଟିପିସି ପ୍ରକଳ୍ପର ଏକ ଆଶ୍ ପାଇପ ଫାଟି ଯିବାରୁ ଗୁରୁବାର ଅଧଘଣ୍ଟାରୁ ଅଧିକ ସମୟ ଧରି କଣିହାଁକୁ ସଂଯୋଗ କରୁଥିବା କାକୁଡିଆ-ଡେରେଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ଖବରପାଇ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ ପାଣି ଛାଡିବା ବନ୍ଦ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପାଇପ୍ ଫାଟିଯିବା ସହ ପରିବେଶ ପ୍ରଦୂଷଣ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏନ୍ଟିପିସି ପ୍ରକଳ୍ପରୁ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ୬ଟି ପାଇପ ଲାଇନ ଆଶପଣ୍ଡକୁ ଯାଇଛି। ଅପରାହ୍ନ ୫ଟା ପରେ ଗୋଟିଏ ପାଇପ ଫାଟି ଯାଇଥିଲା। ଉକ୍ତ ଫଟା ପାଇପରୁ ପାଉଁଶ ପାଣି ବାହାରି ରାସ୍ତାରେ ପ୍ରବାହିତ ହେବା ସହିତ ୪ ମିଟର ଉପରକୁ ପାଣି ଉଠିଥିଲା। ଏଥିପାଇଁ ଶତାଧିକ ପଥଚାରୀ ମାଡୁଆ ମନ୍ଦିର ନିକଟସ୍ଥ ରାସ୍ତାର ଉଭୟପାର୍ଶ୍ୱରେ ଗାଡିମୋଟର ଧରି ଅଟକି ରହିଥିଲେ। ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତ୍ୱେ ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଉଁଶ ପରିଚାଳନା ଅଧିକାରୀ ଏ.କେ ସାମଲଙ୍କୁ ଯୋଗାଯାଗ କରିବାରେ ମତାମତ ମିଳିନାହିଁ।
https://www.dharitri.com/there-are-105-cases-of-in-the-state/
ରାଜ୍ୟରେ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୨ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୭୯୭ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୪ ଥିବା ବେଳେ ଅନୁଗୋଳରୁ ୩, ବାଲେଶ୍ୱରରୁ ୩, ବରଗଡ଼ରୁ ୫, ଭଦ୍ରକରୁ ୫ , ବଲାଙ୍ଗୀରରୁ ୩, କଟକରୁ ୧୩ ଓ ଗଞ୍ଜାମରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍ସିଂହପୁରରୁ ଜଣେ , ଯାଜପୁରର ୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୬, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୧୩, କୋରାପୁଟରୁ ୧୩, ମୟୂରଭଞ୍ଜରୁ ୫ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ାରୁ ୨, ପୁରୀରୁ ୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୩ , ସୁବର୍ଣ୍ଣପୁରରୁ ଜଣେ ଆକ୍ରାନ୍ତ ଅଛନ୍ତି।
https://www.dharitri.com/switzerland-and-7-european-countries-include-covishield-in-green-pass/
କୋଭିସିଲ୍ଡକୁ ମିିଳିଲା ମଞ୍ଜୁରୀ: ଏବେ ଭାରତୀୟ କରିପାରିବେ ୟୁରୋପ ଗସ୍ତ ବେଲଜିୟମ,୧ ।୭: କରୋନା ମହାମାରୀ ସଙ୍କଟ ଟଳି ଯିବା ପରେ ବିଦେଶ ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କ ପାଇଁ ଆସିଛି ଖୁସି ଖବର । କିଛିଦିନ ହେବ ଭାରତର କୋଭିସିଲ୍ଟ ଭ୍ୟାକ୍ସିନକୁ ୟୁରୋପ ଅନୁମତି ପ୍ରଦାନ କରି ନ ଥିବା ବେଳେ ଏହି ଭ୍ୟାକ୍ସିନ ନେଇଥିବା ଭାରତୀୟମାନେ ୟୁରୋପ ଗସ୍ତ କରି ପାରିବେନି ବୋଲି କୁହାଯାଇଥିଲା । ହେଲ ଏବେ ୟୁରୋପୀୟ ସଂଘର ସାତ ଦେଶ ଓ ସ୍ୱିଜରଲ୍ୟାଣ୍ଡକୁ କୋଭିସିଲ୍ଡ ନେଇଥିବା ଭାରତୀୟମାନେ ଗସ୍ତ କରିପାରିବେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ୟୁରୋପୀୟ ସଂଘ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ସବୁଜ ସଙ୍କେତ ଦେଇଛି । କୁହାଯାଇଥିଲା କି ଯଦି ୟୁରୋପୀୟ ସଂଘ ଏହି କରୋନା ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ୟୁରୋପ ପ୍ରବେଶ ପାଇଁ ଅନୁମତି ପ୍ରଦାନ ନ କରେ ତେବେ ୟୁରୋପରୁ ଭାରତ ଆସୁଥିବା ସେଠାକାର ନାଗରିକଙ୍କୁ କ୍ୱାରାଣ୍ଟାଇନରେ ରଖିବା ବାଧ୍ୟତାମୂଳକ କରିଦେବ । ଏହି ଚେତାବନୀ ପରେ ୟୁରାପୀୟ ସଂଘ କୋଭିସିଲ୍ଡ ଭ୍ୟାକ୍ସିନକୁ ଅନୁମତି ଦେଇଥିବା କୁହାଯାଏ ।
https://www.dharitri.com/bees-to-guard-india-bangladesh-border-bsfs-mission-honey/
ମହୁମାଛି ଜଗିବେ ଭାରତ-ବାଂଲାଦେଶ ସୀମା, ବିଏସଏଫର ‘ମିଶନ ହନି’… ନୂଆଦିଲ୍ଲୀ,୮।୧୧ : ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ। ଏହି ଅଭିନବ ଯୋଜନା ଅନ୍ତର୍ଗତ ସୀମା ବାଡ଼ ନିକଟରେ ମହୁମାଛି ବାକ୍ସଗୁଡ଼ିକ ରଣନୀତ ଅନୁସାରେ ସ୍ଥାପିତ ହୋଇଛି। ଏହା ମହୁମାଛିଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ଅନୁପ୍ରବେଶକାରୀ ତଥା ଚୋରା ଚାଲାଣକାରୀଙ୍କୁ ସୀମା ବାଡ଼ରେ ଟାମ୍ପରିଂରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିବ। ଏକ କ୍ରମରେ ମହୁମାଛି ବାକ୍ସ ସ୍ଥାପନ କରିବା ପାଇଁ ଏକ ନିଆରା ପ୍ରୟାସ କରାଯାଉଛି ଯାହା ଦ୍ୱାରା ମହୁମାଛି ସୀମା ସୁରକ୍ଷା ତଥା ଅନଧିକୃତ ପ୍ରବେଶକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେବେ। ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ଏହା ସହିତ, ସ୍ଥାନୀୟ କୃଷକମାନେ ମହୁମାଛିଙ୍କ ପାଇଁ ବର୍ଷସାରା ଖାଦ୍ୟ ଯୋଗାଣ ସୁନିଶ୍ଚିତ ହୋଇଥାଏ। ସୋରିଷ ଚାଷ ଏବଂ ବିଭିନ୍ନ ଫୁଲ ଗଛ ଲଗାଇବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଯାହା ମହୁମାଛିଙ୍କୁ ଖାଦ୍ୟ ଯୋଗାଣରେ ଅଧିକ ସହାୟକ ହେବ। ପ୍ରକଳ୍ପର ସଫଳତା ନିଶ୍ଚିତ କରିବାକୁ ଗ୍ରାମବାସୀଙ୍କୁ ମହୁମାଛିର ଉପକାରିତା ଏବଂ ସେମାନଙ୍କର ସୁନିଶ୍ଚିତ ବିକାଶ ପାଇଁ ଏହାର ସମ୍ଭାବନା ବିଷୟରେ ଶିକ୍ଷା ଦିଆଯାଇଛି। ସୀମାନ୍ତରେ ଏହି ସମନ୍ବିତ ବିକାଶମୂଳକ ପଦକ୍ଷେପ ଆଣିଥିବାରୁ ଗ୍ରାମବାସୀ ଏବଂ କୃଷକମାନେ ବିଏସଏଫକୁ ପ୍ରଶଂସା କରିଛନ୍ତି। ଏଥିରେ ଅଧିକ ଗ୍ରାମବାସୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ପାଇଲଟ ପ୍ରୋଜେକ୍ଟରେ ସଫଳତା ମିଳିଲେ ବିଏସଏଫ ଏହି ପଦକ୍ଷେପକୁ ଭାରତ-ବାଂଲାଦେଶ ସୀମାରେ ଥିବା ଅଧିକ ଗ୍ରାମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ଏହି ଅଞ୍ଚଳର ବିକାଶ, ନିରାପତ୍ତା ଏବଂ ସମୃଦ୍ଧି ବୃଦ୍ଧି ପାଇବ।
https://www.dharitri.com/tejashwi-surya-opens-emergency-door-by-mistake-scindia/
ତେଜସ୍ବୀ ସୂର୍ଯ୍ୟା ଭୁଲ୍‌ରେ ଏମର୍ଜେନ୍ସି ଡୋର୍‌ ଖୋଲିଥିଲେ: ସିନ୍ଧିଆ ନୂଆଦିଲ୍ଲୀ,୧୯।୧: ଚେନ୍ନାଇ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ପ୍ରସ୍ଥାନ ଦ୍ୱାର ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ଖୋଲିଥିବା ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ତେଜସ୍ବୀ ଭୁଲ୍ବଶତଃ ବିମାନ ଡୋର୍ ଖୋଲି ଦେଇଥିବାବେଳେ ଏ ନେଇ ସେ କ୍ଷମା ମାଗିଥିବା ସିନ୍ଧିଆ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ମନ୍ତ୍ରଣାଳୟ ପକ୍ଷରୁ ତେଜସ୍ବୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ। ଗତ ଡିସେମ୍ବର ୧୦ ତାରିଖରେ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଦ୍ୱାରକୁ ଖୋଲିଦିଆଯିବାରୁ ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡୋର ଖୋଲିଥିବା ଯାତ୍ରୀ ଜଣକ ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନ ମଣ୍ଡଳୀର ଏମ୍ପି ତେଜସ୍ବୀ କି ନୁହନ୍ତି, ତାହା ଡିଜିସିଏ ଅଧିକାରୀମାନେ ସ୍ପଷ୍ଟ କରି ନ ଥିବାବେଳେ ତେଜସ୍ବୀ ଡୋର ଖୋଲିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ।
https://www.dharitri.com/କରୋନାରୁ-ଆରୋଗ୍ୟ-ପାଇଁ-ଆୟୁର/
କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ କଟକ ଅଫିସ୍,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ କରୋନାରୁ ଆରୋଗ୍ୟ ପାଇଁ କେତେକ ଆୟୁର୍ବେଦିକ ଔଷଧକୁ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି। କ୍ୱାରାଣ୍ଟାଇନରେ ଥିବା କିମ୍ବା ହାଇରିସ୍କ ଅଞ୍ଚଳରେ କାର୍ଯ୍ୟରତ ବ୍ୟକ୍ତି ଓ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଏସବୁର କ୍ଲିନିକାଲ୍ ପରୀକ୍ଷା କରାଯାଇଛି। ଆୟୁର୍ବେଦର ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି, ପିପ୍ପଳି ଓ ଆୟୁଷ-୬୪ ଭଳି କେତେକ ଔଷଧର ପରୀକ୍ଷା କରାଯିବା ନେଇ ହୋଇଥିବା ବଡ଼ ନିଷ୍ପତ୍ତିକୁ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଆୟୁର୍ବେଦରେ ଡିଲିଟ୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଅଶ୍ୱଗନ୍ଧା ବ୍ୟାକ୍ଟେରିଆ ସଂକ୍ରମଣକୁ ପ୍ରତିହତ କରିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ। ଏହା ଏକ ଶକ୍ତିବର୍ଦ୍ଧକ ଔଷଧ ଭାବରେ ପରିଚିତ। ସେହିଭଳି ଜଷ୍ଟିମଧୁ ବଦହଜମି, ପେଟ ଯନ୍ତ୍ରଣା, ଛାତି ଜଳାପୋଡା ଓ ପାଚନ ସମ୍ବନ୍ଧୀୟ ରୋଗ ପାଇଁ ଉପଯୋଗୀ ହୋଇଥାଏ। ଗୁଡୁଚି, ପିପ୍ପଳି ଜ୍ୱର, ଗ୍ୟାସ୍, କୋଷ୍ଠକାଠିନ୍ୟ, କଫ, ପୁରାତନ ଥଣ୍ଡା, ଡାଇବେଟିସ୍, ଆଖି, କାନ ଓ ନାକ ରୋଗ ଏବଂ ଅର୍ଶ ରୋଗ ପାଇଁ ଉପାଦେୟ ହେଉଥିବାରୁ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମିଳିତ ନିଷ୍ପତ୍ତିକୁ ଡାକ୍ତର ମହାରଣା ପ୍ରଶଂସା କରିଛନ୍ତି।
https://www.dharitri.com/miami-title-to-hookers/
ହୁକାର୍ଜଙ୍କୁ ମାୟାମି ଟାଇଟଲ ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ ୭-୬ (୪), ୬-୪ ସେଟ୍ରେ ହରାଇ ଦେଇଛନ୍ତି। ୨୪ ବର୍ଷୀୟ ହୁକାର୍ଜଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ଼ ଟାଇଟଲ। ଜାନୁୟାରୀରେ ସେ ଡେଲରେ ବିଚ୍ ଟାଇଟଲ ଜିତିଥିଲେ। ଟେନିସ୍ରେ ବିଗ୍ ଥ୍ରି ରୂପେ ପରିଚିତ ନୋଭାକ ଜୋକୋଭିଚ୍, ରାଫାଲ ନାଡାଲ ଓ ରୋଜର ଫେଡରର ଏବଂ ୟୁଏସ୍ ଓପନ ଚାମ୍ପିୟନ ଡୋମିନିକ ଥିମ୍ଙ୍କ ଭଳି ଷ୍ଟାର ଖେଳାଳି ଓହରିଯିବାରୁ ଏଠାରେ ସେ ଚାମ୍ପିୟନ ହୋଇପାରିଛନ୍ତି। ଆସନ୍ତା ସପ୍ତାହ ର଼୍ୟାଙ୍କିଙ୍ଗ ତାଲିକାରେ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୬ତମ ସ୍ଥାନ ଅଧିକାର କରିବେ। ହୁକାର୍ଜ ଆହୁରି ମଧ୍ୟ ପୋଲାଣ୍ଡର ପ୍ରଥମ ଖେଳାଳି ଭାବେ ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇପାରିଛନ୍ତି। ପୂର୍ବରୁ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଆଶଲେ ବାର୍ଟି ମାୟାମି ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ୬-୩, ୪-୦ରେ ଅଗ୍ରଣୀ ଥିବାବେଳେ ପାଦରେ ଇଞ୍ଜୁରି ଯୋଗୁ ବାଏଙ୍କା ଆଣ୍ଡ୍ରେସ୍କୁ ମ୍ୟାଚ ଅଧାରୁ ରିଟାୟର୍ଡ ନେଇଥିଲେ। ବାର୍ଟିିଙ୍କର ଏହା ହେଉଛି କ୍ରମାଗତ ଦ୍ୱିତୀୟ ମାୟାମି ଟାଇଟଲ।
https://www.dharitri.com/shakespeare-died-of-vaccination/
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ ସେକ୍ସପିୟରଙ୍କୁ ଫାଇଜରର ପ୍ରଥମ ଡୋଜ୍ ଦିଆଯାଇଥିଲା। ତାଙ୍କ ପୂର୍ବରୁ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ୯୧ ବର୍ଷୀୟା ମହିଳା ମାର୍ଗେଟ ସେହି ହସ୍ପିଟାଲରେ ଟିକା ନେଇଥିଲେ। ମେ’ ୨୦ରେ ସେକ୍ସପିୟରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବନ୍ଧୁ ଜୈନ ଇନେସ୍ କହିଛନ୍ତି। ସେକ୍ସପିୟରଙ୍କ କୋଭିଡ୍ରେ ମୃତ୍ୟୁ ଘଟି ନ ଥିବା ପରିବାର ପକ୍ଷରୁ କୁହାଯାଇଛି। ସେକ୍ସପିୟର କମ୍ପାନୀ ରୋଲ୍ସ ରୋଏସରେ କାମ କରିଥିଲେ। ସେ ପେରିସ୍ କାଉନସିଲର ରହିବା ସହ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏଲେସ୍ଲିରେ ତାଙ୍କ ସମ୍ପ୍ରଦାୟର ସେବା କରିଥିଲେ।
https://www.dharitri.com/କରୋନା-ଭୟାବହତା-କଳାହାଣ୍ଡି/
କରୋନା ଭୟାବହତା: କଳାହାଣ୍ଡି ଜିଲାର ୧୬୮ ଗ୍ରାମରେ ୩୧୦ଙ୍କୁ ସ୍କାନିଂ ଭବାନୀପାଟଣା,୨୦।୩(ଡି.ଏନ୍.ଏ.): ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ଓଡ଼ିଶାରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଏହି ସଂକ୍ରମଣକୁ ରୋକିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କଳାହାଣ୍ଡି ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗର ୪୫ଟି ସ୍ବତନ୍ତ୍ର ସ୍କାନିଂ ଟିମ୍ ୧୯ ତାରିଖ ସୁଦ୍ଧା ୧୬୮ଟି ଗ୍ରାମରେ ୩୧୦ ଜଣଙ୍କୁ ସ୍କାନିଂ କରାଯାଇଛି। ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଛି।
https://www.dharitri.com/the-first-grandmaster-of-the-world-sister-and-brother-baibarshi-pragyananda/
ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ଗୋଟିଏ ପରିବାରର ଭଉଣୀ ଭାଇ, ଯାହାକି ବିଶ୍ୱରେ ପ୍ରଥମ। ପୂର୍ବରୁ ଆର୍. ପ୍ରଜ୍ଞାନନ୍ଦ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିସାରିଥିଲେ। ଏବେ ତାଙ୍କ ବଡ଼ ଭଉଣୀ ଆର୍. ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ପରିବାରର ଭଉଣୀ ଭାଇ ଗ୍ରାଣ୍ଡମାଷ୍ଟର ଜିତିବା ଏହା ବିଶ୍ୱରେ ପ୍ରଥମ ଦୃଷ୍ଟାନ୍ତ। ସ୍ପେନ୍ରେ ଅନୁଷ୍ଠିତ ଆଇଭିଇଏଲ୍ ଲୋବ୍ରେଗାଟ ଓପନ ଚେସ୍ରେ ଚମତ୍କାର ଆରମ୍ଭ କରି ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସମସ୍ତ ଔପଚାରିକତା ପୂରଣ କରିଛନ୍ତି। ଶୁକ୍ରବାର ସେ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ମ୍ୟାଜିକ୍ ୨୫୦୦ ରେଟିଂ ପଏଣ୍ଟ ପୂରଣ କରିବା ସହ ଏହି ସଫଳତା ପାଇଛନ୍ତି। ଚେନ୍ନାଇଭିତ୍ତିକ ୨୨ ବର୍ଷୀୟା ବୈଶାଳୀ ସ୍ପେନ୍ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ତୁର୍କୀ ଫିଡେମାଷ୍ଟର ତାମେର ତାରିକ ସେଲବେସଙ୍କୁ ହରାଇବା ସହ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ପଥ ପରିଷ୍କାର କରିଥିଲେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ ପାଇଁ ଖେଳାଳିଙ୍କୁ ୩ଟି ଗ୍ରାଣ୍ଡମାଷ୍ଟର ନର୍ମ ସହ ୨୫୦୦ ଇଲୋ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହୋଇଥାଏ। ବୈଶାଳୀ ଗତ ଅକ୍ଟୋବରରେ ଅନୁଷ୍ଠିତ କାତାର ମାଷ୍ଟର୍ସ ଟୁର୍ନାମେଣ୍ଟରେ ତୃତୀୟ ଜିଏମ୍ ନର୍ମ ପୂରଣ କରିଥିଲେ। ଟାଇଟଲ ପାଇଁ ତାଙ୍କୁ କେବଳ ୨୫୦୦ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହେଉଥିଲା, ଯାହାକି ସେ ସ୍ପେନ୍ ଟୁର୍ନାମେଣ୍ଟରେ ହାସଲ କରିଛନ୍ତି। ଭାରତର ତୃତୀୟ ମହିଳା ଖେଳାଳିଭାବେ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ପାଇଛନ୍ତି ବୈଶାଳୀ। ତାଙ୍କ ପୂର୍ବରୁ କୋନେରୁ ହମ୍ପି ଓ ଡି. ହାରିକା ଏହି ଟାଇଟଲ ହାସଲର କୃତିତ୍ୱ ଅର୍ଜନ କରିଛନ୍ତି। ବୈଶାଳୀ ଭାରତର ୮୪ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। କେବଳ ଗ୍ରାଣ୍ଡମାଷ୍ଟର ଟାଇଟଲ ନୁହେଁ, ବିଶ୍ୱର ପ୍ରଥମ ଭଉଣୀ ଭାଇ ଭାବେ ସମ୍ମାନଜନକ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍ର କ୍ୱାଲିଫାଇଂ ଇଭେଣ୍ଟରୂପେ ପରିଚିତ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ୨୦୨୪ ଏପ୍ରିଲରେ ଟରଣ୍ଟୋରେ ଅନୁଷ୍ଠିତ ହେବ। ବୈଶାଳୀଙ୍କ ସାନଭାଇ ପ୍ରଜ୍ଞାନନ୍ଦ ୨୦୧୮ରେ ମାତ୍ର ୧୨ ବର୍ଷ ବୟସରରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ। ଚେସ୍ ଲିଜେଣ୍ଡ ବିଶ୍ୱନାଥନ ଆନନ୍ଦ ସୋସିଆଲ୍ ନେଟ୍ଓ୍ବର୍କିଂ ପ୍ଲାଟ୍ଫର୍ମ ‘ଏକ୍ସ’ ମାଧ୍ୟମରେ ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ତାଙ୍କ ବାପା ରମେଶବାବୁଙ୍କଠାରୁ ଚେସ୍ ଶିଖିବା ଆରମ୍ଭ କରିଥିଲେ। ରମେଶବାବୁ ନିଜେ ମଧ୍ୟ ଜଣେ ଚେସ୍ ଖେଳାଳି।
https://www.dharitri.com/salman-khan-lalu-yadav-named-goats-available-for-sale-in-jhalawar-for-bakra-eid-2021/
ବଜାରରେ ମିଳୁଛି ଲାଲୁ,ସଲମାନ ଛେଳି: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଜୟପୁର,୨୦।୭: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି ପାଇଁ ଆସିଥିବା ଛେଳିଗୁଡିକୁ ଚଢା ଦର୍ରେ ବିକ୍ରି କରାଯାଉଛି। ଏହି ଛେଳିଗୁଡିକ କୌଣସି ସାଧାରଣ ଛେଳି ନୁହଁନ୍ତି, ଏମାନଙ୍କ ମଧ୍ୟରୁ ଅନେକ ସଲମାନ, ଶାହାରୁଖ ଏବଂ ଅମିରଙ୍କ ପରି ଚଳଚ୍ଚିତ୍ର ତାରକାଙ୍କ ନାମରେ ନାମିତ। ଏହା ବ୍ୟତୀତ ଆପଣ ଏଠାରେ ନେତାଙ୍କ ନାମରେ ଛେଳି ମଧ୍ୟ ପାଇବେ ଯେପରି ଗୋଟିଏ ଛେଳିର ନାମ ଲାଲୁ। ଆଖପାଖ ଅଞ୍ଚଳରେ ଏହି ଛେଳିଗୁଡିକର ବହୁତ ଚାହିଦା ରହିଛି। ଏହି ଛେଳିଗୁଡିକର ମୂଲ୍ୟ ୯ ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ କିଣାଯାଇ ବିକ୍ରି ହେଉଛି। ଇଦ୍ର ଏକ ମାସ ପୂର୍ବରୁ ଛେଳିଗୁଡିକ ପାଇଁ ଏକ ବଜାର ଖୋଲାଯାଇଛି।
https://www.dharitri.com/revenue-inspector-trapped-by-odisha-vigilance-while-taking-bribe/
୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ଜଗତସିଂହପୁର,୨୮।୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ କେସ କୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ୫୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ନଗଦ ଟଙ୍କା ମଧ୍ୟ ତାଙ୍କ ପାଖରୁ ଉଦ୍ଧାର କରାଯାଇଛି। କାମ କରାଇ ଦେବା ପାଇଁ ବିଭୁଦତ୍ତ ଲାଞ୍ଚ ମାଗୁଥିବା ଅଭିଯୋଗ ପୂର୍ବରୁ ଭିଜିଲାନ୍ସ ପାଖରେ ହୋଇଥିଲା। ଏହାପରେ ଜାଲ ବିଛାଇ ସଫଳତାର ସହିତ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ପାଖରେ ଏକ ମାମଲା ରୁଜୁ କରାଯାଇ ବିଭୁଦତଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଥିବା ସନ୍ଦେହ କରି ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି।
https://www.dharitri.com/putin-jumps-into-ukraine-war-without-assessing-power-now-should-withdraw-troops-bidens-gaze/
ଶକ୍ତିର ଆକଳନ ନକରି ୟୁକ୍ରେନ୍‌ ଯୁଦ୍ଧକୁ ଡେଇଁଛନ୍ତି ପୁଟିନ୍‌, ଏବେ ସେନା ପ୍ରତ୍ୟାହାର କରିବା ଉଚିତ: ବାଇଡେନଙ୍କ କଟାକ୍ଷ… ଓ୍ବାଶିଂଟନ,୧୨।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୁଟିନ୍ ୟୁକ୍ରେନର ଶକ୍ତିର ଆକଳନ ନକରି ଯୁଦ୍ଧକୁ ଡେଇଁ ପଡ଼ିଛନ୍ତି। ଏବେ ପୁଟିନ ଫଶି ଯାଇଛନ୍ତି। ବାଇଡେନ କହିଛନ୍ତି ଯେ ଭ୍ଲାଡିମିର ପୁଟିନ ସାଧାରଣତଃ ଉଚିତ ବିଚାର ପରେ ନିଷ୍ପତ୍ତି ନିଅନ୍ତି, କିନ୍ତୁ ସେ ୟୁକ୍ରେନ ବିଷୟରେ ଏକ ବଡ ଭୁଲ କରିଛନ୍ତି। ସେ ୟୁକ୍ରେନକୁ କାବୁ କରିବାକୁ ଚିନ୍ତା କରୁଥିଲେ, କିନ୍ତୁ ତାହାର ଶକ୍ତି ଜାଣିପାରିଲେ ନାହିଁ। ଏକ ଟିଭି ସାକ୍ଷାତକାରରେ ବାଇଡେନ କହିଛନ୍ତି ଯେ ପୁଟିନ ବର୍ତ୍ତମାନ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିବାକୁ ଚିନ୍ତା କରିବା ଉଚିତ। ସିଏନଏନ ସହ ଏକ ବାର୍ତ୍ତାଳାପରେ ବିଡେନ କହିଛନ୍ତି ଯେ ମୋର ବିଶ୍ୱାସ ଯେ ପୁଟିନ ଜଣେ ବ୍ୟକ୍ତି ଯିଏ ଯୁକ୍ତିଯୁକ୍ତ ନିଷ୍ପତ୍ତି ନିଅନ୍ତି, କିନ୍ତୁ ୟୁକ୍ରେନ କ୍ଷେତ୍ରରେ ସେ ଏକ ବଡ ଭୁଲ କରିଛନ୍ତି। ୟୁକ୍ରେନ ଯୁଦ୍ଧ ପରଠାରୁ ଭ୍ଲାଦିମିର ପୁଟିନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବାଇଡେନ କହିଛନ୍ତି ପୁଟିନ ଭାବିଥିବେ ଯେ ତାଙ୍କୁ ୟୁକ୍ରେନରେ ସ୍ବାଗତ କରାଯିବ। କିନ୍ତୁ ତାହା ଘଟିଲା ନାହିଁ। ଏହା ପୁଟିନଙ୍କ ଦୋଷ ଥିଲା ଏବଂ ସେ ପରିସ୍ଥିତିର ସଠିକ ଆକଳନ କରିପାରି ନ ଥିଲେ। ଏହି ସମୟରେ ସେ ପୁଟିନଙ୍କ ସହ ଆଲୋଚନା ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇନାହାଁନ୍ତି। ସେ କହିଛନ୍ତି ଯେ ପୁଟିନଙ୍କୁ ଭେଟିବାର ମୋର ଉଦ୍ଦେଶ୍ୟ ନାହିଁ। କିନ୍ତୁ ନଭେମ୍ବରରେ ଜି -୨୦ ବୈଠକ ହେବାକୁ ଯାଉଛି। ଯଦି ସେ ଏହି ସମୟ ମଧ୍ୟରେ ସାକ୍ଷାତ କରିବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବେ କଥା ହେବି।
https://www.dharitri.com/ବଡ଼-ଧରଣର-ଆତଙ୍କବାଦୀ-ଆକ୍ରମ/
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୪୦ କିଗ୍ରା ବିସ୍ଫୋରକ ଜବତ ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା ବିସ୍ଫୋରକ ଜବତ କରିଛନ୍ତି। ଏତେ ପରିମାଣର ବିସ୍ଫୋରକ କିଭଳି ଏଠାକୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି।
https://www.dharitri.com/army-deployment-in-sydney/
କରୋନା ସଂକ୍ରମିତଙ୍କ ଘର ଜଗିବେ ସେନା! ସିଡ୍ନୀ,୩୧ ।୭: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ଲହର ଶେଷ ହେଉଥିବା ବେଳେ ପୁଣି ମାଡି ଆସୁଥିବା ତୃତୀୟ ଓ ଚତୁର୍ଥ ଲହର ଏବେ କୋକୁଆ ଭୟ ସୃଷ୍ଟି କଲାଣି । କିଛି ବିକାଶଶୀଳ ଦେଶରେ ଏହା କମ୍ ହେବା ପରିବର୍ତ୍ତେ ବଢି ଚାଲିଥିବାରୁ ଲୋକେ ଭୟଭୀତ ହୋଇ ଗଲେଣି । କରୋନାର ଉତ୍ପତି ସ୍ଥଳ ଚାଇନାରେ ଏହା ପୁଣିଥରେ ଦେଖାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେହିପରି ଏହାର ହେଲ୍ଡ ଓ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ଲୋକଙ୍କ ନିଦ ହଜାଇ ସାରିଲାଣି । ସିଡ୍ନୀରେ ଏବେ ଡେଲ୍ଟା ଭାରିଏଣ୍ଟ ଆକ୍ରମଣାତ୍ମକ ଢଙ୍ଗରେ ମାଡି ଚାଲିଛି । ଏହାକୁ ଦେଖି ସରକାର ବାଧ୍ୟ ହୋଇ ଲକ୍ ଡାଉନ ଅବଧିକୁ ବୃଦ୍ଧି କରିଥିବା ଜଣାପଡିଛି । ଏହାକୁ ନେଇ ସେଠାକାର ସରକାର କଡା ହୋଇଥିବା ବେଳେ ଲକଡାଉନ ପରେ ବି ଯବାନ ମୂତୟନ କରିବାକୁ ଚିନ୍ତା କରିଛନ୍ତି । ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ଲକଡାଉନ ପାଇଁ ୩୦୦ ଯବାନଙ୍କୁ ମୂତୟନ କରାଯିବାକୁ ଯୋଜନା କରାଯାଉଛି । ତେଣୁ ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ କରାଯିବେ ସେସବୁ ଅଞ୍ଚଳରେ ଲକ୍ ଡାଉନ ସହ ସେନା ମୂତୟନ ହେବେ ଓ ସେମାନଙ୍କର ଟେଷ୍ଟକୁ ବାଧ୍ୟତାମୂଳକ କରାଯିବ ।
https://www.dharitri.com/କ୍ୱାରାଣ୍ଟାଇନ୍‌-କେନ୍ଦ୍ର-4/
କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ରତ୍ନାକର ଜେନା ନାମକ ଯୁବକଙ୍କୁ ପୋାଲିସ ଗିରଫ କରିଛି। ଏନେଇ ଥାନାରେ ମାମଲା(ନଂ.୪୯/୨୦) ରୁଜୁ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ନୀଳଗିରି ତହସିଲଦାର ଅଶେଷ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବାହ୍ନ ସମୟରେ ରତ୍ନାକର କ୍ୱାରାଣ୍ଟାଇନ୍ କେନ୍ଦ୍ର ମଧ୍ୟକୁ ପଶି ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରିଥିଲେ। ଯୁବତୀ ଜଣକ ପାଟି କରିବାରୁ କେନ୍ଦ୍ରରେ ଥିବା ଅନ୍ୟ ୩ଜଣ ମହିଳା ଦୌଡ଼ି ଆସିଥିଲେ। ସମ୍ପୃକ୍ତ ଯୁବକ ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ କାବୁ କରି ଗଛରେ ବାନ୍ଧି ପକାଇଥିଲେ। ସମ୍ପୃକ୍ତ ଯୁବକ ଓ ତାଙ୍କୁ ସହଯୋଗ କରିଥିବା ଜଣେ ସୁରକ୍ଷାକର୍ମୀଙ୍କ ବିରୋଧରେ ପୀଡିତା ବରହମ୍ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
https://www.dharitri.com/ବଲିଉଡ୍‌-ନାୟକ-ଶୁଶାନ୍ତ-ସିଂ/
ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ମୁମ୍ବାଇ,୧୪।୬: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଭଳି ଏକ ଖବର ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ବଲିଉଡ୍ର ଜଣେ ଆଗଧାଡିର କଳାକାର ଥିଲେ ସୁଶାନ୍ତ। ପ୍ରଥମେ ଟେଲିଭିଜନ ଦୁନିଆରେ ଅଭିନୟ କରି ସେ ତାଙ୍କ କଳାକାର ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ସେ ‘କିସ୍ ଦେଶ ମେଁ ହୈ ମେରା ଦିଲ’ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ। ହେଲେ ଏକତା କପୁରଙ୍କ ‘ପବିତ୍ର ରିସ୍ତା’ ଧାରାବାହିକରେ ସେ ଲୋକପ୍ରିୟ ହୋଇପାରିଥିଲେ। ସେହିପରି ବଲିଉଡ୍ ମୁଭି ‘ ଏମ୍ ଏସ୍ ଧୋନୀ’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା ମିଳିଥିଲା। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିଲା। ସେହିପରି ଫିଲ୍ମ ‘ସୁଦ୍ଧ ଦେଶୀ ରୋମାନ୍ସ’ରେ ମଧ୍ୟ ବାଣୀ କପୁର ଓ ପରିଣିତି ଚୋପ୍ରାଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ।
https://www.dharitri.com/made-a-mistake-in-choosing-alife-partner/
ଜୀବନ ସାଥୀ ବାଛିବାରେ ଭୁଲ୍‌ କରିଦେଇଛି’ କଟକ ଅଫିସ,୨୦ା୫: ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ ସେମିତି ଭୁଲ୍ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପ୍ରିୟଜନଙ୍କୁ ବହୁତ ଭଲ ପାଏ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି। ଅନୁଭବ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଗୁରୁବାର ନିଜ ୟୁଟ୍ୟୁବ ଆକାଉଣ୍ଟରେ ଭିଡିଓ ଶେୟାର କରି ବଖାଣିଛନ୍ତି ନିଜ ମନର ଅକୁହା କଥା। ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ଅନୁଭବ ପ୍ରଥମେ ନିଜ ପରିବାର ଏବଂ ଚଳଚ୍ଚିତ୍ର ଜଗତରେ ପ୍ରବେଶ ବିଷୟରେ କହିଛନ୍ତି। ଏହାପରେ ସେ ତାଙ୍କ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଏଥିସହ ଏହି ଭିଡିଓ ପରେ ସେ ନିଜ ରାଜନୈତିକ କ୍ୟାରିୟର ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୦୮ରେ ଜଣଙ୍କୁ ନିଜଠାରୁ ଅଧିକ ଭଲ ପାଇଲି, ଆଉ ୨୦୧୪ରେ ତାଙ୍କୁ ଜୀବନସାଥୀ ଭାବେ ମଧ୍ୟ ଗ୍ରହଣ କଲି। ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ କି ଚିନ୍ତା କରି ନାହିଁ। ଏ କୋର୍ଟ, କଚେରି, ଥାନା, ପୋଲିସ ମୋ ଜୀବନରେ କେବେ ଦେଖି ନ ଥିଲି। କେବେ ଭାବି ନ ଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ, ତା’ ବି ଜଣଙ୍କୁ ଭଲ ପାଇକି। ଜୀବନ ସାଥୀ ବାଛିବାରେ ସବୁଠୁ ବଡ଼ ଭୁଲ୍ କରିଦେଲି ବୋଲି କହିଛନ୍ତି। ଅନୁଭବ ନିଜ ରାଜନୈତିକ କ୍ୟାରିଅର ନେଇ ଆଶଙ୍କାରେ ଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାହାରକୁ ଗଲାପରେ ରାଜନୈତିକ ପଦବୀ ମିଳିବା ନ ମିଳିବା କଥା ଜାଣି ନାହିଁ। ହେଲେ ମୁଁ ନ୍ୟାୟିକ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବି ବୋଲି କହିଛନ୍ତି ଅନୁଭବ। ତେବେ ଭିଡିଓ ମଝିରେ ଅନୁଭବ ତାଙ୍କ ବିବାହ ନେଇ ଏକ ଇତିହାସ ଥିବା କହିଛନ୍ତି। ଯଦି ଦର୍ଶକ ଅନୁମତି ଦେଲେ ସେ ବିଷୟରେ କହିବି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ଛାଡ଼ପତ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି।ଏଣେ ଅନୁଭବଙ୍କ ବିରୋଧରେ ସ୍ତ୍ରୀ ବର୍ଷା ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସ୍ଡିଜେଏମ୍ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।
https://www.dharitri.com/girl-dances-on-railway-platform/
ରେଳ ଷ୍ଟେଶନରେ ଏମିତି ଗୀତରେ ଡ୍ୟାନ୍ସ କଲେ ଯୁବତୀ, ୟୁଜର୍ସ ହେଲେ ପାଗଳ ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହେଉଛି ତାହା କହି ହେଉ ନାହିଁ। ବର୍ତ୍ତମାନ ଏକ ରେଳଷ୍ଟେଶନରେ ଜଣେ ଯୁବତୀ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେଉଛି। ଯୁବତୀ ଜଣକ ପ୍ଲାଟଫର୍ମରେ ‘ସାତ୍ ସମୁଦର ପାର୍’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ୟୁଜର୍ସମାନଙ୍କୁ ବେଶ୍ ପସନ୍ଦ ଆସିଛି। ସହେଲି ରୁଦ୍ର ନାମକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ସହେଲି ପ୍ଲାଟଫର୍ମ ରିମିକ୍ସ ଟ୍ରାକ୍ ଡ୍ରାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଡ୍ୟାନ୍ସ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧.୫ ମିଲିୟନ ଲୋକ ପସନ୍ଦ କରିଥିବା ବେଳେ ୨୦ ହଜାରରୁ ଅଧିକ କମେଣ୍ଟ ବି ଦେଇଛନ୍ତି ୟୁଜର। ସହେଲି ମୁହଁରେ ମାସ୍କ ଲଗାଇ ଏହି ଡ୍ୟାନ୍ସ କରୁଥିଲେ। ସେ ଖୁବ୍ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଗୀତଟି ଫିଲ୍ମ ‘ବିଶ୍ୱାତ୍ମା’ର। ଏଥିରେ ଦିବ୍ୟା ଭାରତୀ ଏବଂ ସନି ଦେଓଲ ଅଭିନୟ କରିଥିଲେ। ‘ସାତ୍ ସମୁଦର ପାର୍’ ଗୀତଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା।
https://www.dharitri.com/aamir-khan-throwback-workout-video-viral-daughter-ira-khan-reacts/
୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା ମୁମ୍ବାଇ: ବଲିଉଡ୍ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ ବହୁ ନିଷ୍ଠାର ସହ କରିଥାନ୍ତି। ସେଥିପାଇଁ ତାଙ୍କୁ ପରଫେକ୍ଟନିଷ୍ଟ ନାମରେ ନାମିତ କରାଯାଇଛି। ଫିଲ୍ମକୁ ଶିଖରରେ ପହଞ୍ଚାଇବା ପାଇଁ ଆମିର କୌଣସି ଅବହେଳା କରନ୍ତି ନାହିଁ। ଶରୀରର ପରିବର୍ତ୍ତନଠାରୁ ଆରମ୍ଭ କରି ଫିଲ୍ମର ପ୍ରତ୍ୟେକ ଜିନିଷ ଉପରେ ସେ ଟିକିନିଖି ଧ୍ୟାନ ଦେଇଥାନ୍ତି। ଫିଲ୍ମ ଲାଲ ସିଂ ଚଢ଼ା ପାଇଁ ଆମିର ବହୁ କଠିନ ପରିଶ୍ରମ କରିଛନ୍ତି। ଏହାପୂର୍ବରୁ ବି ଅନେକ ଫିଲ୍ମ ପାଇଁ ଆମିରଙ୍କ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଇତିମଧ୍ୟରେ ବର୍ତ୍ତମାନ ଆମିରଙ୍କ ଏକ ୱାର୍କଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଓଜନିଆ ଡମ୍ବଲ ଉଠାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ଧୁମ-୩ର ମେକିଂ ସମୟର। ଏହି ଫିଲ୍ମ ପାଇଁ ଆମିର ତାଙ୍କ ଶରୀର ଉପରେ ବହୁତ କାମ କରିଥିଲେ। ବର୍ତ୍ତମାନ ଆମିରଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ପୋଜନିକ୍ ଟ୍ରେନିଂ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିସହ କ୍ୟାପସନ୍ରେ ଧୁମ-୩ ଓ ପିକେ ପାଇଁ ଆମିରଙ୍କ ପର୍ସନାଲ ଟ୍ରେନର ବୋଲି ଲେଖାଯାଇଛି। ଅନ୍ୟପଟେ ଏହି ଭିଡିଓକୁ ନେଇ ଆମିରଙ୍କ ଝିଅ ଆୟରା ଖାଁ ପ୍ରତିକ୍ରିୟା ରଖିଛନ୍ତି। ଆୟରା ଏହାର ଏକ ସ୍କ୍ରିନ୍ ଶଟ୍ ନେଇ ନିଜ ଇନଷ୍ଟାଗ୍ରାମରେ ଶେୟାର କରିବା ସହ କ୍ୟାପସନ୍ରେ ଲେଖିଛନ୍ତି, ଏଇଟା କି ବ୍ୟାୟାମ।
https://www.dharitri.com/delhi-colder-than-shimla-today-minimum-temperature-drops-to-4-9-degrees/
ଶିମିଲାଠାରୁ ଥଣ୍ଡା ଦିଲ୍ଲୀ, କାଠୁଆ ଜାଡ଼ରେ ଥରିଲେ ରାଜଧାନୀବାସୀ ନୂଆଦିଲ୍ଲୀ, ୧୫।୧୨: ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀର ପାରଦ ରେକର୍ଡ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଦିଲ୍ଲୀ-ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪.୯ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି। ଫଳରେ ଦିଲ୍ଲୀ ଶିମିଲାଠାରୁ ଅଧିକ ଥଣ୍ଡା ଅନୁଭବ କରିଛି। ଶିମିଲାରେ ଗୁରୁବାର ତାପମାତ୍ରା ୬.୮ ରେକର୍ଡ କରାଯାଇଛି। ତେବେ ଗୁରୁବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୪.୨ ଡିଗ୍ରୀ ରହିଥିଲାନ ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ମଧ୍ୟ ଏହା ୨୪ ଆଖପାଖରେ ରହିବ। ଅନ୍ୟପରେ ଶିମିଲାରେ ଦିନର ସର୍ବାଧିକ ତାପମାତ୍ରା ୧୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ଗତକାଲି ଦିଲ୍ଲୀ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରିପୋର୍ଟ ହୋଇଥିଲା ଏବଂ ଚଳିତ ବର୍ଷର ଏହା ସର୍ବନିମ୍ନ ଥିଲା। ଜାତୀୟ ରାଜଧାନୀ ଦୁଇ ଦିନ ଧରି ସ୍ୱାଭାବିକ ତାପମାତ୍ରାର ରହିଆସିଛି। ବୁଧବାର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ, ମଙ୍ଗଳବାର ୬.୮ ଡିଗ୍ରୀ ସେଲସିୟସ ଏବଂ ସୋମବାର ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
https://www.dharitri.com/46-rooms-of-22-families-were-burnt/
ଜଳିଗଲା ୨୨ ପରିବାରର ୪୬ ବଖରା ପଦ୍ମପୁର,୨ା୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାହୁସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୪୬ ବଖରା ଘର ଜଳି ଯାଇଛି। ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା,ବିଡିଓ ସତ୍ୟଜିତ ରାଉତ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ,ବିଜେଡି ସଭାପତି ଦୀନବନ୍ଧୁ ଦାସ, ଚିନ୍ମୟ କୁମାର ବାରିକ,କାଳିନ୍ଦୀ ସାହୁ, ମାନସ ରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଘଡ଼େଇ, ପ୍ରଫୁଲ୍ଲ ପାଳିତ, ମିନୁ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତମାନଙ୍କୁ ପଲିଥିନ,ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି।
https://www.dharitri.com/olympian-mirabai-chanu-celebrates-birthday-by-cutting-cake-with-manipur/
ମୁଖ୍ୟମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଚାନୁ ନୂଆଦିଲ୍ଲୀ,୮।୮: ଅଲିମ୍ପିଆନ ମୀରାବାଇ ଚାନୁ ରବିବାର ୨୭ତମ ଜନ୍ମଦିନ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓ୍ବେଟଲିଫ୍ଟର ଏହି ସ୍ବତନ୍ତ୍ର ଦିନକୁ ପାଳିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ବାସଭବନରେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାନୁ କେକ୍ କାଟିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାର ଭିଡିଓ ଶେୟାର କରି ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବାକୁ ଯାଉ ଚାନୁ ଲେଖିଛନ୍ତି, ମୋ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଧନ୍ୟବାଦ୍। ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ଶୁଅ।
https://www.dharitri.com/dhawan-rahane-will-take-ashwins-advice/
ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି ଥିଲେ ହେଁ ପନ୍ତଙ୍କ ଉପରେ ଫ୍ରାଞ୍ଚାଇଜ୍ ଆସ୍ଥାପ୍ରକଟ କରିଛି। ତେବେ ଆବଶ୍ୟକ ସମୟରେ ସେ ଶିଖର ଧାଓ୍ବନ, ଅଜିଙ୍କ୍ୟ ରାହାନେ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରାମର୍ଶ ନେବେ ବୋଲି ପନ୍ତ ପ୍ରକାଶ କରିଛନ୍ତି। ଆଇପିଏଲରେ ଅନ୍ୟତମ କମ୍ ବୟସ୍କ ଅଧିନାୟକ ହୋଇଛନ୍ତି ପନ୍ତ। ଶ୍ରେୟାସ ଆୟାର ଆହତ ଥିବାରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ଏହା ତାଙ୍କ ପାଇଁ କିଛି ନୂଆ ନୁହେଁ। ସେ ଅଧିନାୟକ ନ ଥିବାବେଳେ ମଧ୍ୟ ଉଇକେଟ କିପରଭାବେ ବିଭିନ୍ନ ସମୟରେ ଫିଲ୍ଡିଂ ସଜ୍ଜା କରିଥାନ୍ତି ବୋଲି ପନ୍ତ କହିଛନ୍ତି। ” ମୁଁ କୋଚ୍ ରିକି ପଣ୍ଟିଂ ଓ ବୋଲିଂ କୋଚ୍ ଜେମ୍ସ ହୋପ୍ସଙ୍କ ସହ ଆଲୋଚନା କରିଛି। ଆମ ଦଳ ଯୁବ ଓ ଅଭିଜ୍ଞଙ୍କୁ ନେଇ ବେଶ୍ ସନ୍ତୁଳିତ। ରିକିଙ୍କ ଉପସ୍ଥିତିରେ ଆମେ ଏଥର କିଛି ନୂଆ କରି ଦେଖାଇବାକୁ ଯୋଜନା ରଖିଛୁ। ମୁଁ ଅଧିନାୟକ ଦାୟିତ୍ୱ ତୁଲାଇବାକୁ ଯାଉଛି ବୋଲି ଅଧିକ କିଛି ଚିନ୍ତା କରୁନାହିଁ। ମୁଁ ପୂର୍ବପରି ପଡ଼ିଆକୁ ଯାଇ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଉଇକେଟ କିପରଭାବେ ଯେପରି ପଡ଼ିଆ ସଜ୍ଜା କରୁଥିଲି ଏବେ ଅଧିନାୟକ ଭାବେ ତାହା କରିବି। ତେଣୁ ମୋ ପାଇଁ ବିଶେଷ କିଛି ଅସୁବିଧା ହେବନି“ ବୋଲି ପନ୍ତ କହିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ଆଇପିଏଲ ରେକର୍ଡ ବହୁତ ଭଲ। ତେଣୁ ଏହି ଦଳ ବିପକ୍ଷରେ କଡ଼ା ସଂଘର୍ଷ ହେବ ବୋଲି ପଣ୍ଟିଂ ଆଶା କରୁଛନ୍ତି। ତେବେ ତାଙ୍କ ଦଳର ପ୍ରତି ଖେଳାଳି ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
https://www.dharitri.com/demands-for-underground-pole-construction-intensify-meetings-for-underground-pole-construction-on-national-highway-6/
ଭୂତଳ ପୋଲ ନିର୍ମାଣ ଦାବି ତେଜୁଛି: ଜାତୀୟ ରାଜପଥ ୪୯ରେ ଭୂତଳ ପୋଲ ନିର୍ମାଣ ପାଇଁ ବୈଠକ ଦେବଗଡ଼, ୧୧।୧୨(ଡି.ଏନ.ଏ.) ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ପକ୍ଷରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ କଣ୍ଢଳ ଗ୍ରାମଦେଇ ଯାଇଥିବା ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ ରାଜପଥ ଫୋର୍ଲେନ୍ କାର୍ଯ୍ୟ ଚାଲିଛି। କଣ୍ଢଳଠାରେ ଏକ ଅଣ୍ଡର ପାସ୍ (ଭୂତଳ ରାସ୍ତା)ନିର୍ମାଣ ଦାବି କରି ଅଞ୍ଚଳବାସୀ ଦୀର୍ଘଦିନ ହେଲା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ା ହେଲେ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ମଙ୍ଗଳବାର ସ୍ଥାନୀୟ ସରପଞ୍ଚ ବିରଞ୍ଚି ବେହେରାଙ୍କ ଆବାହକତ୍ୱରେ କଣ୍ଢଳ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ ଯୋଗଦେଇଥିଲେ ା କଣ୍ଢଳ ଗ୍ରାମର ଜନସଂଖ୍ୟା ପ୍ରାୟ ୪୨ଶହ ହୋଇଥିବା ବେଳେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ୨୭ଶହ ଲୋକ ବସବାସ କରିବା ସହ ସେଣ୍ଟ୍ରାଲ ବ୍ୟାଙ୍କ, ଅପର ପାର୍ଶ୍ୱରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସେବା ସମବାୟ ସମିତି କାର୍ଯ୍ୟାଳୟ, ମିନି ବ୍ୟାଙ୍କ, ୪/୫ଟି ସ୍କୁଲ ଓ କଲେଜ ଆଦି ଥିବା ଦର୍ଶାଇଥିଲେ ା ଉପରୋକ୍ତ ଶିକ୍ଷାନୁଷ୍ଠାନଗୁଡିକ ଉପରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମର ୨୦ ହଜାର ଲୋକ ନିର୍ଭର କରୁଥିବାରୁ ଉଭୟ ପାର୍ଶ୍ୱରୁ ସୁବିଧାରେ ଯାତାୟାତ ନିମନ୍ତେ ଗ୍ରାମର ମଧ୍ୟସ୍ଥଳୀରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡର ପାସ୍ର ଜରୁରୀ ଆବଶ୍ୟକତା ରହିଥିବା ଦର୍ଶାଇଥିଲେ ା ଅଭିଯୋଗ ଶୁଣିବାପରେ ଏମ୍ପି ଗଙ୍ଗଦେବ ଏ ସମ୍ପର୍କରେ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଓ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ସହ ଫୋନ ଯୋଗେ ଆଲୋଚନା କରି ତୁରନ୍ତ ଅଞ୍ଚଳବାସୀଙ୍କ ଦାବି ପୂରଣ ନିମନ୍ତେ ଜଣାଇଥିଲେ। ଦରକାର ପଡିଲେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବୈଠକରେ ଜିଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ, ଏମ୍ପିଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ନାୟକ ଉପସ୍ଥିତ ଥିଲେ।
https://www.dharitri.com/ମୁଁ-କରୋନା-କହୁଛି/
ମୁଁ କରୋନା କହୁଛି ପ୍ରକାଶ ତ୍ରିପାଠୀ ହାଲୋ ବିଶ୍ୱବାସୀ! ମୁଁ କରୋନା କହୁଛି। କରୋନା ଭାଇରସ୍, ମାନେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କୋଭିଡ୍-୧୯ ରୋଗ ସୃଷ୍ଟିକାରୀ ଭାଇରସ୍ କରୋନା। ଜଗତୀକରଣ ଯୁଗରେ ପଦାକୁ ବାହାରୁ ବାହାରୁ ମୋର ବି ଜଗତୀକରଣ ହୋଇଗଲାଣି। ମାତ୍ର ଦିନ କେଇଟାରେ ୯୦ଟା ଦେଶ ବୁଲି ସାରିଲିଣି। ପଶୁଜନ୍ତୁମାନେ ମୋର ପ୍ରିୟ। ମୁଁ ସେହିମାନଙ୍କ ପାଖରେ ରୁହେ। ଶୁଣିଲି ଯେ ବର୍ତ୍ତମାନ ସମୟରେ ମଣିଷମାନେ ବି ପଶୁ ହୋଇଗଲେଣି। ସେଥିପାଇଁ ମୁଁ ପଶୁରୁ ବାହାରି ମଣିଷଙ୍କ ପାଖକୁ ଚାଲିଆସିଛି। ବାଃ, ବଢିଆ ଲାଗୁଛି। ଚାଇନାର ଉହାନ ସହରରୁ ମୁଁ ମୋର ବିଶ୍ୱ ପରିକ୍ରମା ଆରମ୍ଭ କରିଛି। ମୁଁ କେମିତି ପଦାକୁ ବାହାରିଲି, ତାକୁ ନେଇ ସମ୍ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଛି। ଚାଇନା ବିରୋଧୀ ଲୋକେ କହୁଛନ୍ତି, ଉହାନ ସହରରେ ଚାଇନାର ଜୈବିକ ଅସ୍ତ୍ର ଗବେଷଣାଗାର ରହିଛି। କିଛି ବିଶେଷଜ୍ଞଙ୍କ ଅସାବଧାନତା ଯୋଗୁ ମୁଁ ବାହାରକୁ ଆସିଗଲି। ଆଉ କିଛି ବିଶେଷଜ୍ଞ କହୁଛନ୍ତି, ଉହାନ ନିକଟବର୍ତ୍ତୀ ବିଶାଳ ପଶୁବଜାରରୁ ମୁଁ ବାହାରକୁ ଆସିଛି। ଚାଇନା ଲୋକଙ୍କ ବିଚିତ୍ର ଖାଦ୍ୟାଭ୍ୟାସ (କଞ୍ଚା ମାଂସ ଭକ୍ଷଣ) ଏଥିପାଇଁ ଦାୟୀ ବୋଲି ସେମାନଙ୍କ ମତ। ଏବେ ସାରା ବିଶ୍ୱରେ ଏକମାତ୍ର ଚର୍ଚ୍ଚିତ ନାମ ହେଉଛି କରୋନା। ପ୍ରିଣ୍ଟ ମିଡିଆଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ମିଡିଆ, ସୋସିଆଲ ମିଡିଆଠାରୁ ଖଟି ସ୍ଥଳ ସବୁଠି ମୋର ଚର୍ଚ୍ଚା। ପ୍ରତି ମୁହୂର୍ତ୍ତରେ ମୋର ଅପଡେଟ୍। ପ୍ରକୃତରେ ମୁଁ ଭାରି ଅଳସୁଆ। ବେଶି କାମଦାମ କରିପାରେ ନାହିଁ। ସେଥିପାଇଁ ମୋ ସାଥୀ ଓ ସହୋଦର ‘ଇବୋଲା’, ‘ଫ୍ଲୁ’, ‘ଆନ୍ଥ୍ରାକ୍ସ’ ଓ ‘ସାରସ’ ଆଦି ମୋତେ ସବୁବେଳେ କୁହନ୍ତି କିଛି କର, କିଛି କର, କିଛି କରନା। ଏମିତି କହୁ କହୁ ଶେଷରେ ମୋ ନାମ ବି ରଖିଦେଲେ ‘କରୋନା’। ଏବେ ମୁଁ କିଛି କରିବାକୁ ବାହାରିଛି। ଆପଣମାନେ ବି ଏବେ ଜାଣିପାରୁଥିବେ ମୁଁ କ’ଣ କରିପାରୁଛି। ପ୍ରାୟ ତିନିହଜାର ମଣିଷଙ୍କୁ ମରଣମୁହଁକୁ ପଠାଇବା ସହ ଲକ୍ଷାଧିକ ଲୋକଙ୍କୁ ଆକ୍ରାନ୍ତ କରିରଖିଛି। ଯେହେତୁ ମୁଁ ପ୍ରଥମ ଥର ପାଇଁ ମଣିଷଙ୍କ ପାଖକୁ ଆସିଛି, ସେଥିପାଇଁ ମୋତେ ସଫଳ ମୁକାବିଲା କରିବାକୁ ବିଶ୍ୱବାସୀ ଅକ୍ଷମ। ସେମାନଙ୍କ ବୁଦ୍ଧି ହଜିଯାଉଛି। କୌଣସି ଉପଚାର କରିପାରୁନାହାନ୍ତି। ମୋ ନାଁ ଶୁଣିଲେ ସମସ୍ତେ ଏବେ ଭୟରେ ଥରୁଛନ୍ତି। ଆମେରିକା, ଫ୍ରାନ୍ସ ଭଳି ସମୃଦ୍ଧିଶାଳୀ ଦେଶଗୁଡିକ ବି ଚାଇନାର ଅସହାୟତାକୁ ଦେଖି ଛାନିଆ, ଏବେ ମୁଁ ଯେଉଁ ଯେଉଁ ଦେଶକୁ ଯାଉଛି, ସେହିସବୁ ଦେଶର ସରକାର ସବୁ କାମ ଛାଡି ମୋତେ କିପରି ମୁକାବିଲା କରିବେ ସେଥିପାଇଁ ଉପାୟ ଚିନ୍ତା କରୁଛନ୍ତି। ଘଡିକି ଘଡି ଉଚ୍ଚସ୍ତରୀୟ ବୈଠକ ଡାକୁଛନ୍ତି। ମାତ୍ର ଦୁଇ ସପ୍ତାହ ଭିତରେ ମୋ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ଥିବା ଦୁଇଟି ବିଶାଳ ହସ୍ପିଟାଲ ନିର୍ମାଣ କରି ଚାଇନା ସମଗ୍ର ବିଶ୍ୱରେ ନୂତନ ରେକର୍ଡ ସୃଷ୍ଟି କରିବା ସହ ପ୍ରକାରାନ୍ତରେ ମୋର ଗୁରୁତ୍ୱ ବଢ଼ାଇ ଦେଇଛି। ଉହାନ ସହରର ଅନତିଦୂରରେ ୧୬୦୦ ଶଯ୍ୟାବିଶିଷ୍ଟ ଲେସେନ୍ସା ହସ୍ପିଟାଲ ଓ ୧୨୦୦ ଶଯ୍ୟାବିଶିଷ୍ଟ ହୋସେନ୍ସା ହସ୍ପିଟାଲ ନିର୍ମାଣ ସହ ଦେଶର ଅଧିକାଂଶ ଜିମ୍ ସେଣ୍ଟର, ପ୍ରଦର୍ଶନୀ ଗୃହଗୁଡିକୁ ଚାଇନା ସରକାର ସାମୟିକ ଭାବେ ହସ୍ପିଟାଲରେ ରୂପାନ୍ତରିତ କରିସାରିଛନ୍ତି। ମୋର ପ୍ରକୋପକୁ ଦେଖି ସମସ୍ତେ ଏବେ ମୋତେ ରାକ୍ଷସ ଓ ମୃତ୍ୟୁଦୂତ ବୋଲି ଡାକିଲେଣି। ସବୁ ଦେଶ ଏବେ ସେମାନଙ୍କ ସୀମା ଜଗିବାରେ ବ୍ୟସ୍ତ। ଜଳ, ସ୍ଥଳ ଓ ଆକାଶ ପଥ ସବୁଠି ଏବେ କଡ଼ା ପହରା। କିଏ ଜଣେ ଛିଙ୍କିଲେ ବା କାଶିଲେ ପାଖରେ ଠିଆ ହୋଇଥିବା ଲୋକେ ଚମକି ପଡୁଛନ୍ତି। ଉତ୍ତମ ଯୋଗାଯୋଗ ଯୋଗୁ ଯେଉଁ ବିଶ୍ୱ ଗୋଟିଏ ପରିବାର ଭଳି ପ୍ରତୀତ ହେଉଥିଲା, ତାହା ଏବେ ଭିନ୍ନ ଲାଗୁଛି। ଦେଶ ବାହାରକୁ ଯିବା ତ ଦୂରର କଥା, ଘର ବାହାରକୁ ବି ଆଉ କେହି ବାହାରୁ ନାହାନ୍ତି। ଜାତି, ଧର୍ମ, ବର୍ଣ୍ଣ, ବୟସ, ଅର୍ଥ ଓ କ୍ଷମତା ନିର୍ବିଶେଷରେ ଏବେ ସମସ୍ତେ ମୋ ଭୟରେ କମ୍ପୁଛନ୍ତି। ସମସ୍ତଙ୍କ ମୁହଁରେ ତୁଣ୍ଡି ଅର୍ଥାତ୍ ମାସ୍କ। ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା। ଅଧିକ ଜନସମାଗମସ୍ଥଳକୁ ନ ଯିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କଲେଣି। ମୋ ଲାଗି ବିଶ୍ୱର ଅନ୍ୟତମ ମହାଶକ୍ତି ଚାଇନାର ପ୍ରଗତିର ଗତି ଏବେ ଧିମା ହେଲାଣି। ଏହାର ଉତ୍ପାଦନ ବାଧାପ୍ରାପ୍ତ ହେବା ଯୋଗୁ ଅର୍ଥନୀତିକୁ ଏହା ମାନ୍ଦାବସ୍ଥାକୁ ଟାଣିନେବ। ଚାଇନା ପରେ ପରେ ଆମେରିକା, ଇରାନ, ଫ୍ରାନ୍ସ, ଇଟାଲି, ସୌଦି ଭଳି ସମୃଦ୍ଧିଶାଳୀ ରାଷ୍ଟ୍ରମାନେ ମୋ ପାଇଁ ଚାଇନା ଅବସ୍ଥା ଭୋଗିବାକୁ ବସିଲେଣି। ଚଳିତବର୍ଷ ବିଶ୍ୱ ଅର୍ଥନୀତିର ବିକାଶ ହାର ୨.୮% କମିଯିବ ଓ ଏଥିପାଇଁ ମୁଁ କୁଆଡେ ସମ୍ପୂର୍ଣ୍ଣ ଦାୟୀ ବୋଲି ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ମତ ରଖିଲେଣି। ଯଦି ସେମାନଙ୍କ ଆକଳନ ସତ୍ୟ ହୁଏ, ତେବେ ବିଶ୍ୱ ବଜାର ୧.୧ ଟ୍ରିଲିୟନ ଡଲାର କ୍ଷତି ସହିବ। ଯଦି ମୋର ସଫଳ ପ୍ରତିରୋଧ କରା ନ ଯାଏ, ତେବେ ବିଶ୍ୱ ଜନସଂଖ୍ୟା ହ୍ରାସ କରିବା ପାଇଁ ଆଉ ତୃତୀୟ ବିଶ୍ୱଯୁଦ୍ଧ ଆବଶ୍ୟକ ପଡିବନାହିଁ ବୋଲି ଆଉ କିଛି ବିଶେଷଜ୍ଞ ଭବିଷ୍ୟବାଣୀ କଲେଣି। ଲୋକେ ମୋ ଭୟରେ ବାହାରକୁ ବାହାରୁ ନାହାନ୍ତି। ବଜାରରେ କିଣାବିକା କମି କମି ଆସୁଛି। ଗମନାଗମନ ଠପ୍। ପର୍ଯ୍ୟଟନ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ। ଶିଳ୍ପସଂସ୍ଥାଗୁଡିକରେ ତାଲା ଝୁଲିଲାଣି। ଶ୍ରମିକମାନେ କାମ କରିବାକୁ ଆସୁ ନ ଥିବାରୁ ଉତ୍ପାଦନ ହ୍ରାସ ପାଉଛି। ବଡ଼ ବଡ଼ ଶିଳ୍ପସଂସ୍ଥା କ୍ଷତିଭରଣା ପାଇଁ କର୍ମଚାରୀ ଛଟେଇ ଆରମ୍ଭ କଲେଣି। ଆମଦାନି ସହ ରପ୍ତାନି ବି ବାଧାପ୍ରାପ୍ତ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, କପଡା, ଅଟୋମୋବାଇଲ୍ସ, ମୋବାଇଲ ଫୋନ୍, ସଫ୍ଟଓ୍ବେର, ଫାର୍ମାସ୍ୟୁଟିକାଲ୍ସ, ଫ୍ୟାଶନ ଶିଳ୍ପ ଆଦି ପ୍ରତିଟି କ୍ଷେତ୍ର ଏବେ ମୋ ପାଇଁ ଘୋର ସଙ୍କଟର ସମ୍ମୁଖୀନ। ୨୦୦୮ ବିଶ୍ୱସ୍ତରୀୟ ଆର୍ଥିକ ମାନ୍ଦାବସ୍ଥା ପରେ ୨୦୨୦ରେ ଏହା ଆଉ ଏକ ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ଅର୍ଥ ବିଶାରଦମାନେ ଘୋଷଣା କରିସାରିଲେଣି। ମୋ ପାଇଁ କେବଳ ଆର୍ଥିକ ମାନ୍ଦାବସ୍ଥା ନୁହେଁ, ସ୍ବାସ୍ଥ୍ୟ ସଙ୍କଟ ବି ସୃଷ୍ଟି ହୋଇସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜରୁରୀ ଅବସ୍ଥା ଘୋଷଣା ଏହାର ପ୍ରମାଣ। ଏହା ଅଧୀନରେ ଥିବା ୧୯୫ଟି ଦେଶ ମଧ୍ୟରୁ ଇତିମଧ୍ୟରେ ୯୦ ଦେଶରେ ମୁଁ ଉପସ୍ଥିତ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଚିନ୍ତିତ ହୋଇପଡିଛି। ମୋ ଯୋଗୁ ଅଧିକ ମୃତ୍ୟୁ ହେଉ ନ ଥିଲେ ବି ମୋର ଅଧିକ ସଂକ୍ରମଣ ପ୍ରବଣତାକୁ ନେଇ ସର୍ବତ୍ର କୋକୁଆ ଭୟ ସୃଷ୍ଟି ହେଉଛି। ଯେହେତୁ ମୋଠାରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ମେଡିସିନ ପ୍ରସ୍ତୁତ ହୋଇପାରିନାହିଁ, ତେଣୁ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଆପଣେଇନେଲେ ଭଲ। ମୁଁ ବି ଚାହେଁନି, ମୋ ଲାଗି କାହାର ପ୍ରାଣହାନି ହେଉ। ତେଣୁ ଟିକେ ସାବଧାନତା ଅନୁସରଣ କଲେ ମୋ ସହ ଆପଣଙ୍କର ଭେଟ ହୋଇ ନ ପାରେ। ବାହାରକୁ ବାହାରିବା ବେଳେ ଉନ୍ନତମାନର ମାସ୍କ ମୁହଁରେ ଲଗାନ୍ତୁ। ସର୍ବସାଧାରଣରେ ବ୍ୟବହୃତ ବସ୍ତୁକୁ ସ୍ପର୍ଶ କରନ୍ତୁ ନାହିଁ ଓ ଦିନକୁ ଅତି କମ୍ରେ ଚାରିପାଞ୍ଚଥର ସାବୁନ ବା ଅନ୍ୟ କୌଣସି ସଂକ୍ରମଣ ପ୍ରତିରୋଧକାରୀ ଜେଲ୍ରେ ହାତ ଧୁଅନ୍ତୁ। ନିଜ ଲୁଗାପଟାକୁ ଭଲକରି ଖରାରେ ଶୁଖାନ୍ତୁ। ଉତ୍ତପ୍ତ ଜଳବାୟୁରେ ମୁଁ ରହିପାରେ ନାହିଁ। ଥଣ୍ଡା ପରିବେଶ ଓ ଥଣ୍ଡା ବସ୍ତୁ ମୋର ଭାରି ପ୍ରିୟ। ତେଣୁ ଆପଣମାନେ ଉଷୁମ ପାଣି ପିଅନ୍ତୁ ଓ ଅପେକ୍ଷାକୃତ ଉଷ୍ଣ ବାତାବରଣରେ ରୁହନ୍ତୁ। ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ। ପଶୁପକ୍ଷୀଙ୍କ ମାଂସ ଭଲ କରି ରାନ୍ଧି ଖାଆନ୍ତୁ। ଚାଇନାବାସୀଙ୍କ ଭଳି କଞ୍ଚା ବା ଦରସିଝା ମାଂସ ଖାଆନ୍ତୁ ନାହିଁ। ଉଷୁମ ପାଣିରେ ଲୁଣ ପକାଇ ଦୁଇ ତିନିଥର କୁଳି କରି ତଣ୍ଟି ଓ ଗଳାକୁ ସଂକ୍ରମଣମୁକ୍ତ ରଖନ୍ତୁ। ଛିଙ୍କିଲା ବେଳେ ବା କାଶିଲା ବେଳେ ମୁହଁରେ ରୁମାଲ ରଖନ୍ତୁ ଓ ଏଭଳି ଲୋକଙ୍କଠାରୁ ଚାରି ପାଞ୍ଚଫୁଟ୍ ଦୂରରେ ରୁହନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜ ଶରୀରରେ ପ୍ରତିରୋଧକ ଶକ୍ତି ବଢାନ୍ତୁ। ସୁଷମ ଖାଦ୍ୟ ଓ ଭିଟାମିନ ସି ଖାଇ ସୁସ୍ଥ ରୁହନ୍ତୁ। ଛୋଟ ପିଲା, ରୋଗୀ, ବୁଢୀ-ବୁଢା ଓ ଶାରୀରିକ ଅସୁସ୍ଥ ଲୋକ ମୋର ଅତି ପ୍ରିୟ। ତେଣୁ ସେମାନଙ୍କୁ ଟିକେ ଅଧିକ ଯତ୍ନରେ ରଖନ୍ତୁ। ଆପଣମାନଙ୍କୁ ମୋର ଶେଷ କଥା। ଚାଇନା ଜିନିଷ ପ୍ରତି ସବୁ ଦେଶର ଲୋକଙ୍କ ଆକର୍ଷଣ ସାଧାରଣତଃ ଅଧିକ ଥାଏ। କାରଣ ଏହା ଶସ୍ତା, ସୁନ୍ଦର, ଆକର୍ଷଣୀୟ ଓ ସହଜ ବ୍ୟବହାର ଶୈଳୀ ସମ୍ପନ୍ନ ହୋଇଥାଏ। ଯେହେତୁ ମୁଁ ବି ମେଡ ଇନ୍ ଚାଇନା ଅର୍ଥାତ୍ ଚାଇନାରୁ ସୃଷ୍ଟ, ସେଥିପାଇଁ ମୋର ବୋଧହୁଏ ବିଶ୍ୱ ବଜାରରେ ଅଧିକ ଚାହିଦା ବଢିଯାଇଛି। ଏ ଚାହିଦା ଭଲ ପାଇବାର ନୁହେଁ, ଭୟ, ଘୃଣା ଓ ଆତଙ୍କର। ତେଣୁ ଆପଣଙ୍କୁ ଅନୁରୋଧ ମୋଠାରୁ ଦୂରେଇ ରୁହନ୍ତୁ। ସୁସ୍ଥ ରୁହନ୍ତୁ।
https://www.dharitri.com/bobby-deol-love-story-cant-reach-destination-for-dharmendra/
ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ… ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି। ହେଲେ ସେ ବିବାହ ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଥିଲେ ଚର୍ଚ୍ଚାରେ। ୮୦ ଏବଂ ୯୦ ଦଶକରେ ଦର୍ଶକଙ୍କ ହୃଦୟ ଜିତିଥିଲେ ସନି ଦେଓଲ। ଏହି ସମୟ ମଧ୍ୟରେ ସେ ଅନେକ ନାୟିକାଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭଲ ବନ୍ଧୁ ମଧ୍ୟ ପାଲଟିଛନ୍ତି ଅନେକ। ଅଭିନେତ୍ରୀ ନୀଲମ ମଧ୍ୟ ସେପରି ଜଣେ ଥିଲେ। ଉଭୟ ଏକାଠି ଏକାଧିକ ଫିଲ୍ମରେ ଯୋଡ଼ି ହୋଇଥିଲେ। ହେଲେ ନୀଲମଙ୍କୁ ହୃଦୟ ଦେଇଥିଲେ ବବି। ଦୀର୍ଘ ୫ ବର୍ଷ ଧରି ସେମାନେ ପରସ୍ପର ସହ ସମ୍ପର୍କରେ ରହିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଘରଲୋକଙ୍କ ସହ ଏନେଇ କଥାବାର୍ତ୍ତା କରିଥିଲେ। ଗୋଟିଏ ପଟେ ନୀଲମଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ ହେଁ ବବିଙ୍କ ବାପା ଧର୍ମେନ୍ଦ୍ର ସିଧା ସିଧା ନା କରିଥିଲେ। କୌଣସି ଫିଲ୍ମର ଅଭିନେତ୍ରୀ ତାଙ୍କ ଘରର ବୋହୂ ହେଉ ସେ ଚାହୁଁ ନ ଥିଲେ। ନିଜେ ହେମାଙ୍କୁ ବିବାହ କରିଥିଲେ ହେଁ ତାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ଚିନ୍ତାରେ ପକାଇଥିଲା। ଭଲ ପୁଅ ଭାବେ ବବି ବାପାଙ୍କ କଥା ମାନି ନୀଲମଙ୍କ ସହ ବ୍ରେକ୍ଅପ୍ କରିନେଇଥିଲେ। ବବିଙ୍କ ସହ ବ୍ରେକ୍ଅପ୍ ହେବା ପରେ ଭାଙ୍ଗିପଡ଼ିଥିଲେ ନୀଲମ। ରାତି ରାତି ଅନିଦ୍ରା ରହିବା ସହ କାନ୍ଦ ବନ୍ଦ ହେଉ ନ ଥିଲା ତାଙ୍କର। ହେଲେ ଧିରେ ଧିରେ ସେ ନିଜକୁ ସମ୍ଭାଳିଥିଲେ। ଏହାର କିଛି ବର୍ଷ ପରେ ସେ ବିବାହ କରିନେଇଥିଲେ। ବବି ମଧ୍ୟ ତାନ୍ୟାଙ୍କ ହାତ ଧରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
https://www.dharitri.com/ହୋଲିରେ-ଯୁବକଙ୍କୁ-ହତ୍ୟା-ଜଳ/
ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା କୋକସରା,୧୦।୩(ଡି.ଏନ୍.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ ହତ୍ୟା କରି ଘର ଆଗରେ ଫୋପାଡ଼ି ଦେଇଥିବା ମଙ୍ଗଳବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ନକୁଳ ତାଣ୍ଡି। ସୂଚନାଯୋଗ୍ୟ, ନଙ୍ଗୁଳ ସୋମବାର ରାତିରୁ ଘରକୁ ଫେରି ନ ଥିଲେ। ସକାଳୁ ତାଙ୍କ ମୃତଦେହ ଘର ଆଗରେ ପଡ଼ିଥିଲା । ଖବରପାଇ ପୋଲିସ ସନ୍ଧାନୀ କୁକୁରଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତାଙ୍କ ଗଳାଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କିଛିଦିନ ତଳେ ପଡୋଶୀ ଘର ଝିଅକୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
https://www.dharitri.com/bjp-is-trying-to-hack-evms-we-have-proof-mamata/
ଭାଜପା ଇଭିଏମ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରୁଛି, ଆମକୁ ପ୍ରମାଣ ମିଳିଛି: ମମତା କୋଲକତା,୪।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ଜିତିବ ବୋଲି ଦାବି କରିଛନ୍ତି। ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଆମର ମିଳିତ ମେଣ୍ଟ ଦେଶର ଲୋକଙ୍କ ପାଇଁ କାମ କରିବ। ଟିଏମସି ମୁଖ୍ୟ ମମତା ବାନାର୍ଜୀ କୋଲକାତାର ରାଜ୍ୟ ସଚିବାଳୟରେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ‘ଇଣ୍ଡିଆ’ ଜିତିବ ଏବଂ ସରକାର ଗଠନ କରିବ। ଭାରତ ଦେଶକୁ ଧ୍ୱଂସ, ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ବେକାରୀରୁ ରକ୍ଷା କରିବ। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଜିତିବା ପାଇଁ ଭାଜପା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ)କୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ଏହାର ପ୍ରମାଣ ମଧ୍ୟ ମିଳିଛି। ଆମେ ଅଧିକ ପ୍ରମାଣ ପାଇବାକୁ ଚେଷ୍ଟା କରୁଛୁ।
https://www.dharitri.com/ଏଫ୍‌ଏମ୍‌-ମେଡିକାଲ-କଲେଜ-ହସ/
ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ ପାରାମେଡ଼ିକାଲ ପଦବୀରେ ସାମୟିକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୩ ଓ ୪ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ହେବାକୁ ଥିବା ସାକ୍ଷାତ୍କାରରେ ସିଧାସଳଖ ଭାଗ ନେଇପାରିବେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଥିବା ଏହି ସାକ୍ଷାତ୍କାରରେ ଅବସର ଗ୍ରହଣ କରିସାରିଥିବା ପ୍ରାର୍ଥୀମାନେ ମଧ୍ୟ ଭାଗ ନେଇପାରିବେ। ଷ୍ଟାଫନର୍ସ, ଲାବରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ଓ ରେଡ଼ିଓଗ୍ରାଫର ପଦବୀ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁନ୍ ୩୦ପର୍ଯ୍ୟନ୍ତ ସାମୟିକ ଭାବେ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ଆବଶ୍ୟକସ୍ଥଳେ ଏହାର ସମୟସୀମାକୁ ବୃଦ୍ଧି କରାଯିବ। ସେହିପରି ସାମୟିକ ନିଯୁକ୍ତି ପାଇଁ ଚୟନ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଦୈନିକ ୧ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ।
https://www.dharitri.com/soaibs-third-sanas-second-marriage-know-with-whom-did-soaibs-marriage-take-place-first/
ସୋଏବଙ୍କ ତୃତୀୟ, ସନାଙ୍କ ଦ୍ୱିତୀୟ ବିବାହ, ଜାଣନ୍ତୁ ପ୍ରଥମେ କାହା ସହ ହୋଇଥିଲା ସୋଏବଙ୍କ ବିବାହ କରାଚୀ,୨୦ା୧(ପି.ଟି.): ଭାରତୀୟ ଟେନିସ୍ ସୁପରଷ୍ଟାର ସାନିଆ ମିର୍ଜାଙ୍କ ସହ ୧୩ ବର୍ଷର ସମ୍ପର୍କ ଛିନ୍ନ କରି ତୃତୀୟ ଥର ବିବାହ କରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ। ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍ଙ୍କ ସହ ସୋଏବ ବିବାହର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି। ଏହି ଫଟୋରେ ସେ କ୍ୟାପ୍ଶନ୍ ଲେଖିଥିଲେ ‘ଇଟ୍ସ ଅଲ୍ କ୍ରିଏଟେଡ୍ ଇନ୍ ପ୍ୟାରିସ୍’। ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ପାଇଁ ଏହା ତୃତୀୟ ବିବାହ ହୋଇଥିବା ବେଳେ ସନା ଜାଭେଦ୍ଙ୍କ ପାଇଁ ଏହା ଦ୍ୱିତୀୟ ବିବାହ । ୪୧ ବର୍ଷୀୟ ସୋଏବ ୨୦୦୬ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିବା ବେଳେ ଏହି ସମ୍ପର୍କ ୪ ବର୍ଷ ତିଷ୍ଠିଥିଲା। ୨୦୧୦ରେ ଡିଭୋର୍ସ ନେଇ ସେ ସାନିଆ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରେ ୧୩ ବର୍ଷର ସମ୍ପର୍କର ପୂର୍ଣ୍ଣଚ୍ଛେଦ ପକାଇ ସେ ସନା ଜାଭେଦ୍ଙ୍କ ସହ ତୃତୀୟ ବିବାହ କରଛନ୍ତି ା ଅନ୍ୟପକ୍ଷରେ ସନା ୨୦୨୦ରେ ଗାୟକ ଉମର ଜୟସ୍ବାଲଙ୍କୁ ବିବାହ କରିଥିଲେ। ୨୦୨୩ରେ ଉଭୟଙ୍କ ଡିଭୋର୍ସ ହୋଇଥିବା ବେଳେ ସେ ସୋଏବ ମଲିକଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ପାକିସ୍ତାନୀ ଚଳଚ୍ଚିତ୍ର ଓ ଡ୍ରାମାରେ ଅଭିନୟ କରୁଥିବା ସନା ସାଉଦି ଆରବର ଜେଡାରେ ଜନ୍ମିତ। ସେ ୨୫ରୁ ଅଧିକ ଡ୍ରାମା ଓ ୫ ଟେଲିଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ସୋଏବ। ଉଭୟଙ୍କର ଇଝାନ୍ ନାମକ ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି। ସୋଏବ-ସାନିଆ ୨୦୨୨ରୁ ପରସ୍ପରଠାରୁ ଅଲଗା ରହୁଛନ୍ତି। ଅନ୍ୟ ଅଭିନେତ୍ରୀଙ୍କ ସହ ସୋଏବଙ୍କ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଅଲଗା ରହୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଛାଡପତ୍ରର ରିପୋର୍ଟ ମଧ୍ୟ ଆସୁଥିଲା। ତେବେ ଉଭୟ ବିଭିନ୍ନ ସମୟରେ ଏହାକୁ ଅସ୍ବୀକାର କରି ଆସିଥିଲେ। ପରେ ଉଭୟ ଏକ ପାକିସ୍ତାନୀ ଟିଭି ପ୍ରୋଗ୍ରାମର ହୋଷ୍ଟ ଭାବେ ନଜର ଆସିଥିଲେ। ଏହାପରେ ସମ୍ପର୍କ ଠିକ୍ ହୋଇ ଯାଇଥିବା ନେଇ ଆଲୋଚନା ହୋଇଥିଲା। ତେବେ ଏକ ସପ୍ତାହ ପୂର୍ବରୁ ସାନିଆ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ସୋଏବଙ୍କ ସହ ସମସ୍ତ ଫଟୋ ଡିଲିଟ୍ କରିଥିଲେ। ପରେ ସୋଏବ ମଧ୍ୟ ସାନିଆଙ୍କୁ ଅନ୍ଫଲୋ କରିଥିଲେ। ସୋଏବ ଫଟୋ ପୋଷ୍ଟ କରିବା ପରେ ସାନିଆ ଖୁଲା(ଛାଡପତ୍ର) ନେଇଥିବା ନେଇ ତାଙ୍କ ପିତା ଇମ୍ରାନ ମିର୍ଜା ବୟାନ ଦେଇଛନ୍ତି। ସାନିଆଙ୍କୁ ବିବାହ କରିବା ପୂର୍ବରୁ ସୋଏବ ଆଗରୁ ଆୟେଶା ସିଦ୍ଦିକି ନାମ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ସେ ମଧ୍ୟ ହାଇଦ୍ରାବାଦର ବୋଲି ଜଣାପଡିଥିଲା। ସାନିଆଙ୍କ ବିବାହ ପୂର୍ବରୁ ସେ ନିଜକୁ ସୋଏବଙ୍କ ପତ୍ନୀ ଭାବରେ ଦର୍ଶାଇଥିଲେ ଏବଂ ବିବାହର ଭିଡିଓ ମଧ୍ୟ ଦେଖାଇଥିଲେ। ପ୍ରଥମେ ସୋଏବ ମଲିକ ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ ପରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦେଇଥିଲେ। ୨୦୧୦ରେ ଆୟେଶାଙ୍କୁ ଛାଡପତ୍ର ଦେବା ପରେ ସେ ସାନିଆଙ୍କୁ ବିବାହ କରିଥିଲେ। ସାନିଆ ମିର୍ଜା ପ୍ରଥମ ଭାରତୀୟ ମହିଳା ଭାବେ ଟେନିସ୍ ଗ୍ରାଣ୍ଡସ୍ଲାମ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୬ ଗ୍ରାଣ୍ଡସ୍ଲାମ ସହ ୪୩ଟି ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।
https://www.dharitri.com/ମଧ୍ୟପ୍ରଦେଶ-ଫେରିଯିବ-ସୁନ୍/
ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’ ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ଯଥାଶୀଘ୍ର ଫେରାଇ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘର ମୃତ୍ୟୁ ଏବଂ ସୁନ୍ଦରୀ ବାଘୁଣୀକୁ ପରିଚାଳନାରେ ବିଫଳତା ପାଇଁ ଓଡ଼ିଶା ବନ ବିଭାଗକୁ ଦାୟୀ କରିଛି ଏନ୍ଟିସିଏ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଟିସିଏ ଗୁରୁବାର ଲେଖିଥିବା ଚିଠିରେ କଡ଼ା ଭାଷାରେ ଭର୍ତ୍ସନା କରାଯାଇଛି। ବନ ବିଭାଗର ସବୁ ଦୋଷ ଓ ଦୁର୍ବଳତାକୁ ଚିଠିରେ ଟିକିନିଖି ଉଲ୍ଲେଖ କରିଛନ୍ତି ଏନ୍ଟିସିଏ ଡିଆଇଜି ସୁରେନ୍ଦର୍ ମେହେଟ୍ଟା। ମହାବୀରର ମୃତ୍ୟୁ ପରେ ଏନ୍ଟିସିଏ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଥିଲେ। ମୃତ୍ୟୁର ଏକାଧିକ କାରଣ ଦର୍ଶାଇବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ଏଥର ଆଉ ବନ ବିଭାଗକୁ ଭରସା ନ କରି ଏନ୍ଟିସିଏ ସିଧା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବନ ବିଭାଗର କାରସାଦିକୁ ଖୁଲାସା କରିଥିବା କୁହାଯାଉଛି। ଏହି ଚିଠିରେ ୪ ମୁଖ୍ୟ ବିଷୟରେ ବନ ବିଭାଗର ଅନେକ ଦୁର୍ନୀତି ଏବଂ ଅବହେଳା ଉଲ୍ଲେଖ କରାଯାଇଛି। ପ୍ରଥମତଃ ବନ ବିଭାଗ ତରଫରୁ ମହାବୀର ଓ ସୁନ୍ଦରୀକୁ ମନିଟରିଂବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର(ଏସ୍ଓପି) ପାଳନ ହୋଇ ନ ଥିଲା। ଏନ୍ଟିସିଏ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ବନ ବିଭାଗ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ଦ୍ୱିତୀୟତଃ ସୁନ୍ଦରୀକୁ ଧରିବାବେଳେ ଏନ୍ଟିସିଏ ଗାଇଡ୍ଲାଇନ ପାଳନ ହୋଇନାହିଁ ଏବଂ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଉଲ୍ଲଂଘନ ହୋଇଛି। ଖାଲି ସେତିକି ନୁହେଁ, ୧ ବର୍ଷରୁ ଅଧିକ ସମୟ ଧରି ଏକ ଛୋଟ ଏନ୍କ୍ଲୋଜର ମଧ୍ୟରେ ଆବଦ୍ଧ କରି ରଖାଯାଇଥିବାବେଳେ ତାକୁ ପୁନର୍ବାର ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ। ତୃତୀୟ ଯଥେଷ୍ଟ ଅର୍ଥର ବ୍ୟବସ୍ଥା ଓ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ବନ ବିଭାଗ ତାହା ଅପବ୍ୟବହାର କରିଛି। ଚତୁର୍ଥରେ ସବୁଠାରୁ ବଡ଼ ଅଭିଯୋଗ ହେଲା, ଭାରତ ସରକାରଙ୍କ ଅନୁମତି ବିନା ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇଛି। ତେଣୁ ସୁନ୍ଦରୀକୁ ଆଉ ଛୋଟ ଏନ୍କ୍ଲୋଜର ମଧ୍ୟରେ ରଖିବାକୁ ଅନୁମତି ଦିଆଯିବ ନାହିଁ। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରେଇ ନେବା ପାଇଁ ସ୍ଥିରୀକୃତ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଯଥାସମ୍ଭବ ଶୀଘ୍ର ବ୍ୟବସ୍ଥା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଏଥିସହିତ ଏନ୍ଟିସିଏ ଗାଇଡ୍ଲାଇନ ଓ ଏସ୍ଓପି ପାଳନ କରା ନ ଯିବା ପର୍ଯ୍ୟନ୍ତ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖାଗଲା ବୋଲି ଚିଠିରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ବନ ବିଭାଗର ଏହି ବିଫଳତା ସାମ୍ନାକୁ ଆସିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କରିଛନ୍ତି। ମହାବୀରକୁ ଶିକାର କରି ମାରିଦିଆଯାଇଥିଲା। ଏହି ଘଟଣାକୁ ଲୁଚାଇଥିବା ତତ୍କାଳୀନ କ୍ଷେତ୍ର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ଆଜି ହୁଏତ ଓଡ଼ିଶା ଏଭଳି ନିନ୍ଦିତ ହୋଇ ନ ଥାନ୍ତା ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସାତକୋଶିଆରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଦ୍ୱାରା ୬ ବାଘକୁ ସାତକୋଶିଆରେ ଛଡ଼ା ଯାଇଥାନ୍ତା। ୨୦୧୮ରେ ପ୍ରଥମେ ମହାବୀର ଓ ପରେ ସୁନ୍ଦରୀକୁ ସାତକୋଶିଆରେ ଛଡ଼ା ଯାଇଥିଲା। ପ୍ରଥମେ ମହାବୀର ବାଘକୁ ଶିକାର କରାଯାଇଥିଲା। ପରେ ମଣିଷ ଓ ଏକାଧିକ ଗୃହପାଳିତ ପଶୁକୁ ମାରିବା ଅଭିଯୋଗରେ ସୁନ୍ଦରୀକୁ ଏନ୍କ୍ଲୋଜରରେ ରଖାଗଲା।
https://www.dharitri.com/archana-puran-singh-says-not-worried-if-navjot-singh-sidhu-returns-in-the-show/
ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ… ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି କିଛି ଲୋକ ଶୋ’ରେ ଅର୍ଚ୍ଚନା ପୁରନ୍ ସିଂହଙ୍କ ଚୌକି ବିପଦରେ ବୋଲି ମଜା କରୁଛନ୍ତି। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଅର୍ଚ୍ଚନା। ସିଦ୍ଧୁ ଇସ୍ତଫା ଦେବାକୁ ନେଇ ସେ ବିଲ୍କୁଲ୍ ଚିନ୍ତିତ ନୁହନ୍ତି ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଅର୍ଚ୍ଚନା କହିଛନ୍ତି, ଲୋକେ ଏଭଳି ମଧ୍ୟ କହିବେ ଯେ ମୁଁ ତାଙ୍କ ଚୌକି ଛଡ଼ାଇ ନେଇଛି। ହେଲେ ମୋତେ କିଛି ଫରକ ପଡେ ନାହିଁ। ଯେତିକି ଏପିସୋଡ କରିବାକୁ ଯୋଗ ଥିବ ତାହା ହେବ। କୌଣସି ରାଜନୀତି ଅଥବା ରାଜନୈତିକ ପାର୍ଟି ଏହାକୁ ଛଡ଼ାଇ ନେଇପାରିବେ ନାହିଁ। ସିଦ୍ଧୁ ପଞ୍ଜାବରେ ବ୍ୟସ୍ତ ଥିବା କାରଣରୁ ମୋତେ ଜଜ୍ ହେବାକୁ କୁହାଯାଇଥିଲା। କପିଲ ଆମର ପୁଅ ପରି। ତାଙ୍କ ସହ ସମ୍ପର୍କ ଦେଖି ମୁଁ ହଁ କହିଥିଲି। ଏକ ବର୍ଷ ପରେ ପୁଣି ମୋତେ ଡକାଯାଇଥିଲା। ପୁଲବାମା ଆକ୍ରମଣ ପରେ ସିଦ୍ଧୁଙ୍କ ବୟାନକୁ ନେଇ ବିବାଦ ଉପୁଜିବା ପରେ ମୁଁ ଶେଷ ଦୁଇ ଏପିସୋଡ କରିଥିଲି। ସେବେଠାରୁ ଏବେ ଯାଏ ଅଛି ବୋଲି ସେ କହିଛନ୍ତି।
https://www.dharitri.com/to-buy-shoes/
ଜୋତା କିଣିବା ପାଇଁ.. ପରିଣିତି ଚୋପ୍ରା ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନ୍ସେଲ କରିବାକୁ ବାଧ୍ୟ ହୋଇଥିଲେ। ଏହି କାର୍ଯ୍ୟକ୍ରମର କିଛି ସମୟ ପୂର୍ବରୁ ତାଙ୍କ ନିକଟରେ ଏପରି ଏକ ଖବର ପହଞ୍ଚତ୍ଥିଲା, ଯେଉଁଥିପାଇଁ ସେ ନିଜ କାମକୁ ସ୍ଥଗିତ ରଖିଥିଲେ। ହେଲେ କ’ଣ ପାଇଁ ସେ ଏମିତି କରିଥିଲେ ଜାଣନ୍ତି ? ଜୋତା କିଣିବା ପାଇଁ। ନୂଆ ବ୍ରାଣ୍ଡ୍ର ଜୋତା ଦେଖିଲେ ସେ ତାକୁ ପ୍ରଥମେ କିଣିବାକୁ ବାହାରିପଡ଼ନ୍ତି। ଏପରି କି ଜୋତାର ନୂଆ ବ୍ରାଣ୍ଡ୍ କେବେ ଲଞ୍ଚ୍ କରୁଛି ତାହା ଉପରେ ତୀକ୍ଷ୍ଣ ନଜର ରଖିଥାଆନ୍ତି ସେ। ବଜାରକୁ ଆସିବା ମାତ୍ରେ ସେ ସେଗୁଡ଼ିକୁ କିଣିଥାଆନ୍ତି। ଥରେ ସେ ଜୋତା କିଣିବା ସମୟରେ ଏକ ନୂଆ ବ୍ରାଣ୍ଡ୍ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ ଯେ, ଏକାଥରେ ସେଥିରୁ ୨୦ ହଳ ଜୋତା କିଣିବାକୁ ପଛାଇ ନ ଥିଲେ।
https://www.dharitri.com/instructions-for-strengthening-the-embankments/
ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ନିର୍ଦ୍ଦେଶ ଯାଜପୁର ଟାଉନ,୨୩ା୬, (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଏମ୍ପି ରବୀନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ଏବଂ ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଶୁଭେନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥିମାନେ ମା’ ବିରଜାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦ୍ଘାଟନ କରିଥିଲେ। ବୈଠକରେ କଣ୍ଟ୍ରୋଲ୍ରୁମ୍ କାର୍ଯ୍ୟକାରିତା, ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ ସହ ବନ୍ୟା ଜଳ ଓ ବର୍ଷାଜଳ ଜମୁଥିବା କୃତ୍ରିମ ବନ୍ୟା ସ୍ଥାନଗୁଡ଼ିକରୁ ଜଳ ନିଷ୍କାସନ, ବନ୍ୟାପ୍ରବଣ ଅଞ୍ଚଳ ଗୁଡ଼ିକରେ ନୋଡାଲ ଅଫିସର ନିଯୁକ୍ତି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଦୈନନ୍ଦିନ ସ୍ଥିତି ରିପୋର୍ଟ ଜିଲା ପ୍ରଶାସନକୁ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯ୍ୟୟ ପୂର୍ବରୁ ସଚେତନତା ବାର୍ତ୍ତା ଦେବା, ଅସ୍ଥାୟୀ ୱାରଲେସ୍ କେନ୍ଦ୍ର କାର୍ଯ୍ୟ କରିବା, ଦୂର ସଞ୍ଚାର ସେବା ଯୋଗାଇବା, ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ ମହଜୁଦ ରଖିବା ସହ ସୁଖିଲା ଖାଦ୍ୟ, ଔଷଧ, ଗୋ ଖାଦ୍ୟ, ପାନୀୟ ଜଳ, ପଲିଥିନ୍ ଓ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରିବା, ଓଡ୍ରାଫ୍, ଏନ୍ଡିଆରଏଫ୍, ଅଗ୍ନିଶମ ବାହିନୀ ସଜାଗ ରଖିବା ଓ ଅସ୍ଥାୟୀ ଭାବେ ହେଲି ପ୍ୟାଡ ସ୍ଥାନ ନିରୂପଣ କରିବା ସ୍ଥିର କରାଯାଇଥିଲା। ରିଲିଫ୍ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା, ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପୁନରୁଦ୍ଧାର, ଥଇଥାନ ଓ ବିପର୍ଯ୍ୟୟ ପରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ପରିମଳ ସେବା ଉପରେ ଅତିରିକ୍ତ ଜିଲାପାଳ ସୂଚନା ପ୍ରଦାନ କରିଥିଲେ। କୋରେଇ ବିଧାୟକ କୋରେଇ ଏବଂ ବନ୍ଦାଳୋ ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳ ନଦୀବନ୍ଧକୁ ପଥର ପ୍ୟାକିଂ କରିବା, ବ୍ୟାପକ ଚାରା ରୋପଣ କରି ଜିଲାରେ ପ୍ରଦୂଷଣକୁ ରୋକିବା ଓ ପରିବେଶ ସନ୍ତୁଳନ ଦିଗରେ ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିବା ସହ ଜିଲାରେ ବନ୍ୟା ଓ ବର୍ଷା ଜଳ ନିଷ୍କାସନ ଦିଗରେ ଆବଶ୍ୟକ ସ୍ଥଳେ ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ଉଲ୍ଲେଖ କରିଥିଲେ। ବିଞ୍ଝାରପୁର ବିଧାୟିକା ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ୍ ଅଞ୍ଚଳ ବନ୍ୟାପ୍ରବଣ ହୋଇଥିବାରୁ ଅଧିକ ପାୱାର ବୋଟ୍ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିଲେ। ଜିଲାପାଳ ଜିଲାରେ ୩୬ ପାୱାର ବୋଟ୍ ସମସ୍ତ ବ୍ଲକ୍କୁ ବଣ୍ଟନ କରାଯାଇଥିବା କହିଥିଲେ। ଏଥିସହିତ ଜିଲାକୁ ଅଧିକ ବୋଟ୍ ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ, ବିଡିଓ, ତହସିଲଦାର, ଅତିରିକ୍ତ ଉପଜିଲାପାଳ ମନୋରମା ଜାଲି, ଜିଲା ଜରୁରୀ ଅଧିକାରୀ ଅଶୋକ ବେହେରା, ଡେପୁଟି କଲେକ୍ଟର ସୋନମ୍ ଦାସ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆ ଧନ୍ୟବାଦ ଦେଇଥିଲେ।
https://www.dharitri.com/୯-୩୪-ଲକ୍ଷ-କୋଟିକୁ-ହ୍ରାସ-ପାଇ/
୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୯.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ମଙ୍ଗଳବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭାରେ ସାଂସଦଙ୍କ ଦ୍ୱାରା ଆଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସୀତାରାମନ୍ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକର ଖରାପ ଋଣ ବା ଅନାଦାୟ ଋଣ ସମସ୍ୟାର ସମାଧାନ ଲାଗି ସରକାର ସମନ୍ବିତ ୪ଆର୍ ଷ୍ଟ୍ରାଟେଜି ଆପଣାଇଛନ୍ତି। ସେଗୁଡ଼ିକ ହେଲା ଏନ୍ପିଏର ରେକଗନାଇଜେଶନ ବା ଚିହ୍ନଟ କରିବା, ରିଜଲ୍ୟୁଶନ ଅର୍ଥାତ୍ ସମାଧାନ କରିବା, ରିକଭରୀ ଅର୍ଥାତ ଋଣ ଆଦାୟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନଃପୁଞ୍ଜିକରଣ ବା ରିକାପିଟାଲାଇଜେଶନ। ଆର୍ବିଆଇ ତଥ୍ୟ ଅନୁଯାୟୀ,୨୦୧୮ ମାର୍ଚ୍ଚରେ ଏନ୍ପିଏ ପରିମାଣ ୧୦,୩୬,୧୮୭ କୋଟି ଟଙ୍କାର ସର୍ବାଧିକ ସ୍ତର ଛୁଇଁଥିଲା। ଏହାପରେ ନୂଆ ପଦକ୍ଷେପ ମାନ ଗ୍ରହଣ କରାଯିବା ପରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଥିରେ ୧,୦୨,୫୬୨ କୋଟି ଟଙ୍କା ହ୍ରାସ ପାଇ ୯,୩୩,୬୨୫ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୀତାରାମନ୍ କହିଛନ୍ତି।
https://www.dharitri.com/bharatpur-accident-11-people-died-and-many-injured-in-bus-accident-rajasthan/
ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଏନ୍ଏଚ୍-୨୧ସ୍ଥିତ ଲଖନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ହନ୍ତରା ବ୍ରିଜରେ ଘଟିଛି। ଭକ୍ତମାନଙ୍କୁ ନେଇ ବସ୍ଟି ଗୁଜରାଟରୁ ଉତ୍ତରପ୍ରଦେଶର ମଥୁରା ପରିଦର୍ଶନ କରିବାକୁ ଯାଉଥିଲା। ବସ୍ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୧୧ଜଣ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଯାତ୍ରୀବାହୀ ବସ୍ ଭାବନଗରରୁ ମଥୁରା ପରିଦର୍ଶନ କରିବାକୁ ଯାଉଥିଲା। ଏହି ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି। କୁହାଯାଉଛି ଯେ ସମସ୍ତ ମୃତ ଓ ଆହତମାନେ ଭାବନଗରର ବାସିନ୍ଦା। ଏକ ଅଜଣା ଗାଡି ପାର୍କିଂ ହୋଇଥିବା ବସ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
https://www.dharitri.com/ବିଶ୍ୱ-ହୃତପିଣ୍ଡ-ଦିବସ-ଉପଲକ/
ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ରଥ ଶୁକ୍ରବାର ବାଲେଶ୍ୱରରେ ପହଞ୍ଚତ୍ଛି। ବାଲେଶ୍ୱର ସହର ଗଡଗଡିଆ ଛକ ନିକଟରେ ଥିବା ଶାଖା କ୍ଲିନିକ ପକ୍ଷରୁ ଏହି ରଥକୁ ସ୍ବାଗତ କରାଯାଇଥିଲା। ବାଲେଶ୍ୱର ଅତିରିକ୍ତି ଜିଲାପାଳ ସମ୍ବିତ କୁମାର ନାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେବ ‘ବିଶ୍ୱ ହୃତପିଣ୍ଡ ଦିବସ’। ଏହି ଅବସରରେ ଓଡିଶାବାସୀଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୧୮ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ସଚେତନତା ରଥ କଟକ, ଜଗତସିଂହପୁର, ପାରାଦ୍ୱୀପ, କେନ୍ଦ୍ରାପଡା, ଡୁବୁରୀ, ଯାଜପୁର, ଭଦ୍ରକ ଆଦି ସ୍ଥାନ ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚତ୍ଥିବା ସୂଚନା ଦିଆଯାଇଥିଲା। ରଥ ମୋଟ ୩୫୦୦ କି.ମି. ଅତିକ୍ରମ ସହ ପୁରୀ ଦେଇ ଭୁବନେଶ୍ୱରଠାରେ ୨୯ ତାରିଖରେ ଅଭିଯାନ ଶେଷ କରିବ ା ଏହା ମଧ୍ୟରେ ବାଲେଶ୍ୱର, ଝାରସୁଗୁଡା, ରାଉରକେଲା, ବ୍ରହ୍ମପୁର ଓ ପୁରୀରେ ଥିବା ଆପୋଲୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ମାଧ୍ୟମରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ା ବାଲେଶ୍ୱର ଆପୋଲୋ କ୍ଲିନିକଠାରେ ଲାୟନ୍ସ କ୍ଲବ ଏମ୍ପାୱାର ସହଯୋଗରେ ଏକ ନିଶୁଃଳ୍କ ହାର୍ଟ ଚେକଅପ କ୍ୟାମ୍ପ ଆୟୋଜିତ ହୋଇଥିଲା ା ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଡାକ୍ତର ଗୋବିନ୍ଦ ପ୍ରସାଦ ନାୟକ ଉପସ୍ଥିତ ରହି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବାଲେଶ୍ୱର ଶାଖା କ୍ଲିନିକର ନିର୍ଦ୍ଦେଶକ ଅଭିଷେକ ନନ୍ଦୀ, ନିର୍ଦ୍ଦେଶିକା ଶୁଭ୍ରା ନନ୍ଦୀ, ଲାୟନ୍ସ କ୍ଲବ ଏମ୍ପାୱାରର ସଭାପତି ମିତା ମାନ୍ନା ପ୍ରମୁଖ ଉପସ୍ଥିତ ରହି ହାର୍ଟ ଚେକଅପ କ୍ୟାମ୍ପ ପରିଚାଳନା କରିଥିଲେ ା ୧୦୦ରୁ ଊର୍ଦ୍ଧ ହାର୍ଟ ରୋଗୀଙ୍କ ମାଗଣା ଚିକିତ୍ସା ହୋଇଥିବା ବେଳେ କ୍ଲିନିକର ସମସ୍ତ କର୍ମଚାରୀ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ ା
https://www.dharitri.com/india-becomes-no-1-odi-team/
ଦିନିକିଆରେ ନଂ-୧ ଟିମ୍‌ ହେଲା ଭାରତ ନୂଆଦିଲ୍ଲୀ,୨୫।୧: ନୂତନ ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଭାରତୀୟ କ୍ରିକେଟ ଟିମ୍। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଥିଲା। ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ ଜିତି ନେଇଛି। ଏଥିସହ ଭାରତ ଦିନିକିଆ ଆଇସିସି ର଼୍ୟାଙ୍କିଂର ଶୀର୍ଷ(୧ନଂ) ସ୍ଥାନ ଦଖଲ କରିଛି। ଅନ୍ତିମ ଦିନିକିଆ ପୂର୍ବରୁ ଦଳ ୧୧୩ ପଏଣ୍ଟ ସହ ର଼୍ୟାଙ୍କିଂର ୩ନଂ ସ୍ଥାନରେ ଥିଲା। ହେଲେ ମ୍ୟାଚ୍ରେ ବିଜେତା ହେବା ପରେ ଦଳ ୧୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ସେହିଭଳି ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ(୧୧୩ ପଏଣ୍ଟ) ସହ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ନଂ(୧୧୨ ପଏଣ୍ଟ) ଏବଂ ନ୍ୟୁଜିଲାଣ୍ଡ ୪ର୍ଥ(୧୧୧ ପଏଣ୍ଟ) ସ୍ଥାନରେ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଥିଲା। ଫଳରେ ଶୀର୍ଷ ମାନ୍ୟତା ଇଂଲଣ୍ଡ କ୍ରିକେଟ ଟିମ୍କୁ ପରାସ୍ତ କରି ଦଳ ଦିନିକିଆ ର଼୍ୟାଙ୍କିଂରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଆଇସିସି ଦିନିକିଆ ର଼୍ୟାଙ୍କିଂର ଶ୍ରେଷ୍ଠ -୧୦ ଦଳ: ୧\. ଭାରତ – ୧୧୪ ରେଟିଂ ପଏଣ୍ଟ ୨\. ଇଂଲଣ୍ଡ – ୧୧୩ ରେଟିଂ ପଏଣ୍ଟ ୩\. ଅଷ୍ଟ୍ରେଲିଆ – ୧୧୨ ରେଟିଂ ପଏଣ୍ଟ ୪\. ନ୍ୟୁଜିଲ୍ୟାଣ୍ଡ – ୧୧୧ ରେଟିଂ ପଏଣ୍ଟ ୫\. ପାକିସ୍ତାନ – ୧୦୬ ରେଟିଂ ପଏଣ୍ଟ ୬\. ଦକ୍ଷିଣ ଆଫ୍ରିକା – ୧୦୦ ରେଟିଂ ପଏଣ୍ଟ ୭\. ବାଂଲାଦେଶ – ୯୫ ରେଟିଂ ପଏଣ୍ଟ ୮\. ଶ୍ରୀଲଙ୍କା – ୮୮ ରେଟିଂ ପଏଣ୍ଟ ୯\. ଆଫଗାନିସ୍ତାନ – ୭୧ ରେଟିଂ ପଏଣ୍ଟ ୧୦\. ୱେଷ୍ଟଇଣ୍ଡିଜ – ୭୧ ରେଟିଂ ପଏଣ୍ଟ
https://www.dharitri.com/supply-of-low-grade-chhatua/
ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିମ୍ନମାନର ଛତୁଆ, ଲଡୁ ଯୋଗାଣ ବରୀ,୨୯ା୭(ଡି.ଏନ.ଏ.): ବରୀ ବ୍ଲକ୍ ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ନିମ୍ନମାନର ଛତୁଆ ଓ ଲଡୁ ଯୋଗାଣ କରାଯାଉଛି। ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ବରୀ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ୧୦ ସୁପରଭାଇଜର ରହିବାସ୍ଥଳେ ମାତ୍ର ୬ଜଣ ଅଛନ୍ତି। ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପଦବୀ ଖାଲି ପଡ଼ିଛି। ଯାଜପୁର ବ୍ଲକ୍ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ଦାୟିତ୍ୱ ତୁଲାଉଛନ୍ତି। ତେବେ ସେ ଉପରୋକ୍ତ ଅଭିଯୋଗଗୁଡ଼ିକୁ ଅଣଦେଖା କରୁଥିବାରୁ ନିମ୍ନମାନର ଛତୁଆ ଓ ଲଡୁ ବଣ୍ଟନରେ ରୋକ୍ ଲଗାଯାଇ ପାରୁନି ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର ଅଭିଭାବକ ଅଭିଯୋଗ କରିଛନ୍ତି। ବ୍ଲକ୍ର ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ୫ଟି ସେକ୍ଟରର ଗର୍ଭବତୀ, ଶିଶୁଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ମା’ ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ଅବଶିଷ୍ଟ ଚାରୋଟି ସେକ୍ଟରକୁ ଶିଶୁ ଖାଦ୍ୟ ଯୋଗାଣ କରୁଛି। ନିୟମ ମୁତାବକ ପ୍ରତିମାସ ୨୩ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ମିଶନ ଶକ୍ତି ବିଭାଗ କର୍ମଚାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉପସ୍ଥିତ ରହି ଗହମ, ବୁଟ, ବାଦାମ, ଚିନି ଆଦି ସାମଗ୍ରୀର ଆନୁପାତିକ ପରିମାଣ ଯାଞ୍ଚ କରିବା କଥା। ୨୪ ଓ ୨୫ ତାରିଖରେ ଲଡୁ ପ୍ୟାକିଂ ଉପରେ ନଜର ଦେବା ସହ ଏହାର ମାନ ଯାଞ୍ଚ କରିବା କଥା। ତେବେ ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍ ଅଧୀନ ବାଲିଆପାଳଠାରେ ଛତୁଆ ଓ ଲଡୁ ପ୍ରସ୍ତୁତ କରିବା ଯୋଗୁ ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ମାନ ଯାଞ୍ଚ କରି ପାରୁଛନ୍ତି। ହେଲେ ମା’ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍ର ୩୦ କି.ମି. ଦୂର ରସୁଲପୁର ବ୍ଲକ୍ରେ ଛତୁଆ ଓ ଲଡୁ ପ୍ରସ୍ତୁତ କରୁଥିବାରୁ ଏହାର ମାନ ଓ ଗୁଣବତ୍ତା ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ମୁତାବକ କାର୍ଯ୍ୟାଳୟଠାରୁ କର୍ମଚାରୀମାନେ ୮ କି.ମି. ଦୂର ପରିଧି ଭିତରେ ରହିବାର ନିୟମ ଥିବା ବେଳେ ସୁପରଭାଇଜରମାନେ ୨୦ରୁ୨୫ କି.ମି. ଦୂରରେ ରହି ଉପର ଠାଉରିଆ ଭାବେ କାଗଜ କଲମରେ ଯାଞ୍ଚ କରାଯାଉଛି ବୋଲି ଦର୍ଶାଉଛନ୍ତି। ଏତଦ୍ବ୍ୟତୀତ ସୁପରଭାଇଜର ଓ ପ୍ରକଳ୍ପ ଅଧିକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରସ୍ତୁତକାରୀ ସଂସ୍ଥା କୋମଳମତି ଶିଶୁ ଓ ଗର୍ଭବତୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରି ମାଲାମାଲ ହେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମା’ ଚଣାଖାଇ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତି ସରିତା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଛତୁଆ ଓ ଲଡୁ ପ୍ରସ୍ତୁତ ସମୟରେ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ମାନ ଓ ଗୁଣବତ୍ତାକୁ ଯାଞ୍ଚ କରୁଛନ୍ତି। ଏହାପରେ ଆମେ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପଠାଉଛୁ। ତେଣୁ କୌଣସି ନିମ୍ନମାନ ଛତୁଆ ଓ ଲଡ଼ୁ ତିଆରି ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ମା’ ରାମେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ବରୀ ମହିଳା ଓ ଶିଶୁ ବିକାଶ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ସରିତା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ମୁଁ ନୂତନ ଭାବେ ଦାୟିତ୍ୱରେ ଅଛି। କାର୍ଯ୍ୟାଳୟର ଗାଡ଼ି ନ ଥିବାରୁ କାର୍ଯ୍ୟ ତଦାରଖ କ୍ଷେତ୍ରରେ ଅସୁବିଧା ହେଉଛି। ଛତୁଆ ଓ ଲଡୁ ନିମ୍ନମାନର ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ମୌଖିକ ଓ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ଖୁବ୍ଶୀଘ୍ର ଖାଦ୍ୟର ମାନ ଓ ଗୁଣବତ୍ତା ଉପରେ ତଦନ୍ତ କରାଯିବ। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
https://www.dharitri.com/୭୨ତମ-କାନ୍ସ-ଫିଲ୍ମ-ଫେଷ୍ଟିଭ/
୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା ଦିର୍ଘ ୧୧ଦିନ ଧରି ଚାଲିବ। ଚଳିତ ଥର ଭାରତ ପାଇଁ ଏହି ଫେଷ୍ଟିଭାଲ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ଚଳିତ ବର୍ଷ ଏର୍ଶ୍ୱଯ୍ୟା ରାୟ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଦିପିକା ପାଦୁକୋନ, କଙ୍ଗନା ରନାଓ୍ବତ, ହୁମା କୁରେସୀ ଓ ସୋନମ କପୁରଙ୍କୁ ରେଡ କାର୍ପେଟରେ ଓ୍ବାକ କରୁଥିବା ଦେଖିବାକୁ ମିଳିବ। ଏଥିରେ ବଲିଉଡର ଗ୍ଲାମରସ୍ ଅଭିନେତ୍ରୀଙ୍କ ସହ ଚଳିତ ବର୍ଷ ଟେଲି କଳାକାର ହିନା ଖାନ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି। ଗତ ବର୍ଷ କଙ୍ଗନା ଏହି ଫେଷ୍ଟିଭାଲରେ ଡେବ୍ୟୁ କରିଥିବା ବେଳେ ଏଥର ହିନା ଖାନ ଡେବ୍ୟୁ କରିବେ ବୋଲି ସୂଚନା ରହିଛି। ମିଡିଆ ରିପୋର୍ଟ ଅନୁସାରେ, ଦିପିକା ଓ ସୋନମ ଏହି ଫେଷ୍ଟିଭାଲରେ ସାମିଲ ହେବା ପାଇଁ ଫ୍ରାନ୍ସରେ ମେ ୧୬କୁ ପହଞ୍ଚିବେ। ସେହିପରି ହିନାଙ୍କ ଫ୍ୟାସନ ଶୋ ମେ ୧୭କୁ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ହିନା ଖାନ ଏହି କାନ୍ସ ଫେଷ୍ଟିଭାଲର ଅଂଶୀଦାର ହୋଇଥିବାରୁ ସେ ବହୁ ଉତ୍ସାହିତ ହେବା ସହ ନର୍ଭସ ଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଫେଷ୍ଟିଭାଲରେ କଙ୍ଗନାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ, ଫେଷ୍ଟିଭାଲର ରେଡ କାର୍ପେଟରେ କଙ୍ଗନାଙ୍କୁ ପାରମ୍ପାରିକ ଶାଢ଼ୀରେ ଦେଖିବାକୁ ମିଳିବ।
https://www.dharitri.com/prime-minister-was-arrogant-the-governors-controversial-remarks/
ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ… ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ। ଯଦିଓ ସେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ଘେରିବା ଆରମ୍ଭ କରିଛନ୍ତି। ସେ କହଛନ୍ତି ଯେ ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି, ସେତେବେଳେ ସେ ବହୁତ ଅହଙ୍କାରୀ ଥିଲେ। ମୁଁ ତାଙ୍କ ସହ ଝଗଡା କରିଥିଲି। ‘ମୁଁ ତାଙ୍କୁ କହିଲି ଯେ ଆମର ୫୦୦ ଲୋକ ମରିଛନ୍ତି, ସେ କହିଥିଲେ ସେମାନେ କ‘ଣ ମୋ ପାଇଁ ମରିଛନ୍ତି କି? ମୁଁ କହିଲି ହଁ ତୁମ ପାଇଁ ସେମାନେ ମରିଛନ୍ତି। କାରଣ ଆପଣ ରାଜା ହୋଇଛନ୍ତି’। ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁମେ ଅମିତ ଶାହାଙ୍କୁ ଭେଟ। ତାପରେ ମୁଁ ଅମିତ ଶାହାଙ୍କୁ ଭେଟିଲି ବୋଲି ସତ୍ୟପାଲ କହିଛନ୍ତି। ହରିୟାଣାର ଦାଦରିଠାରେ ଏକ କୃଷକ କାର୍ଯ୍ୟକ୍ରମରେ ଯୋଗଦେଇ ସତ୍ୟପାଳ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପ୍ରଧାନନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି କରିବା ବ୍ୟତିତ ଅନ୍ୟ କୌଣସି ବାଟ ମଧ୍ୟ ନ ଥିଲା। ମଲିକ କହିଛନ୍ତି ଯେ ସେ ଜଣେ ରାଜ୍ୟପାଳ, ମନ୍ତ୍ରୀ, ଏମ୍ପି ଏବଂ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଅବସର ପରେ ତାଙ୍କର ରହିବା ପାଇଁ ନିଜସ୍ବ ଘର ନାହିଁ। ସର୍ବଦା ସଚ୍ଚୋଟ ଭାବରେ ସେ କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି। ତାହା ହେଉଛି ତାଙ୍କର ଶକ୍ତି ବୋଲି ସେ କହିଛନ୍ତି। ମଲିକ କହିଛନ୍ତି ଯେ ଏହି ଶକ୍ତି ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇ ପାରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଏକତା ଏବଂ ସବୁ ପରିସ୍ଥିତିରେ ସେମାନଙ୍କର ଏକନିଷ୍ଠ ମନୋଭାବ ଯୋଗ କୃଷି ଆଇନକୁ ଫେରାଇ ନିଆଯାଇଛି। ଚୌଧୁରୀ ଚରଣ ସିଂଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ସେ କୌ ଣସି ପରିସ୍ଥିତିରେ କୃଷକ ଏବଂ ତାଙ୍କ ଲୋକଙ୍କ ପକ୍ଷ ଛାଡିବେ ନାହିଁ। ସେ କହିଛନ୍ତି ଯେ ଯଦି ଆନ୍ଦୋଳନ ପୁଣି ଥରେ ହୁଏ ତେବେ ସେ ରାଜ୍ୟପାଳ ପଦରୁ ବିଦାୟ ନେବେ। ତେବେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦୁର୍ନୀତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। ସୂଚନାଯୋଗ୍ୟ, ସତ୍ୟପାଲ ମଲିକ ଦୀର୍ଘ ସମୟ ଧରି କୃଷକମାନଙ୍କ ପ୍ରସଙ୍ଗରେ କୃଷକମାନଙ୍କ ପ୍ରସଙ୍ଗରେ ବିବୃତ୍ତି ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଥର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ତେବେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ମଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ସେ କହିଥିଲେ ଯେ ବିଳମ୍ବ ହେଲେ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି।
https://www.dharitri.com/ed-issues-fresh-summons-to-sonia-gandhi-asks-her-to-join-probe-by-mid-july/
ଜୁଲାଇ ଦ୍ୱିତୀୟ ସପ୍ତାହରେ ଇଡିରେ ହାଜର ହେବେ ସୋନିଆ ନୂଆଦିଲ୍ଲୀ,୨୩।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାନି ସମନ ଜାରି କରିଛି। ତାଙ୍କୁ ଜୁଲାଇ ଦ୍ୱିତୀୟ ସପ୍ତାହରେ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି। ବୁଧବାର ସୋନିଆ ଇଡିକୁ ପତ୍ର ଲେଖି ନିଜର ଅସୁସ୍ଥତା ସମ୍ପର୍କରେ ଅବଗତ କରାଇବା ସହ ଜେରା ପାଇଁ ଆଉ କିଛିଦିନ ସମୟ ମାଗିଥିଲେ। ତେବେ ଗୁରୁବାର ତଦନ୍ତକାରୀ ସଂସ୍ଥା ଏହାକୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଜୁନ୍ ୨ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ନାକରୁ ରକ୍ତ ପଡ଼ିବାରୁ ଗତ ୧୨ ତାରିଖରେ ସୋନିଆଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ସୋମବାର ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅନ୍ୟପଟେ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୫ ଦିନରେ ପ୍ରାୟ ୫୧ ଘଣ୍ଟା ଜେରା କରିସାରିଲାଣି।
https://www.dharitri.com/୭-ବଛର-ହେଲା-ଇନ୍ଦିରା-ଆବସ-ତିଆ/
୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍.ଏ.): ବଛ୍ରେ ନେଇସେ ୭ ବଛର ହେଲା ପଁଚେତ୍ରୁ ବ୍ଲକ ତକ୍ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର କଥା ବଖାନିଛନ୍ କଳାହାଣି ଜଲା କୋକସରା ବ୍ଲକରେ ନୂତନ୍ ହିସାବେ ଗଠିତ୍ ସୋନପୋଡ଼ାଗୁଡ଼ା ପଁଚେତ୍ ନେଗିଗୁଡ଼ା ଗଁାର ଦୁଇଝନ୍ ହିତାଧିକାରୀ। ସୂଚନା ଅନ୍ସାରେ ସୋନପୋଡ଼ାଗୁଡ଼ା ପଁଚେତ୍ ଅଧୀନ ନେଗିଗୁଡ଼ା ଗଁାର କ୍ଷୀର ଦେଇ ଆର କ୍ଷୀର ସୁନା ଅକ୍ଟୋବର ୨୬, ୨୦୧୨ରେ ଇନ୍ଦିରା ଆବାସ ତିଆରି ଲାଗି କାର୍ଯ୍ୟାଦେଶ ପାଇଥିଲେ। ଘର ୩ ମାସ ଭିତରେ ତିଆର କରବାର ଲାଗି ବି ନିରଦେଶ ରହିଥିଲା। ସେ ହିସାବେ ଦୁଇ ହିତାଧିକାରୀ ଧାର ଉଧାର କରି ଘର ତିଆରି କଲେ। କ୍ଷୀର ସୁନା ୨ଟା କିସ୍ତିରେ ୨୬ ହଜାର ଟଁକା ପାଇଥିଲାବେଲେ କ୍ଷୀର ଦେଇକୁଁ ଗୁଟେ କିସ୍ତିରେ ୫ ହଜାର ଟଁକା ନ ମିଲିଥିଲା। ହେଲେ ୨୦୧୨-୧୩ ସାଲେ ଇନ୍ଦିରା ଆବାସ ବାବ୍ଦେ ସରକାର ୪୮ ହଜାର ୫ଶହ ଟଁକାକେ ୪ଟା କିସ୍ତିରେ ଦେଉଥିଲେ। ସେନ୍ତା ସରକାରୀ ନିୟମ ହିସାବେ ପହେଲା କିସ୍ତିରେ ୧୫ ହଜାର ଟଁକା, ଦୁତିଅ କିସ୍ତିରେ ୧୦ ହଜାର ୫ଶହ, ତୁରତିଅରେ ୧୨ ହଜାର ଆର ଚତୁରଥ କିସ୍ତିରେ ୧୧ ହଜାର ଟଁକା ଦେବାର ବେବସ୍ତା ରହିଥିଲା। ହେଲେ ଝନେ ହିତାଧିକାରୀ ୨ଟା କିସ୍ତିରେ ୨୬ ହଜାର ଟଁକା ପାଇଥିଲାବେଲେ ଆରଝନେ ଗୁଟେ କିସ୍ତିରେ ୫ ହଜାର ଟଁକା ନ ପାଇଛନ୍। ଇଥ୍ରୁ ଫଟିକ ବୁଝାପଡ଼ୁଛେ ଯେ ସରକାରୀ ନୀତି ନିୟମକେ ବେଖାତିର କରାଯାଇଛେ। ଆଏଜ୍କେ ୭ ବଛର ହେଲା ଦୁଇ ହିତାଧିକାରୀ ବକିଆ ବିଲ୍ ପାଏବାର ଲାଗି ପଁଚେତ୍ନୁ ବ୍ଲକ ତକ୍ ଦଉଡି ଦଉଡି ନିରାଶ ହେଇଛନ୍। ଶେଷେ ଦୁଇ ହିତାଧିକାରୀ ଗହନାଗଁାଠି, ବାସନକୁସନ ବିକି ଦରଖଁଡ଼ିଆ ଘରକେ ପୂରା କରିଥିବାର କହିଛନ୍। ଇ ବାବ୍ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଫାଇଲ ଦେଖ୍ଲେ ଜନାପଡ଼ବା ବଲି ସେ କହିଥିଲେ।
https://www.dharitri.com/ନିଜ-କଳ୍ପନା-ରାଇଜରେ-ବଞ୍ଚୁଛ/
ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋଦି ଓ ଶାହ ତାଙ୍କ କଳ୍ପନା ରାଇଜରେ ବଞ୍ଚୁଛନ୍ତି। ତାଙ୍କର ବାହାର ଦୁନିଆ ସହ କୌଣସି ସମ୍ପର୍କ ନାହିଁ। ଯେଉଁଥିପାଇଁ ଏବେ ଦେଶର ଆର୍ଥିକ ପରିସ୍ଥିତ ଏଭଳି ସ୍ତରରେ ପହଞ୍ଚିଛି ବୋଲି ସେ କହିଛନ୍ତି। ଯଦି ମୋଦି ସାଧାରଣ ଲୋକଙ୍କ କଥା ବୁଝି ପାରନ୍ତେ ତେବେ ଦେଶର ପରିସ୍ଥିତି ସୁଧୁରି ଯାଆନ୍ତା ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ ୩ ଦିନିଆ କେରଳ ଗସ୍ତ ସମୟରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଏକ ସ୍କୁଲରେ ପହଞ୍ଚି ପିଲାମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି।
https://www.dharitri.com/candidates-are-denied-ctet-exams-due-to-late-arrival-of-admit-card/
ଆଡ୍‌ମିଟ୍‌ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳଳି ଘଟଣା ନବରଙ୍ଗପୁର ଜିଲାରେ ଘଟିଛି। ଶିକ୍ଷା ବିଭାଗର ଅବହେଳା ପାଇଁ ପରୀକ୍ଷା ଦେଇପାରିଲି ନାହିଁ ବୋଲି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଦିବ୍ୟାଙ୍ଗ ଇନ୍ଦୁରେଖା ମେହେର ଅଭିଯୋଗ କରିଛନ୍ତି। ସିଟିଇଟି ପରୀକ୍ଷା ପାଇଁ ୧୯ ଅକ୍ଟୋବରରେ ଇନ୍ଦୁରେଖା ଅନ୍ଲାଇନ ଫର୍ମ ପୂରଣ କରିଥିଲେ। ୧୫ ତାରିଖ ସନ୍ଧ୍ୟା ୫.୫୮ରେ ସିଟିଇଟି ପରୀକ୍ଷାର ଆଡମିଟ କାର୍ଡ ଡାଉନ୍ଲୋଡ୍ କରିବା ପାଇଁ ଇନ୍ଦୁରେଖାଙ୍କ ସ୍ବାମୀଙ୍କ ମୋବାଇଲକୁ ମେସେଜ ଆସିଥିଲା। ସେ ୧୬ ତାରିଖ ସକାଳେ ଆଡମିଟ କାର୍ଡ ଡାଉନ୍ଲୋଡ୍ କରିଥିଲେ। ସକାଳ ୯ଟା ୩୦ରେ ସମ୍ବଲପୁରରେ ଇନ୍ଦୁରେଖାଙ୍କ ପରୀକ୍ଷା ସେଣ୍ଟର ପଡିଥିବା ଜାଣିବାକୁ ପାଇଥିଲେ। ଚନ୍ଦାହାଣ୍ଡି ଠାରୁ ଉକ୍ତ ପରୀକ୍ଷା କେନ୍ଦ୍ର ଦୂରତା ପ୍ରାୟ ୪୦୦ କିଲୋମିଟରରୁ ଊର୍ଦ୍ଧ୍ୱ ହେବ। ଚନ୍ଦାହାଣ୍ଡି ଏକ ଉପାନ୍ତ ଅଞ୍ଚଳ ଏବଂ ଏଠାରୁ ବସ୍, ଟ୍ରେନ କିମ୍ବା ଆନୁଷଙ୍ଗିକ ଗମନାଗମନ ସୁବିଧା ନାହିଁ I ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବରେ ଅତି କମ୍ ସମୟ ପୂର୍ବରୁ ସୂଚନା ଦେବା ହେତୁ ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ବୋଲି ଇନ୍ଦୁରେଖା କହିଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ ଦାୟୀ। ପୁଣି ଥରେ ପରୀକ୍ଷା ସୁଯୋଗ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ନଚେତ୍ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି I
https://www.dharitri.com/royal-challengers-will-have-to-be-careful-in-todays-match/
ଆଜିର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ସତର୍କ ରହିବାକୁ ପଡ଼ିବ କୋଲକାତା,୬ା୪: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ କୋଲକାତା ନାଇଟ ରାଇଡର୍ସର ଆଣ୍ଡ୍ରେ ରସେଲଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ଆଣ୍ଡ୍ରେଙ୍କ ବ୍ୟାଟ୍ ଏହି ଗ୍ରାଉଣ୍ଡରେ ପୂର୍ବରୁ ନିଆଁ ଲଗାଇ ସାରିଛି। ଏହି ଗ୍ରାଉଣ୍ଡରେ ଆଣ୍ଡ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅନେକ ଦ୍ରୁତ ଇନିଂସ ଖେଳିଛନ୍ତି। ଯଦି ଏହି ଆକଳନକୁ ଦେଖାଯାଏ, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଣ୍ଡ୍ରେ ୩୯୫ ରନ୍ ସ୍କୋର କରିଛନ୍ତି। ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଯେକୌଣସି ଦଳ ପାଇଁ ଏହା ଆଣ୍ଡ୍ରେଙ୍କ ସର୍ବାଧିକ ସ୍କୋର। ଏହା ବ୍ୟତୀତ ଆଣ୍ଡ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ୨୦୭.୦୮୯ ଷ୍ଟ୍ରାଇକ୍ ହାରରେ ସ୍କୋର କରିଛନ୍ତି। ଏଥି ସହିତ ଆଣ୍ଡ୍ରେଙ୍କ ହାରାହାରି ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ତେଣୁ ରୟାଲ ଚ୍ୟାଲେଞ୍ଜର୍ସ ଟିମ୍କୁ ସତର୍କ ରହିବାକୁ ପଡ଼ିବ। କାରଣ ଏହି ଗ୍ରାଉଣ୍ଡରେ ହିଁ ରସେଲ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୪ ଥର ଅପରାଜିତ ରହିଛନ୍ତି।
https://www.dharitri.com/taneiras-first-year-celebration/
ତନେଇରାର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଭୁବନେଶ୍ୱର,୨୧।୧୨: ଟାଟା ଗ୍ରୁପ୍ର ସ୍ବତନ୍ତ୍ର ପରିଧାନ ବ୍ରାଣ୍ଡ୍ ତନେଇରାର ଭୁବନେଶ୍ୱର ଆଉଟ୍ଲେଟ୍ ପକ୍ଷରୁ ଶୋ’ରୁମ୍ର ପ୍ରଥମ ବର୍ଷର ପୂର୍ତ୍ତି ଉତ୍ସବ ବୁଧବାର ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଉଟ୍ଲେଟ୍ ପକ୍ଷରୁ ଏକ ଖରବଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ତନେଇରାର ଆର୍ବିଏମ୍ ସୁମିତ ଘୋଷ ଏବଂ ଆଉଟ୍ଲେଟ୍ ସ୍ବତ୍ୱାଧିକାରୀ ତଥା ବିଏ ମାଣିକ ହଂସ ଯୋଗଦେଇ ଉଭୟ ତନେଇରା ଓ ଭୁବନେଶ୍ୱର ଷ୍ଟୋର ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ଏହି ଅବସରରେ ତନେଇରା ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ପ୍ରତି ୨୦,୦୦୦ ଟଙ୍କାର କ୍ରୟ ବିଲିଂ କିମ୍ବା ତା’ଠାରୁ ଅଧିକ କ୍ରୟ ବିଲିଂ ଉପରେ ଗ୍ରାହକଙ୍କୁ ତନିସ୍କର ଏକ ଆକର୍ଷଣୀୟ ସ୍ବର୍ଣ୍ଣ ମୁଦ୍ରା (୦.୦୨ ଗ୍ରାମ ମୁଦ୍ରା) ଅଫର ଆକାରର ଦିଆଯାଉଛି। ଏହି ଅଫର ୨୦୨୩ ଡିସେମ୍ବର ୨୪ ପର୍ଯ୍ୟନ୍ତ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ତନେଇରାରେ ଦେଶର ପ୍ରମୁଖ ବୁଣାକାର ସମିତି ଓ ସୋସାଇଟିର ଲୋକପ୍ରିୟ ତଥା ପ୍ରିମିୟମ ଶାଢ଼ି ସାଙ୍ଗକୁ ରେଡି ଟୁ ଓ୍ବେୟର ବ୍ଲାଉଜ ଓ କୁର୍ତ୍ତା ସେଟର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ୨୨୦୦ ଟଙ୍କାରୁ ୨,୨୦,୦୦୦ ଟଙ୍କାର ଶାଢ଼ି ଏଠାରେ ରହିଛି।
https://www.dharitri.com/heeraben-modi-passed-away-funeral-last-rites-held-in-gandhinagar/
ଗାନ୍ଧିନଗରରେ ହେବ ହୀରାବେନଙ୍କ ଅନ୍ତିମ ସଂସ୍କାର, ପୁଅ ପଙ୍କଜ ମୋଦିଙ୍କ ଘରେ ଶେଷ ଦର୍ଶନ ଗାନ୍ଧିନଗର,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅହମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମା’ଙ୍କ ପରଲୋକ ଖବର ନିଜେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଛନ୍ତି । ଏହି ଖବର ପାଇବା ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଅହମଦାବାଦ ଗସ୍ତ କରିଛନ୍ତି । କୁହାଯାଉଛି କି ହୀରାବେନଙ୍କ ପାର୍ଥିବ ଶରୀର ପୁଅ ପଙ୍କଜ ମୋଦିଙ୍କ ଘରକୁ ଆଣି ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ । ପଙ୍କଜ ମୋଦିଙ୍କ ଘର ଗାନ୍ଧିନଗରରେ ହୋଇଥିବାରୁ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ହୀରାବେନଙ୍କ ଅନ୍ତିମ ସଂସ୍କାର ସେକ୍ଟର ୩୦ରେ ଥିବା ଶ୍ମଶାନରେ ହେବ । ପୁଅ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବଡ ବଡ ନେତା ହୀରାବେନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବେ । ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅନ୍ତିମ ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଯାଇ ଅନ୍ତିମ ସଂସ୍କାର କରାଯିବ । ଅନୁମାନ କରାଯାଉଛି କି ତାଙ୍କର ଅନ୍ତିମ ସଂସ୍କାର ସାମାନ୍ୟ ବିଳମ୍ବରେ ହୋଇପାରେ ।
https://www.dharitri.com/ଭାଜପା-ସହ-ମେଣ୍ଟ-କରିବାର-ପ୍ର/
ଭାଜପା ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି: ଶରଦ ପାଓ୍ବାର ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ଭାଜପା ଏବଂ ଏନସିପି ବିଧାୟକ ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି। ଅଜିତଙ୍କ ସମର୍ଥନ ଏନସିପିର ସମର୍ଥନ ନୁହେଁ ବୋଲି ସୁପ୍ରିମୋ ଶରଦ ପାୱାର କହିସାରିଛନ୍ତି। ଏବେ ଅଜିତ ଏବଂ ଶରତ ପାଓ୍ବାରଙ୍କ ମଧ୍ୟରେ ଟୁଇଟ୍ ଲଢେଇ ଚାଲିଛି। ଅଜିତ ପାୱାର ରବିବାର ସନ୍ଧ୍ୟାରେ ସବୁକିଛି ଠିକ ଠାକ ଅଛି। ଧୈର୍ଯ୍ୟ ରଖିବାର ଆବଶ୍ୟକ ରହିଛି। ଭାଜପା-ଏନସିପି ମେଣ୍ଟ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବ ବୋଲି ଟୁଇଟ କରି କହିଛନ୍ତି। ଏହାର ଜବାବରେ ଶରଦ କହିଛନ୍ତି, ଭାଜପା ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି। ଏନସିପି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇସାରିଛି ଶିବସେନା ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରାଯିବ। ଅଜିତ ପାୱାରଙ୍କ ମନ୍ତବ୍ୟ ମିଛ ବୋଲି ସେ କହିଛନ୍ତି।
https://www.dharitri.com/dog-coming-down-from-the-roof-like-this-saw-the-video/
ଛାତରୁ ଏମିତି ଓହ୍ଲାଉଛି କୁକୁର, ଭିଡିଓ ଦେଖିଲେ… ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁରକୁ ଦେଖିବାକୁ ମିଳୁଛି। ଯିଏ ଛାତରୁ ସିଡ଼ି ସାହାଯ୍ୟରେ ତଳକୁ ଆସୁଛି । ସିଡିର ଗୋଟିଏ ପରେ ଗୋଟିଏ ପଟାରେ ପାଦ ଦେଇ ତଳକୁ ଆସୁଛି। ଭିଡିଓକୁ ଦେଖିଲେ ଖୁବ୍ ଖୁସି ଲାଗିବ। ଭିଡିଓକୁ ରାକ୍ଟିମ ସାଇକିଆ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
https://www.dharitri.com/railways-mos-suresh-dies-of-covid-19/
କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ସେପ୍ଟେମ୍ବର ୧୧ରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ କର୍ନାଟକର ବେଲ୍ଗାଭି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ସେ କର୍ନାଟକରେ ଭାଜପାର ଜଣେ ଦୃଢ଼ ସଙ୍ଗଠକ ମଧ୍ୟ ଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଦଳୀୟ କର୍ମକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି।
https://www.dharitri.com/showed-a-gun-and-robbed/
ବନ୍ଧୁକ ଦେଖାଇ ଗାଡିକୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ କୋଟଗଡ଼,୧୯।୧୦(ଡି.ଏନ.ଏ.): ବନ୍ଧୁକ ଦେଖାଇ ଲୁଟିନେଲେ ଅମୃତଭଣ୍ଡା ବୋଝେଇ ପିକଅପ୍ ଭ୍ୟାନ୍। କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନରେ ଥିବା ଜକିକିଆ ସ୍ଥାନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମୁନିଗୁଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ପିକଅପ୍ ଭ୍ୟାନକୁ ରାତି ୧୨ଟା ସମୟରେ ଜକିକିଆ ରାସ୍ତାରେ ଅଟକାଇ ଗାଡିକୁ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଗାଡି ସହିତ ୧୨ହଜାର ଟଙ୍କା ଓ ଦୁଇଟି ମୋବାଇଲ ମଧ୍ୟ ନେଇଯାଇଥିବା ଜଣାପଡିଛି। ତେବେ ଗାଡିଟି ସରତ ସ୍ବାଇଁ ନାମରେ ଥିବା ବେଳେ ବାଲିଗୁଡ଼ା ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
https://www.dharitri.com/the-farmland-is-flooded/
ବନ୍ୟାଜଳ କମିବା ସତ୍ତ୍ୱେ ଚାଷଜମି ଜଳାର୍ଣ୍ଣବ କାକଟପୁର,୨୪।୯(ଡି.ଏନ୍.ଏ.): କାକଟପୁର ବ୍ଲକର ୮୦ରୁ ୯୦ ଭାଗ ଲୋକ ଧାନ ଚାଷ, ପାନବରଜ ଓ ପନିପରିବା ଚାଷକରି ଗୁଜୁରାଣ ମେଣ୍ଟାନ୍ତି। ଏ ଅଞ୍ଚଳର ବର୍ଷା ଜଳ ନିଷ୍କାସନର ଏକମାତ୍ର ମାଧ୍ୟମ ହେଉଛି ପ୍ରାଚୀ ନଦୀ। କିନ୍ତୁ ପ୍ରଶାସନର ଅପାରଗତା ଓ ରାଜନେତାଙ୍କ ସହ ସଲାସୁତୁରା କରି କାଳକ୍ରମେ ଭୂମି ଦଲାଲମାନେ ନଦୀ ସଂଲଗ୍ନ ପଠା, ଗୋଚର ଓ ଅନାବାଦୀକୁ ଲିଜ ସୂତ୍ରରେ ନେଇ ପରେ ବିକ୍ରି କରିଦେଲେ। ଫଳରେ ନଦୀର ଉଭୟ ପାର୍ଶରେ ବିରାଟକାୟ କୋଠାମାନ ଗଢିଉଠି ନଦୀର ଅବୟବକୁ ସଂକୁଚିତ କରିଦେଲା। ନଦୀଟି ଦିନକୁ ଦିନ ସତ୍ତା ହରାଇ କଟକି ଦଳ ପୂର୍ଣ୍ଣ ଏକ ନାଳୀରେ ସୀମିତ ରହିଛି। ଏହାକୁ ସଫେଇ କରିବା ପାଇଁ ସରକାରଙ୍କ ପୁରୀ ଜିଲା ଜଳ ନିଷ୍କାସନ ବିଭାଗ ପ୍ରତିବର୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା କାଗଜ ପତ୍ରରେ ସୀମିତ ରହୁଥିବା ନଦୀ କୂଳର ଅଧିବାସୀ ଅଭିଯୋଗ କରିଆସୁଛନ୍ତି। ଫଳରେ କାକଟପୁର ବ୍ଲକର କୃଷି ବିଭାଗ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯,୨୦୦ହେକ୍କଟର ଚାଷୀତ ଜମିରୁ ୮,୦୦୦ହେକ୍କଟର ଚାଷଜମିରେ ଲଘୁଚାପଜନିତ ବର୍ଷା ଓ ବନ୍ୟାଜଳ ଚାଷକୁ କ୍ଷତି ପହଞ୍ଚାଇଛି। ଅଞ୍ଚଳରେ ବନ୍ୟାଜଳ କମିଯାଇଥିଲେ ସୁଦ୍ଧା ଅଧିକାଂଶ ଚାଷ ଜମି ଜଳାର୍ଣ୍ଣବ ହୋଇ ରହିଛି। ଏଥିଯୋଗୁ ଏକର ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହୋଇଯାଇଛି। ଏ ନେଇ କାକଟପୁର ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସୌଭାଗ୍ୟ କୁମାର ମହାନ୍ତି କହିଛନ୍ତି, ଚଳିତବର୍ଷ ବିଳମ୍ବରେ ବର୍ଷା ହେବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିଲା। ସେମାନେ ରୁଆରୁଇ ସାରି ବର୍ଷା ହେବାବେଳକୁ ପ୍ରଥମ ସାର ପକାଇ ଦେଇଥିଲେ, ଫଳରେ ଧାନ ଗଛ ବୁଡିଯିବା ଯୋଗୁ ନଷ୍ଟ ହୋଇଗଲା। ସେହିପରି କରୋନା ପ୍ରଭାବରେ ଜୀବିକା ହରାଇ ଘରେ ଥିବା ପ୍ରବାସୀମାନେ ଋଣ କରି ପାନବରଜ ଓ ପନିପରିବା କରିଥିଲେ ବହୁଦିନ ଧରି ପାଣି ଜମିରହିବା ଫଳରେ ସେସବୁ ନଷ୍ଟ ହୋଇଗଲାଣି। ବର୍ତ୍ତମାନ ଧାନଚାଷୀ,ପାନବରଜୀ ଓ ପନିପରିବା ଚାଷୀମାନେ ଚିନ୍ତାରେ ବସିଛନ୍ତି। ସରକାର ତୁରନ୍ତ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଦତ୍ତ ଲିଜଗୁଡିକୁ ଖାରଜ କରି ସମସ୍ୟାର ଦୀର୍ଘମିଆଦି ସମାଧାନ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଓ ରବିଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦେବାକୁ କାକଟପୁରର ଅଗ୍ରଣୀ କୃଷକ ସଂଗଠନ ସମେତ ଚାଷୀମାନେ ଦାବି କରିଛନ୍ତି।
https://www.dharitri.com/center-blocks-18-streaming-platforms-in-india-with-immediate-effect-over-obscene-content/
୧୯ ୱେବସାଇଟ, ୧୦ ଆପ ବନ୍ଦ କଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ,୧୪।୩: ଇଣ୍ଟରନେଟରେ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରଦାନ କରୁଥିବା ପ୍ଲାଟଫର୍ମଗୁଡିକ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ତୁରନ୍ତ ଏହିପରି ୧୮ଟି ଓଟିଟି ପ୍ଲାଟଫର୍ମକୁ ଅବରୋଧ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଭାରତରେ ୧୯ଟି ୱେବସାଇଟ, ୧୦ଟି ଆପ (ଗୁଗଲ ପ୍ଲେ ଷ୍ଟୋର୍ରେ ୭ଟି ଏବଂ ଆପଲ ଆପ ଷ୍ଟୋର୍ରେ ୩) ଏବଂ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଛି। କେନ୍ଦ୍ରର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଗଠନମୂଳକ ଅଭିବ୍ୟକ୍ତି’ ନାମରେ ଅଶ୍ଳୀଳତା ଏବଂ ଅପବ୍ୟବହାରର ପ୍ରଚାର ନ କରିବା ପାଇଁ ପ୍ଲାଟଫର୍ମର ଦାୟିତ୍ୱ ଉପରେ ବାରମ୍ବାର ଜୋର ଦେଇଛନ୍ତି। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ ଏବଂ ମିଡିଆ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରରେ ପାରଦର୍ଶୀତା ଥିବା ଡୋମେନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମଗୁଡିକରେ ଆୟୋଜିତ ବିଷୟବସ୍ତୁର ଏକ ମହତ୍ୱପୂର୍ଣ୍ଣ ଅଂଶ ଅଶ୍ଳୀଳ ଏବଂ ମହିଳାମାନଙ୍କୁ ଅପମାନଜନକ ଚିତ୍ରଣ କରାଯାଇଛି। ଏହା ବିଭିନ୍ନ ଅନୁପଯୁକ୍ତ ପ୍ରସଙ୍ଗରେ ନଗ୍ନତା ଏବଂ ଯୌନ କାର୍ଯ୍ୟକୁ ଚିତ୍ରଣ କରିଥାଏ।
https://www.dharitri.com/5-secretaries-in-badbil/
ବଡ଼ବିଲରେ ୫-ଟି ସଚିବ ବଡ଼ବିଲ,୧୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଚମ୍ପୁଆ କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ବିଲସ୍ଥିତ ବିକାଶ ମହଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଶନିବାର ଅବତରଣ କରିଥିଲେ। ହେଲିପ୍ୟାଡ୍ ନିକଟରେ ବଡ଼ବିଲ ପୋରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ୫-ଟି ସଚିବ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଯାଇ ସେଠାରେ ଥିବା ଏନ୍ଆରସି ଓ ଡାଏଲେସିସ୍ ସେଣ୍ଟର ପରିଦର୍ଶନ କରିବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମାଣାଧୀନ ନୂତନ ବିଲ୍ଡିଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହା ପରେ ସଚିବ ସଡ଼କ ପଥରେ ସେରେଣ୍ଡାସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମ ପରିଦର୍ଶନ କରିଥିଲେ। ଆଶ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଆଶ୍ରମର କୁନିକୁନି ଅନ୍ତେବାସୀଙ୍କ ସହ କଥା ହେଇଥିଲେ। ଯେଉଁ ପିଲାମାନଙ୍କର ମା-ବାପା ନାହାନ୍ତି ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ବୋଲି ସେ କହିଥିଲେ। ଏହାପରେ ସେ ସଡ଼କ ପଥରେ ଯୋଡ଼ାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ନିମନ୍ତେ ଯାତ୍ରା କରିଥିଲେ।
https://www.dharitri.com/50-percent-of-youth-unaware-of-climate-change/
ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ… ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫ ଟି ଦେଶର ଶିଶୁ ଏବଂ ଯୁବବର୍ଗମାନଙ୍କ ଉପରେ ଗ୍ୟାଲପ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। ଏହି ସର୍ଭେରେ ୧୫ ରୁ ୨୪ବର୍ଷ ବୟସର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପାଣିପାଗର ପରିବର୍ତ୍ତନ କିମ୍ବା ଅତ୍ୟଧିକ ପାଣିପାଗ ଘଟଣାର ବୃଦ୍ଧି ଏବଂ ମାନବ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱ ତାପମାତ୍ରା ବୃଦ୍ଧି ମଧ୍ୟରେ ଯୁବବର୍ଗମାନଙ୍କୁ ସଠିକ ବିକଳ୍ପ ବାଛିବା ପାଇଁ କୁହାଯାଇଥିଲା। ୧୫ ରୁ ୨୪ ବର୍ଷ ବୟସର ୪୮.୮ ପ୍ରତିଶତ ଯୁବବର୍ଗ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ବିଫଳ ହୋଇଥିଲେ। ଦୁର୍ବଳ, ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ବାସ କରୁଥିବା ଯୁବବର୍ଗମାନେ, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଅଧିକ ବିପଦରେ ଅଛନ୍ତି, ସେମାନଙ୍କ ପାଖରେ ଏହି ବିଷୟରେ ସର୍ବନିମ୍ନ ସୂଚନା ରହିଛି। ପାକିସ୍ତାନରେ କେବଳ ୧୯ ପ୍ରତିଶତ ଯୁବବର୍ଗ ଏହା ଜାଣନ୍ତି। ସିଏରାଲୋନସରେ ୨୬ ପ୍ରତିଶତ ଏବଂ ବାଂଲାଦେଶରେ ୩୭ ପ୍ରତିଶତ ଯୁବବର୍ଗ ଏହି ବିଷୟରେ ସଠିକ ସୂଚନା ପାଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶର କେବଳ ୪୭ ପ୍ରତିଶତ ଯୁବବର୍ଗ ଜଳବାୟୁ ପରିବର୍ତ୍ତନର ପ୍ରକୃତ ଅର୍ଥ ବୁଝନ୍ତି। ଏଥି ସହିତ, ଏହି ସଂଖ୍ୟା ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ୪୪ ପ୍ରତିଶତ, ମଧ୍ୟବିତ୍ତ ଆୟକାରୀ ଦେଶରେ ୫୨ ପ୍ରତିଶତ ଏବଂ ଧନୀ ଦେଶରେ ୮୨ ପ୍ରତିଶତ ରେକର୍ଡ କରାଯାଇଛି। ତେବେ ପୂର୍ବ ଅପେକ୍ଷା ପରିସ୍ଥିତି ଭଲ ରହିଛି। ୧୫ ବର୍ଷ ପୂର୍ବ ତୁଳନାରେ ଜଳବାୟୁ ପରିବର୍ତ୍ତନ ବିଷୟରେ ସମ୍ପ୍ର୍ତି ଅଧିକ ଲୋକ ଅବଗତ ଅଛନ୍ତି। ୨୦୦୮ରେ ଜଳବାୟୁ ପରିବର୍ତ୍ତନ ବିଷୟରେ କେବଳ ୫୬ ପ୍ରତିଶତ ଲୋକ ଜାଣିଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୮୦ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଏକ ଭଲ ସଙ୍କେତ ଅଟେ। ଜଳବାୟୁ ପରିବର୍ତ୍ତନ ବିଷୟରେ ସେମାନେ କେଉଁଠାରୁ ସୂଚନା ପାଇଛନ୍ତି ବୋଲି ପଚରାଯିବାରୁ ୬୦ ପ୍ରତିଶତ ଯୁବବର୍ଗ କହିଥିଲେ ସୋସିଆଲ ମିଡିଆ ହେଉଛି ଉତ୍ସ। ତଥାପି, କେବଳ ୨୩ ପ୍ରତିଶତ ଯୁବକ ଏହି ଖବରକୁ ବିଶ୍ୱାସ କରୁଥିବା କହିଥିଲେ।
https://www.dharitri.com/minister-walked-around-with-the-300-feet-tiranga/
୩ ଶହ ଫୁଟର ତ୍ରିରଙ୍ଗା ଧରି କର୍ମୀଙ୍କ ସହ ବୁଲିଲେ ମନ୍ତ୍ରୀ ମୋରଡା,୧୪।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାଜପା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ। ଚିତ୍ରଡା ଭୈରବୀ ମନ୍ଦିରରୁ ୩ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଏକ ବିଶାଳ ପଟୁଆରରେ କର୍ମୀମାନେ ଶୀର୍ଷାପାଳ ଛକ ଓ ଚିତ୍ରଡା ବଜାର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମୋରଡା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲା ସଭାପତି କାନ୍ଦ୍ରା ସୋରେନ, ଜିଲା ଉପସଭାପତି ପ୍ରଦୀପ କୁମାର ପରିଡା, ଜିଲା ଭାଜପା ଯୁବ ସଭାପତି ବଳରାମ ସାହୁ, ରାସଗୋବିନ୍ଦପୁର ବ୍ଲକ ମଣ୍ଡଳ ସଭାପତି ପୁରୁଷୋତ୍ତମ ଦେ, ଚିତ୍ରଡା ମଣ୍ଡଳର ସଭାପତି ନେତ୍ରାନନ୍ଦ ଦାସ, ଦେଉଳି ମଣ୍ଡଳ ସଭାପତି ଦିଲୀପ ଦାସ, ବୈଶିଙ୍ଗା ଓ ବେତନଟୀର ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ l
https://www.dharitri.com/nandini-is-the-epitome-of-female-empowerment/
ନାରୀ ସଶକ୍ତୀକରଣର ମୂର୍ତ୍ତିମନ୍ତ ପ୍ରତୀକ ନନ୍ଦିନୀ ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଛାତ୍ରୀ ଜୀବନରୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ପ୍ରଭାବିତ ହୋଇ ରେଭେନ୍ଶା କଲେଜରେ ଛାତ୍ର ଆନ୍ଦୋଳନରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନ୍ତରଙ୍ଗ ସହଯୋଗୀ ପାଲଟିଯାଇଥିଲେ। ରାଜ୍ୟ ସଭାକୁ ନିର୍ବାଚିତ ହେବା ସହ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ଏହାପରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଜଣେ ଦକ୍ଷ ପ୍ରଶାସିକାର ପରିଚୟ ଦେଇଥିଲେ। ସେ ପ୍ରଥମେ କଟକ ସହରରୁ ଉପନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହେବାପରେ ବିଭିନ୍ନ ସମୟରେ ଅନ୍ୟ ନିର୍ବାଚନମଣ୍ଡଳୀରୁ ଜିତିଥିଲେ। ସେ ଥିଲେ ଜଣେ ଅପରାଜେୟ ନେତ୍ରୀ। ଏଥିସହ ସୁଲେଖିକା ଭାବେ ବହୁ ସାହିତ୍ୟ ରଚନା କରି ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଥିଲେ। ନନ୍ଦିନୀ ଶତପଥୀ ନାରୀ ସଶକ୍ତୀକରଣର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ଶୁକ୍ରବାର ତାଙ୍କ ୧୭ତମ ଶ୍ରାଦ୍ଧୋତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆୟୋଜିତ ଶ୍ରାଦ୍ଧୋତ୍ସବକୁ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ସଂଯୋଜନା କରିଥିଲେ। ଶିକ୍ଷାବିତ୍ କାମଦେବ ମହାପାତ୍ର ସ୍ବରଚିତ କବିତା ଆବୃତ୍ତି କରିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ବିଜେଡି ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ, କର୍ପୋରେଟର ଅମରେଶ ଜେନା, ଉଇ ଫର୍ ଭୁବନେଶ୍ୱର ଓ ଜୟ ଓଡ଼ିଶାର କର୍ମକର୍ତ୍ତା, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଶାଶ୍ୱତୀ ମିଶ୍ର, ରମାନାଥ ସାମନ୍ତରାୟ, ପ୍ରାଧ୍ୟାପକ ଡକ୍ଟର ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଅଶ୍ୱିନୀ ପଟ୍ଟନାୟକ, ପ୍ରଗତି ରଥ, ଉଷାରାଣୀ ମହାନ୍ତି, ରୀତା ମହାନ୍ତି, ଅନୁପମା ବେହେରା, ଶାନ୍ତିଲତା ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଆଡ୍ଭୋଟେ୍ ରମାବଲ୍ଲଭ ରଥ, ବୁଦ୍ଧରାମ, ସମରେନ୍ଦ୍ର ସାହୁ, ଉଷାରାଣୀ ମହାନ୍ତି, ରଘୁନାଥ ରାୟ, ଭବାନୀ ଶଙ୍କର ଜଗଦ୍ଦେବ, ରଘୁନାଥ ପାତ୍ର, ଅଜୟ କୁମାର ହରିଚନ୍ଦନ, ମନୋରଞ୍ଜନ ପଟ୍ଟନାୟକ, ନାରାୟଣ ମହାପାତ୍ର, ରଶ୍ମିତା ମଲ୍ଲିକ, ରାଜେଶ୍ୱର ହୋତା ଓ ସୀତାକାନ୍ତ ମହାପାତ୍ରଙ୍କୁ ‘ନନ୍ଦିନୀ ଶତପଥୀ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
https://www.dharitri.com/112-corona-positives-in-state/
ଆଜି ରାଜ୍ୟରୁ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୮୮୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୭ ଜଣ ଶିଶୁ ବି ଅଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩ ଏବଂ ସୁନ୍ଦରଗଡ଼ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୨, ଗଜପତି ୩, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୨, ଝାରସୁଗୁଡ଼ା ୨, କେନ୍ଦ୍ରାପଡ଼ା ୩, ମୟୂରଭଞ୍ଜ ୧, ନୟାଗଡ଼ ୧, ପୁରୀ ୨, ରାୟଗଡ଼ାରୁ ୧ ଏବଂ ସମ୍ବଲପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୧୨। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୩,୮୮୧ରେ ପହଞ୍ଚିଥିବା ବେଳେ ୧୦,୪୩,୭୮୨ଜଣ ସୁସ୍ଥ ହୋଇଛନ୍ତି। ୧୫୯୪ ଜଣ ଚିକିିତ୍ସିତ ହେଉଛନ୍ତି।
https://www.dharitri.com/drinking-water-is-a-problem-in-various-villages-in-the-nuagaon-block/
ବୁରୁଦେଇ ଗ୍ରାମବାସୀଙ୍କ ଭରସା ଚୁଆପାଣି ନୂଆଗାଁ,୧୨ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ସେହି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସଫଳ ହୋଇ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ନଦୀରେ ଚୂଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ବୁରୁଦେଇ ଗ୍ରାମକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ । ଆଦିବାସୀ ବହୁଳ ଉକ୍ତ ଗ୍ରାମରେ ପ୍ରାୟ ୭୦ ପରିବାର ବସବାସ କରନ୍ତି । ସେମାନଙ୍କ ପାଇଁ ରହିଛି ଏକମାତ୍ର ନଳକୂପ । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ନଳକୂପ ପାଣି ବ୍ୟବହାର ଅନୁପଯୋଗୀ। ସେଥିରୁ ନାଲି ରଙ୍ଗର ପାଣି ବାହାରୁଛି । ସେହି ପାଣିକୁ କିଛି ସମୟ ରଖିବା ପରେ ସେଥିରେ ତେଲ ଭଳି ଏକ ଆସ୍ତରଣ ସୃଷ୍ଟି ହେଉଛି। ନଳକୂପ ପାଣିରେ ଭାତ କଲେ ନାଲି ଦିଶୁଛି। ତେଣୁ ବୁରୁଦେଇ ଗ୍ରାମବାସୀ ଗାଁଠାରୁ ୫୦୦ମିଟର ଦୂରରେ ଥିବା ହାତୀଗଣ୍ଡ ନଦୀରେ ଚୂଆ ଖୋଳି ସେଥିରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ବର୍ଷସାରା ଏପରି ପରିସ୍ଥିତି ଲାଗି ରହିଛି । ଏପରି କି ଗ୍ରାମବାସୀ ଆଣ୍ଠୁଏ ପାଣିରେ ପଶି ନଦୀରୁ ପାନୀୟ ଜଳ ଆଣୁଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମର ସନାତନ ପ୍ରଧାନ, ପବିତ୍ର ଜାନି, ମୋହନ ଜାନୀ ଓ କୁସ ଜାନୀ ପ୍ରମୁଖ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା କହିଛନ୍ତି । ସେହିପରି କାପ୍ତାପଲି ପଞ୍ଚାୟତ କଣବାଙ୍କ ଗ୍ରାମରେ ପାଣିର ସମସ୍ୟା ରହିଥିବା କହିଛନ୍ତି ଉକ୍ତ ଗ୍ରାମର ମନ୍ଦର ପ୍ରଧାନ, ଗୋବିନ୍ଦ ଜାନୀ, ବିନୋଦ ଜାନୀ ଓ ସୁଶାନ୍ତ ଜାନି । ଅନ୍ୟପକ୍ଷେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ଲକ ଓ ପଞ୍ଚାୟତସ୍ତରରେ ବାରମ୍ବାର ଆଲୋଚନା କରାଯାଉଛି । ଏପରିକି ବିଗତ ସମିତି ବୈଠକରେ ପାଣି ସମସ୍ୟାର ଦୂରୀକରଣ ପାଇଁ ଜନ ପ୍ରତିନିଧିମାନେ ବ୍ଲକ ପ୍ରଶାସନକୁ କହି ଆସୁଥିଲେ ମଧ୍ୟ ଅଦ୍ୟାବଧି ଅନେକ ଗ୍ରାମରେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ମେଗା ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଣି ସମସ୍ୟା ରହିବ ନାହିଁ ବୋଲି କହି ଲୋକଙ୍କୁ ଠକି ଚାଲିଛି ବ୍ଲକ ପ୍ରଶାସନ। ବୁରୁଦେଇ ଗ୍ରାମର ପାଣି ସମସ୍ୟା ବାବଦରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଠା କରୁଛୁ । ସେଥିପାଇଁ ଜନ ପ୍ରତିନିଧିମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ।
https://www.dharitri.com/ଚାଇନା-ସାମଗ୍ରୀ-ବର୍ଜନ-ବୁମେ/
ଚାଇନା ସାମଗ୍ରୀ ବର୍ଜନ ବୁମେରାଂ ସାଜିବ ନୂଆଦିଲ୍ଲୀ,୧୧ା୬ : ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ‘ଆମତ୍ନିର୍ଭର ଭାରତ’ ଗଠନର ଆହ୍ବାନ ଦେଇଥିଲେ। ସେବେଠୁ ଭାରତୀୟଙ୍କ ମନରେ ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ବିରୋଧରେ ଏକ ଅନ୍ତଃକ୍ରୋଧ ଜାତ ହୋଇଛି। ଏହି ଉତ୍ତେଜକ ବିରକ୍ତିଭାବ ନିର୍ଦ୍ଦିଷ୍ଟ ଭାବେ କରୋନା ଭାଇରସ୍ ପ୍ରସ୍ତୁତି ଓ ପ୍ରସାର ପାଇଁ ଦାୟୀ କରାଯାଉଥିବା ଆମ ପଡ଼ୋଶୀ ଚାଇନା ବିରୋଧରେ ପ୍ରକାଶ ପାଇଛି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରୁ ଅନତି ଦୂର ଲଦାଖରେ ରହୁଥିବା ଇଞ୍ଜିନିୟର, ଅନ୍ବେଷକ ତଥା ଶିକ୍ଷା ସଂସ୍କାରକ ସୋନମ୍ ଓ୍ବାଙ୍ଗ୍ଚୁକ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ‘ମେଡ୍ ଇନ୍ ଚାଇନା’ର ସମସ୍ତ ଉତ୍ପାଦକୁ ବର୍ଜନ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଲୋକପ୍ରିୟ ହିନ୍ଦୀ ଫିଲ୍ମ ୩ ଇଡିୟଟ୍ସ ପଛର ପ୍ରେରଣା ଭାବେ ପରିଚିତ ସୋନମଙ୍କ ଏହି ଭିଡିଓକୁ ୨ ଦିନ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ। କିନ୍ତୁ ସେ କହିଚାଲିଥିଲେ ଯେ, ଏହି ଚାଇନା ବିରୋଧୀ ଆକ୍ରୋଶକୁ ଏପରି କିଛି ଠୋସ୍ କାର୍ଯ୍ୟରେ ପରିଣତ କରାଯିବା ଉଚିତ, ଯାହାକି ବେଜିଂର ମୁଣ୍ଡବ୍ୟଥା ବଢ଼ାଇଦେବ। ଏଭଳି ସମୟରେ କୋଟିଏ ଟଙ୍କାର ଏକ ପ୍ରଶ୍ନ ଉଠିଛି, ଯାହାର ତ୍ୱରିତ ଉତ୍ତର ଆବଶ୍ୟକ। ତାହା ହେଲା ଏହି ଗ୍ଲୋବାଲ ଟ୍ରେଡିଂ ଜାଏଣ୍ଟ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକଠାରୁ ଆମେ ନିଜକୁ ପୃଥକ୍ କରିବା କେତେ ଯୁକ୍ତିଯୁକ୍ତ। **ବାସ୍ତବ ସ୍ଥିତି** ବାଣିଜ୍ୟ କାରବାର ସମ୍ପର୍କିତ ତଥ୍ୟରୁ ଜଣାପଡ଼େ ଯେ, ଭାରତ ହେଉଛି ଚାଇନା ଉପଭୋକ୍ତା ସାମଗ୍ରୀର ସବୁଠୁ ବଡ଼ ଆମଦାନିକାରୀ ଦେଶ। ଭାରତ ଚାଇନାକୁ ରପ୍ତାନି କରୁଥିବା ସାମଗ୍ରୀ ତୁଳନାରେ ସେଠାରୁ ୭ ଗୁଣା ଅଧିକ ଆମଦାନୀ କରିଥାଏ। ଚାଇନା ସହିତ ଆମର ବିପୁଳ ବାଣିଜ୍ୟ ନିଅଣ୍ଟ ରହିଛି, ଯାହାକି ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ୨୦୧୮-୧୯ରେ ଚାଇନାକୁ ଭାରତ ମାତ୍ର ୧୬.୭ ବିଲିୟନ ଡଲାରର ରପ୍ତାନି କରିଥିଲା। କିନ୍ତୁ ଆମଦାନୀ ୭୦.୩ ବିଲିୟନ ଡଲାର ହୋଇଥିବାରୁ ବାଣିଜ୍ୟ ନିଅଣ୍ଟର ପରିମାଣ ୫୩.୬ ବିଲିୟନ୍ ଡଲାରରେ ପହଞ୍ଚତ୍ଥିଲା। ଏଠାରେ ସ୍ବୀକାର କରିବାକୁ ପଡ଼ିବ ଯେ, ଚାଇନା ତା’ର ମୋଟ ରପ୍ତାନିର ମାତ୍ର ୨% ଭାରତକୁ କରିଥାଏ। ତେଣୁ ଭାରତୀୟମାନେ ଚାଇନାରୁ ଆସୁଥିବା ସମସ୍ତ ସାମଗ୍ରୀକୁ ବର୍ଜନ କରିଦେଲେ ବେଜିଂକୁ ବେଶି କିଛି ଫରକ ପଡ଼ିବ ନାହିଁ। ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ଚାଇନା ହେଉଛି ଭାରତର ସର୍ବବୃହତ୍ ବାଣିଜ୍ୟ ସହଯୋଗୀ। କିନ୍ତୁ ଏହି ବାଣିଜ୍ୟ କାରବାରରେ ଚାଇନାର ପାଲା ଭାରି ରହିଛି। ତେଣୁ ପଡ଼ୋଶୀ ଚାଇନା ବିରୋଧରେ ବାଣିଜ୍ୟ ଯୁଦ୍ଧ ଘୋଷଣା କଲେ ତାହା ଭାରତ ସପକ୍ଷରେ ଯିବନାହିଁ, ବିଶେଷକରି ଯେତେବେବେଳ ଭାରତୀୟ ମାନୁଫାକ୍ଚରିଂ ଦକ୍ଷତା ସୀମିତ ରହିଛି। ଆମେ ଚାଇନାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆମଦାନୀ କରିଥାଉ। ସେଥିମଧ୍ୟରେ ରହିଛି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ୍, ଶିଳ୍ପ ଉପକରଣ, ଯାନବାହନ, ସୌର ସେଲ୍ ଭଳି କଞ୍ଜୁମର ଡ୍ୟୁରେବଲ୍ସ ଏବଂ ଜରୁରୀ ଯକ୍ଷ୍ମା ଓ ଲେପ୍ରୋସି ଔଷଧ, ଆଣ୍ଟିବାୟୋଟିକ୍ସ ସମେତ ଔଷଧ ପ୍ରସ୍ତୁତି ପାଇଁ ଜରୁରୀ ଅନେକ ସାମଗ୍ରୀ। ୨୦୧୭-୧୮ରେ ଭାରତର ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ ଉପକରଣ ଆମଦାନୀ ଆବଶ୍ୟକତାର ପ୍ରାୟ ୬୦% ଚାଇନା ପୂରଣ କରିଥିଲା। ଆମ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ୫ଟି ସର୍ବାଧିକ ବିକ୍ରି ହେଉଥିବା ଫୋନ୍ ବ୍ରାଣ୍ଡ ମଧ୍ୟରୁ ୪ଟି ହେଉଛି ଚାଇନାର ଜିଓମି, ଭିଭୋ, ରିୟଲମି ଏବଂ ଓପ୍ପୋ। ଏହି ୪ ବ୍ରାଣ୍ଡ ମିଳିତ ଭାବେ ଭାରତୀୟ ସ୍ମାର୍ଟଫୋନ୍ ମାର୍କେଟର ୬୦% ଚାହିଦା ପୂରଣ କରୁଛି। ଅନ୍ୟପକ୍ଷରେ ଭାରତର ଅଟୋମୋବାଇଲ୍ ଯନ୍ତ୍ରପାତିର ୩୦% ଚାଇନାରୁ ଆସୁଛି। ଭାରତର ଖେଳଣା ବଜାରରେ ମଧ୍ୟ ୯୦% ଚାଇନା ମାଲ୍ ଦେଖିବାକୁ ମିଳିଥାଏ। ଅନୁରୂପ ଭାବେ ଆମ ଦେଶର ସାଇକେଲ ମାର୍କେଟର ୫୦% ଚାହିଦା ବାହ୍ୟ ଆମଦାନୀରୁ ପୂରଣ ହୋଇଥାଏ, ଯେଉଁଥିରେ ଚାଇନାର ଏକ ବଡ଼ ଅଂଶ ରହିଛି। ଏହିପରି ଭାବେ ଭାରତୀୟ ଅର୍ଥନୀତି ଅନେକ ମାତ୍ରାରେ ଚାଇନା ଉପରେ ନିର୍ଭରଶୀଳ। କିଛି ବର୍ଷ ହେଲା ଆମ କାରିଗରି କ୍ଷେତ୍ରରେ ମଧ୍ୟ ଚାଇନାର ପୁଞ୍ଜିନିବେଶ ବୃଦ୍ଧି ପାଇଛି। ଇଣ୍ଡିଆନ୍ କାଉନ୍ସିଲ୍ ଅନ୍ ଗ୍ଲୋବାଲ ରିଲେଶନ୍ସ ସହ ଜଡ଼ିତ ଥିଙ୍କଟ୍ୟାଙ୍କ ଗେଟ୍ଓ୍ବେ ହାଉସ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକରେ ଚାଇନାର ଟେକ୍ ଇନ୍ଭେଷ୍ଟମେଣ୍ଟ ହେଉଛି ୪ ବିଲିୟନ୍ ଡଲାର। କେବଳ ଅଲିବାବା ଗ୍ରୁପ୍ ବିଗ୍ ବାସ୍କେଟରେ ୨୫୦ ନିୟୁତ ଡଲାର ପୁଞ୍ଜିନିବେଶ କରିଛି। ସେହିପରି ପେଟିଏମ୍ ଡଟ୍ କମ୍ରେ ୪୦୦ ନିୟୁତ ଡଲାର, ପେଟିଏମ୍ ମଲ୍ରେ ୧୫୦ ନିୟୁତ ଡଲାର, ଜୋମାଟୋରେ ୨୦୦ ନିୟୁତ ଡଲାର ଓ ସ୍ନାପ୍ଡିଲ୍ରେ ୭୦୦ ନିୟୁତ ଡଲାର ପୁଞ୍ଜିନିବେଶ କରିଛି ଏହି କମ୍ପାନୀ। ଅନୁରୂପ ଭାବେ ଟେନ୍ସେଣ୍ଟ ନାମକ ଚାଇନାର ଆଉ ଏକ କମ୍ପାନୀ ଭାରତୀୟ ଫାର୍ମଗୁଡ଼ିକରେ ବିପୁଳ ଅର୍ଥ ନିବେଶ କରିଛି। ଏହି ଗ୍ରୁପ୍ ପକ୍ଷରୁ ବାୟଜୁରେ ୫୦ ନିୟୁତ ଡଲାର, ଡ୍ରିମ୍ ୧୧ (୧୫୦ ନିୟୁତ ଡଲାର), ଫ୍ଲିପ୍କାର୍ଟ (୩୦୦ ନିୟୁତ ଡଲାର), ହାଇକ୍ ମେସେଞ୍ଜର (୧୫୦ ନିୟୁତ ଡଲାର), ଓଲା (୫୦୦ ନିୟୁତ ଡଲାର) ଓ ସ୍ବିଗିରେ ୫୦୦ ନିୟୁତ ଡଲାର ନିବେଶ କରାଯାଇଛି। ତେବେ ଏହି ଚାଇନା କମ୍ପାନୀଗୁଡ଼ିକ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକର ଏକମାତ୍ର ମାଲିକ ନୁହନ୍ତି। ଅନେକ ଭାରତୀୟ ଓ ଅଣଚାଇନା ନିବେଶକଙ୍କ ପାଖରେ ଏହି କମ୍ପାନୀର ଅଧିକାଂଶ ନିୟନ୍ତ୍ରଣ ରହିଛି। ତେଣୁ ସେଗୁଡ଼ିକୁ ଚାଇନା ବା ଅଣଚାଇନା କମ୍ପାନୀ ଭାବେ ବର୍ଗୀକୃତ କରିବା କଷ୍ଟସାଧ୍ୟ। ଚାଇନା ସହ ଦ୍ୱିପାକ୍ଷିକ ସମ୍ପର୍କରୁ ଭାରତକୁ ମିଳୁଥିବା ଲାଭକୁ ସ୍ବୀକାର ନ କରି ତା’ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ବିଚାରକୁ ଖଣ୍ଡନ କରୁଛି ଏହି ଗୂଢ଼ତତ୍ତ୍ୱ। ବାଣିଜି୍ୟକ ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ଭାରତ ଚାଇନାକୁ କମ୍ (ବିଶେଷକରି କଞ୍ଚାମାଲ) ରପ୍ତାନି କରିଥାଏ। ଆମଦାନୀ କଥା ଦେଖିଲେ ବେଶି ଚାହିଦା ଥିବା ଇଲେକ୍ଟ୍ରୋନିକ୍ସ ଓ ଅନ୍ୟ ମାନୁଫେକ୍ଚର୍ଡ ଗୁଡ୍ସ ଚାଇନାରୁ ଆସିଥାଏ। ଭାରତର ଫାର୍ମା ସେକ୍ଟର ମଧ୍ୟ ଚାଇନା ଉପରେ ବହୁମାତ୍ରାରେ ନିର୍ଭରଶୀଳ ବୋଲି ପରିସଂଖ୍ୟାନ ତଥ୍ୟରୁ ସାମ୍ନାକୁ ଆସିଛି। କୋଭିଡ୍-୧୯ ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ଭାରତରେ ଉତ୍ପାଦିତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚ୍ସିକ୍ୟୁ)ର ସାମର୍ଥ ଥିବା ଦୃଷ୍ଟିରୁ ନିକଟରେ ଏହାର ଚାହିଦା ବଢ଼ିଯାଇଥିଲା। କିନ୍ତୁ ଏଥିରେ ବ୍ୟବହାର ହେଉଥିବା ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରେଡିଏଣ୍ଟସ୍ (ଏପିଆଇ) ବା କଞ୍ଚାମାଲ ଉପରେ ଏହାର ଉତ୍ପାଦନ ନିର୍ଭର କରେ। ଚାଇନା ଏପିଆଇର ଏକ ଅଗ୍ରଣୀ ପ୍ରସ୍ତୁତକାରୀ ଓ ବିକ୍ରେତା ହୋଇଥିବାରୁ ଏହାର ସାମଗ୍ରୀ ବର୍ଜନ କରିବା ପୂର୍ବରୁ ଚିନ୍ତା ବଢ଼ିଯାଇଛି। ଚାଇନା ନିଜ ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ନିଶ୍ଚିତ ଭାବେ ନୂଆ ବଜାର ଉପରେ ନଜର ରଖିଛି । ଭାରତ ହେଉଛି ସେହି ନୂଆ ବଜାରଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠି ଇଲେକ୍ଟ୍ରୋନିକ୍ ସାମଗ୍ରୀ ବିଶେଷକରି ସ୍ମାର୍ଟଫୋନ୍କୁ ଏକ ବୃହତ୍ ବଜାର ମିଳିଯାଇଛି। ତେବେ ଚାଇନା ମଧ୍ୟ ଏସିଆ ଓ ଆଫ୍ରିକାର ଅନ୍ୟ ବିକାଶୋନ୍ମୁଖୀ ବଜାରଗୁଡ଼ିକ ଉପରେ ଧ୍ୟାନ ଦେଇପାରେ। ସେହିପରି ୟୁରୋପରେ ମଧ୍ୟ ନିଜ ସାମଗ୍ରୀ ପାଇଁ ଏକ ବଜାର ପ୍ରତିଷ୍ଠା ଲାଗି ଚାଇନା ଉଦ୍ୟମ କରୁଛି। ତେଣୁ ଚାଇନା ତା’ର ବଜାର ଭାବେ କେବଳ ଭାରତ ଉପରେ ନିର୍ଭରଶୀଳ ବୋଲି ଭାବିବା ଭୁଲ୍ ହେବ। ବୈଶ୍ୱିକୀକରଣ ସମୟରେ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ନିୟମଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦେଶ ଦେଶ ମଧ୍ୟରେ ବାଣିଜ୍ୟର ସୁଗମ ସ୍ରୋତ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିବା କୌଣସି ରାଷ୍ଟ୍ର ପାଇଁ ବୁମେରାଂ ସାଜିପାରେ। **ପୂର୍ବରୁ ବିଫଳ ହୋଇଛି ଏପରି ଉଦ୍ୟମ** କୌଣସି ଦେଶକୁ ରପ୍ତାନି ହୋଇ ଆସୁଥିବା ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଅନେକ ଥର ଏପରି ଉଦ୍ୟମ ହୋଇଛି। ୧୯୩୦ ଦଶକର ପ୍ରାରମ୍ଭରେ ଜାପାନର ସମସ୍ତ ସାମଗ୍ରୀକୁ ଚାଇନା ନିଜେ ବର୍ଜନ କରିଥିଲା। ଜାପାନର ଉପନିବେଶବାଦ ପ୍ରତିବାଦରେ ନିଆଯାଇଥିବା ବେଜିଂର ଏହି ପଦକ୍ଷେପ ସଫଳ ହୋଇ ନ ଥିଲା। ସେହିପରି ୯/୧୧ ଆକ୍ରମଣ ପରେ ଇରାକ୍କୁ ସୈନ୍ୟ ପଠାଇବା ପାଇଁ ୨୦୦୩ରେ ଇରାକ୍ ମନାକରିଦେବା ପରେ ଆମେରିକା ଏହାର ପ୍ରତିବାଦ କରିଥିଲା। ସେତେବେଳେ ଆମେରିକାର କଞ୍ଜୁମର ଫୋରମ୍ଗୁଡ଼ିକ ଫ୍ରାନ୍ସରେ ଉତ୍ପାଦିତ ସାମଗ୍ରୀକୁ ବର୍ଜନ କରିଥିଲେ। ପାଲେଷ୍ଟାଇନ୍ ପ୍ରସଙ୍ଗରେ ଇସ୍ରାଏଲ୍ ଓ ଆମେରିକାର ଆଭିମୁଖ୍ୟକୁ ନେଇ ଆରବ ରାଷ୍ଟ୍ରଗୁଡ଼ିକ ଏହି ଦୁଇଦେଶର ସାମଗ୍ରୀକୁ ଅନେକ ଥର ବର୍ଜନ କରିଛନ୍ତି। ଉପରୋକ୍ତ ସମସ୍ତ ପଦକ୍ଷେପରେ ଯେଉଁ ଗୋଟିଏ ସମାନତା ରହିଥିଲା ତାହା ହେଉଛି କୌଣସିଟିରେ ସଫଳତା ମିଳିନାହିଁ। ଆରମ୍ଭର କିଛି ସପ୍ତାହ ମଧ୍ୟରେ ଏସବୁ ଅଭିଯାନ ଫସରଫାଟି ଯାଇଥିଲା। ବିଫଳତାର କାରଣ ହେଲା ଭାବାବେଗ ଓ ପୃଥକବାଦ ଦ୍ୱାରା ଆବଦ୍ଧ କୌଣସି ଶିକୁଳିକୁ ମାନି ନ ଥାଏ ଅର୍ଥନୀତି। **ଜରୁରୀ ପଦକ୍ଷେପ** ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଆମକୁ ଆମତ୍ନିର୍ଭରଶୀଳ କରିବ ନାହିଁ କି ଆମତ୍ନିର୍ଭର ଭାରତ ଗଠନରେ ସହାୟକ ହେବ ନାହିଁ। ଏକ ବାସ୍ତବବାଦୀ ବ୍ୟବହାରିକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଆମଦାନୀ ବିକଳ୍ପର ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଜରୁରୀ, ଯେଉଁଠି ସାମଗ୍ରୀଗୁଡ଼ିକର ଗୁଣବତ୍ତା ବି ରହିବ ଓ ଚାଇନା ସାମଗ୍ରୀ ତୁଳନାରେ ସେଗୁଡ଼ିକର ମୂଲ୍ୟ ମଧ୍ୟ କମ୍ ହେବ। ଦ୍ୱିତୀୟରେ ଭାରତ ସରକାରଙ୍କୁ ମଧ୍ୟ ଚାଇନା ଭଳି ନିଜ ଦେଶର କମ୍ପାନୀଗୁଡ଼ିକୁ ଦେଇଥିବା ଋଣ ଉପରେ ସୁଧହାର ହ୍ରାସ କରିବାକୁ ପଡ଼ିବ। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବିଭିନ୍ନ ସେକ୍ଟର ପାଇଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ। ବିଶେଷକରି ନିଜ ସ୍ଥିତି ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ସଂସ୍ଥାଗୁଡ଼ିକ ଏଥିରୁ ଉପକୃତ ହେବେ ବୋଲି କୁହାଯାଇଥିଲା। ଏବେ ଉକ୍ତ ଘୋଷଣା ଅନୁସାରେ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତା ଲାଗି ପ୍ରସ୍ତୁତ ହେବା ପାଇଁ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ଭିତ୍ତିଭୂମି, ସେବା ଆଦି ଯୋଗାଇଦେବା ଜରୁରୀ। ତୃତୀୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ବ୍ୟବସ୍ଥାକୁ ମଧ୍ୟ ଆହୁରି ସରଳ ଓ ସହଜ କରିବାକୁ ପଡ଼ିବ। ଆମେରିକାକୁ ମିଳୁଥିବା ଏଫ୍ଡିଆଇର ମାତ୍ର ୧୦% ଏବଂ ଚାଇନାକୁ ମିଳୁଥିବା ଏଫ୍ଡିଆଇର ମାତ୍ର ୨୫% ଭାରତ ପାଇଥାଏ। ଏଫ୍ଡିଆଇ ସ୍ତର ବୃଦ୍ଧି ହେଲେ ଭାରତୀୟ ଶିଳ୍ପ କ୍ଷେତ୍ରରେ ଉତ୍ପାଦନଶୀଳତା ଓ ଦକ୍ଷତା ବଢ଼ିପାରେ। ସେହିପରି ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକୁ ଭାଗବଣ୍ଟା କରି ଅନ୍ୟ କେତେକ ରାଷ୍ଟ୍ରରୁ ଆଣିଲେ ଚାଇନା ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। ଏହିସବୁ ପଦକ୍ଷେପ ଆମକୁ ଆମତ୍ନିର୍ଭରଶୀଳତା ଆଡ଼କୁ ନିକଟତର କରିବ। **ଆଗକୁ କ’ଣ** ଅନ୍ଧ ଦେଶଭକ୍ତି ଓ ଅତି ଜାତୀୟତାବାଦ କେବେହେଲେ ସମାଧାନର ବାଟ ବତାଇପାରିବ ନାହିଁ। ତେଣୁ ଆଲୋଚନା ଓ ବିଚାରବିମର୍ଶ ଜରିଆରେ କ୍ଷେତ୍ରୀୟ ବିବାଦର ସମାଧାନ ପାଇଁ ଉଦ୍ୟମ ହେବା ଆବଶ୍ୟକ। ଭାରତ ଓ ଚାଇନା ମଧ୍ୟ ମତଭେଦ ଦୂର କରିବା ପାଇଁ ଉଚ୍ଚସ୍ତରୀୟ ଭାବ ବିନିମୟ ଦରକାର। ପାରସ୍ପରିକ ନିବେଶ ବୃଦ୍ଧି ସହ ଭାରତୀୟ କମ୍ପାନୀଗୁଡ଼ିକୁ ଚାଇନାର ଇଣ୍ଟରନ୍ୟାଶନାଲ୍ ଇମ୍ପୋର୍ଟ ଏକ୍ସପୋରେ ଯୋଗଦାନ ପାଇଁ ଉତ୍ସାହିତ କଲେ ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଚାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ, ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଜଗତୀକରଣ ଯୁଗରେ ଏକ ବିଧ୍ୱସ୍ତ ଅର୍ଥନୀତି ଆମ ସମସ୍ତଙ୍କୁ ସାମଗ୍ରିକ ଭାବେ ପ୍ରଭାବିତ କରିଛି ବୋଲି କୋଭିଡ୍-୧୯ ଆମକୁ ଶିକ୍ଷା ଦିଏ। ତେଣୁ ଭାରତ-ଚାଇନା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ଦୁଇ ଦେଶର ଜନତା, ସମ୍ପୃକ୍ତ କ୍ଷେତ୍ର ଏବଂ ସର୍ବୋପରି ସାରା ବିଶ୍ୱର ହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
https://www.dharitri.com/rashtriya-janata-dal-rjd-foundation-day-lalu-prasad-yadav-will-reach-party-office-know-full-program/
ଆଜି ଆରଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ ଲାଲୁ ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବୁଧବାର ଏହାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ପାଟନାରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ଦଳର ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ। ଆରଜେଡି ମୁଖପାତ୍ର ଚିତ୍ତରଂଜନ ଗଗନ କହିଛନ୍ତି ଯେ, ରାଷ୍ଟ୍ରିୟ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ୧୨.୦୫ରେ ଦଳର ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବ ବୀରଚାନ୍ଦ ପଟେଲ ପୃଷ୍ଠାରେ ଅବସ୍ଥିତ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବେ। ଯୁବକ ଆରଜେଡି ଏବଂ ଛାତ୍ର ଆରଜେଡି ଦ୍ୱାରା ସଲାମ ଦିଆଯିବ। ପତାକା ଉତ୍ତୋଳନ କରିବା ପରେ ଏହି ଅବସରରେ ତାଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯିବ।
https://www.dharitri.com/usa-president-election-elon-musk-praise-republican-vivek-ramaswamy-calls-him-promising-candidate/
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ମୂଳ ବିବେକ ରମାସ୍ବାମୀଙ୍କୁ ପ୍ରତିଜ୍ଞାକାରୀ ପ୍ରାର୍ଥୀ ବୋଲି କହିଲେ ମସ୍କ ଓ୍ବାଶିଂଟନ୍,୧୮।୮: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ମୂଳର ଅନେକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିବେକ ରମାସ୍ବାମୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବିବେକ ରମାସ୍ବାମୀ କ୍ରମାଗତ ଆମେରିକାର ଜନସାଧାରଣଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଏବଂ ତାଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ବିଶ୍ୱର ଅରବପତି ଏଲନ ମସ୍କ ମଧ୍ୟ ବିବେକ ରମାସ୍ବାମୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ପ୍ରତିଜ୍ଞାକାରୀ ପ୍ରାର୍ଥୀ ଭାବରେ ବର୍ଣ୍ଣନା କରିଛନ୍ତି। ଏଲନ ମସ୍କ ବିବେକଙ୍କ ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଶେୟାର କରିଛନ୍ତି। ଏହି ଭିଡିଓରେ ବିବେକ ପ୍ରସିଦ୍ଧ ସାମ୍ବାଦିକ ଟକର କାର୍ଲସନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଶେୟାର କରି ଏଲନ ମସ୍କ କ୍ୟାପଶନରେ ଲେଖିଛନ୍ତି ଯେ ‘ସେ ଏକ ପ୍ରତିଜ୍ଞାକାରୀ ପ୍ରାର୍ଥୀ’। ସୂଚନାଯୋଗ୍ୟ, ବିବେକ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରାର୍ଥୀପତ୍ର ଉପସ୍ଥାପନ କରୁଛନ୍ତି ଏବଂ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁକାବିଲା କରୁଛନ୍ତି। ଯଦିଓ ଟ୍ରମ୍ପ ରିପବ୍ଲିକାନ ସମର୍ଥକଙ୍କ ପ୍ରଥମ ପସନ୍ଦ ହୋଇ ରହିଛନ୍ତି ଏବଂ ଅନ୍ୟ ପ୍ରାର୍ଥୀଙ୍କଠାରୁ ବହୁତ ଆଗରେ ଅଛନ୍ତି, କିନ୍ତୁ ଧୀରେ ଧୀରେ ବିବେକ କ୍ରମାଗତ ଭାବରେ ତାଙ୍କ ସ୍ଥିତିକୁ ଦୃଢ କରୁଛନ୍ତି।
https://www.dharitri.com/van-ran-over-the-people-while-they-were-drinking-tea/
ଚା’ ପିଇବା ବେଳେ ଲୋକଙ୍କୁ ଉପରକୁ ମାଡ଼ିଗଲା ଭ୍ୟାନ୍‌ ସୋନପୁର,୨୫।୭: ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ ଦୋକାନରେ ଚା’ ପିଇବା ବେଳେ ଏକ ପିକ୍ଅପ୍ ଭ୍ୟାନ ମାଡ଼ିଯାଇ ୩ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମେଟାକାନି ମନ୍ଦିର ନିକଟ ଏକ ଦୋକାନରେ କେତେଜଣ ବ୍ୟକ୍ତି ଚା’ ପିଉଥିଲେ। ସେତିକିବେଳେ ଦ୍ରୁତ ଗିତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଭିନ୍ନ ମହଳରେ ଶୋକର ଛାୟା ଖେଳି ଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
https://www.dharitri.com/the-actress-made-her-film-debut-at-the-age-of-three/
ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଜଣେ। ପିଲାଦିନେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ସେ ‘ସତ୍ୟ’, ‘ପିଞ୍ଜରା’ଏବଂ ‘ଭୂତ’ ପରି ଅନେକ ଫିଲ୍ମରେ କାମ କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉର୍ମିଲା ମାତ୍ର ତିନି ବର୍ଷ ବୟସରେ ଡେବ୍ୟୁ କରିଥିଲେ। ସେ ପିଲାଦିନେ ଅନେକ ଚଳଚ୍ଚିତ୍ର କରିଥିଲେ । କିନ୍ତୁ ୧୯୮୩ ଚଳଚ୍ଚିତ୍ର ‘ମାସୁମ’ରେ ଶିଶୁ କଳାକାର ଭାବରେ ତାଙ୍କ ଫିଲ୍ମ ସ୍ମରଣୀୟ ଥିଲା।
https://www.dharitri.com/arun-yogiraj-reveals-silver-hammer-gold-chisel/
ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ, ଯେଉଁଥିରେ ତିଆରି ହୋଇଛି ରାମଲାଲାଙ୍କ ଐଶ୍ୱରୀୟ ଆଖି ଅଯୋଧ୍ୟା,୧୧ା୨: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ରାମମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମହାନତା ଦେଖିବା ଯୋଗ୍ୟ । ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ ହାତୁଡ଼ିର ଫଟୋ ଶେୟାର କରିଛନ୍ତି, ଯାହା ଏହି ମହାନତାକୁ ପୂର୍ଣ୍ଣ ରୂପ ଦେଇଛି। ଶିଳ୍ପୀ ଅରୁଣ ଯୋଗୀରାଜ ରାମଲାଲାଙ୍କ ପ୍ରତିମାକୁ ଏକ ରୁପା ହାତୁଡ଼ି ଏବଂ ସୁନା ନିହଣରେ ତିଆରି କରିଛନ୍ତି। ତାଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ଏହାର ଫଟୋ ଶେୟାର କରି ଏଥିରେ ସେ କ୍ୟାପ୍ଶନ ଲେଖିଛନ୍ତି, ମୁଁ ଏହି ଉପକରଣ ସହିତ ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଛି। ତେବେ ଶିଳ୍ପୀ ଅରୁଣ ଯୋଗୀରାଜ କର୍ନାଟକର ମହୀଶୂର ବାସିନ୍ଦା ଏବଂ ସେ ରାମଲାଲାଙ୍କ ସମେତ ଅନ୍ୟାନ୍ୟ ପ୍ରତିମୂର୍ତ୍ତି ତିଆରି କରିଛନ୍ତି, କିନ୍ତୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପରେ ସେ ବେଶ୍ ପ୍ରସିଦ୍ଧ ହୋଇଛନ୍ତି। ସେ ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିଥିବାରୁ ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। ଯେତେବେଳେ ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଲା, ସେତେବେଳେ ଏହାର ମହାନତା ଉପରୁ ଲୋକଙ୍କ ନଜର ହଟିଲାନି। ମୂର୍ତ୍ତି ଏତେ ଜୀବନ୍ତ ଯେ, ଜଣେ ନିଜ ପ୍ରଭୁଙ୍କୁ ଦେଖିବାରେ କ୍ଳାନ୍ତ ହୁଅନ୍ତି ନାହିଁ ଏବଂ କେବଳ ଅରୁଣ ଯୋଗୀରାଜଙ୍କ ଯୋଗୁ ଏପରି କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳେ। ଅରୁଣ ଯୋଗୀରାଜ ଗୋଟିଏ ପଥରରୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏଥିରେ ଅନ୍ୟ କୌଣସି ପଥର ଯୋଡ଼ା ଯାଇନାହିଁ। ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ ଏବଂ ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା ୪.୨୪ ଫୁଟ ଏବଂ ମୋଟେଇ ତିନି ଫୁଟ। ଆହୁରି ମଧ୍ୟ ମୂର୍ତ୍ତିଗୁଡ଼ିକରେ ଭଗବାନ ବିଷ୍ଣୁଙ୍କର ଦଶ ଅବତାର ଦେଖିବାକୁ ମିଳିଛି।
https://www.dharitri.com/ବିନୋଦିନୀ-ଚିଟ୍‌ଫଣ୍ଡ-ସଂସ୍ଥ/
ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍ରେ ଖୋଲିଥିବା ବିନୋଦିନୀ ପ୍ରାଇଭେଟ ଲିମିଟେଡ଼ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଚିକିଟି ନିର୍ବାଚନ ମଣ୍ଡଳୀ, ପାତ୍ରପୁର ବ୍ଲକ ଅଞ୍ଚଳର ଶତାଧିକ ଆଦିବାସୀ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଜମାକାରୀଙ୍କ ମଧ୍ୟରୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ବୈଦ୍ୟନାଥପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେମାନେ ବ୍ରହ୍ମପୁର ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ଭେଟିଥିଲେ। ଉକ୍ତ ସଂସ୍ଥାର ଏଜେଣ୍ଟ ଦେବରାଜ ମହାରଣା କିଛିବର୍ଷ ତଳେ ଜରଡ଼ା ଥାନା ଅନ୍ତର୍ଗତ ସୁରଡା, ଗୋଲାଣି ବିଲେଇଛାଇ ଆଦି ଗ୍ରାମକୁ ଯାଇ ଆଦିବାସୀ ଲୋକଙ୍କୁ ବିନୋଦିନୀ ପ୍ରୋଜେକ୍ଟସ୍ ଲିମିଟେଡ଼ରେ ଟଙ୍କା ବାନ୍ଧିବାକୁ କହିଥିଲେ। ଟଙ୍କା ଜମାର ୨ ବର୍ଷରେ ଏହା ୩ ଗୁଣ ଓ ୩ ବର୍ଷରେ ୫ ଗୁଣ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ। ବିନୋଦିନୀ ଚିଟଫଣ୍ଡ ସଂସ୍ଥାରେ ଲୋକମାନେ ଟଙ୍କା ଜମା କରିଥିଲେ। ଟଙ୍କା ଫେରସ୍ତ ସମୟ ୨୦୧୭ରେ ସଂସ୍ଥା ରାତାରାତି ଉଭାନ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀ ଅଭି ଶବର, ଚନ୍ଦ୍ରମଣି ଶବର, ସତ୍ୟ ଶବର, କାଞ୍ଚନ ଶବର, ଜୟଦୀପ ଶବର, ଭାସ୍କର ଶବର, ବୃନ୍ଦାବନ ଶବର, ଗୁଡିଆ ଶବର, ସହଦେବ ଶବର ଓ ପର୍ଶୁରାମ ଶବର ମଙ୍ଗଳବାର ଆଇନଜୀବୀ ଦୟାନିଧି ପାଣିଗ୍ରାହୀଙ୍କ ସହାୟତାରେ ଏସ୍ଡ଼ିପିଓ ପତିଙ୍କୁ ଭେଟି ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏନେଇ ଏସ୍ଡ଼ିପିଓ ପତି କୁହନ୍ତି, ବିନୋଦିନୀ ଚିଟଫଣ୍ଡ ସଂସ୍ଥା ବିଭିନ୍ନ ରାଜ୍ୟରେ ଜମାକାରୀଙ୍କୁ ଠକେଇ କରିଛି। ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ଧରାକୋଟ ଥାନା ଅନ୍ତର୍ଗତ ରୁଗୁମାର ଧୀରେନ ସ୍ବାଇଁ, ତାଙ୍କ ସ୍ତ୍ରୀ ସଙ୍ଗୀତା ସ୍ବାଇଁ, ଭାଇ ହିତେନ ସ୍ବାଇଁ ଓ ଶଳା ବିନୋଦ ସ୍ବାଇଁ ଅଟନ୍ତି। ସେମାନଙ୍କ ନାମରେ ସୁରଟର କିଛି କ୍ଷତିଗ୍ରସ୍ଥ ଜମାକାରୀ ୨୦୧୮ ମାର୍ଚ୍ଚ ୧୪ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୃଥକ ଭାବେ ନଂ. ୬୩/୧୮ ଓ ୬୪/୧୮ରେ ଦୁଇଟି ମାମଲା ରୁଜୁୁ କରିଛି। ମଙ୍ଗଳବାର ଜରଡ଼ା ଅଞ୍ଚଳର ଜମାକାରୀଙ୍କ ଏହି ଅଭିଯୋଗଟି ଉକ୍ତ ମାମଲାରେ ଯୋଡି ଦିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ଼ ପୋଲିସ ମଣିକପୁର ଥାନା କେସ୍ ନଂ. ୪୧୯/୧୮ ଅନୁସାରେ ବିନୋଦିନୀ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ଧୀରେନ ସ୍ବାଇଁଙ୍କୁ ନିଆଦିଲ୍ଲୀର ନୋଇଡା ଅଞ୍ଚଳରୁ ମେ ୩୧ ତାରିଖରେ ଗିରଫ କରିଥିଲା। ସେହିପରି ତାଙ୍କ ଭାଇ ହିତେନଙ୍କୁ ଜୁଲାଇ ୧୦ରେ ରାୟପୁରରୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ଏବେ କୋରବା ଜେଲରେ ଅଛନ୍ତି। ସେହିପରି ବ୍ରହ୍ମପୁର ଓପିଆଇଡ଼ି କୋର୍ଟ ପକ୍ଷରୁ କୋରବା ଜେଲରେ ଥିବା ଧୀରେନ ଓ ତାଙ୍କ ଭାଇ ହିତେନକୁ ବ୍ରହ୍ମପୁର ଆଣି କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଥିଲା। ହେଲେ ସେମାନଙ୍କ ବିରୋଧରେ ସେଠାକାର କୋର୍ଟରେ ଚାର୍ଜଫ୍ରେମ ହୋଇ ନ ଥିବାରୁ ବ୍ରହ୍ମପୁର ପୋଲିସର ଏକ ଟିମ୍ ସେଠାକୁ ଯାଇ ନିରାଶ ହୋଇ ଫେରିଛି। ଏଣୁ ପୁଣି ଥରେ ଓପିଆଇଡ଼ି କୋର୍ଟ ବିନୋଦିନୀ ଚିଟଫଣ୍ଡ ୨ ନିର୍ଦ୍ଦେଶକ ଭାଇଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଗତ ୨ ତାରିଖରେ ନିର୍ଦ୍ଦେଶ ଦେଇଥିବା ଏସଡ଼ିପିଓ ପତି କହିଛନ୍ତି।
https://www.dharitri.com/jacqueline-fernandez-birthday-lesser-known-facts/
୩ ମିନିଟକୁ ୭୫ ଲକ୍ଷ ପାଉଣା ନେଇଥଲେ ଏହି ଶ୍ରୀଲଙ୍କା ସୁନ୍ଦରୀ; ସାମ୍ବାଦିକତା ପରେ ବାଛିଥିଲେ ଅଭିନୟକୁ… ବମ୍ବେ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍ଲିନ୍ ଫର୍ନାଡିସଙ୍କ ଆଜି ହାପି ବର୍ଥ ଡେ। ୨୦୦୯ରେ ଫିଲ୍ମ ‘ଆଲାଦିନ୍’ରୁ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ସୁନ୍ଦରୀ ଚେହେରା ସାଙ୍ଗକୁ ଚୁଲବୁଲି ସ୍ବଭାବକୁ ନେଇ ସେ ବଲିଉଡ୍ରେ ପରିଚିତ। ଅଭିନେତ୍ରୀ ହେବା ସାଙ୍ଗକୁ ସେ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ। ନିଜର ପୋଲ୍ ଡ୍ୟାନ୍ସକୁ ନେଇ ସେ ବେଶ ଲୋକପ୍ରିୟ। ଏକ ମହୋତ୍ସବ ସମୟରେ ଜ୍ୟାକ୍ଲିନ୍କୁ ଆମନ୍ତ୍ରଣ କରାଯାଇଥିଲା। ବହୁତ ନାମୀଦାମୀ ଲୋକ ଯୋଗଦେଉଥିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦିଆଯିବ ବୋଲି କୁହାଯାଇଥିଲା। ଅଭିନେତ୍ରୀ ମଧ୍ୟ ୩ ମିନିଟ ପାଇଁ ୭୫ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ବଲିଉଡ୍ରେ ଡେବ୍ୟୁ ପୂର୍ବରୁ ଜ୍ୟାକ୍ଲିନ୍ ଶ୍ରୀଲଙ୍କାର ଏକ ଗୀତରେ ନଜର ଆସିଥିଲେ। ହେଲେ ପ୍ରଥମେ ସେ ଜଣେ ସାମ୍ବାଦିକା ଥିଲେ। ଅଷ୍ଟ୍ରେଲିଆରୁ ସାମ୍ବାଦିକତା ବିଭାଗରେ ସେ ଡିଗ୍ରୀ ନେବା ପରେ ସେ ଶ୍ରୀଲଙ୍କା ଆସିଥିଲେ। ସେଠାରେ ଟେଲିଭିଜନ ରିପୋର୍ଟିଂ ଏବଂ ଶୋ’କୁ ହୋଷ୍ଟ କରୁଥିଲେ। ତେବେ ବ୍ୟକ୍ତିଗତ ଜୀବନକୁ ଦେଖିଲେ ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଗୁଜବ ଉଠିଥିଲା। ହେଲେ ପରେ ତାହା ମିଛ ବୋଲି ଜଣାପଡ଼ିଥିଲା।
https://www.dharitri.com/7-day-mandatory-quarantine-for-foreign-travelers/
ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ନୂଆଦିଲ୍ଲୀ, ୨୨।୭: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବେ। ଏହାପରେ ସେମାନଙ୍କୁ ନିଜ ଘରେ ଏକ ସପ୍ତାହ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। ସମସ୍ତ ଖର୍ଚ୍ଚ ଯାତ୍ରୀ ବହନ କରିବେ ବୋଲି ଏଥିରେ ଦର୍ଶାଯାଇଛି। ଏଥିପାର୍ଇ ଯାତ୍ରୀମାନଙ୍କୁ ଏକ ଅଣ୍ଡରଟେକିଂ ମଧ୍ୟ ସ୍ବାକ୍ଷର କରିବାକୁ ପଡ଼ିବ ବୋଲି ଦିଲ୍ଲୀ ବିମାନ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ତେବେ ଗର୍ଭବତୀ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ କ୍ଷେତ୍ରରେ କେତେକ ସସର୍ତ୍ତ କୋହଳ ବ୍ୟବସ୍ଥା ଲାଗୁ ହେବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।
https://www.dharitri.com/naveen-congratulates-the-new-bjd-office/
ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପବିତ୍ର ରଥଯାତ୍ରା ଅବସରରେ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ମୁଖ୍ୟାଳୟରେ ପହଞ୍ଚି ଭିତ୍ତିପ୍ରସ୍ତର ଶୁଭ ଦେଇଛନ୍ତି। ପାଖାପାଖି ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେଣୁ ଏଠାରେ ବିଶେଷ ଗହଳି କରା ନ ଯାଇ ଅଳ୍ପ କେତେଜଣ ବରିଷ୍ଠ ଏବଂ ସାଙ୍ଗଠନିକ ଦାୟିତ୍ୱରେ ଥିବା ବିଜେଡି ନେତା ଉପସ୍ଥିତ ଥିଲେ। ନିର୍ମାଣ ହେବାକୁ ଥିବା ବିଜେଡି ମୁଖ୍ୟାଳୟରେ ଦଳର ସମସ୍ତ ସଙ୍ଗଠନର ଶାଖା କାର୍ଯ୍ୟକ୍ଷମ ହେବ। ଏହାସହ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ବିଜେଡିର ଯୁବ ଓ ଛାତ୍ର ଗୋଷ୍ଠୀ ନିଜ ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଅନ୍ୟପଟେ ସୂଚନା ମୁତାବକ, ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ୩୦ ଜିଲା ସଦର ମହକୁମାରେ ଜିଲା କାର୍ଯ୍ୟାଳୟ ସ୍ଥାପନ କରାଯିବ। ଏଥିଲାଗି ପାଖାପାଖି ୧୦ଟି ଜିଲା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି। ଦଳ ପକ୍ଷରୁ ସବୁ ଜିଲାରେ ଜମି କିଣି ଦଳୀୟ କାର୍ଯ୍ୟାଳୟ ନିର୍ମାଣ ହେବ। ବର୍ତ୍ତମାନ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ କାର୍ଯ୍ୟାଳୟ ୩ ମହଲା ବିଶିଷ୍ଟ ହେବ। ଆଧୁନିକ ଜ୍ଞାନକୌଶଳ ସହ ଓଡ଼ିଶାର ସ୍ଥାପତ୍ୟ ଏବଂ କଳାକୁ ଏଥିରେ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟରେ ଏକ ଅଡିଟୋରିୟମ ଓ ରିଟର୍ନିଂ ରୁମ୍ କରାଯିବାର ବ୍ୟବସ୍ଥା ରଖାଯାଇଥିବା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି। ୨୩ ବର୍ଷ ପରେ ଦଳର କାର୍ଯ୍ୟାଳୟ ପୁନଃ ନିର୍ମାଣ ହେଉଥିବା ବେଳେ ଓ୍ବାଇଫାଇ ବ୍ୟବସ୍ଥାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବ୍ୟବସ୍ଥା ଏହା ସହ ଯୋଡିହେବ। ସମାନ ଭାବେ ଭାଜପା ନୂତନ ରାଜ୍ୟ କାର୍ଯ୍ୟାଳୟକୁ ନିର୍ମାଣ କରିବ ବୋଲି ଜଣାପଡିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ସମେତ କେତେ ଜିଲାରେ ଦଳ ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା କରୁଛି। ଭାଜପା ନୂତନ ଭାବେ ନିର୍ମାଣ କରିବାକୁ ଯାଉଥିବା ରାଜ୍ୟ କାର୍ଯ୍ୟାଳୟ ପରିସର ମଧ୍ୟ ଅତ୍ୟାଧୁନିକ ହେବ। ଏହା ଭିତରେ ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିଲା ଭଳି ବ୍ୟବସ୍ଥା ମଧ୍ୟ କରାଯିବ। ଭାଜପା ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ କାର୍ଯ୍ୟାଳୟ ଲାଗି ଜମି ଖୋଜା ଚାଲିଛି। ସରକାରଙ୍କୁ ମଧ୍ୟ ରାଜନୈତିକ ଦଳ ହିସାବରେ ଜମି ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଯେଉଁଟା ପ୍ରଥମେ ହେବ ସେହି ଅନୁଯାୟୀ କାମ ହେବ। ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ପ୍ରାୟ ୧୫ ଜିଲାରେ ଦଳର ନିଜସ୍ବ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ବାକି କେତେ ସ୍ଥାନରେ କାମ ଚାଲୁ ରହିଥିବା ବେଳେ ଆଉ କେତେକ ସ୍ଥାନ ଲାଗି ଜମି ଖୋଜା ହେଉଛି। ଏହା ୨୦୧୭ ମସିହାରୁ ଦଳ ଏହା ଆରମ୍ଭ କରିଥିବା ବକ୍ସିପାତ୍ର କହିଛନ୍ତି।
https://www.dharitri.com/another-big-hurdle-is-coming-yellow-warning-for-rain-and-snow-in-uttarkashi/
ଆସୁଛି ଆଉ ଏକ ବଡ଼ ପ୍ରତିବନ୍ଧକ: ଉତ୍ତରକାଶୀରେ ବର୍ଷା ସାଙ୍ଗକୁ ତୁଷାରପାତ ସମ୍ଭାବନା, ୟେଲୋ ୱାର୍ନିଂ ଜାରି ଉତ୍ତରକାଶୀ,୨୭ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କ୍ୟାରା ଟନେଲରେ ୪୧ ଶ୍ରମିକ ୧୬ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ସମ୍ଭବ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ରବିବାରଠାରୁ ପାହାଡ଼ ଉପରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପାହାଡ଼ ଉପରୁ ଖନନ କରାଗଲେ ୪ ଦିନରେ ଶ୍ରମିକମାନଙ୍କ ପାଖରେ ପହଞ୍ଚି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହେଲେ ଉଦ୍ଧାର କାର୍ଯ୍ୟରେ ଅନ୍ୟ ଏକ ବଡ଼ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିପାରେ। ଏହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ। ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ ଅନୁମାନ କରାଯାଉଛି। ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ପିଥୋରାଗଡ଼ ଏବଂ ଆଲମୋଡ଼ାର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ସୂଚନା ଯୋଗ୍ୟ, ପୂର୍ବରୁ ଆମେରିକୀୟ ଡ୍ରିଲିଂ ମେଶିନ୍ରେ ଖନନ କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଥିଲା। ୪୬ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଓସାରିଆ ଇସ୍ପାତ ପାଇପ୍ ଯାଇସାରିଥିଲା। ଆଉ ୧୦ରୁ ୧୨ ମିଟର ଖୋଳାଯାଇଥିଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା। ହେଲେ ଖନନ ବେଳେ ଔଗର ଡ୍ରିଲିଂ ମେଶିନ୍ର ବ୍ଲେଡ୍ ଭାଙ୍ଗି ଭିତରେ ରହିଯିବାରୁ ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିଲା। ମାନୁଆଲ ମେଶିନ୍ରେ ଖୋଳିବା ସମୟସାପେକ୍ଷ ହୋଇଥିବାରୁ ଶେଷ ବିକଳ୍ପ ଭାବେ ପାହାଡ଼ ଉପରୁ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖନନ କାର୍ଯ୍ୟରେ ସହାୟତା ପାଇଁ ସେନାକୁ ନିୟୋଜିତ କରାଯାଇଛି।
https://www.dharitri.com/global-tennis-sanvi-champion/
ସର୍ବଭାରତୀୟ ଟେନିସ: ସାନ୍‌ଭି ଚାମ୍ପିୟନ ଭୁବନେଶ୍ୱର,୧୬।୯(ତପନ ସ୍ବାଇଁ): ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ସାନ୍ଭି ମହାନ୍ତି ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସାନ୍ଭି ନିଜ ରାଜ୍ୟର ମରିଶା ରାଉତଙ୍କୁ ୬-୪, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ସର୍ବଭାରତୀୟ ସ୍ତରରେ ସାନ୍ଭିଙ୍କର ଏହା ପ୍ରଥମ ଟାଇଟଲ। କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଟେନିସ ଏକାଡେମୀରେ ସେ ପ୍ରତିଷ୍ଠିତ କୋଚ୍ ସନ୍ତୋଷ କୁମାର ମଲିକଙ୍କଠାରୁ ଟ୍ରେନିଂ ନେଉଛନ୍ତି। ସାନ୍ଭି ସମ୍ପ୍ରତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଷ୍ଟାଣ୍ଡାର୍ଡ-୭ରେ ଅଧ୍ୟୟନ କରୁଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ମା’ ସ୍ମୃତି ଓ ବାପା ସଂଗ୍ରାମ ମହାନ୍ତିଙ୍କୁ ଦେଇଛନ୍ତି। ପ୍ରତିଯୋଗିତାର ବାଳକ ବିଭାଗ ଫାଇନାଲ ଶନିବାର ଅନୁଷ୍ଠିତ ହେବ।
https://www.dharitri.com/ସବୁଠାରୁ-ଧନୀ-ଗଣେଶ/
ସବୁଠାରୁ ଧନୀ ଗଣେଶ ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା ଗଣେଶ ପୂଜା ବହୁ ଆଡମ୍ବରରେ ପାଳନ କରାଯାଇଛି। ବାଲଗଙ୍ଗାଧର ତିଲକଙ୍କ ଦ୍ୱାରା ଏହି ପର୍ବର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମଣ୍ଡପମାନଙ୍କରେ ସାର୍ବଜନୀନ ଭାବେ ଗଣପତିଙ୍କ ସ୍ଥାପନା କରାଯାଇଛି। ଏଥିମଧ୍ୟରୁ ବଡାଲାର ଜିଏସ୍ବି ଗଣପତି ହେଉଛନ୍ତି ନିଆରା। ତାଙ୍କୁ ମୁମ୍ବାଇର ସବୁଠାରୁ ଧନୀ ଗଶେଶ ବୋଲି କୁହାଯାଏ। ଚଳିତ ଥର ଏହି ଗଣେଶଙ୍କ ପ୍ରତିମାରେ ୬୫ କିଲୋଗ୍ରାମର ସୁନା ଓ ୩୫୦ କିଲୋଗ୍ରାମର ରୂପା ଅଳଙ୍କାର ଚଢ଼ାଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଚଳିତ ଥର ଏହି ମଣ୍ଡପର ପ୍ରାୟ ୨୬୬କୋଟି ଟଙ୍କାର ବୀମା କରାଯାଇଥିବା ଜଣାପଡ଼ିଛି। ଏଠାରେ ଆଜି ବି ଦକ୍ଷିଣ ଭାରତର ପରମ୍ପରା ଅନୁସାରେ ଗଣପତିଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏଥିସହ ଏଠାରେ ତୁଳାଦାନର ବି ମହତ୍ତ୍ୱ ରହିଛି। ଯେଉଁ ଭକ୍ତର ମନସ୍କାମନା ପୂରଣ ହୋଇଥାଏ ସେ ନିଜ ଓଜନ ହିସାବରେ ଖାଦ୍ୟଶସ୍ୟ ଯେପରି ଅଟା, ଘିଅ, ଚିନି, ନଡ଼ିଆ ଆଦି ଦାନ କରିଥାନ୍ତି।
https://www.dharitri.com/superhit-actress-in-hollywood/
ହଲିଉଡ୍‌ରେ ସୁପରହିଟ୍‌ ଏହି ଅଭିନେତ୍ରୀ ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍ ନୁହେଁ, ହଲିଉଡ୍ରେ ମଧ୍ୟ ବେଶ୍ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍ରେ ନୁହେଁ ହଲିଉଡ୍ରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହଲିଉଡ୍ରେ ‘ମିଷ୍ଟ୍ରେସ୍ ଅଫ୍ ସ୍ପାଇସେସ୍’, ‘ପିଙ୍କ୍ ପାନ୍ଥର-୨’,‘ପ୍ରୋଭୋକେଡ୍’ ଏବଂ ‘ଦ ଲେଜିଅନ୍’ରେ କାମ କରିଛନ୍ତି। ଦୀପିକା ପାଦୁଦୋନ: ହଲିଉଡ୍ ଫିଲ୍ମ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ୍ ଡେଞ୍ଜର କେଜ’ରେ ଦୀପିକା ନଜର ଆସିଥିଲେ। ଏହି ଫିଲ୍ମରେ ଦୀପିକାଙ୍କ ସହିତ ଉଇନ୍ ଡିଜଲ ଥିଲେ। ଫିଲ୍ମଟିରେ ଦୀପିକା ଜୋରଦାର ଆକ୍ସନ କରିଥିଲେ। ମାତ୍ର ଫିଲ୍ମଟି ସେହି ଅନୁଯାୟୀ ଭଲ ପ୍ରଦର୍ଶନ କଲା ନାହିଁ। ପ୍ରିୟଙ୍କା ଚୋପ୍ରା: ବଲିଉଡ୍ର ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ହଲିଉଡ୍ରେ ମଧ୍ୟ ସୁପରହିଟ୍। ପ୍ରିୟଙ୍କା ‘ଇନ୍ଷ୍ଟାଣ୍ଟ୍ ଇଟ୍ ରୋମାଣ୍ଟିକ୍’ ଏବଂ ‘ବେ ଓ୍ବାଚ୍’ରେ ବେଶ୍ ଭଲ ଅଭିନୟ କରିଥିଲେ। ଦର୍ଶକେ ଆଜି ମଧ୍ୟ ପ୍ରିୟଙ୍କାଙ୍କଠାରୁ ସେମିତି ଅଭିନୟ ଆଶା କରୁଛନ୍ତି।
https://www.dharitri.com/ଧାନ-କାଟିବାକୁ-ଆସି-ବ୍ୟକ୍ତି/
ଧାନ କାଟିବାକୁ ଆସି ବ୍ୟକ୍ତିଙ୍କ ଆତ୍ମହତ୍ୟା ପଦ୍ମପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅଧିନସ୍ଥ ଗୋପବନ୍ଧୁ ନଗରଠାରେ ଜଣେ ବ୍ୟକ୍ତି ଶନିବାର ରାତିରେ ଏକ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଉତ୍ତଆମଡିଆର ୬ ଜଣ ଲୋକ ଗ୍ରାମର ପରିମଳ ଗିରିଙ୍କ ଘରକୁ ବୁଧବାର ଧାନ କାଟିବା ପାଇଁ ଆସିଥିଲେ। ମୃତକ ବାଦଲ ମାଣ୍ଡି(୪୮) ଏବଂ ତାଙ୍କ ସ୍ତ୍ରୀ ରାନୀ ଶନିବାର ରାତି ୯ଟାରେ ଖାଇପିଇ ପରିମଳଙ୍କ ଘରେ ଶୋଇଥିଲେ। ତେବେ ରବିବାର ସକାଳେ ଗ୍ରାମର ଗୌରହରି ପାତ୍ରଙ୍କ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ବାଦଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀ କଶିଆ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନାଧିକାରୀ ବିଜୟ କୁମାର ମୁର୍ମୁ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ଥାନାରେ କେସ ନଂ. ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
https://www.dharitri.com/two-women-maoists-were-killed/
ଦୁଇ ମହିଳା ମାଓବାଦୀ ନିହତ ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତେଓ୍ବାଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସୂଚନାନୁଯାୟୀ, ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ ଥିବା ସୂଚନା ପାଇ ପୋଲିସ ଦଳ ନହାଡି ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ତେବେ ପୋଲିସ ଆସିବା ଜାଣି ମାଓବାଦୀମାନେ ଗୁଳି ବିନିମୟ କରିଥିଲେ। ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା। ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ସର୍ଚ୍ଚ ଅପରେଶନ ସମୟରେ ଦୁଇଜଣ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ମଧ୍ୟ ଜବତ କରିଛି। ଜବତ ହୋଇଥିବା ସାମଗ୍ରଗୁଡିକ ମଧ୍ୟରୁ ଗୋଟିଏ ଇନସାସ୍ ରାଇଫଲ, ଗୋଟିଏ ୧୨ ବୋର ରାଇଫଲ, ବାକିଟାକି, ମାଓବାଦୀ କପଡ଼ା, ତାର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାଓବାଦୀ ପୁସ୍ତିକା, ଔଷଧ, ଦୁଇଟି ଟିଫିନ ବାକ୍ସ, କିଟ୍ ବ୍ୟାଗ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମୃତ୍ୟୁବରଣ କରିଥିବା ଦୁଇ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣେ ମଲାଙ୍ଗର ଏରିୟା କମିଟି ସଦସ୍ୟା ତଥା ଏରିୟା ମିଲିସିଆ କମାଣ୍ଡର ଇନ୍ଚିଫ୍ କୁମାରୀ ଲଖେ । ସେ ଦାନ୍ତେଓ୍ବାଡା ଜିଲା କିରଣ୍ଡୋଲ ଥାନା ଅନ୍ତର୍ଗତ ଚେନାଲ ପଟେଲପାରା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ପ୍ଲାଟୁନ୍ ୨୪ ସଦସ୍ୟା ଡିଭିସିଏମ୍ ବିମଳାଙ୍କ ସୁରକ୍ଷାକର୍ମୀ ମଙ୍ଗଳୀ ପଡ଼ାମୀ ଏବଂ ସେ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୈହାଗେଲୁର ଗ୍ରାମ ନିବାସୀ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
https://www.dharitri.com/ରାଜ୍ୟଗୋଷ୍ଠୀ-ଟେବୁଲ-ଟେନିସ-6/
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ଡ୍ର’ରେ ଭାରତର ୨୪ କଟକ ଅଫିସ,୨୧ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ସିଙ୍ଗଲ୍ସ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଇଛି। ଆୟୋଜକ ଭାରତର ମୋଟ ୨୪ଜଣ ଖେଳାଳି ମୁଖ୍ୟ ଡ୍ର’କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ ୮ଜଣ ସିଡେଡ୍ ଖେଳାଳି ସିଧାସଳଖ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିବା ବେଳେ ୧୬ଜଣ ବିଜୟୀ ହୋଇ ଯୋଗ୍ୟତା ହାସଲ କରିଛନ୍ତି। ପୂଜା ସହସ୍ରବୁଦ୍ଧି, ରୀଥ ସିୟା, ସୁରଭି ପଟୱାରୀ ଭଳି ପ୍ରମୁଖ ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପରାଜୟବରଣ କରି ଭାରତ ପାଇଁ ନିରାଶାଜନକ ସ୍ଥିତି ସୃଷ୍ଟି କରିଛନ୍ତି। କିନ୍ତୁ ଡବଲ୍ସ ଇଭେଣ୍ଟରେ ଏମାନଙ୍କ ପାଇଁ ଏବେ ବି ସୁଯୋଗ ରହିଛି। ରୀଥ ସିୟା ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାର ଚାମଥସାରାଙ୍କୁ ୧୧-୪, ୧୧-୭, ୧୧-୯ ଗେମରେ ପରାସ୍ତ କରିଥିଲେ। ମାତ୍ର ଦ୍ୱିତୀୟ ଗେମରେ ସିଙ୍ଗାପୁରର ଜୋଇ ଲିମଙ୍କଠାରୁ ୧୧-୯, ୧୦-୧୨, ୧୧-୭, ୯-୧୧, ୧୩-୧୫ରେ ପରାସ୍ତ ହୋଇଥିଲେ। ସେହିପରି ପୂଜା ସହସ୍ରବୁଦ୍ଧି ସ୍କଟଲ୍ୟାଣ୍ଡର ଲାରା ଷ୍ଟ୍ରିରଲିଂଙ୍କୁ ୧୧-୫, ୧୧-୮, ୧୧-୮ରେ ହରାଇଥିବା ବେଳେ ନାଇଜେରିଆର ଆଜୋକ ଓଜୋମୁଙ୍କ ଠାରୁ ୬-୧୧, ୭-୧୧, ୧୧-୧୩ରେ ଓ ସିଙ୍ଗାପୁରର ଟ୍ୟାନଲିନ ଜେସିଙ୍କ ଠାରୁ ୩-୧୧, ୧୩-୧୧, ୫-୧୧, ୧୨-୧୦, ୭-୧୧ ଗେମରେ ପରାସ୍ତ ହୋଇଥିଲେ। ସୂରଭି ପଟୱାର ମାଲେସିଆ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ସିଙ୍ଗାପୁରର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ଯୋଗ୍ୟତା ହାସଲ କରିଥିବା ଖେଳାଳିମାନେ ହେଲେ ସାନିଲ ସେଠୀ, ସୁସ୍ମିତ ଶର୍ମା, ମାନୁଷ ସାହା, ଜିତ ଚନ୍ଦ୍ର, ରୋନିତ ଭଞ୍ଜ, ସୁଧାଂଶୁ ଗ୍ରୋଭର, କ୍ରୀତିକା ସିହ୍ନା ରୟ, ସୁତୀର୍ଥ ମୁଖାର୍ଜୀ, ଶ୍ରୀଜା ଆକୁଲା, ମୌସୁମୀ ପଲ, ପ୍ରପତି ସେନ, ଏସ୍.ଶୈଳନ୍ଦୀପତି, ଦିବ୍ୟା ଦେଶପାଣ୍ଡେ, ସାଗରିକା ମୁଖାର୍ଜୀ ଓ କେ. ଅନୁଶା।
https://www.dharitri.com/in-some-border-districts-of-odisha-including-kotia-in-koraput-allegations-of-andhra-pradesh-government-elections-have-not-stopped/
କୋଟିଆକୁ ନେଇ ଥମୁନି କାଦୁଅ ଫିଙ୍ଗା ଭୁବନେଶ୍ୱର, ୧୭ା୨(ବ୍ୟୁରୋ): କୋରାପୁଟର କୋଟିଆ ସମେତ ଓଡ଼ିଶାର କେତେକ ସୀମାନ୍ତ ଜିଲାରେ ଆନ୍ଧ୍ର ସରକାର ନିର୍ବାଚନ କରାଇବା ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ଥମିବାର ନଁା ଧରୁନି। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ୧୯ ତାରିଖରେ ମାମଲାର ଶୁଣାଣି ଅଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ପ୍ରଶାସନ ଏବଂ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ। ସେହିପରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦୁର୍ବଳ ନେତୃତ୍ୱ ଯୋଗୁ ଆନ୍ଧ୍ର ସରକାର ରାଜ୍ୟରେ ପଶି ନିର୍ବାଚନ କଲା। ଏହାର ଅର୍ଥ ଗୋଟିଏ ରାଜ୍ୟ ଭିତରେ ଦୁଇଟି ଶାସନ। ଏହାକୁ କେହି ବରଦାସ୍ତ କରିବେ ନାହିଁ। ଓଡ଼ିଶାକୁ ସବୁଆଡୁ ଲୁଟ୍ କରାଗଲାଣି। ଛତିଶଗଡ଼ ପାଣି, ପଶ୍ଚିମବଙ୍ଗ ବାଲି ଚୋରି କରୁଛି। ମହାନଦୀ ପାଣି ନେଇ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ନେତୃତ୍ୱରେ ଦୁଇଟି କମିଟି ହେଲା। ଏ ଯାଏ ଥରେ ହେଲେ ବୈଠକ ବସିଲାନି। ରାଜ୍ୟରେ ଅପାରଗ ଏବଂ ଦୁର୍ବଳ ସରକାର ଚାଲିଥିବା ନରସିଂହ କ୍ଷୋଭବ୍ୟକ୍ତ କରି କହିଛନ୍ତି। ବିଜେଡି ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି, ପ୍ରଶାସନିକସ୍ତରରେ ନିଶ୍ଚିତ ଭାବେ ଅବହେଳା ହୋଇଛି। ଏକଥାକୁ ଅସ୍ବୀକାର କରିହେବ ନାହିଁ। ଯେଉଁ ଦଳରେ ରହିବି ସେଠାରେ ଯେ ସବୁକିଛି ଠିକ୍ ଚାଲିଛି ତାହା କହିବି, ସେଭଳି ଅଭ୍ୟାସ ନାହିଁ। ଅନେକ ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି। ବହୁ ପ୍ରସଙ୍ଗରେ ପାର୍ଟି ନୁହେଁ, ମାଟି ବଡ଼ ବୋଲି ସେ କହିଛନ୍ତି। ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ପଶି ଆନ୍ଧ୍ର ନିର୍ବାଚନ କରି ଚାଲିଗଲା। ଶାସକ ସରକାର ଶୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭା ସଫଳ କରିବାରେ ବିଜେଡି ଲାଗିଛି। ଶାସକ ଦଳର କୌଣସି ନେତା ଘଟଣାସ୍ଥଳକୁ ବୁଲିବାକୁ ଗଲେନାହିଁ। ପ୍ରଶାସନିକ ଅଧିକାରୀ ଯାଇଥିଲେ ଏଭଳି ନିର୍ବାଚନ ହୋଇ ନ ଥାନ୍ତା। ଏହି ସମସ୍ୟା ବହୁ ପୁରୁଣା। ସମ୍ପୃକ୍ତ ଅଞ୍ଚଳବାସୀ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲାଗି ଆନ୍ଧ୍ର ଉପରେ ନିର୍ଭରଶୀଳ। ମାଟି ପାଇଁ ଲଢ଼େଇରେ ଆମେ ଅଛୁ, ହେଲେ ବିଜେଡି ନାହିଁ। ଓଡ଼ିଶା ସ୍ବାର୍ଥକୁ ନ ଦେଖି ବିଜେଡି, କଂଗ୍ରେସ ରାଜନୀତି କରୁଥିବା ସେ କହିଛନ୍ତି।
https://www.dharitri.com/congress-is-spreading-rumors-of-the-son-of-the-poor-becoming-the-prime-minister-modi/
ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବାରୁ ଗୁଜବ ପ୍ରଚାର କରୁଛି କଂଗ୍ରେସ: ମୋଦି ନର୍ମଦାପୁରମ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ସେ ହୋଶଙ୍ଗାବାଦ ଲୋକ ସଭା ନିର୍ବାଚନମଣ୍ଡଳୀର ପିପରିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାର ୩ ହେଲିକପ୍ଟରରେ ନର୍ମଦାପୁରମ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ଆମକୁ ଆଶୀର୍ବାଦ ଦେବା ପାଇଁ ବହୁ ଦୂରରୁ ଆସିଛନ୍ତି। ମୋତେ କୁହାଯାଇଥିଲା ଯେ ଗତକାଲି ବର୍ଷା ହୋଇଥିଲା, କିନ୍ତୁ ତୁମେ କଠିନ ପରିଶ୍ରମ କରି ଏପରି ଏକ ଅଦ୍ଭୁତ କାର୍ଯ୍ୟକ୍ରମର ଆୟୋଜନ କରିଛ। ବହୁ ପୂର୍ବରୁ ମଧ୍ୟପ୍ରଦେଶ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଥିଲା। ହୋଶଙ୍ଗାବାଦ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଆଜି ଦେଶର ଇତିହାସରେ ଏକ ବଡ଼ ଦିନ। ଆଜି ବାବା ସାହେବଙ୍କ ଜନ୍ମ ବାର୍ଷିକୀ । ତାଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ଭାଜପା ପାଇଛି। କଂଗ୍ରେସ ସବୁବେଳେ ବାବା ସାହେବଙ୍କୁ ଅପମାନିତ କରିଆସୁଛି। ସେମାନଙ୍କର ସମ୍ବିଧାନ ହେତୁ ଆଜି ଏହି ଗରିବ ମାଆର ପୁଅ ତୃତୀୟ ଥର ପାଇଁ ସେବା କରିବାକୁ ଆପଣଙ୍କ ଆଶୀର୍ବାଦ ମାଗୁଛି। ମୋଦି କହିଛନ୍ତି ଯେ ବାବା ସାହେବଙ୍କ ସମ୍ବିଧାନ ହେତୁ ଆଜି ଦେଶର ରାଷ୍ଟ୍ରପତି ହୋଇଫାରିଛନ୍ତି ଜଣେ ଆଦିବାସୀ ପରିବାରର ଝିଅ। ଯେଉଁ ସମାଜକୁ ସବୁଠାରୁ ପଛରେ ପଚରାଯାଇଥିଲା ଆଜି ସେହି ସମାଜର ଝିଅ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ଆମେ କେବଳ ବାବା ସାହେବଙ୍କୁ କେବଳ ଧାରଣା ମଧ୍ୟରେ ସୀମିତ କରିନାହୁଁ । ଡିଜିଟାଲ ପେମେଣ୍ଟ ସ୍କିମର ନାମ ହେଉଛି ଭିମ ୟୁପିଆଇ (BHIM UPI), ଆମେ ଏହାକୁ ବାବା ସାହେବଙ୍କ ନାମରେ ନାମିତ କରିଛୁ। ଦେଶର ସ୍ବାଧୀନତା ଏବଂ ବିକାଶରେ ଆଦିବାସୀ ସମାଜ ଏକ ବଡ଼ ଅବଦାନ ରଖିଛି।
https://www.dharitri.com/smiling-lizard-on-the-myanmar-borde/
ମ୍ୟାନମାର ସୀମାରେ ହସୁଥିବା ଝିଟିପିଟି ଆଇଜଲ୍: ସାଧାରଣତଃ ଲୋକେ ଝିଟିପିଟିକୁ ଦେଖିଲେ ଡରନ୍ତି। ଧାର୍ମିକ ଚିନ୍ତନ ଅନୁସାରେ, ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିଲେ ତାକୁ ଅଶୁଭ ମାନିଥାନ୍ତି। ହେଲେ ନିକଟରେ ଏପରି ଏକ ଝିଟିପିଟି ଦେଖିବାକୁ ମିଳିଛି, ଯିଏ ସବୁ ସମୟରେ ହସୁଛି। କିଛିଦିନ ପୂର୍ବେ ବୈଜ୍ଞାନିକମାନେ ଏହି ଝିଟିପିଟିକୁ ଭାରତରେ ଦେଖିଛନ୍ତି। ରିପୋର୍ଟ ମୁତାବକ, ମିଜୋରାମ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀ ତୁବିନଜେନ୍ର ମାକ୍ସ ପ୍ଲାନ୍କ ଇନ୍ଷ୍ଟିଚ୍ୟୁଟ୍ ଫର ବାୟୋଲୋଜି ମିଜୋରାମରେ ଭାରତ- ମ୍ୟାନମାର ସୀମାରେ ଏହି ଝିଟିପିଟି ଦେଖିବାକୁ ମିଳିଛି । ଏହାକୁ ପାରାଚୁଟେ ଗେକୋ କୁହାଯାଉଛି। କାରଣ ଏହି ଝିଟିପିଟି ମାଙ୍କଡ଼ ପରି ଏ ଡାଳରୁ ସେ ଡାଳକୁ ଡିଅଁା ମାରୁଛି। ଅଧିକାଂଶ ମାଂସାଶୀ ଝିଟିପିଟି ଅଛନ୍ତି, ଯେଉଁମାନଙ୍କୁ ଗରମ ଜଳବାୟୁରେ ଦେଖିବାକୁ ମିଳେ। ଚଉଡ଼ା ଆଖି, ହସୁଥିବା ଝିଟିପିଟିକୁ ସେତେବେଳେ ଦେଖିବାକୁ ପାଇଥିଲେ, ଯେତେବେଳେ ବୈଜ୍ଞାନିକମାନେ ଭାରତରେ ଝିଟିପିଟିଙ୍କ ସଂଖ୍ୟା ସର୍ଭେ କରୁଥିଲେ। ଏହି ଝିଟିପିଟିର ନାମ ମିଜୋରାମ ରାଜ୍ୟର ନାମ ହିସାବରେ ‘ଗେକୋ ମିଜୋରାମେନସିସ୍’ ରଖାଯାଇଛି। ଏହା ପୂର୍ବରୁ ଏହି ପ୍ରଜାତିର ଝିଟିପିଟିକୁ ସାଉଥ ଏସିଆ, ମ୍ୟାନମାର, ଥାଇଲାଣ୍ଡ ଏବଂ କମ୍ବୋଡିଆରେ ଦେଖିବାକୁ ମିଳିଥିଲା। ହେଲେ ଭାରତରେ ଯେତେବେଳେ ବୈଜ୍ଞାନିକମାନେ ଏହି ଝିଟିପିଟିକୁ ଦେଖିଥିଲେ, ସେତେବେଳେ ସେ ୧୫୦-୩୬୦ ସେ.ମି. ଉଚ୍ଚରେ ଉଡୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରଜାତି ଦେଖିବାକୁ ଏହାର ଭଉଣୀ ପ୍ରଜାତି ‘ଗେକୋ ପୋପେନସିସ୍’ ଭଳି। ହେଲେ ଏହା ତା’ଠାରୁ ରଙ୍ଗ ଏବଂ ଆକାର ଦୃଷ୍ଟିରୁ ଭିନ୍ନ। ଦୁଇ ପ୍ରଜାତି ମଧ୍ୟରେ ୭ରୁ ୧୪ ପ୍ରତିଶତ ସାମଞ୍ଜସ୍ୟ ରହିଛି। ରିପୋର୍ଟ ମୁତାବକ, ଏହି ଝିଟିପିଟି ଉଡ଼ିଲାବେଳେ ନିଜକୁ ରକ୍ଷା କରିବାକୁ ଯାଇ ଏକ ଗନ୍ଧ ଛାଡ଼ିଥାଏ। ସା ସମୟରେ ଏହି ଝିଟିପିଟି ସବୁଠୁ ଅଧିକ ଶିକାର କରିଥାଏ।
https://www.dharitri.com/clashes-erupt-over-paddy-buying-and-selling/
ଧାନ କିଣାବିକାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଆନନ୍ଦପୁର,୨୩ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଗଡ଼ବାନ୍ଧଗୋଡ଼ାରେ ଧାନକିଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଜଣେ ଚାଷୀ ସମବାୟ ସମିତିକୁ ଧାନ ବିକ୍ରି ପାଇଁ ଯାଇଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ସହିତ କଥାକଟି ଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ରାମଚନ୍ଦ୍ରପୁର ଥାନାରେ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ ହୋଇଛି। ରେହମାନ୍ ଖାନ୍ଙ୍କ ଅଭିଯୋଗକୁ ଆଧାର କରି କେସ୍ ନଂ ୫/୨୨ ଏବଂ ମମତାମୟୀ ନାୟକଙ୍କ ଅଭିଯୋଗକୁ ଆଧାର କରି କେସ୍ ନଂ ୬/୨୨ରେ ଦୁଇଟି ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲୁଥିବା ଥାନାଧିକାରୀ ପ୍ରଫୁଲ୍ଲ ବାର୍ଲା ପ୍ରକାଶ କରିଛନ୍ତି।
https://www.dharitri.com/the-mighty-javan-was-destroyed-in-panchabhata/
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ ତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆନନ୍ଦପୁର ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ସିଆରପିଏଫ୍ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଗାଁରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ଝାଡ଼ଖଣ୍ଡରେ ଶହୀଦ ହୋଇଥିଲେ। ସୁଶାନ୍ତ ୨ ମାସ ତଳେ ବିବାହ କରିଥିଲେ।
https://www.dharitri.com/nitin-gadkari-speech-in-rajasthan-chief-minister-post-comment/
ବିଧାୟକଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖି, କେବେ ଚାଲିଯିବ ପଦ: ଗଡକରୀ ନୂଆଦିଲ୍ଲୀ,୧୪ ।୯: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜର ବେକାକୁ ବୟାନକୁ ନେଇ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ସୋମବାର ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରି ଏମିତି ଏକ କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି । ଗଡକରୀ କହିଛନ୍ତି ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଓ ମୁଖ୍ୟମନ୍ତ୍ରୀମାନେ ବେଶୀ ଭୟଭିତ ଅଛନ୍ତି । କାରଣ ଜଣାନାହିଁ କେତେବେଳେ ପଦ ଚାଲିଯିବ । ଗୋଟିଏ ଦିନ ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଭାଜପା ବିଦା କରି ତାଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଗଡକରୀ ଏଭଳି ବୟାନ ଦେଇଛନ୍ତି । ଗଡକରି କହିଛନ୍ତି, ଆଜିକାଲି ସମସ୍ତଙ୍କୁ ସମସ୍ୟା ରହିଛି, ବିଧାୟକ ଦୁଃଖି କାରଣ ତାଙ୍କୁ ମନ୍ତ୍ରୀ ପଦ ମିଳିଲା ନାହିଁ, ମନ୍ତ୍ରୀ ଦୁଃଖି କାରଣ ତାଙ୍କୁ ଭଲ ବିଭାଗ ମିଳିଲା ନାହିଁ, ଭଲ ବିଭାଗ ମିଳିଥିବା ମନ୍ତ୍ରୀ ଦୁଃଖି କାରଣ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ନାହିଁ, ମୁଖ୍ୟମନ୍ତ୍ରୀ ମାନେ ସବୁଠାରୁ ବେଶୀ ଦୁଃଖି କାରଣ ସେମାନଙ୍କୁ ଜଣାନାହିଁ କେତେବେଳେ ତାଙ୍କ ପଦ ଚାଲିଯିବ ଭରସା ନାହିଁ ।
https://www.dharitri.com/again-cbi-team-at-bahanga-station/
ପୁଣି ବାହାନଗା ଷ୍ଟେଶନରେ ସିବିଆଇ ଟିମ୍‌ ବାଲେଶ୍ୱର ଅଫିସ,୭ା୬: ବାହାନଗା ରେଳ ଷ୍ଟେଶନରେ ବୁଧବାର ପୁଣି ସିବିଆଇ ଟିମ୍ ପହଞ୍ଚିଛି। ମଙ୍ଗଳବାର ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେଶନରେ ଟିମ୍ ଯାଞ୍ଚ କରିଥିବା ବେଳେ ଆଜି ପୁଣି ବାହାନଗାରେ ଜୋରଦାର ତନାଘନା କରିଛି ସିବିଆଇ। ଷ୍ଟେଶନ ମାଷ୍ଟର ଓ ଗାର୍ଡଙ୍କୁ ପଚରାଉଚରା କରାଯିବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିଛି। ଦୁର୍ଘଟଣା କିପରି ଘଟିଥିଲା ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ କରୁଛି ସିବିଆଇ।
https://www.dharitri.com/foreign-guests-will-not-attend-the-republic-day-parade/
ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେନି ବିଦେଶୀ ଅତିଥି… ନୂଆଦିଲ୍ଲୀ, ୧୯।୧ : ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀର ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ବିଦେଶୀ ଅତିଥିଙ୍କୁ କରୋନା ଲହରକୁ ଦୃଷ୍ଟିରେ ରଖି ନିମନ୍ତ୍ରଣ କରାଯାଇ ନ ଥିବା କୁହାଯାଉଛି। ତେବେ ଏହା ପରଦିନ ଜାନୁୟାରୀ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋଧିତ କରିବେ। ସମ୍ମିଳନୀରେ ଖାଜାକିସ୍ତାନ. କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜ୍ବେକିସ୍ତାନର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।