url
stringlengths
29
226
text
stringlengths
7
18.1k
https://www.dharitri.com/ଟିକା-ନେଲେ-ବି-ଡେଲ୍ଟା-ଭାରିଆ/
ଟିକା ନେଲେ ବି ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିପାରେ ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ଦିଲ୍ଲୀ ଏମ୍ସ ଏବଂ ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ଏନ୍ସିଡିସି) ପକ୍ଷରୁ ଅଲଗା ଅଲଗା ଭାବେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ତେବେ ଦୁଇଟି ଯାକ ଅଧ୍ୟୟନ ଏପର୍ଯ୍ୟନ୍ତ ସହକର୍ମୀମାନଙ୍କ ଦ୍ୱାରା ସମୀକ୍ଷା ହୋଇନାହିଁ। ବ୍ରିଟେନରେ ଚିହ୍ନଟ ହୋଇଥିବା ଆଲ୍ଫା ଭାରିଆଣ୍ଟ ତୁଳନାରେ ଡେଲ୍ଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଏମ୍ସ ଅଧ୍ୟୟନରୁ ଜଣାପଡ଼ିଛି। ଏମ୍ସ-ଆଇଜିଆଇବି (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ଭାୟୋଲୋଜି) ଅଧ୍ୟୟନ ହସ୍ପିଟାଲର ୬୩ କରୋନା ରୋଗୀଙ୍କ ଉପରେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ କୋଭାକ୍ସିନ ଏବଂ ୧୦ ଜଣଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା। ୩୬ ଜଣ ଦୁଇଟି ଡୋଜ୍ ନେଇଥିଲେ। ଯେଉଁମାନେ ଗୋଟିଏ ଡୋଜ୍ ନେଇଥିଲେ ସେମାନଙ୍କଠାରେ ୭୬.୯ ପ୍ରତିଶତ ସଂକ୍ରମଣ ହୋଇଥିବାବେଳେ ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରେ ୬୦% ସଂକ୍ରମଣ ଦେଖାଯାଇଥିଲା। କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରୁଥିବା ଏନ୍ସିଡିସି-ଆଇଜିଆଇବି ଅଧ୍ୟୟନରୁ ଜଣାପଡ଼ିଛି। ଉକ୍ତ ଟିକା ନେଇଥିବା ୨୭ ରୋଗୀଙ୍କଠାରେ ଡେଲ୍ଟା ଭାରିଆଣ୍ଟ ୭୦.୩% ସଂକ୍ରମିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
https://www.dharitri.com/the-bodies-were-found/
ପାଲରେ ଗୁଡ଼ା ହୋଇ ରାସ୍ତାକଡ଼ରେ ପଡ଼ିଛି ମୃତଦେହ ଚୌଦ୍ୱାର,୧୯ା୧୧(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଟାଙ୍ଗୀ-କପିଳାସ ରାସ୍ତାର କରଞ୍ଜି ପଞ୍ଚାୟତର ବଡ଼କୁସୁନୁପୁର ନିକଟ ରାସ୍ତା କଡ଼ରୁ ଜରି ପାଲରେ ଗୁଡ଼ା ହୋଇ ପଡ଼ିଥିବା ମୃତଦେହକୁ ଗୁରୁବାର ସକାଳେ ଉଦ୍ଧାର ହୋଇଛି। ରାସ୍ତାକଡ଼ରେ ଏକ ଜରି ଅଖାରେ କିଛି ବନ୍ଧା ହୋଇପଡ଼ିଥିବା ଓ ସେଥିରୁ ଦୁର୍ଗନ୍ଧ ବାହାରୁଥିବା କିଛି ଗ୍ରାମବାସୀ ବିଲକୁ ଯାଉଥିବା ବେଳେ ଦେଖିବାକୁ ପାଇଥିଲେ ା ପରେ ଏନେଇ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ଚୌଦ୍ୱାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଖୋଲିବାରୁ ସେଥିରୁ ଜଣେ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିକୁ କେହି ହତ୍ୟା କରି ହାତଗୋଡ଼ ବାନ୍ଧି ଜରିରେ ଗୁଡ଼ାଇ ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ା ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁରର ସହାୟତା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ା
https://www.dharitri.com/ନାବାଳିକାଙ୍କୁ-ବଳାତ୍କାର-ଅ-5/
ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ କୌଣସି ଫଇସଲା ନେବାକୁ ମନା କରିବାରୁ ଏହାର ବିଚାର ପଞ୍ଚାୟତରେ ହୋଇଛି। ଗାଁ ସ୍କୁଲ ପରିସରରେ ପଞ୍ଚାୟତ ବୈଠକ ବସିଥିଲା। ତେବେ ଅଭିଯୁକ୍ତ ଆସି ନ ଥିଲେ। ଶେଷରେ ପଞ୍ଚାୟତ ପକ୍ଷରୁ ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଏନେଇ ଅଭିଯୁକ୍ତ ପରିବାର ବର୍ଗଙ୍କୁ ଜଣାଇ ଦିଆଯାଇଛି।
https://www.dharitri.com/ସମସ୍ତ-୨୦-କରୋନା-ଆକ୍ରାନ୍ତ-ଶ/
ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଶୁକ୍ରବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ମୁଖପାତ୍ର ବାଗଚୀ ଆହୁରି କହିଛନ୍ତି, ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ। ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି ବୋଲି ପ୍ରକାଶ କରିଥିଲେ। ସେହିପରି ଇଟାଲୀରେ କରୋନା ଭାଇରସ ଯୋଗୁ ୩୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁ ୩ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ରାଜ୍ୟ ସରକାର ୩୦ଟି ଜିଲାରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲରେ ୫ ହଜାର ୭୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଆଜି ଗୋଟିଏ ଦିନରେ ୧୫ ହଜାର ୩୬୦ ପ୍ରବାସୀ ଓ ଆସି ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟରୁ ୧୫ ହଜାର ୩୬୦ ଜଣ ପ୍ରବାସୀ ଫେରିଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି।
https://www.dharitri.com/swapnil-kusale-enter-final-in-50m-shooting/
ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍‌ରେ ପହଞ୍ଚିଲେ ସ଼୍ବପ୍ନିଲ୍‌ ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ ସାଥୀ କ୍ରୀଡ଼ାବିତ୍ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଟିକେ ଖରାପ ପ୍ରଦର୍ଶନ କରିଛନ୍ତି । ଦୁଇ ରାଉଣ୍ଡ ପର୍ଯ୍ୟନ୍ତ ଫାଇନାଲ ଦୌଡ଼ରେ ରହିବା ପରେ ଐଶ୍ୱର୍ଯ୍ୟ ଷ୍ଟାଣ୍ଡିଂ ସୁଟରେ ଭୁଲ କରିଥିଲେ । ପ୍ରଥମ ଦୁଇ ରାଉଣ୍ଡ ପରେ ଐଶ୍ୱର୍ଯ୍ୟ ପ୍ରତାପ ୮ ନମ୍ବରରେ ରହିଥିଲେ । କିନ୍ତୁ ଯେତେବେଳେ ଷ୍ଟାଣ୍ଡିଂ ସୁଟ ଶେଷ ହେଲା, ସେ ଅଷ୍ଟମରୁ ଏକାଦଶକୁ ଖସିଗଲେ । ପ୍ରଥମ ସିରିଜରେ ଐଶ୍ୱର୍ଯ୍ୟା ପ୍ରତାପ ୧୯୯ ସ୍କୋର କରି ୮ ନମ୍ବରରେ ଥିଲେ। ପ୍ରଥମ ସିରିଜ ପରେ ସ଼୍ବପ୍ନିଲ କୁସାଲେ ୧୧ ନମ୍ବରରେ ଥିଲେ । ସେ ଏହି ରାଉଣ୍ଡରେ ୧୯୭ ସ୍କୋର କରିଥିଲେ। ଏହାପୂର୍ବରୁ ଐଶ୍ୱର୍ଯ୍ୟା ପ୍ରତାପ ଯୋଗ୍ୟତା ପର୍ଯ୍ୟାୟରେ ୧୯୭ ସ୍କୋର କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସ଼୍ବପନିଲ କୁସାଲେ ୧୯୮ ପଏଣ୍ଟ ହାସଲ କରିଛନ୍ତି ।
https://www.dharitri.com/the-mother-gave-the-daughter-such-an-injection-because/
ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ… ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଯେଉଁମାନେ କି ପରସ୍ପର ଅତି ନିକଟତର। ଏଥର ଏହି ଶୋ’ରେ ଜଣେ କିନ୍ନର କପଲ ଏବଂ ତାଙ୍କ ମା’ ଚର୍ଚ୍ଚାରେ ରହିଛନ୍ତି। ଶୋ’ର ପ୍ରୋମୋରେ ଲରେନ ନାମକ ଜଣେ ମହିଳା କହିଛନ୍ତି, ତାଙ୍କ ମା’ଙ୍କ ଯୋଗୁ ତାଙ୍କୁ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଲରେନ କହିଛନ୍ତି, ତାଙ୍କ ମା ଚାହାନ୍ତି ସେ ବି ଜଣେ ମା’ ହୁଅନ୍ତୁ। କିନ୍ତୁ ଲରେନ୍ ଏନେଇ ପ୍ରସ୍ତୁତ ନୁହଁ। ଯେତେବେଳେ ଲରେନଙ୍କ ମା’ ହୃଦୟଙ୍ଗମ କଲେ ଯେ ତାଙ୍କ ଝିଅ ସନ୍ତାନ ପ୍ରସବ ପାଇଁ ଆଗ୍ରହୀ ନୁହନ୍ତି ସେତେବେଳେ ସେ ତାଙ୍କୁ ସ୍ପର୍ମ ବା ଶୁକ୍ରାଣୁ ଇଞ୍ଜେକ୍ସନ ଦେଇଥିଲେ। ଏହାକୁ ନେଇ ଲରେନ୍ କୁହନ୍ତି, ମୋ’ ମା’ ପ୍ରାୟତଃ କୁହନ୍ତି, ମୋ ପିଲାଙ୍କୁ ସେ ଦେଖିବେ। ତାଙ୍କ ସହ ଖେଳିବେ। ଏ ବିଷୟରେ ଆମେ ଅଧିକାଂଶ ସମୟ କଥାବାର୍ତ୍ତା ହେଉ। ବୋଧ ହୁଏ ଏହି କାରଣରୁ ତାଙ୍କ ମନରେ ଶୁକ୍ରାଣୁ ଇଞ୍ଜେକ୍ସନର ଧାରଣା ଆସିଥିଲା। ଏ ବିଷୟରେ ମୋ’ ସାଥୀ ଜାଣିବା ପରେ ବହୁତ ରାଗିବେ।
https://www.dharitri.com/ବାଇପାସ୍‌-ଚିନ୍ତା/
ବାଇପାସ୍‌ ଚିନ୍ତା ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ ଯାନବାହନ ବୃଦ୍ଧି ସହିତ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ମଧ୍ୟ ବଢୁଛି। ଫଳରେ ରାଜପଥ ପ୍ରଶସ୍ତୀକରଣ ବେଳେ ରାଜପଥକୁ ସହର ବାହାର ଦେଇ ଅର୍ଥାତ୍ ବାଇପାସ୍ ରାଜପଥ ନିର୍ମାଣ ପାଇଁ ଦାବି ହୋଇଥିଲା। ଦେବଗଡ଼ବାସୀ ଏନେଇ ବହୁବାର ଆନ୍ଦୋଳନ, ରାସ୍ତାରୋକୋ କରିଥିଲେ। ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜପଥ କର୍ତ୍ତୃପକ୍ଷ ସହର ବାହାର ଦେଇ ବାଇପାସ ରାଜପଥ ନିର୍ମାଣ କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଥିବାରୁ ସହରବାସୀଙ୍କ ସମସ୍ୟା ବଢିଚାଲିଛି। ବର୍ତ୍ତମାନ ସହର ଭିତରେ ଯାଇଥିବା ରାଜପଥ ବି ମରାମତି କରାଯାଉନି। ଯାହା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରାଜପଥ ମରାମତି ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ରାସ୍ତା ନିର୍ମାଣକାରୀ ସଂସ୍ଥା ଶୁଣୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଏପରି କି ଉକ୍ତ ସମସ୍ୟା ଦୂର ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ। କେନ୍ଦୁଝରସ୍ଥିତ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ପ୍ରକଳ୍ପ ଅଧିକାରୀ ଓ ଦେବଗଡ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ସହ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କୁ ସହର ଭିତର ଦେଇ ଯାଇଥିବା ରାଜପଥର ତୁରନ୍ତ ମରାମତି ଏବଂ ରାଜପଥ ଉପରେ ପ୍ରତିଦିନ ପାଣି ଛିଞ୍ଚନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ସମ୍ପୂର୍ଣ୍ଣ ଅଣଦେଖା କରୁଛି। ରାସ୍ତାରେ ପାଣି ନ ଦେଇ ନିଜର ମନଇଚ୍ଛା ଉକ୍ତ ରାସ୍ତାର ଖାଲଗୁଡ଼ିକରେ କ୍ରଶର୍ ଡଷ୍ଟ ପକାଇ ଦେଉଛି। ଫଳରେ ରାସ୍ତାରେ ଧୂଳି ଉଡ଼ୁଛି। କିଛି ଦିନ ପରେ ପୁଣି ଖାଲ ହୋଇଯାଉଛି। ଜାତୀୟ ରାଜପଥର ପୁରୁଣାଗଡ଼ ଛକରୁ ସିମିଳିଆବାହାଳ ସର୍କିଟ ହାଉସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଖାଲଖମା ସହ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡି ରହିଛି। ବିଭାଗ ତରଫରୁ ଏହାକୁ ସଜଡା ଯାଉନାହିଁ। ବିଭିନ୍ନ ଖାଲରେ ପକାଇଥିବା କ୍ରଶର୍ ଡଷ୍ଟ୍ ଯୋଗୁ ଲୋକେ ଧୂଳିଧୁସର ଖାଇ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ୪୯ନଂ. ଜାତୀୟ ରାଜପଥର ବାଇପାସ କାମ ସରିଗଲେ ସହର ଭିତରେ ଗାଡ଼ିମୋଟର ଯିବାଆସିବା କମିଯିବ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ବାଇପାସ କାମ ଚାଲିଥିବା ବେଳେ କାମ ଶେଷ ହେବାର ନାଁ ଧରୁନି। ସହରବାସୀଙ୍କ ଲାଗି ବାଇପାସ ରାଜପଥ ଚିନ୍ତା ପାଲଟିଛି। ଫଳରେ ସହର ଭିତରେ ଗାଡ଼ିମୋଟର ଯାଉଥିବାରୁ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଛି। ନିକଟରେ ଦୁର୍ଘଟଣାରେ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ଯଦି ବାଇପାସ ବିଳମ୍ବ ହେଉଛି, ତେବେ ସହର ଭିତରେ ଯାଇଥିବା ରାଜପଥ ମରାମତି କରିବା କଥା। କିନ୍ତୁ ରାଜପଥ କର୍ତ୍ତୃପକ୍ଷ କେଉଁଟା ବି କରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। – ଶଶାଙ୍କ ଶେଖର ଝାଙ୍କର
https://www.dharitri.com/ashwin-on-ravi-shastri-comment-rahul-dravid-break-from-new-zealand-series/
ଦ୍ରାବିଡଙ୍କ ସମର୍ଥନରେ ବାହାରିଲେ ଅଶ୍ୱିନ ନୂଆଦିଲ୍ଲୀ,୨୦।୧୧: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ବିଶ୍ରାମକୁ ନେଇ କଡ଼ା ମନ୍ତବ୍ୟ ରଖିଥିଲେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ଏବେ ଏହି ମାମଲାରେ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଭିଭିଏସ୍ ଲକ୍ଷ୍ମଣ ନ୍ୟୁଜିଲାଣ୍ଡ ଯାଇଛନ୍ତି। ତାଙ୍କ ସହ ସମ୍ପୂର୍ଣ୍ଣ ଭିନ୍ନ ଟିମ୍ ଯାଇଛି। ଦ୍ରାବିଡ ଏବଂ ତାଙ୍କ ଟିମ୍ ବିଶ୍ୱକପ୍ ପୂର୍ବରୁ ଏବଂ ସମୟରେ ବହୁତ ପରିଶ୍ରମ କରିଛନ୍ତି। ମୁଁ ଅତି ନିକଟରୁ ସବୁ ଦେଖିଛି। ତାଙ୍କ ପାଖରେ ସମସ୍ତ ଟିମ୍, ସମସ୍ତ ସ୍ଥାନ ଲାଗି ଯୋଜନା ରହୁଥିଲା। ଏମିତିରେ ଜଣେ ମାନସିକ ସହ ଶାରୀରିକ ଭାବେ ଥକ୍କି ଯିବା ସ୍ବାଭାବିକ। ଏଣୁ ବ୍ରେକ୍ ନେବା ଜରୁରୀ। କାରଣ ନ୍ୟୁଜିଲାଣ୍ଡ ସିରିଜ ପରେ ଆମକୁ ବାଲାଂଦେଶ ଗସ୍ତରେ ଯିବାକୁ ହେବ। ଏମିତିରେ ସେଠାରେ ପୁରା ଟିମ୍ ରହିବ। ଏଥିଲାଗି ନ୍ୟୁଜିଲାଣ୍ଡକୁ ଲକ୍ଷ୍ମଣଙ୍କ ଟିମ୍ ଯାଇଛି ବୋଲି ସେ କହିଛନ୍ତି। କହିରଖୁଛୁ, ଦ୍ରାବିଡଙ୍କୁ ନେଇ ଶାସ୍ତ୍ରୀ କହିଥିଲେ ଯେ ସେ ବ୍ରେକ୍ ନେବାରେ ବିଶ୍ୱାସ କରନ୍ତି ନାହିଁ। ଆଇପିଏଲ୍ ବେଳେ ସେମିତିରେ ୨ରୁ ୩ ମାସ ମିଳିଥାଏ। ଏଣୁ ଆଉ ଅଧିକ ବ୍ରେକ୍ ନେବା କ’ଣ ଜରୁରୀ। ଏକ କୋଚ୍ ପାଇଁ ସେତିକି ବ୍ରେକ୍ ଯଥେଷ୍ଟ ବୋଲି ସେ କହିଥିଲେ।
https://www.dharitri.com/ଆଖଣ୍ଡଳମଣି-ମନ୍ଦିର-ପରିସରକୁ/
ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ। ଏହି ଆଇନକୁ କୌଣସି ବର୍ଗର ଲୋକେ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିବାର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନକୁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ଲଟ୍କା ଜାରି କରାଯାଇଛି। ଏହାସହିତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ଫଳକ ଲଗାଯାଇ ପର୍ଯ୍ୟଟକଙ୍କୁ ସୂଚନା ଦିଆଯାଇଛି। ରବିବାର ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ମନ୍ଦିର ଟ୍ରଷ୍ଟର ସହପରିଚାଳକ ସୁଧାକର ବିଶ୍ୱାଳ ମିଳିତ ଭାବେ ମନ୍ଦିର ପରିସର ଏବଂ ପୀଠରେ ଥିବା ସମସ୍ତ ବ୍ୟବସାୟୀଙ୍କୁ ଭେଟିଥିଲେ। ସୋମବାରଠାରୁ ପଲିଥିନ ବ୍ୟବହାର ନ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦୋକାନ ସାମ୍ନା ଓ ବଜାର ମଧ୍ୟରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ତାଗିଦ୍ କରିବା ସହିତ ଧାମରା ବନ୍ଦର ଆଦାନୀ ପକ୍ଷରୁ ମିଳିଥିବା ଡଷ୍ଟବିନ ବ୍ୟବହାର କରିବାକୁ ସମସ୍ତଙ୍କୁ ସଚେତନ କରାଇଥିଲେ। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ କହିବା ଅନୁଯାୟୀ ପୀଠରେ ପଲିଥିନମୁକ୍ତ କରିବା ଲାଗି ଟ୍ରଷ୍ଟି ତଥା ଉପଜିଲାପାଳଙ୍କ ପରାମର୍ଶ କ୍ରମେ ଏପରି ପଦକ୍ଷପ ହାତକୁ ନିଆଯାଇଛି। ତାହାସହ ପର୍ଯ୍ୟାୟକ୍ରମେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କରାଯିବ ବୋଲି ପରିଚାଳକ ପଲାଇ କହିଥିଲେ। ଅନ୍ୟପକ୍ଷେ ପୂର୍ବରୁ କୌଣସି ସୂଚନା ଦିଆ ନ ଯାଇ ହଠାତ୍ ଏପରି ନିଷ୍ପତ୍ତି ନିଆଯିବା ଦ୍ୱାରା ବହୁ ବ୍ୟବସାୟୀ ହଇରାଣ ହେବେ ବୋଲି କେତେକ ବ୍ୟବସାୟୀ ମତପ୍ରକାଶ କରିଛନ୍ତି।
https://www.dharitri.com/arrogance/
ଅହଂମତ୍ତତା ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ମଣିଷ ଅହଂମତ୍ତ ହେଲେ ଅନ୍ଧ ଭଳି ଦିଗ୍ ବିଦିଗ୍-ଶୂନ୍ୟ ହୋଇ ବିବେକର ବିଚାର ଏବଂ ଆଦର୍ଶବୋଧକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଅପରିଣାମଦର୍ଶୀ କାର୍ଯ୍ୟ କଳାପ ଦ୍ୱାରା ନିଜର ତଥା ନିଜ ପରିବେଶ ଏବଂ ଦେଶ ଓ ଦଶର ସମୂହ ଧ୍ୱଂସର କାରଣ ହୋଇଥାଏ । ପୁରାଣ-ଇତିହାସ ପୃଷ୍ଠାରୁ ଜଣାଯାଏ କ୍ଷମତା ମଦରେ ଅଭିଭୂତ ହୋଇ ଅତୀତରେ ଅନେକ ରାଜା, ମହାରାଜା, ସମ୍ରାଟ ଏବଂ ରାଷ୍ଟ୍ରନାୟକମାନେ ନିଜର ତଥା ନିଜ ଦେଶର ବିନାଶର କାରଣ ହୋଇଛନ୍ତି। ସମ୍ପ୍ରତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଦ୍ୱାରା ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ତଥା ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରି ଅଗଣିତ ନିରୀହ ମଣିଷ-ବୃଦ୍ଧ-ଶିଶୁ-ନାରୀ-ପୀଡ଼ିତମାନଙ୍କର ଅସୀମ ଦୁଃଖ-ଦୁର୍ଦ୍ଦଶାର କାରଣ ହେବା ସେହିପରି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ଅନ୍ତିମ ପରିଣତି ସ୍ବରୂପ ଭୟଙ୍କର ଆଣବିକ ଯୁଦ୍ଧଜନିତ ମହାବିନାଶକୁ ଆମନ୍ତ୍ରଣ କରିବାର ଆଶଙ୍କା ଦେଖାଦେଇଛି। ନାଟୋ ଏବଂ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ଉପରେ ନାନା ପ୍ରକାର ଅର୍ଥନୈତିକ କଟକଣା ପ୍ରୟୋଗ କରିବା ହେତୁ ଅଚିରେ ରୁଷୀୟ ଅର୍ଥନୀତି ବିଧ୍ୱସ୍ତ ହେବାର ସମ୍ଭାବନା ଦେଖାଦେଇଛି। ଏଣେ ଆମେରିକାର ଆର୍ଥିକ ତଥା ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ବଳୀୟାନ ହୋଇ ୟୁକ୍ରେନ୍ ରୁଷୀୟ ସେନାକୁ ମୁକାବିଲା କରୁଛି। ୟୁକ୍ରେନ୍କୁ ରୁଷୀୟ ସେନା ସମ୍ପୂର୍ଣ୍ଣ ଅଧିକାର କରିପାରିନାହିଁ। କିମ୍ବା ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିନାହିଁ। ବର୍ତ୍ତମାନ ପୁଟିନ୍ଙ୍କ ପାଇଁ ୟୁକ୍ରେନ୍ ‘ନାଗସାପର ଚୁଚୁନ୍ଦ୍ରା ଗିଳିବା’ ଭଳି ହୋଇଛି। ଅର୍ଥାତ୍ ନା ଗିଳିପାରୁଛି ନା ଓକାଳି ପାରୁଛି। ଜଣେ ବିଚକ୍ଷଣ କୂଟନୀତିଜ୍ଞ ଏବଂ ବୁଦ୍ଧିମାନ ରାଷ୍ଟ୍ରମୁଖ୍ୟ ହୋଇ ମଧ୍ୟ ସେ କିପରି ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ଗ୍ରହଣ କଲେ ତାହା ହିଁ ଆଶ୍ଚର୍ଯ୍ୟର କଥା। ଏହାକୁ କହନ୍ତି ଅହଂମତ୍ତତା, ଏଭଳି ପରିସ୍ଥିତି ଯୋଗୁ ଭାରତ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଭିତରକୁ ଟାଣି ହୋଇଯାଇଛି। କାରଣ ରୁଷିଆ ଭାରତର ଏକ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ହୋଇ ଆସିଛି, ବିଶେଷ କରି କଶ୍ମୀର ବ୍ୟାପାରରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଅନ୍ଧ ଭାବେ ସମର୍ଥନ ଦେଇଛି। ତେଣୁ ନୀତିଗତ ଭାବେ ଭାରତ ରୁଷିଆକୁ ସମର୍ଥନ ଜଣାଇବାକୁ ବାଧ୍ୟ। କିନ୍ତୁ ପୁଟିନ୍ଙ୍କ ନୀତି ବିରୁଦ୍ଧ କାର୍ଯ୍ୟକଳାପ ଏବଂ ଯୁଦ୍ଧଖୋର ମନୋଭାବ ଯୋଗୁ ସମଗ୍ର ବିଶ୍ୱର ଜନମତ ତାହା ବିରୋଧରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ତାହାର ସମର୍ଥକ ଭାବରେ ଭାରତ ମଧ୍ୟ ବିଶ୍ୱଦରବାରରେ ନିନ୍ଦିତ ହେଉଛି। ଏଭଳି ପରିସ୍ଥିତିରେ ଭାରତ କେତେଦିନ ପୁଟିନ୍ଙ୍କ ନୀତିକୁ ସମର୍ଥନ ଦେଇପାରିବ ତାହାହିଁ ଚିନ୍ତାର ବିଷୟ। ଅନ୍ୟାୟ କରୁଥିବା ବ୍ୟକ୍ତିକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସମର୍ଥନ କରିବା ଅନ୍ୟାୟ ସହିତ ସମାନ। ‘ସତ୍ୟାନୁସରଣ’ରେ କୁହାଯାଇଛି- ”ତୁମ ବନ୍ଧୁ ଯଦି କୁପଥରେ ଯାଏ, ଆଉ ତୁମେ ଯଦି ତାକୁ ଫେରାଇବାକୁ ଚେଷ୍ଟା ନ କର ବା ତ୍ୟାଗ କର, ତା’ର ଶାସ୍ତି ତୁମକୁ ମଧ୍ୟ ତ୍ୟାଗ କରିବ ନାହିଁ।“ ତେଣୁ ଆମ ପ୍ରଧାନମନ୍ତ୍ରୀଙ୍କୁ ଏବେ ସମସ୍ତ କୂଟନୈତିକ କୌଶଳ ପ୍ରୟୋଗ କରି ପୁଟିନ୍ଙ୍କୁ ଯୁଦ୍ଧରୁ ନିବୃତ୍ତ କରିବା ଏକାନ୍ତ କର୍ତ୍ତବ୍ୟ ବୋଲି ମନେହୁଏ। ଅବଶ୍ୟ ୟୁକ୍ରେନ୍ରେ ଏହି ବିସ୍ଫୋରକ ପରିସ୍ଥିତି ପାଇଁ ପୁଟିନ୍ ଏକାମାତ୍ର ଦାୟୀ ନୁହନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ୍ର ପରିସ୍ଥିତିକୁ ଅତୀତର ଭାରତ-ପାକିସ୍ତାନ ସମ୍ପର୍କ ସହିତ ତୁଳନା କରାଯାଇପାରେ। ପାକିସ୍ତାନ ଭାରତ-ଭୂଖଣ୍ଡରୁ ଅଲଗା ହେବା ପରେ ଆମେରିକା ତାହାକୁ ପ୍ରକାଶ୍ୟରେ ଅଥବା ଗୁପ୍ତରେ ନାନାପ୍ରକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ କରି ପରୋକ୍ଷରେ ଭାରତ ବିରୋଧରେ ପ୍ରରୋଚିତ କରିଆସିଛି। ଯାହାଫଳରେ ପାକିସ୍ତାନ ଭାରତର ଚିରଶତ୍ରୁ ହେବା ସଙ୍ଗେ ସଙ୍ଗେ ଦୀର୍ଘ ପଚାଶବର୍ଷରୁ ଊର୍ଦ୍ଧ୍ୱ ସମୟ ଭାରତ ସହିତ ସୀମା ବିବାଦ ଏବଂ ଯୁଦ୍ଧ ବିଗ୍ରହରେ ଲିପ୍ତ ରହିଛି। ଅନୁରୂପ ଭାବେ ୟୁକ୍ରେନ୍ ସୋଭିଏଟ ୟୁନିୟନରୁ ଅଲଗା ହେବା ପରେ ଆମେରିକା ତାହା ସହିତ ମିତ୍ରତା ଜମାଇ ତାକୁ ରୁଷିଆ ବିରୋଧରେ ଉସୁକାଇ ଚାଲିଛି ଏବଂ ଏହି ଯୋଜନାକୁ ଆଗେଇ ନେବା ପାଇଁ ୟୁକ୍ରେନ୍କୁ ନାଟୋ ସଂଗଠନର ସଦସ୍ୟ କରିବାକୁ ମସୁଧା କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଆମେରିକାର ହାତବାରିସି ଭଳି କାର୍ଯ୍ୟ କରୁଛନ୍ତି। ମାତ୍ର ପୁଟିନ୍ ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଦୃଢ଼ସଂକଳ୍ପ। ଯାହା ହେଉନା କାହିଁକି ଏହି ଧ୍ୱଂସାତ୍ମକ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ଫେରିଆସୁ ଏବଂ ଏଥିପାଇଁ ଭାରତକୁ ସକ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ପ୍ଲଟ୍ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
https://www.dharitri.com/66-dead-in-nepal-floods/
ନେପାଳ ବନ୍ୟାରେ ୬୬ ମୃତ କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର ସୁଦ୍ଧା ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ନେପାଳ ଗୃହ ମନ୍ତ୍ରଣାଳୟର ଅଧିକାରୀ ଦିଲ କୁମାର ତମାଙ୍ଗ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ସେହିପରି ଶନିବାର ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ଦେଶର ୬୯ ଜଣ ନିଖୋଜ ଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁ ଉପତ୍ୟକାରୁ ସର୍ବାଧିକ ୪୦ରୁ ଅଧିକ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ବନ୍ୟାରେ କାଠମାଣ୍ଡୁ ସହରର ଟ୍ରାଫିକ୍ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ସାଧାରଣ କାର୍ଯ୍ୟକଳାପକୁ ଅଟକାଇ ଦେଇଛି। ସେହିପରି ବନ୍ୟାରେ ଟ୍ରାନ୍ସମିଶନ୍ ଲାଇନ ବାଧାପ୍ରାପ୍ତ ହୋଇଥିବାରୁ ସମ୍ପୂର୍ଣ୍ଣ କାଠମାଣ୍ଡୁରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। କେବଳ ଶୁକ୍ରବାର କାଠମାଣ୍ଡୁରେ ୩୨୨.୨ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଦେଶରେ ଅଧିକାଂଶ ନଦୀ ଫୁଲି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାରେ ନେପାଳର ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଥିବା ସହ ବିମାନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିପରି ଶନିବାର ସୁଦ୍ଧା ଦେଶର ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୩ ହଜାରରୁ ଅଧିକ ଉଦ୍ଧାରକାରୀ ଦଳ ନେପାଳ ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ହେଲିକପ୍ଟର ଏବଂ ରବର ବୋଟ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶନିବାର ସୁଦ୍ଧା ବନ୍ୟାଘେରରେ ଫସି ରହିଥିବା ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ନେପାଳ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି।
https://www.dharitri.com/ବିଶ୍ୱ-ଚାମ୍ପିୟନଶିପ୍‌ରୁ-ଓହ/
ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଲେ ମାରିନ ନୂଆଦିଲ୍ଲୀ,୫।୮- ରିଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ କାରୋଲିନା ମାରିନ ଆଗାମୀ ବିଡ୍ବ୍ଲୁଏଫ୍ ବିଶ୍ୱ ଚାମ୍ପିୟନଶିପ୍ରୁ ଓହରି ଯାଇଛନ୍ତି। ଅହତ ସମସ୍ୟା ଦେଇ ଗତି କରୁଥିବା ସ୍ପାନିଶ ଖେଳାଳି ଇଭେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିବେ ନାହିଁ ଜାଣିବା ପରେ ଏହି ଘୋଷଣା କରିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖରେ ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ସେହି ମାସ ୨୯ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳେ ସେ ବାସେଲଠାରେ ଚଳିତ ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବା ନେଇ କହିଥିଲେ। ହେଲେ ଡିଫେଣ୍ଡିଂ ଚାମ୍ପିୟନ ସେବେଠାରୁ କୋର୍ଟରୁ ଦୂରେଇ ରହିଛନ୍ତି। ମୁଁ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ସମ୍ପୂର୍ଣ୍ଣ ଫିଟ୍ ଲାଗି ସମୟ ଲାଗିବ। ଏଣୁ ମୋତେ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ମାରିନ ଏକ ଭିଡିଓରେ କହିଛନ୍ତି। ସେ ଓହରି ଯିବାରୁ ତାଙ୍କ ବଦଳରେ ଥାଇଲାଣ୍ଡ ନଚାଓନ ଜିନ୍ଦାପଲ ଟୁର୍ନାମେଣ୍ଟରେ ଖେଳିବେ। ଅନ୍ୟପକ୍ଷରେ ଭାରତୀୟ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର ଏଚ୍.ଏସ୍. ପ୍ରନୟଙ୍କୁ ମଧ୍ୟ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଆମନ୍ତ୍ରଣ ମିଳିଛି। ପୂର୍ବତନ ଚାମ୍ପିୟନ ଭିକ୍ଟର ଆଲସେନ ଓ ଚାଇନାର ଶି ୟୁକି ଓହରିବାକୁ ଯୋଗୁ ପ୍ରନୟଙ୍କୁ ସୁଯୋଗ ମିଳିଛି। ତାଙ୍କ ବ୍ୟତୀତ କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ବି ସାଇ ପ୍ରଣୀଥ ମଧ୍ୟ ଅଂଶଗ୍ରହଣ କରିବେ।
https://www.dharitri.com/ଚିତ୍ର-ଆଙ୍କୁଛନ୍ତି-ସୈଫ-ତୈମ/
ଚିତ୍ର ଆଙ୍କୁଛନ୍ତି ସୈଫ-ତୈମୁର ମୁମ୍ବାଇ: ଲକ୍ଡାଉନ୍ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତିି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ବଲିଉଡ କଳାକାରମାନେ ବିଭିନ୍ନ କାର୍ଯ୍ୟ କରି ଟାଇମ୍ପାସ୍ କରୁଛନ୍ତି। ନିକଟରେ କରୀନା କପୁର୍ ଖାନ ସୋସିଆଲ ମିଡିଆରେ ସ୍ବାମୀ ସୈଫ ଅଲ୍ଲୀ ଖାନ ଏବଂ ପୁଅ ତ୍ରେମୁର ଅଲ୍ଲୀ ଖାନଙ୍କ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ବାପା-ପୁଅ ଦୁହେଁ କାନ୍ଥରେ ପେଣ୍ଟିଂ କରୁଥିବା ଦେଖିବାକୁ ମିଳିଛି। ସୈଫ ବାଲକୋନି କାନ୍ଥରେ ଫୁଲ ଆଙ୍କୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କରୀନା ସୋସିଆଲ ସାଇଡ୍ରେ ଶେୟାର କରି କ୍ୟାପସନ୍ରେ ଲେଖିଛନ୍ତି ଯ, ସୈଫ ମୋତେ କହିଥିଲେ ମୁଁ ତୁମ ପାଇଁ ଫୁଲ ନେଇ ଆସିଛି ସେ ସମୟରେ ମୋ ମନରେ ଅଲଗା ଭାବନା ଆସିଥିଲା। ଲାଗିଲା ଯେପରି ମୋ ପାଇଁ ଗିଫ୍ଟ ଆଣିଛନ୍ତି। କିନ୍ତୁ ଗିଫ୍ଟଟି ଏପରି ଥିଲା ବୋଲି ମୁଁ ଆଦୌ ଭାବିନଥିଲି। ଏହାପରେ କରୀନା ପୁଅ ତୈମୁରଙ୍କ ଫଟୋ ଶେୟାର କରିଥିଲେ। ତୈମୁରଙ୍କ ଫଟୋରେ ଲେଖିଛନ୍ତି ଯେ, କୌଣସି କାନ୍ଥ ତୁମର ରଚନାତ୍ମକତାକୁ ରୋକିପାରିବ ନାହିଁ। ଗତ କିଛି ଦିନ ହେବ କରୀନା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି। ସେ ନିଜର କିଛି ନା କିିଛି ଫଟୋ ନିଜ ଫ୍ୟାନମାନଙ୍କ ପାଇଁ ଶେୟାର କରୁଛନ୍ତି।
https://www.dharitri.com/neeraj-chopra-will-bring-gold-medal-from-olympics/
ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ। ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଆଜି ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩ଟି ବ୍ରୋଞ୍ଜ ଜିତି ଥିବାରୁ ନୀରଜଙ୍କ ଠାରୁ ସ଼୍ବର୍ଣ୍ଣ ଆଶା କରାଯାଉଛି । ସୂଚନା ଥାଉକି, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଥିଲା । ଫାଇନାଲରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଥିଲା । ତେବେ ଯୋଗ୍ୟତା ପର୍ଯ୍ୟାୟ ପରେ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ କହିଥିଲେ ଯେ ମୁଁ ପ୍ୟାରିସକୁ ଯାହା କରିବା ପାଇଁ ଆସିଛି ତାହା କରିବି। ଏହି ମୁହୂର୍ତ୍ତଟି ମୋ ପାଇଁ ସବୁଦିନ ମନେରହିବାକୁ ଯାଉଛି ଏବଂ ମୁଁ ଭାବୁଛି ଏହା ଆଗାମୀ ପୀଢ଼ି ପାଇଁ ମଧ୍ୟ ଅନେକ ପ୍ରେରଣା ଯୋଗାଇବ ।
https://www.dharitri.com/search-operation-in-manipur-huge-weapons-seized/
ମଣିପୁରରେ ସର୍ଚ୍ଚ ଅପରେଶନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ ଇମ୍ଫାଲ,୨୧।୯: ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଜିଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି। ଏଥିସହ ୧୨୭ଟି ଚେକ୍ ପୋଷ୍ଟ ନିର୍ମାଣ କରାଯିବା ସହ ଆଇନ ଅମାନ୍ୟ ଅଭିଯୋଗରେ ୮୭୩ ଜଣଙ୍କୁ ଅଟକ ରଖାଯାଇଛି। ସୁରକ୍ଷାକର୍ମୀମାନେ ହିଂସା ପ୍ରଭାବିତ ପଶ୍ଚିମ ଇମ୍ଫାଲ, ଥଉବାଲ୍, ବିଷ୍ଣୁପୁର, କଙ୍ଗପୋକପି ଏବଂ ଚୁରାଚନ୍ଦ୍ରପୁର ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି। ଏହି ସମୟରେ ୨ଟି ଦେଶୀ ବନ୍ଧୁକ, ୫୦ଟି ଗୁଳି ସହ ୮ଟି ବୋମା ଜବତ ହୋଇଥିବା ପୋଲିସ କହିଛି। ଆସାମ ରାଇଫଲ୍ସ ଓ ରାଜ୍ୟ ପୋଲିସ ଯବାନଙ୍କ ମିଳିତ ଟିମ୍ କଙ୍ଗପୋକପି ଜିଲାର ଏକ ଗାଁରେ ଚଢ଼ାଉ କରିଥିବା ବେଳେ ୪ଟି ମୋଟାର ବୋମା ଜବତ ହୋଇଛି।
https://www.dharitri.com/iit-kanpur-claims-third-wave-of-coronavirus-will-be-less-dangerous/
ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର, ଯାହା ହେବନାହିଁ ଭୟଙ୍କର: ଆଇଆଇଟି କାନପୁର କାନପୁର,୧୯ ।୭: କରୋନା ଭାଇରସର ଦ୍ୱିତୀୟ ଲହରକୁ ଲୋକେ କେବେବି ଭୁଲିବେ ନାହିଁ । ସେହି ଭୟାବହ ଦୃଶ୍ୟକୁ ମନେପକାଇ ଆଜିବି ଆଖିର ଲୁହକୁ ଅଟକାଇ ପାରନ୍ତି ନାହିଁ ଅନେକ ପରିବାର । କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି । ଏହା ଦ୍ୱିତୀୟ ଅପେକ୍ଷା ଅଧୁକ କ୍ଷତି ଘଟାଇବ ବୋଲି କୁହାଯାଉଛି । ଏହାରି ମଧ୍ୟରେ କିନ୍ତୁ ଆଇଆଇଟି କାନପୁରର ପ୍ରଫେସର ନିଶ୍ୱାସ ନେବା ଭଳି ଏକ ଖବର ଦେଇଛନ୍ତି । ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଗାଣିତିକ ବିଶ୍ଳେଷର ‘ସୂତ୍ର’ ଆଧାରରେ କହିଛନ୍ତି କି କରୋନାର ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଏତେ ମାରାତ୍ମକ ହେବ ନାହିଁ । ଏହା ଅକ୍ଟୋବର-ନଭେମ୍ବର ମଧ୍ୟ ଭାଗରେ ଆସିପାରେ । ପ୍ରଫେସର ଅଗ୍ରୱାଲ କହିଛନ୍ତି ତୃତୀୟ ଲହରର ଆକଳନ ପାଇଁ ଆମେ ଗତ ଏକ ମାସ ହେବ ଆମ ମଡେଲ ମାଧ୍ୟମରେ ଖୁବ୍ ଗଣନା କରିଛୁ । ଯାହାର ଏହା ହେଉଛି ଫଳାଫଳ । ଏହି ଗବେଷଣାରୁ ଜଣାପଡିଛି କି ଯଦି କୌଣସି ନୂଆ ଭାରିଏଣ୍ଟ ଅଗଷ୍ଟ ଶେଷ ବେଳକୁ ଆସିଯାଉଛି, ଯାହା ଡେଲ୍ଟା ଭାରିଏଣ୍ଟ ଠାରୁ ବି ଦ୍ରୁତ ବେଗରେ ସଂକ୍ରମିତ କରୁଛି, ତାହାହେଲେ ତୃତୀୟ ଲହର ଦେଶକୁ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆସିପାରେ । ଯାହା ଦ୍ୱିତୀୟ ଭଳି ମାରାତ୍ମକ ନ ହୋଇ ପ୍ରଥମ ଭଳି ରହିବ ।
https://www.dharitri.com/ମହାନଦୀରେ-ବନ୍ୟା-ରାସ୍ତାରେ/
ମହାନଦୀରେ ବନ୍ୟା, ରାସ୍ତାରେ ଆଣ୍ଠୁଏ ପାଣି:ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ଭାପୁର,୧୫ା୮(ଡି.ଏନ.ଏ): ମହାନଦୀର ପ୍ରଥମ ବନ୍ୟା ଜଳରେ ଭାପୁର ବ୍ଲକର ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। କରବର-ବୈଦ୍ୟେଶ୍ୱର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ବ୍ଲକର ୭ ପଞ୍ଚାୟତର ୫ହଜାର ଏକର ଜମି ପାଣିରେ ବୁଡ଼ି ରହିଥିବା ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଉକ୍ତ ବ୍ଲକ ଅଞ୍ଚଳରେ ପୂର୍ବରୁ ବର୍ଷା ଅଭାବ ଯୋଗୁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଏବେ ୩/୪ ଦିନ ହେବ ବର୍ଷା ହେବାରୁ ଚାଷ କାର୍ଯ୍ୟ ଜୋର୍ ଧରିଛି। ଏହି ସମୟରେ ମହାନଦୀର ପ୍ରଥମ ବନ୍ୟାଜଳ ଆସି ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମକୁ ସଂଯୋଗ କରୁଥିବା ଫତେଗଡ଼ ମୁଖ୍ୟରାସ୍ତାରୁ ମଣିପୁର ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଉପରେ ୩ ଫୁଟ ପାଣି ଜମି ରହିଛି। ସେହିଭଳି କେନ୍ଦୁପଲ୍ଲୀ ପଞ୍ଚାୟତ ହନୁମନ୍ତପ୍ରସାଦ ଗ୍ରାମକୁ ଯାଇଥିବା ଏକମାତ୍ର ରାସ୍ତା ତଥା ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୪ ଫୁଟ ବନ୍ୟା ଜଳ ଥିବାରୁ ୧ ହଜାର ଲୋକ ଜଳବନ୍ଦୀ ରହିଛନ୍ତି। କରବର ଓ ପଦ୍ମାବତୀ ପଞ୍ଚାୟତକୁ ସଂଯୋଗ କରୁଥିବା ମାଣିତିର-ବୈଦ୍ୟେଶ୍ୱର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିବାରୁ ରାସ୍ତା ବନ୍ଦ ରହିଛି। ବ୍ଲକର ଫତେଗଡ଼ ପଞ୍ଚାୟତ, କରବର, ପଦ୍ମାବତୀ, ଶାସନ, କେନ୍ଦୁପଲ୍ଲୀ, ଧାନଚାଙ୍ଗଡ଼ା, ପଥରଚକଡ଼ା ପଞ୍ଚାୟତର ୫ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି।
https://www.dharitri.com/recommended-action-against-the-police-officer-dco/
ଥାନାଧିକାରୀ, ଡିସିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କଟକ ସଦର,୨୭ା୬(ଡି.ଏନ୍.ଏ.): ପୋଲିସଠାରୁ ନ୍ୟାୟ ନ ପାଇ କଟକ ଜିଲା କିଶନନଗର ଥାନା ପରିସରରେ ଗତ ଗୁରୁବାର ସ୍ଥାନୀୟ ସାଇକୋରୁଆ ଗ୍ରାମର ଗୁଣନିଧି ବିଶୋୟୀ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ପୋଲିସର ଭୂମିକା ଉପରେ ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସାଲେପୁର ଏସ୍ଡିପିଓ ବିମଳ କୁମାର ବାରିକଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି ବି. ଯୁଗୋଳ କିଶୋର କୁମାର ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏସ୍ଡିପିଓ ବାରିକ ପ୍ରଥମ ପର୍ଯ୍ୟାୟ ତଦନ୍ତ କରି ଗ୍ରାମାଞ୍ଚଳ ଏସ୍ପିଙ୍କ ନିକଟରେ ଶନିବାର ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତବେଳେ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣାପଡିଛି। ତେଣୁ ଥାନାଧିକାରୀ ଏବଂ ଡାଏରୀ ଚାର୍ଜ ଅଫିସର(ଡିସିଓ)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଗ୍ରାମାଞ୍ଚଳ ଏସ୍ପିଙ୍କୁ ସୁପାରିସ କରିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଖୁବ୍ଶୀଘ୍ର ଆରମ୍ଭ ହେବ। ହେଲେ ଏହା ଏସ୍ଡିପିଓଙ୍କ ପାଇଁ ଚ୍ୟାଲେଞ୍ଜ ହେବ। କାରଣ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁଣନିଧି ଚେତାଶୂନ୍ୟ ଥିବାରୁ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇ ପାରି ନ ଥିଲା। ଏଭଳି ହୋଇଥିଲେ ସମସ୍ତ ଘଟଣା ଉପରୁ ପରଦା ହଟିପାରିଥାନ୍ତା। ତେଣୁ ଏସ୍ଡିପିଓ ସାକ୍ଷ୍ୟ, ପ୍ରମାଣ ଯୋଗାଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଗତ ୧୯ରୁ ୨୩ ତାରିଖ ମଧ୍ୟରେ ଗୁଣନିଧିଙ୍କ ମୋବାଇଲ କଲ୍ ଡିଟେଲ୍ସ ରିପୋର୍ଟ(ସିଡିଆର୍) ସମ୍ପୃକ୍ତ ଟେଲିକମ୍ କମ୍ପାନୀକୁ ମାଗିଥିବା ଜଣାପଡିଛି। ଏଥିସହ ଥାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପାଇଁ ଅଗ୍ରାଧିକାର ଦିଆଯାଉଛି। ଗୁଣନିଧି ବାରମ୍ବାର ଥାନାକୁ ଆସି ନ୍ୟାୟ ପାଇଁ କେଉଁ ପୋଲିସ ଅଧିକାରୀଙ୍କୁ ଗୁହାରି କରିଥିଲେ ତାହା ସିସିଟିଭି ଫୁଟେଜ୍ରୁ ଜଣାପଡିବ ବୋଲି ଏସ୍ଡିପିଓ ବାରିକ କହିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାରେ ପୋଲିସ ଯେଉଁମାନଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛି, ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗୁଣନିଧିଙ୍କ ମୃତ୍ୟୁକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆର୍ସି) ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା(ନଂ.୧୨୦୯/୨୨) ରୁଜୁ କରିଛନ୍ତି। ଏଥିସହ ଡିଜିପି ଓ ଆଇଜିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି। ସୂଚନାଯୋଗ୍ୟ, କିଶନନଗର ଥାନା ଅଧୀନ ଇଶାଣୀ-ବ୍ରହ୍ମପୁର ପଞ୍ଚାୟତ ସାଇକୋରୁଆ ଗ୍ରାମର ଗୁଣନିଧିଙ୍କ ସଂସାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ। ଚାଷ ମୁଖ୍ୟ ପେସା ହୋଇଥିବାବେଳେ ଛୋଟ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୁଣନିଧି ଏବଂ ତାଙ୍କ ପୁତୁରା ସାଗର ବିଶୋୟୀଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଗତ ୧୯ ତାରିଖରେ ଏହି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗୁଣନିଧି କିଶନନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ପରେ ଗୁଣନିଧି କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ତୁରନ୍ତ ପୋଲିସ ଏକ ମାମଲା(ନଂ.୧୦୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ପୋଲିସ ଉପରୁ ଭରସା ନ ପାଇ ଗୁଣନିଧି ଗୁରୁବାର ଥାନା ପରିସରରେ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲିସ ସାଗରଙ୍କୁ ଗିରଫ କରିଥିଲା।
https://www.dharitri.com/oca-mourns-shantanu-shatapathis-death/
ଶାନ୍ତନୁ ଶତପଥୀଙ୍କ ବିୟୋଗରେ ଓସିଏର ଶୋକ ଭୁବନେଶ୍ୱର,୫।୧୧(ସ୍ପୋଟ୍ସବ୍ୟୁରୋ): ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଶାନ୍ତନୁ ଶତ୍ପଥୀଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶାନ୍ତନୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ତରଫରୁ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ସେ ମୋଟ ୨୬ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୨୭୮ ରନ ସଂଗ୍ରହ କରିବା ସହ ୬୯ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୪୯ ଓ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୮/୭୮ ରହିଥିଲା। ଓସିଏ ତରଫରୁ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଏବଂ ଆସୋସିଏଶନ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
https://www.dharitri.com/ଏଏଫ୍‌ସି-ଏସିଆନ-କପ୍‌-ମହିଳା/
ଏଏଫ୍‌ସି ଏସିଆନ କପ୍‌ ମହିଳା ଫୁଟବଲର ଉନ୍ନତି ସହାୟ ହେବ: ମେମୋଲ ନୂଆଦିଲ୍ଲୀ,୬।୬(ପି.ଟି.): ଭାରତରେ ୨୦୨୨ ଏସିଆନ ଫୁଟବଲ କନ୍ଫେଡେରେଶନ (ଏଏଫ୍ସି) ମହିଳା ଏସିଆନ୍ କପ୍ ଫୁଟବଲ ଆୟୋଜନ ହେବ। ଘରୋଇ ଦର୍ଶକଙ୍କ ସାମ୍ନାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଲେ ଭାରତୀୟ ଫୁଟବଲର ବିକାଶ ହୋଇପାରିବ। ଏହା ଦ୍ୱାରା ଭାରତୀୟ ମହିଳା ଫୁଟବଲର ବିକାଶ ହୋଇପାରିବ ବୋଲି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ଓ୍ବେବ୍ସାଇଟ୍ରେ ଜାତୀୟ ମହିଳା ଫୁଟବଲର ଦଳର କୋଚ୍ ମେମୋଲ ରକି କହିଛନ୍ତି। ୧୯୭୯ ପରେ ପ୍ରଥମଥର ପାଇଁ ଭାରତରେ ମହିଳା ଏସିଆନ୍ କପ୍ ୨୦୨୨ ଫାଇନାଲ୍ସ ଆୟୋଜନ ହେବାକୁ ଯାଉଛି। ଭାରତରେ ଏଭଳି ବଡ଼ ଟୁର୍ନାମେଣ୍ଟ ଆୋୟାଜନ ହେବାକୁ ଯାଉଥିବାରୁ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି। ଦୀର୍ଘ ବର୍ଷ ପରେ ଭାରତକୁ ଏସିଆନ୍ କପ୍ ଆଣିଥିବାରୁ ଏଆଇଏଫ୍ଏଫ୍କୁ ଧନ୍ୟବାଦ ଦେଉଛି। ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଆମ ପାଖରେ ଏବେ ଆଉ ଦେଢ ବର୍ଷ ରହିଛି। ଏହି ମେଗା ଇଣ୍ଟେରେ ଭଲ ପ୍ରଦର୍ଶନ କରିବୁ ବୋଲି ମେମୋଲ ଆଶା ପ୍ରକାଶ କରିଛନ୍ତି। ଭାରତରେ ମହିଳା ଫୁଟବଲର ବିକାଶ ହେଉଛି ଓ ଏହା ସମସ୍ତଙ୍କୁ ଜଣାଅଛି। ଏସିଆର କେତୋଟି ଶ୍ରେଷ୍ଠ ଦେଶ ବିପକ୍ଷରେ ଭାରତ ଏହି ଟୁର୍ନାମେଣ୍ଟରେ ଖେଳିବ ଓ ପ୍ରଶଂସକମାନେ ଏହା ଭରପୂର ମଜା ନେବେ ବୋଲି ସେ କହିଛନ୍ତି। ଜାପାନ, ଅଷ୍ଟ୍ରେଲିଆ, କୋରିଆ, ଚାଇନା ବିପକ୍ଷରେ ଭାରତୀୟ ମହିଳା ଦଳ ଷ୍ଟାଡିୟମରେ ଖେଳିବ। ଏହାଦ୍ୱାରା ବାଳିକା ଫୁଟବଲରମାନେ ବେଶ୍ ଉତ୍ସାହିତ ହେବେ। ମୋଟାମୋଟି ଉପରେ ଦେଶରେ ମହିଳା ଫୁଟବଲର ବିକାଶ ହେବ ବୋଲି ସେ କହିଛନ୍ତି। ଭାରତୀୟ ମହିଳା ଦଳ ଏବେ ବିଶ୍ୱର ୫୫ ନମ୍ବର ସ୍ଥାନରେ ରହିଛି। ୨୦୧୯ ସାଉଥ୍ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଓ ଉଜ୍ବେକିସ୍ତାନ ଓ ଭିଏତ୍ନାମ ଭଳି ଉଚ୍ଚ ର଼୍ୟାଙ୍କର ଦଳ ବିପକ୍ଷରେ ମ୍ୟାଚ୍ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଖେଳିଲେ ଆମର ସ୍ବପ୍ନ ସାର୍ଥକ ହେବ ବୋଲି ଭାରତୀୟ ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଅଶାଲତା ଏଏଫ୍ସି ଓମ୍ୟାନ ଫ୍ଲେୟାର ଅଫ୍ ଦି ଇୟର ୨୦୧୯ ପୁରସ୍କାର ପାଇଁ ଅନ୍ୟ ଦୁଇଜଣଙ୍କ ସହ ନୋମିନେଟ ହୋଇଛନ୍ତି। ଏଭଳି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଭାରତରେ ଆୟୋଜନ ହେବାକୁ ଯାଉଥିବାରୁ ସେ ଏଆଇଏଫ୍ଏଫ୍ ଓ ମହିଳା କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଗୋଲ କିପର ଆଦିତି ଚୌହାନ ମଧ୍ୟ ଏହି ଟୁର୍ନାମେଣ୍ଟ ନେଇ ବେଶ୍ ଉତ୍ସାହିତ ଥିବା କଥା କହିଛନ୍ତି। ଭାରତରେ ଆସନ୍ତାବର୍ଷ ଫେବୃୟାରୀରେ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ କପ୍ ଆୟୋଜନ ହେବ। ତେଣୁ କ୍ରମାଗତ ଭାବେ ଦୁଇଟି ବଡ଼ ଇଭେଣ୍ଟ ଆୟୋଜନ ହେବାକୁ ଯାଉଥିବାରୁ ଭାରତରେ ଫୁଟବଲର ବିକାଶ ହେବ ବୋଲି ଆଶା କରାଯାଉଛି।
https://www.dharitri.com/ଖୋର୍ଦ୍ଧା-୩୧୭୨-ଲୋକ-ପ୍ରଭାବ/
ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବାଲିଅନ୍ତାରେ ସର୍ବାଧିକ ୫୭ ଓ ବାଣପୁରରେ ସର୍ବନିମ୍ନ ୧୫ ମି.ମି ବର୍ଷା ହୋଇଛି। ୫ବ୍ଲକ ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର, ଚିଲିକା ଓ ଜଟଣୀର ୩୬ଟି ପଞ୍ଚାୟତ, ୬୨ଟି ଗାଁ ସମେତ ବାଣପୁର ଓ ବାଲୁଗାଁ ଏନ୍ଏସିର ୮ଟି ୱାର୍ଡରେ ମୋଟ ୩୧୭୨ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୩୨୧ ପୁରୁଷ ଓ ୮୫୧ ଶିଶୁ ରହିଛନ୍ତି। ୧୦୩ ବାତ୍ୟା ଆଶ୍ରୟସ୍ଥଳରେ ଏମାନଙ୍କୁ ରଖାଯାଇଛି। ବାତ୍ୟାରେ କେହି ମୃତାହତ ହୋଇ ନ ଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଜିଲାରେ ୩୮ ହେକ୍ଟର ଜମିରେ ଧାନ ଚାଷ, ୨୦ ହେକ୍ଟର ଆଖୁ ଚାଷ, ୮ ହେକ୍ଟର ଜମିରେ ନଡ଼ିଆ ଗଛ ନଷ୍ଟ ହୋଇଛି। ୪୦ଟି ଚାଳଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବାତ୍ୟା ଆଶ୍ରୟସ୍ଥଳରେ ୭୩୧ କୁଇଣ୍ଟାଲ ଚାଉଳ, ୧୦୩୯ କୁଇଣ୍ଟାଲ ଲେଖାଏ ଚୁଡ଼ା ଓ ଗୁଡ଼ ଏବଂ ୯୬୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ଜିଲାରେ ୨୧ଟି ମେଡିକାଲ ଟିମ୍, ୧୦ଟି ପ୍ରାଣୀଧନ ସ୍ବାସ୍ଥ୍ୟ ଟିମ, ୨ଟି ଓଡ୍ରାଫ ଟିମ୍ ନିୟୋଜିତ ଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି।
https://www.dharitri.com/kkr-restrict-dc-to-127-on-slow-sharjah-pitch/
କେକେଆର୍‌ର କ୍ଲାସିକାଲ ବୋଲିଂ, ୧୨୭ରେ ଅଟକିଲା ଦିଲ୍ଲୀ ଶାରଜା,୨୮।୯: ଶାରଜା ଷ୍ଟାଡିୟମରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୧୨୭ ରନ୍ରେ ରୋକି ଦେଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଦଳୀୟ ବୋଲରଙ୍କ କାରଣରୁ ଏହା ସଫଳ ହୋଇପାରିଛି। ଲୋକି ଫର୍ଗୁସନ, ଭେଙ୍କଟେଶ ଆୟାର ଓ ସୁନିଲ ନାରିନ ୨ ଲେଖାଏ ଉଇକେଟ ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ୍ କରିଛି। ଦଳ ପାଇଁ ଷ୍ଟିଭ ସ୍ମିଥ (୩୯), ଅଧିନାୟକ ରିଷଭ ପନ୍ତ (୩୯), ଶିଖର ଧାଓ୍ବନ (୨୪)ଙ୍କୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ କେହି ବଡ଼ ଇନିଂସ ଖେଳିପାରି ନ ଥିଲେ। ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନ ଗୋଟିଏ ହେଲେ ଛକା ମାରିପାରି ନ ଥିଲେ।
https://www.dharitri.com/bjp-at-night-bjd-in-the-morning/
ରାତିରେ ଭାଜପା, ସକାଳେ ବିଜେଡି ସମ୍ବଲପୁର,୨୮ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟିବା ସ୍ଥିତି ଦେଖିବାକୁ ମିଳିଛି। ବିଜେଡି ନେତା ରାତିରେ ଭାଜପାରେ ମିଶିବା ପରେ ସକାଳେ ପୁଣି ଦଳକୁ ଫେରିବା ଘଟଣା ସମ୍ବଲପୁରରେ ଆଲୋଚନାର ବିଷୟ ହୋଇଛି। ସୂଚନା ଅନୁଯାୟୀ ଜାନୁୟାରୀ ୧୮ରେ ଘେନୁପାଲି ପଞ୍ଚାୟତର ବିଜେଡି ସଭାପତି ଅନନ୍ତ ବେହେରା ଶତାଧିକ ସମର୍ଥକଙ୍କ ସହ ଭାଜପାରେ ଯୋଗଦେଇଥିଲେ। ସେ ସମୟରେ ଭାଜପାର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଦଳରେ ଯୋଗ ଦେଇଥିବା କହିଥିଲେ। ରାତିରେ ଏହି ଖବର ସବୁଆଡେ ପ୍ରଚାର ହୋଇଗଲା। ଏପରି କି ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ପାଖରେ ପହଞ୍ଚତ୍ଥିଲା। ରାତିଅଧିଆ ବିଜେଡିର ନେତା ଓ କର୍ମୀ ଅନନ୍ତଙ୍କ ପାଖରେ ପହଞ୍ଚି ବୁଝାଶୁଝା କରିଥିଲେ। ପରେ ସମ୍ବଲପୁର ସାଖିପଡାସ୍ଥିତ ବିଧାୟକ ପୂଜାରୀଙ୍କ ବାସଭବନରେ ସେ ପୁଣି ଦଳକୁ ଫେରିଥିଲେ। ଅନ୍ୟ ଏକ ଘଟଣାକ୍ରମେ ବିଜେଡି କର୍ମୀ ତଥା ଧମାର ପୂର୍ବତନ ସମିତି ସଭ୍ୟ ଦଳଗଞ୍ଜନ ସେଠ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଆଉ ଜଣେ ବିଜେଡି ସମର୍ଥିତ ପ୍ରାର୍ଥୀ ଏହି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ। ଏପରିସ୍ଥଳେ ସେ ଭାଜପା ନେତାଙ୍କ ସଂସ୍ପର୍ଶରେ ଆସି ଜାନୁୟାରୀ ୨୫ରେ କଚେରୀସ୍ଥିତ ଭାଜପା କାର୍ଯ୍ୟାଳୟରେ ଦଳରେ ଯୋଗଦାନ କରିଥିଲେ। ଜିଲା ସଭାପତି ଗିରିଶ ପଟେଲ, ଦେବେନ୍ଦ୍ର ମହପାତ୍ର, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖବର ପାଇ ରାତିଅଧିଆ ବିଜେଡି ନେତା ଓ କର୍ମକର୍ତ୍ତା ଦଳଗଞ୍ଜନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ପରଦିନ ସକାଳେ ବିଧାୟକ ପୂଜାରୀଙ୍କ ଘରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଘର ବାହୁଡା କରିଥିଲେ। ଏଭଳି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
https://www.dharitri.com/did-supermom-winner-haryana-labor-varsha-bumra/
ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ । ଶ୍ରମିକ ଭାବେ କାମ କରୁଥିବା ବର୍ଷା ଡିଆଇଡି ସୁପର ମମ ବିଜେତା ହୋଇ ସାଢେ ୭ ଲକ୍ଷ ଟଙ୍କା ସହ ଟ୍ରଫି ଜିତିଛନ୍ତି । ଏହାପରେ ବର୍ଷା କହିଛନ୍ତି ଜୀବନରେ ସେ କେବେ ଏତେ ଟଙ୍କା ଦେଖି ନ ଥିଲେ । ତେବେ ଯେଉଁମାନଙ୍କଠାରୁ ସେ କରଜ କରି ମୁମ୍ବାଇ ଆସିଥିଲେ ଫେରିଲେ ପ୍ରଥମେ ସେ ସେମାନଙ୍କ ଋଣ ସୁଝିବେ ଓ ଅବଶିଷ୍ଟ ଟଙ୍କାରେ ସେ ତାଙ୍କ ପୁଅ ପାଇଁ ଘରଟିଏ ତିଆରି କରିବେ ବୋଲି କହିଛନ୍ତି । ଟ୍ରଫି ଜିତିବା ପରେ ବର୍ଷା କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି । କାରଣ ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ମୁଁ ବିଜୟୀ ହୋଇଛି । ଏପର୍ଯ୍ୟନ୍ତ ମୋର ଜର୍ଣ୍ଣି ଖୁବ୍ ସୁନ୍ଦର ରହିଛି । ମୁମ୍ବାଇରେ କାଟିଥିବା ୩ ମାସ ମୋ ଜୀବନର ସବୁଠାରୁ ସୁନ୍ଦର ସମୟ । ସ୍ୱପ୍ନ ଦେଖିବାର କୌଣସି ବୟସ ନାହିଁ । ଯଦି ନିଜ ଭିତରେ କିଛି କ୍ୱାଲିଟି ଅଛି ତେବେ ପରିସ୍ଥିତି ବା ପରିବେଶର କୌଣସି ମାନେ ନାହିଁ । ତେବେ ବର୍ଷାଙ୍କର ଏହି ଯାତ୍ରାରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ସହଯୋଗ କରିଥିବା ସେ କହିଛନ୍ତି ।
https://www.dharitri.com/bigg-boss-wins-tejaswi-prakash/
ବିଗ୍‌ ବସ୍‌ ଜିତିଲେ ତେଜସ୍ବୀ ପ୍ରକାଶ ମୁମ୍ବାଇ: ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବିଗ୍ ବସ୍-୧୫ ସିଜିନ ବିଜୟିନୀ ହୋଇଛନ୍ତି। ୪ ମାସ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସଲମାନ୍ ଖାନ୍ଙ୍କ ରିଅଲିଟି ଶୋ’ ବିଗ୍ ବସ୍-୧୫ ସିଜିନର ସେ ଅନ୍ୟତମ ପ୍ରମୁଖ ପ୍ରତିଯୋଗୀ ଥିଲେ। ସିରିଏଲ ‘ସ୍ବରାଗିଣୀ’ର ଏହି ଅଭିନେତ୍ରୀ ଟାଇଟଲ ଜିତିବା ପରେ ପୁରସ୍କାର ବାବଦରେ ୪୦ ଲକ୍ଷ ଟଙ୍କା ଏବଂ ଟ୍ରଫି ପାଇଛନ୍ତି। ‘ସିଲସିଲା ବଦଲ୍ତେ ରିସ୍ତୋଁ କା-୨’ ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। ବିଗ୍ ବସ୍-୧୫ ଗ୍ରାଣ୍ଡ୍ ଫିନାଲେରେ କରନ କୁନ୍ଦ୍ରା, ତେଜସ୍ବୀ, ନିଶାନ୍ତ ଭଟ୍ଟ ଏବଂ ପ୍ରତୀକ ସେହଜପାଲ ଟ୍ରଫି ପାଇଁ ପ୍ରତିଯୋଗିତା କରିଥିଲେ। ପ୍ରତୀକ ପ୍ରଥମ ରନର୍ ଅପ୍ ଏବଂ କରନ କୁନ୍ଦ୍ରା ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି।
https://www.dharitri.com/ଏମିତି-ଇଦ୍‌-ପାଳିଲେ-ନୌଶାଦ୍/
ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ ଥିରୁଭାନନ୍ତପୁରମ୍,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ ମୃତ୍ୟୁ ହେଲାଣି। କେବଳ କେରଳରେ ୭୨ରୁ ଅଧିକ ଜଣ ବନ୍ୟାରେ ପ୍ରାଣ ହରାଇଲେଣି। ୨.୨୭ଲକ୍ଷ ଲୋକଙ୍କୁ ରିଲିଫ୍ ସେଣ୍ଟରରେ ଥଇଥାନ କରାଯାଇଛି। ଲଗାତାର ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଫଳରେ କେରଳରେ ଇଦ୍ ଉତ୍ସବ ଫିକା ପଡିଯାଇଛି। ଏର୍ନାକୁଲମରେ ନୌଶାଦ୍ ନାମକ ଜଣେ ବ୍ୟକ୍ତି ନିଆରା ଢଙ୍ଗରେ ଇଦ୍ ପାଳନ କରିଛନ୍ତି। ସେ ନିଜ କପଡା ଗୋଦାମରେ ଥିବା ସବୁ ଲୁଗାପଟା ବନ୍ୟା ପୀଡ଼ିତଙ୍କୁ ଦାନ କରିଦେଇଛନ୍ତି। ସେ କହିଛନ୍ତି, ଚର୍ଚ୍ଚାରେ ରହିବା ପାଇଁ ଏଭଳି ପଦକ୍ଷେପ ନେଇ ନାହିଁ ବରଂ ଲୋକଙ୍କୁ ଏଭଳି ବିପଦ ସମୟରେ ସାହାଯ୍ୟ କରି ମୁଁ ଇଦ୍ ଉତ୍ସବ ପାଳନ କରୁଛି। ଏଥର ଇଦ୍ ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।
https://www.dharitri.com/ପିତାଙ୍କ-ଶ୍ରାଦ୍ଧବାର୍ଷିକୀ/
ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଇମୋଶନାଲ ହେଲେ ଐଶ୍ୱର୍ଯ୍ୟା ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପିତା କୃଷ୍ଣରାଜ ରାୟଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି। ଐଶ୍ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପିତାଙ୍କୁ ମନେ ପକାଇବା ସହିତ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବହୁତ ଇମୋଶନାଲ୍ ହୋଇଯାଇଥିବା ଜଣାପଡୁଛନ୍ତି। ୨୦୧୭ ମସିହାରେ କର୍କଟ ରୋଗରେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସେ କ୍ୟାପ୍ଶନ ଲେଖିଛନ୍ତି, ତୁମେ ବହୁତ ମନେ ପଡୁଛ ବାବା। ଆଉ ଗୋଟିଏ ଫଟୋ ଶେୟାର କରି ଲେଖିଛନ୍ତି, ଭଗବାନ ଆପଣଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ଐଶ୍ୱର୍ଯ୍ୟାଙ୍କ ସହ ଏହି ଫଟୋରେ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ନଜର ଆସିଛନ୍ତି। ତାଙ୍କ ସହିତ ଐଶ୍ୱର୍ଯ୍ୟାଙ୍କ ମା’ ମଧ୍ୟ ଅଛନ୍ତି। ଏହି ଫଟୋକୁ ଏବେସୁଦ୍ଧା ୧୦ ଲକ୍ଷରୁ ଅଧିକ ୟୁଜର ଲାଇକ୍ କରିସାରିଲେଣି।
https://www.dharitri.com/rains-brought-relief/
ଆଶ୍ୱସ୍ତି ଆଣିଲା ଅଦିନିଆ ବର୍ଷା ଢେଙ୍କାନାଳ ଅଫିସ, ୬ା୫ ପାଖାପାଖି ୧୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ଢେଙ୍କାନାଳ ଜିଲାବାସୀଙ୍କୁ ଗୁରୁବାର ମିଳିଛି ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରାୟ ୩ଘଣ୍ଟା ଧରି ହୋଇଥିବା ପ୍ରବଳ ଝଡ଼ବର୍ଷା ପରିବେଶକୁ ଶୀତଳ କରିଛି। ତା’ସାଙ୍ଗକୁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି। ଢେଙ୍କାନାଳ ସହରରେ ସକାଳୁ ପାଗ ମେଘୁଆ ରହିଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୧ ଡିଗ୍ରୀରେ ସୀମିତ ରହିଥିଲା। ତେବେ ଅପରାହ୍ନ ୪ଟାରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସିବା ସହ ପାଗ ବଦଳିଥିଲା। ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ପ୍ରାୟ ଦୁଇଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ତାପମାତ୍ରା ସହିତ ଗୁଳୁଗୁଳି ହ୍ରାସ ପାଇଛି। ଗରମ ପବନରେ ସନ୍ତୁଳି ହେଉଥିବା ସହରବାସୀଙ୍କୁ ଆଶ୍ୱସ୍ତି ମିଳିଛି। ତେବେ ଝଡ଼ବର୍ଷାରେ କୁଞ୍ଜକାନ୍ତ, ବାଜିଚୌକ ସମେତ ବିଭିନ୍ନ ସ୍ଥାନରେ ଗଛଡ଼ାଳ ଭାଙ୍ଗିପଡ଼ିଛି। ଗଛ ମଧ୍ୟ ଉପୁଡ଼ିଛି। କେତେକ ସ୍ଥାନରେ ଆଜ୍ବେଷ୍ଟସ୍, ଟିଣଛପର ଏବଂ ଚାଳଘର ଭାଙ୍ଗିଯାଇଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷେ ଝଡ଼ବର୍ଷା ଯୋଗୁ ଦୀର୍ଘ ୩ଘଣ୍ଟା ଧରି ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା। ବର୍ଷା କମିବା ପରେ ଏହା ସ୍ବାଭାବିକ ହୋଇଛି। ସେହିପରି ଭୁବନ, କାମାକ୍ଷାନଗର, କଙ୍କଡ଼ାହାଡ଼ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି।
https://www.dharitri.com/ରେଲ୍‌ଓ୍ବେ-ଶ୍ରମିକଙ୍କ-କାର୍/
ରେଲ୍‌ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ବଅଁରପାଳ,୧ା୬(ଡି.ଏନ୍.ଏ.): ସୋମବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍୍କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨ ବର୍ଷ ହେଲା ୟୁନିରାଲ ରେଲଓ୍ବେ ରୋଡ୍ କନ୍ଷ୍ଟ୍ରକ୍ସନର କାର୍ଯ୍ୟ କରୁଥିଲେ। ମାତ୍ର ଦୀର୍ଘଦିନ ହେଲା ଏହି କମ୍ପାନୀର କାର୍ଯ୍ୟକଳାପ ସମାପ୍ତ ହୋଇଥିବା ବେଳେ କୌଣସି ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଦରମା ମିଳିନାହିଁ। ସେହିପରି ଦୀର୍ଘ ୪ ମାସ ହେଲା ଅନ୍ୟ ଏକ କମ୍ପାନୀ ଲିଫ୍ଟ ଆଣ୍ଡ୍ ସିପ୍ଟ କମ୍ପାନୀ ଏହାର କାର୍ଯ୍ୟାଦେଶ ପାଇଛି। ମାତ୍ର କମ୍ପାନୀ ପକ୍ଷରୁ ସୁରକ୍ଷା ସରଞ୍ଜାମ ନିଯୁକ୍ତି ପତ୍ର ବାବଦକୁ ୨ ଶହ ଟଙ୍କା ଲେଖାଏ କୌଣସି ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ। ତେଣୁ ଏସବୁ ସୁବିଧା ଯୋଗାଇ ଦେବା ପାଇଁ ଶ୍ରମିକମାନେ ଆନ୍ଦୋଳନ କରିଥିବା କହିଛନ୍ତି। ଏହି ଆନ୍ଦୋଳନରେ ପ୍ରଶାନ୍ତ ରାଉତ, ପ୍ରିୟବ୍ରତ କୁମାର, ଦୀପକ ବିଶ୍ୱାଳ, ପ୍ରହ୍ଲାଦ ସାହୁ, ସୌଭାଗ୍ୟ ନାୟକ ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ସାମିଲ ଥିଲେ।
https://www.dharitri.com/ଚାଷୀ-କଣ-ଦୟାର-ପାତ୍ର/
ଚାଷୀ କ’ଣ ଦୟାର ପାତ୍ର ସବ୍ୟସାଚୀ ଅମିତାଭ ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ କେବେ ବଦଳିବ? କେବେ ଚାଷୀଙ୍କର ଆୟ ଦୁଇଗୁଣ ହେବ? କେବେ ତା’ ଜମିକୁ ପାଣି ମାଡିବ? କେବେ ତା’ ପାଇଁ ଶୀତଳଭଣ୍ଡାର ହେବ? ଏମିତି କେତେ ପ୍ରଶ୍ନ। ଏହି ‘ନାହିଁ-ନାହିଁ’ର ଶବ୍ଦଜାଲ ଭିତରେ ଆଉ ଗୋଟିଏ ପ୍ରଶ୍ନ ହେଉଛି- ସତରେ କ’ଣ ଆମ ରାଜ୍ୟର ଚାଷୀ କାହା ଦୟାର ପାତ୍ର! କେବେ ଅମଳ ହେଉନି ତ କେବେ ଅମଳ ହେଲେ ବିକ୍ରି ନାହିଁ। ଲହୁଲୁହକୁ ଏକାଠି କରି ପ୍ରକୃତି ସହ ଲଢ଼େଇ କରି ଫସଲ ମୁଠାକ ଅମଳ କଲେ ବି ସାଇତି ରଖିବାକୁ ଶୀତଳଭଣ୍ଡାର ନାହିଁ। କେଉଁଠି ବଜାର ନାହିଁ ତ କେଉଁଠି ମଣ୍ଡି ଖୋଲିନି। ବଜାର ଥିଲେ ଚାଷୀଙ୍କୁ ସୁଯୋଗ ନାହିଁ, ମଣ୍ଡିରେ ଦଲାଲଙ୍କ ରାଜୁତି। ମାଟି ସହ ମାଟି ହୋଇ, ଖରାତରାକୁ ଖାତିର ନ କରି ନିଜ ଚାରିପୁରୁଷର ପାରମ୍ପରିକ ଚାଷକୁ ଆଦରିବାକୁ ଚେଷ୍ଟା କଲାବେଳକୁ ଜମିକୁ ପାଣି ମାଡୁନି। କେନାଲ ଅଛି, ପାଣି ପଞ୍ଚାୟତ ଅଛି, ହେଲେ ସରକାରୀ କାଗଜକଲମରେ କେବଳ ପାଣି ମାଡୁଛି। ପଡିଆ ପଡୁଛି ଚାଷୀର ଜମି। ବର୍ଷାର ଦୟାରୁ ଚାଷଜମିକୁ ବତର କରି ଫସଲ ଉପୁଜାଇବାକୁ ଉଦ୍ୟମ କଲାବେଳେ ରୋଗପୋକ ମାଡିବସୁଛି ଚାଷୀର ସ୍ବପ୍ନକୁ। ସାର-ଔଷଧ ପାଇଁ ତାକୁ ହାତ ପତାଇବାକୁ ପଡୁଛି ମହାଜନ ପାଖରେ, ନ ହେଲେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପାଖରେ। ସରକାର ଚାଷୀକୁ ଋଣ ଦେବା ପାଇଁ ଖୋଲିଛନ୍ତି ସମବାୟ ବ୍ୟାଙ୍କ। ହେଲେ ସେଠି ବିଲରେ ଖଟୁଥିବା ଚାଷୀଙ୍କୁ ନୁହେଁ ବରଂ ବିଲ ଦେଖି ନ ଥିବା ଚାଷୀ ନେତାଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଋଣ। ଅସଲ ଚାଷୀଟି ଋଣ ନ ପାଇ କରଜରେ ବୁଡୁଛି। ଆଉ ଫସଲ ଉଜୁଡିଗଲେ ଋଣ ଶୁଝି ନ ପାରିବାର ଆଶଙ୍କାରେ ଆତ୍ମହତ୍ୟାକୁ ଆଦରି ନେଉଛି। ସରକାର ପରେ ସରକାର ଆସୁଛନ୍ତି। ଚାଷୀ ପାଇଁ ଯୋଜନା ପରେ ଯୋଜନା ତିଆରି ହେଉଛି। ପୁରସ୍କାର ପରେ ପୁରସ୍କାର ମିଳୁଛି। କିନ୍ତୁ ବାସ୍ତବତା ସମ୍ପୂୂର୍ଣ୍ଣ ଶୂନ୍ୟ। ସରକାରଙ୍କ କୌଣସି ଯୋଜନା ପ୍ରକୃତ ଚାଷୀ ପାଖେ ପହଞ୍ଚତ୍ପାରୁନି। ତାକୁ ଅଧା ବାଟରେ ହରିଲୁଟ୍ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ମୁଖାପିନ୍ଧା ନକଲି ଚାଷୀ। ଟିକେ ନିରିଖେଇ ଦେଖିଲେ ଚାଷଜମି ଥିବା ଅଧିକାଂଶ ଲୋକ ଚାଷୀ ନୁହନ୍ତି। କିଏ ପୂର୍ବ ଜମିଦାରି ସୂତ୍ରରେ ଅବା ପୈତୃକ ଚାଷଜମିର ମାଲିକାନା ଜାହିର କରନ୍ତି। କିନ୍ତୁ କେବେ ସେମାନେ ଚାଷଜମିକୁ ଗଡିନାହାନ୍ତି। ସେମାନଙ୍କ ଚାଷଜମି ଭାଗସୂତ୍ରରେ ଲାଗିଛି। ଆଉ ଭାଗଚାଷୀଟି ପ୍ରତିକୂଳ ପରିସ୍ଥିତିରେ ମାଟି ସହିତ ଯୁଝି ଫସଲ ଅମଳ କଲାବେଳକୁ ପ୍ରକୃତି ବିପତ୍ତି ଆଣୁଛି। ସରକାର ଯେଉଁ କ୍ଷତିପୂରଣ ଦେଉଛନ୍ତି, ତାହାର ପ୍ରକୃତ ହିତାଧିକାରୀ ହେଉଛି ଜମି ମାଲିକ। ଅର୍ଥାତ୍, ଫସଲ ଉଜୁଡୁଛି ଚାଷୀର ଆଉ କ୍ଷତିପୂରଣ ପାଉଛି ଗୋଡ଼ର କାଣିଆଙ୍ଗୁଠି କେବେ କାଦୁଅ କରି ନ ଥିବା ଜମି ମାଲିକ। କାରଣ ଏଯାଏ ଆମ ରାଜ୍ୟରେ ଭାଗଚାଷୀ ଚିହ୍ନଟ ହୋଇପାରିନି। ପ୍ରକୃତ ଚାଷୀ କେତେ, କିଏ ଚାଷୀ, କିଏ କି ପ୍ରକାର ଚାଷୀ, ଏହାର ଠିକ୍ ହିସାବ ବା ସଂଖ୍ୟା ସରକାରଙ୍କ ପାଖରେ ନାହିଁ। ଯେଉଁମାନଙ୍କୁ ସରକାର ଓ ପ୍ରଶାସନ ଚାଷୀ ବୋଲି ଦେଖାଇ ଅନୁକମ୍ପା ଓ ସହାୟତା ଦେଇ ଚାଲିଛନ୍ତି, ସେମାନଙ୍କ ଭିତରୁ ୭୦ରୁ ୮୦ ପ୍ରତିଶତ ହେଉଛନ୍ତି ଚାଷର ଚ ଅକ୍ଷର ଜାଣି ନ ଥିବା ଲୋକ। ଚାଷୀ ମାଗୁଛି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍। କିନ୍ତୁ ସରକାର ସେମାନଙ୍କର ତାଲିକା କରିପାରୁନାହାନ୍ତି। କାରଣ ସରକାରଙ୍କ ପାଖରେ ନାହିଁ ଚାଷୀର ତାଲିକା। ସରକାର ଯେଉଁ ଉଜୁଡ଼ା ଫସଲ କ୍ଷତିପୂରଣ, ମୋବାଇଲ୍, ମାଗଣା ଉପକରଣ ବାଣ୍ଟୁଛନ୍ତି, ସେମାନେ ଅଧିକାଂଶ ନକଲି ମୁଖାପିନ୍ଧା ଚାଷୀ। ଏବେ ଆସିବା କୃଷିଋଣ ଛାଡ଼ ପ୍ରସଙ୍ଗକୁ। ପ୍ରଶ୍ନ ଉଠୁଛି ସମବାୟ ବ୍ୟାଙ୍କରୁ ଋଣ ନେଉଥିବା ତଥାକଥିତ ଚାଷୀଙ୍କ ମଧ୍ୟରୁ କେତେ ଜଣ ଚାଷ କରନ୍ତି? ଚାଷ ପାଇଁ ସେମାନେ ଋଣ ନେଉଛନ୍ତି ନା ଅନ୍ୟ କୌଣସି କାମ ପାଇଁ? ଚାଷ କରୁଥିବା, ସକାଳ ହେଲେ ବିଲକୁ ଗଡୁଥିବା କେତେ ଜଣ ଚାଷୀ ଋଣ ନେଇଛନ୍ତି? ଏସବୁ ଉତ୍ତର କାହା ପାଖରେ ନାହିଁ। ଏବେ ଯଦି ନିକଟସ୍ଥ ସମବାୟ କାର୍ଯ୍ୟାଳୟକୁ କେହି ଯାଆନ୍ତି, କାନ୍ଥରେ ଲେଖାଥିବ ଋଣ ଖିଲାପକାରୀ ଅଧିକାଂଶଙ୍କୁ ଚିହ୍ନି ପାରିବେ, ସେମାନେ କେଉଁ ଭଳିଆ ଚାଷୀ? ବାସ୍ତବତାକୁ ନିରିଖେଇଲେ ଜଣାପଡେ, ଚାଷୀକୁ କେବେ ଋଣ ମିଳେନା। ଋଣ ପାଇଁ ସମବାୟ ବ୍ୟାଙ୍କ୍ ପିଣ୍ଡାରେ ଶହ ଶହ ଥର ଆଣ୍ଠେଇଲେ ବି ଋଣ କିନ୍ତୁ ତାକୁ ମିଳି ନ ଥାଏ। ତେଣୁ ସେ ମହାଜନ ଗୋଡ଼ ତଳେ ପଡି ଧାରକରଜ କରି ଚାଷ ଉଠାଏ। ତେଣୁ ଋଣଛାଡ ଦ୍ୱାରା ଯେ ପ୍ରକୃତ ଚାଷୀ ଉପକୃତ ହୋଇପାରିବ ତାହା ଭାବିବା ବୋକାମି। ଚାଷୀଙ୍କୁ ଦୟା ଦରକାର ନାହିଁ। ଦରକାର ଖେତକୁ ପାଣି। ଦରକାର ମଣ୍ଡିରେ ଧାନ ବିକିବାର ସମ୍ମାନ। ତାକୁ ଦରକାର ତା’ର ହାଡଭଙ୍ଗା ପରିଶ୍ରମର ପାଉଣା। ତାକୁ ଜମିର ମାଲିକାନା ନୁହେଁ ଫସଲର ମାଲିକାନା ଲୋଡ଼ା। ତେବେ ଯାଇ ଚାଷୀର ଭାଗ୍ୟ ବଦଳିପାରିବ। ଭୁବନେଶ୍ୱର,
https://www.dharitri.com/ଗାଜାରୁ-ଲେବାନନ୍-ମୁହାଁଇଛି/
ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ ବେରୁଟ୍,୨୩ା୯: ଲେବାନନ୍ର ଆତଙ୍କବାଦୀ ସଂଗଠନ ହେଜ୍ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍ବୁଲ୍ଲା ଶତାଧିକ ରକେଟ୍ ମାଡ଼ କରିବା ପରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଛନ୍ତି। ହେଜ୍ବୁଲ୍ଲା ଛାଡ଼ିଥିବା ରକେଟ ମଧ୍ୟରୁ ଅନେକ ଆଇଫା ସହର ନିକଟରେ ପଡ଼ିଥିବାବେଳେ ଇସ୍ରାଏଲ୍ ମଧ୍ୟ ରକେଟ ଛାଡ଼ି ଲେବାନନ୍କୁ ଟାର୍ଗେଟ କରିଛି। ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ହେଜ୍ବୁଲ୍ଲାର ଅନେକ ସଦସ୍ୟ ନିହତ ହେବା ପରେ ସାମରିକ ସଂଘର୍ଷ ବର୍ତ୍ତମାନ ଗାଜାରୁ ଲେବାନନ୍ ଆଡକୁ ମୁହାଁଇଛି। ଏଥିଯୋଗୁ ଗତବର୍ଷ ଅକ୍ଟୋବରରୁ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ଅବସାନ ସମ୍ଭାବନା ଦେଖାଯାଉ ନାହିଁ।
https://www.dharitri.com/india-or-china-whose-army-is-stronger-watch-this-video-and-you-will-be-surprised/
ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି। ସେନା ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ଏହି ପ୍ରତିଯୋଗିତା ସମ୍ବନ୍ଧରେ ଭାଇରାଲ ହେଉଥିବା ଭିଡିଓରେ ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ଦେଖିବାକୁ ମିଳିଥିଲା। ଶାରୀରିକ ପ୍ରବୃତ୍ତି ଏବଂ ଦଳଗତ କାର୍ଯ୍ୟ ସହିତ ଭାରତୀୟ ସୈନିକମାନେ ଚାଇନା ଉପରେ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିବାକୁ ସେମାନଙ୍କର ଶକ୍ତି ଏବଂ ସଂକଳ୍ପ ପ୍ରଦର୍ଶନ କରିଥିଲେ। ଭାରତୀୟ ସେନା ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ଏହି ଭିଡିଓ ସମସ୍ତ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମିଳିତ ଜାତିସଂଘ ମିଶନ ଇନ ସୁଡାନ (ୟୁଏନ୍ଏମ୍ଆଇଏସ୍) ମିଳିତ ଜାତିସଂଘ ସୁରକ୍ଷା ପରିଷଦସ୍ବାରା ୨୪ ମାର୍ଚ୍ଚ ୨୦୦୫ରେ ପ୍ରତିଷ୍ଠିତ ହୋଇଥିଲା। ସୁଡାନ ସରକାର ଏବଂ ସୁଡାନ ପିପୁଲ୍ସ ଲିବରେସନ ମୁଭମେଣ୍ଟ ମଧ୍ୟରେ ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷରର ଜବାବରେ ଏହା ପ୍ରତିଷ୍ଠା କରାଯାଇଥିଲା। ୟୁଏନ୍ଏମ୍ଆଇଏସ୍ର ମୂଳ ଉଦ୍ଦେଶ୍ୟ ହେଉଛି ଶାନ୍ତି ଚୁକ୍ତିନାମା, ମାନବିକ ସହାୟତା, ସୁରକ୍ଷା, ମାନବିକ ଅଧିକାରର ପ୍ରୋତ୍ସାହନକୁ ସମର୍ଥନ କରିବା।
https://www.dharitri.com/team-india-penalised-for-slow-over-rate-in-india-vs-new-zealand-odi-match/
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଡ଼ ଭୁଲ: ଟିମ୍‌ ଇଣ୍ଡିଆ ଉପରେ ଜରିମାନା ଲଗାଇଲା ଆଇସିସି ନୂଆଦିଲ୍ଲୀ,୨୦।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ୍। ଜାନୁୟାରୀ ୧୮ରେ ହାଇଦ୍ରାବାଦରେ ଦଳ ପ୍ରଥମ ଦିନିକିଆ ଖେଳି ୧୨ ରନ୍ରେ ବିଜେତା ହୋଇଥିଲା । ହେଲେ ଏହି ମ୍ୟାଚ୍ରେ ଏକ ଭୁଲ୍ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ସେଇଟି ଥିଲା ସ୍ଲୋ ଓଭର ରେଟ୍। ଅର୍ଥାତ ଭାରତୀୟ ଟିମ୍ ନିର୍ଦ୍ଧାରିତ ସମୟରେ ୩ ଓଭର ହ୍ରାସ କରିଥିଲା। ଏହି କାରଣରୁ ଏବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦଳ ଉପରେ ଜରିମାନା ଲଗାଇଛି। ସ୍ଲୋ ଓଭର୍ ରେଟ୍ ନିୟମାନୁଯାୟୀ ଏବେ ଭାରତୀୟ ଟିମ୍କୁ ମ୍ୟାଚ୍ ଫିସ୍(ଦେୟ)ର ୬୦% ଜରିମାନା ଦେବାକୁ ପଡ଼ିବ। ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଦଳର ଖେଳାଳିଙ୍କୁ ପ୍ରତି ଓଭର ଲାଗି ଜରିମାନା(୨୦ ପ୍ରତିଶତ) ଦେବାକୁ ପଡ଼ିଥାଏ। ଦଳ ୩ ଓଭର ନିର୍ଦ୍ଧାରିତ ସମୟରେ କରି ନ ଥିବା ହେତୁ ଜରିମାନା ୬୦% ହୋଇଛି।
https://www.dharitri.com/charanjit-singh-channi-takes-advice-from-an-astrologer/
ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ବିଶ୍ୱାସୀ ନୂଆ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼,୧୯।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ମାନନ୍ତି। ଏଥି ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ସେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିଲେ। କଂଗ୍ରେସର ଏହି ବରିଷ୍ଠ ନେତା ବହୁବାର ନିଜ ଦଳ ପାଇଁ ଚିନ୍ତାର କାରଣ ପାଲିଟିଛନ୍ତି। ଗତ ଥର ମନ୍ତ୍ରୀ ପଦ ପାଇବା ପୂର୍ବରୁ ୩ ଥର ବିଧାୟକ ଚାନ୍ନି ଯାଇଥିଲେ ଜଣେ ଜ୍ୟୋତିଷଙ୍କ ନିକଟକୁ। ରାଜନୀତିରେ ଆଗେଇବା ପାଇଁ ଜ୍ୟୋତିଷ ତାଙ୍କୁ ବାସଭବନର ଦ୍ୱାର ପୂର୍ବାମୁହଁା କରିବାକୁ ଆଦେଶ ଦେଇଥିଲେ। ପରିଣାମ ସ୍ବରୂପ ଚଣ୍ଡିଗଡ଼ ସେକ୍ଟର ୨ସ୍ଥିତ ବାସଭବନ ବାହାରେ ଥିବା ପାର୍କଠାରୁ ଏକ ବେଆଇନ ରାସ୍ତା ନିର୍ମାଣ କରାଇଥିଲେ। ଅବଶ୍ୟ କିଛି ଘଣ୍ଟା ପରେ ରାସ୍ତାକୁ ଓପାଡ଼ି ଫିଙ୍ଗିଥିଲା ଚଣ୍ଡିଗଡ଼ ପ୍ରଶାସନ। ତେବେ ଜ୍ୟୋତିଷଙ୍କ ଆଦେଶରେ ବିବାଦୀୟ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆଁ ନୁହେଁ। ପୂର୍ବରୁ ଥରେ ଜ୍ୟୋତିଷଙ୍କ ଆଦେଶରେ ଖରାରସ୍ଥିତ ନିଜ ଘର ଆଗରେ ହାତୀ ଉପରେ ବସିଥିଲେ। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ୨୦୧୮ରେ ଏକ ପଲିଟେକନିକ ଇନଷ୍ଟିଚ୍ୟୁଟରେ ଜଣେ ଲେକଚର ପୋଷ୍ଟ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଟସ୍ ପକାଇ ଯୋଗ୍ୟ ପ୍ରାର୍ଥୀ ବାଛିଥିଲେ। ଏହା ପୂରା ରାଜ୍ୟ କଂଗ୍ରେସର ମୁଣ୍ଡ ନୁଆଁଇ ଦେଇଥିଲା। ତେବେ ସ୍ବଚ୍ଛ ଢ଼ଙ୍ଗରେ ପଦବି ବଣ୍ଟନ କରିବା ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା ବୋଲି କଂଗ୍ରେସ ପ୍ରବକ୍ତା ଯୁକ୍ତି ବାଢ଼ିଥିଲେ।
https://www.dharitri.com/nia-sharma-befitting-reply-to-trolls-saying-shameless/
ଟ୍ରୋଲର୍‌ କହିଲେ ‘ଲଜ୍ଜାହୀନ’; ବ୍ୟାକ୍‌ଲେସ୍‌ ଟପ୍‌ ପିନ୍ଧି ଏଭଳି ଜବାବ ଦେଲେ ନିଆ ଶର୍ମା ବମ୍ବେ: ଯେସାକୁ ତେସା। ଏପରି କିଛି କରିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମା। କେତେବେଳେ ବିକିନି ତ କେତେବେଳେ ନିଜର ନିଆରା ମେକଅପ୍ ଏବଂ ଫ୍ୟାଶନ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ନିକଟରେ ସେ ଏକ କଳା ରଙ୍ଗର ବ୍ୟାକ୍ଲେସ୍ ଟପ୍ ପିନ୍ଧି ଭିଡିଓ ଶେୟାର କରିଥିଲେ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ଟ୍ରୋଲରଙ୍କ ଭାଷାରେ ଜବାବ ଦେଇଛନ୍ତି ନିଆ। ମଙ୍ଗଳବାର ନିଜର ସୋସିଆଲ ପୃଷ୍ଠାରେ ଉକ୍ତ ପୋଷାକର ଅନ୍ୟ ଏକ ଭିଡିଓ ଶେୟାର କରି ନିଆ ‘ବ୍ୟାକ୍ଲେସ୍ ପିନ୍ଧିବା ସମୟରେ ଅସାବଧାନ ହୁଅନାହିଁ’ ବୋଲି ଲେଖିଛନ୍ତି। ଏହାଛଡ଼ା ଏକ ବ୍ରାକେଟରେ ‘ଆକୁ ବି ଓହ୍ଲାଇ ଦେ, ଲଙ୍ଗୁଳି, ଡ୍ରେସ୍ ନାହିଁ ନା କ’ଣ , ଲଜ୍ଜାହୀନ ବୋଲି ଲେଖିଛନ୍ତି। ଏହି ଭିଡିଓକୁ ବେଶ ପସନ୍ଦ କରାଯାଉଥିବା ବେଳେ ପ୍ରଶଂସକମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେବେ ନିଆ ବ୍ୟାକ୍ଲେସ୍ ପିନ୍ଧି ପୋଷ୍ଟ କରିଛନ୍ତି। ପୂର୍ବରୁ ଅନେକ ଥର ସେ ଏଭଳି କରିଛନ୍ତି। ଅଭିନୟକୁ ଯଦି ଦେଖାଯାଏ ତେବେ ନିଆ ଶେଷଥର ପାଇଁ ଜି୫ର ଓ୍ବେବ୍ ସିରିଜ ଜମାଇ ରାଜା ୨.୦ରେ ନଜର ଆସିଥିଲେ। ଏହାଛଡ଼ା ସେ ‘ବେହନେ, ଏକ ହଜାରୋ ମେ ମେରି ବେହନା ହେ’, ଇସ୍ ପ୍ୟାର କୋ କ୍ୟା ନାମ ଦୁ, ଜମାଇ ରାଜା, କୁବୁଲ ହୈ, ମୈ ଦୁର୍ଗା, ଉଡାନ ସପନୋ କି, ନାଗିନ ୩-୪-୫ରେ କାମ କରିଛନ୍ତି। ଏପରିକି ସେ ଖତରୋ କେ ଖିଲାଡି ମେଡ୍ ଇନ୍ ଇଣ୍ଡିଆର ବିଜେତା ମଧ୍ୟ ହୋଇଥିଲେ।
https://www.dharitri.com/in-this-india-1143/
ଏଇ ଭାରତରେ ସମ୍ପ୍ରତି ଇଲେକ୍ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା କରିବା ସମୟରେ ଆଙ୍କାଶ ଚତୁର୍ବେଦୀଙ୍କ ଆବିଷ୍କାର ଉପରେ ଭାବିବା ଉଚିତ। ସେ ବାଉଁଶରେ ଏକପ୍ରକାର ହେଡ୍ଫୋନ ତିଆରି କରିଛନ୍ତି। ଏହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ ଓ ୭୦% ବିଘଟନଯୋଗ୍ୟ। ଏଭଳି ଆବିଷ୍କାର ପ୍ରଚ୍ଛଦରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ପରିବେଶରେ ଇ-ଓ୍ବେଷ୍ଟ ବୃଦ୍ଧି ରୋକିବା ଏବଂ ଦ୍ୱିତୀୟରେ ବାଉଁଶ କଳାକୁ ନୂଆ ରୂପ ଦେବା। ଆଙ୍କାଶ କଳାରେ ସ୍ନାତକୋତ୍ତର ଡିଗ୍ରୀ ପରେ ପ୍ରଥମେ ହେଡ୍ଫୋନର ଏକ ପ୍ରତିକୃତି ତିଆରି କରିଥିଲେ। ଏହି ହେଡେ୍ଫାନ ବହୁତ ହାଲୁକା ଏବଂ ତାହା ସହଜରେ ଜଣଙ୍କ ମୁଣ୍ଡରେ ଫିଟ୍ ହୋଇପାରୁଛି। ଏବେ ଏହାର ଆଦର ବଢୁଛି ଓ ଏହାପାଇଁ ସେ ଅଧିକ ଅର୍ଡର ମଧ୍ୟ ପାଉଛନ୍ତି। ଅଧିକ ଉପତ୍ାଦନ ପାଇଁ ସେ ବାଉଁଶ କଳାକାରଙ୍କ ସାହାଯ୍ୟରେ ଉପତ୍ାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି।
https://www.dharitri.com/ଶ୍ରୀମନ୍ଦିର-କ୍ଷୟକ୍ଷତି-ଅନୁ/
ଶ୍ରୀମନ୍ଦିର କ୍ଷୟକ୍ଷତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ:ରଥଯାତ୍ରା ସୁଦ୍ଧା ଫେରିବ ସ୍ବାଭାବିକ ଅବସ୍ଥା ପୁରୀ ଅଫିସ, ୧୯ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କ ସହ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ସେବକ ମଧୁସୂଦନ ସିଂହାରୀ ପ୍ରମୁଖ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିସର ବୁଲିଥିଲେ। ଦେବୀଦେବଙ୍କୁ ଦର୍ଶନ କରିସାରିବା ପରେ ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏଏସ୍ଆଇ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ ମରାମତି କେମିତି ଚାଲିଛି ତାହା ବୁଝିଥିଲେ। ପ୍ରାୟ ଦେଢ ଘଣ୍ଟା ମନ୍ଦିରରେ ବିତାଇବା ପରେ ବାହାରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ ଯେ, ବାତ୍ୟାରେ ପୁରୀ ଅଞ୍ଚଳରେ ଅପୂରଣୀୟ କ୍ଷତି ହୋଇଛି। କିନ୍ତୁ ବାତ୍ୟା ଯେଉଁଭଳି ରୂପ ଧାରଣ କରିଥିଲା ସେଥିରେ ଯେତିକି କ୍ଷତି ହେବା କଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେପରି କିଛି ହୋଇନି। ତଥାପି ଅନେକ କ୍ଷୟକ୍ଷତି ହୋଇଛି। ଜନଜୀବନ, ପ୍ରାଣୀ ସମ୍ପଦ ସହିତ ଗରିବ ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ବି ଅନେକ କ୍ଷତି ଘଟିଛି। କଳ୍ପବଟ ବି ବାତ୍ୟାର ଶିକାର ହୋଇଛି। ବର୍ତ୍ତମାନ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିବା ବେଳେ ଅନେକ କାମ ବାକି ରହିଛି। ଟେଲିଫୋନ, ବିଜୁଳି, ପିଇବା ପାଣି ସ୍ବାଭାବିକ ହେବାରେ ଲାଗିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ସୁଦ୍ଧା ପୁରୀର ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କହିଥିଲେ ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀମନ୍ଦିର କ୍ଷୟକ୍ଷତି ନେଇ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି। ପୂର୍ବରୁ ଏଏସ୍ଆଇ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ଏଏସ୍ଆଇ ଯୁଦ୍ଧକାଳୀନଭିତ୍ତିରେ କାମ ଆରମ୍ଭ କରିଦେଇଛି। ଖୁବ୍ ଶିଘ୍ର ମନ୍ଦିରର ମରାମତି କାମ ସରିବ ବୋଲି ଏଏସ୍ଆଇ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର କହିଥିଲେ।
https://www.dharitri.com/mukesh-ambanis-wealth-has-increased-every-second/
ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି … ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍ଏଲ୍ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ଖୁବ୍ ଦ୍ରୁତବେଗରେ ବୃଦ୍ଧି ପାଇଥିଲା। ତେବେ ଜାଣନ୍ତୁ କେତେ ବୃଦ୍ଧି ପାଇଥିଲା ତାଙ୍କ ସମ୍ପତ୍ତି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ରହିଛନ୍ତି। ମୁକେଶ ବର୍ତ୍ତମାନ ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସରେ ୬ଷ୍ଠ ସ୍ଥାନରେ ଅଛନ୍ତି। ସାମ୍ପ୍ରତିକ ସମୟରେ ଅମ୍ବାନୀଙ୍କ ନିଟ୍ ମୂଲ୍ୟ ବହୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଜୁଲାଇ ୯ରେ ତାଙ୍କର ନିଟ୍ ମୂଲ୍ୟ ୬୭.୪ ବିଲିୟନ ଡଲାର୍ ଥିଲା ଏବଂ ସେ ନବମ ସ୍ଥାନରେ ରହିଥିଲେ। ଜଣାଶୁଣା ଆମେରିକୀୟ ନିବେଶକ ଓ୍ବାରେନ୍ ବଫେଙ୍କ ଠାରୁ ଗୋଟିଏ ସ୍ଥାନ ତଳେ ଥିଲେ। କିନ୍ତୁ ମଙ୍ଗଳବାର ତାଙ୍କର ନିଟ୍ ମୂଲ୍ୟ ୭୨.୪ ବିଲିୟନ ଡଲାରରେ ପହଞ୍ଚିଥିଲା। ଅର୍ଥାତ୍ ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ୮.୭୪ ଲକ୍ଷ ଟଙ୍କା ବେଗରେ ବୃଦ୍ଧି ପାଇଥିଲା। ଏହାର କାରଣ ଥିଲା ରିଲାଏନ୍ସରେ ଶେୟାରରେ ବୃଦ୍ଧି। ଗତ ୫ଦିନ ମଧ୍ୟରେ ମାତ୍ର ୫ ଦିନ ମଧ୍ୟରେ ୫ ଅରବ ଡଲାର ବୃଦ୍ଧି କରି କମ୍ପାନୀର ବଜାର ପୁଞ୍ଜିକରଣ ୧୨ଲକ୍ଷ କୋଟିରୁ ଅଧିକ ହୋଇଛି। ଏହି ସଫଳତା ହାସଲ କରିବାରେ ରିଲାଏନ୍ସ ହେଉଛି ଦେଶର ପ୍ରଥମ କମ୍ପାନୀ। ଚଳିତ ବର୍ଷର ପ୍ରଥମ ମାସରେ ବ୍ୟବସାୟ ଧିମେଇ ଯିବା ପରେ ମୁକେଶଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୃଦ୍ଧି ପାଇବାରେ ଲାଗିଛି। ରିଲାଏନ୍ସ କମ୍ପାନୀ ଜିଓ ପ୍ଲାଟଫର୍ମରେ, ୧୩ ନିବେଶକ ଫେସବୁକ୍ ସମେତ ଗୋଟିଏ ପରେ ଗୋଟିଏ ଟଙ୍କା ବିନିଯୋଗ କରିଛନ୍ତି। ଏହି ନିବେଶରୁ ଅମ୍ବାନୀ ୧,୧୮,୦୦୦ କୋଟି ଟଙ୍କା ପାଇଛନ୍ତି।
https://www.dharitri.com/ବେଆଇନ-ବାଣ-ଭିଡ଼ାବେଳେ-ବିସ୍/
ବେଆଇନ ବାଣ ଭିଡ଼ାବେଳେ ବିସ୍ଫୋରଣ ଘଟଣା: ବାପା ମୃତ, ପୁଅ ସଙ୍କଟାପନ୍ନ ବିିଞ୍ଝାରପୁର,୬ା୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ପଶ୍ଚିମ ବାଛୋଳ ଗ୍ରାମର ରମାକାନ୍ତ ସାହୁ (୪୫)ଙ୍କ ଘରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡ଼ା ଯାଉଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ରମାକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଶନିବାର ରାତିରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରମାକାନ୍ତଙ୍କ ପୁଅ ସୌଭାଗ୍ୟ ସାହୁ(୨୧) ମଧ୍ୟ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ତେବେ ସୌଭାଗ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ୩ଜଣ ଯଥା ସୁଧାଂଶୁ ଦାସ(୨୩), ରମାକାନ୍ତଙ୍କ ମା’ ରୁକ୍ମୁଣୀ ସାହୁ(୮୦), ଭଉଣୀ ଶାନ୍ତିଲତା ସାହୁ (୫୦) ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି, ଶନିବାର ସନ୍ଧ୍ୟାରେ ବାଣ ଭିଡୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଏହା ଏତେ ତୀବ୍ର ଥିଲା ଯେ ରମାକାନ୍ତଙ୍କର ୬ ବଖରାର କାନ୍ଥ ଓ ଛାତ ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ପୋଲିସ ଏକ ମାମଲା (ନଂ.୨୬୭/୧୯) ରୁଜୁ କରିବା ସହିତ ପୋଲିସ ଅଧିକ ଛାନଭିନ ଜାରି ରଖିଛି।
https://www.dharitri.com/jyotiraditya-scindia-heads-ministry-his-father-madhavrao-held/
ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ସିନ୍ଧିଆଙ୍କ ଉପରେ ସଭିଙ୍କ ନଜର ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର କରାଯାଇଛି । ତେବେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ ଭାଜପାକୁ ଫେରାଇ ଆଣିବାରେ ସିନ୍ଧିଆଙ୍କର ବଡ ଭୂମିକା ଥିବା ବେଳେ ବୁଧବାର ସନ୍ଧ୍ୟାରେ ସେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏଥିରେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମିଳିଛି । ଗ୍ୱାଲିୟର ରାଜପରିବାରର ସୁପୁତ୍ର ଜ୍ୟୋତିରାଦିତ୍ୟ ପଞ୍ଚମ ଥର ଲାଗି ସଂସଦ ଯାଇଛନ୍ତି । ତାଙ୍କ ପିତା ମାଧବରାଓ ସିନ୍ଧିଆ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ମାଦବରାଓ ସିନ୍ଧିଆ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଏହାପରେ ମନମୋହନ ସିଂଙ୍କ ସରକାର ଅମଳରେ ତାଙ୍କ ବିଭାଗ ପରିବର୍ତ୍ତନ ହୋଇଯାଇଥିଲା । ଏବେ ପିତାଙ୍କ ଭଳି ଦୀର୍ଘ ୩୦ ବର୍ଷ ପରେ ଜ୍ୟୋତିରାଦିତ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳିବାକୁ ଯାଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି ।
https://www.dharitri.com/holi-greetings-for-central-government-employees-7th-pay-commission-to-increase-dearness-allowance-by-4-percent/
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା… ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବେ। ସରକାରଙ୍କ ଦ୍ୱାରା ୭ମ ବେତନ କମିଶନ ଅନ୍ତର୍ଗତ ମହଙ୍ଗା ଭତ୍ତା ବର୍ତ୍ତମାନର ୪ ପ୍ରତିଶତ ବୃଦ୍ଧି ହେବ। ଫଳରେ ଏହା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ପ୍ରତିବର୍ଷ ଜାନୁୟାରୀ ପହିଲା ଏବଂ ଜୁଲାଇ ପହିଲାରେ ବୃଦ୍ଧି ପାଇଥାଏ।
https://www.dharitri.com/asiatic-lion-entering-hotel-in-junagadh/
ଜୁନାଗଡ଼ ହୋଟେଲରେ ଆତଙ୍କ ଖେଳାଇଲା ସିଂହ ଜୁନାଗଡ଼, ୧୦ା୨- ଗତବର୍ଷ ଉଦ୍ଘାଟିତ ହୋଇଥିବା ସରୋଭର ପୋର୍ଟିକୋ ହୋଟେଲରେ ସୋମବାର ପହଞ୍ଚିଥିଲା ଜଣେ ଅସଧାରଣ ଅତିଥି ଏସିଆଟିକ୍ ସିଂହ। ଜଙ୍ଗଲର ରାଜକୁ ହୋଟେଲରେ ଦେଖି ଆତଙ୍କିତ ହୋଇପଡ଼ିଥିଲେ କର୍ମଚାରୀ। ଭୋର ୫.୦୪ଟାରେ ହୋଟେଲର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥିଲା ସିଂହ। ଗେଟ୍କିପର ନିଜ କେବିନ ଭିତରେ ଥିବାରୁ ଜଙ୍ଗଲ ରାଜାଙ୍କ ନଜର ତା ଉପରେ ପଡ଼ି ନ ଥିଲା। ସିଂହଟି ହୋଟେଲର ପାର୍କିଂ ଅଞ୍ଚଳ ଆଡ଼େ ଯାଇଥିଲା। ଏ ସମ୍ପର୍କରେ ତୁରନ୍ତ ହୋଟେଲ ଷ୍ଟାଫଙ୍କୁ ଇଣ୍ଟରକମ୍ ଜରିଆରେ ସୂଚନା ଦେଇଥିଲେ ଗେଟ୍କିପର। କିନ୍ତୁ ଗୋଟେ ମିନିଟ୍ରୁ କମ୍ ସମୟ ମଧ୍ୟରେ ସିଂହଟି ଚାଲିଯାଇଥିଲା ତା’ର ରାଜ୍ୟ ଅର୍ଥାତ ନିକଟସ୍ଥ ଗିର୍ନାର ଜଙ୍ଗଲକୁ। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣାର ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
https://www.dharitri.com/concepts-in-opposition-to-arbitrary-action/
‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’ କେସିଙ୍ଗା,୨୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସହରବାସୀଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ସହରବାସୀ ନିର୍ବାହୀ ଅଧିକାରିଣୀଙ୍କୁ କୌଣସି ସମସ୍ୟା ସଂକ୍ରାନ୍ତରେ ଜଣାଇଲେ କର୍ଣ୍ଣପାତ କରୁ ନାହାନ୍ତି। ଏପରିକି ମନମୁଖୀ କାର୍ଯ୍ୟ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ନିର୍ବାହୀ ଅଧିକାରିଣୀଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।
https://www.dharitri.com/kavitha-on-women-reservation-bill-india-alliance-bjp-telangana/
ବିରୋଧୀ ଦଳର ଚାପ ଯୋଗୁ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଛି: କବିତା ହାଇଦ୍ରାବାଦ,୨୮।୯: ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ବିଆରଏସ୍ ନେତା କେ. କବିତା ଭାଜପା ଉପରେ ବର୍ଷିଛନ୍ତି। ଶାସକ ଦଳକୁ ଟାର୍ଗେଟ୍ କରି ସେ କହିଛନ୍ତି ବିରୋଧୀ ଦଳର ଚାପ ଯୋଗୁ ଭାଜପା ଏହି ବିଲ୍ ପାରିତ କରିଛି। ମହିଳା ସଂରକ୍ଷଣ ବିଲ୍ ଉପରେ ଗଣମାଧ୍ୟମକୁ ସୂଚନା ଦେଇ କବିତା କହିଛନ୍ତି , ଏହା ଭାଜପାର ଉପହାର ନୁହେଁ, ବରଂ ଏହା ଅନ୍ୟ ଦଳର ଚାପର ପ୍ରଭାବ, ଯେଉଁଥିପାଇଁ ଭାଜପାକୁ ଏହି ବିଲ୍ ପାରିତ କରିବାକୁ ପଡିଛି। ସେ ଆହୁରି କହିଛନ୍ତି, ଓବିସି ମହିଳାମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି, ଯେଉଁଥିପାଇଁ ଆମେ ସମସ୍ତେ ଦୁଃଖିତ। ଯେତେବେଳେ ଜାତୀୟ ରାଜନୀତିରେ ବିଆରଏସ୍ର ଭୂମିକା ବିଷୟରେ କେ କବିତାଙ୍କୁ ପଚରାଗଲା, ସେ ଇଣ୍ଡିଆ ମେଣ୍ଟକୁ ଦଳକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଆଜି ଥିବା ଇଣ୍ଡିଆ ମେଣ୍ଟ ଆସନ୍ତାକାଲି ରହିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ଏବଂ ଆସନ ବାଣ୍ଟନ ପ୍ରସଙ୍ଗ ଉଠିବ, ଯାହା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହେବ।
https://www.dharitri.com/ଗୁରୁତର-କରୋନା-ସଂକ୍ରମିତଙ୍କ/
ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍‌ରେ ଅଫ୍‌ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍‌ ! ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ ହେଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ଗୁରୁତର କରୋନା ସଂକ୍ରମିତଙ୍କୁ ଅଧିକ ଯନ୍ତ୍ରଣା ନ ଦେବା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ଏକ ପଦକ୍ଷେପ ଆପଣେଉଛନ୍ତି। ଏଭଳି ସଂକ୍ରମିତଙ୍କୁ ବଞ୍ଚାଇବା ଅସମ୍ଭବ ହେଉଥିବାରୁ ଏପରି କରାଯାଉଛି। ଏହା ଅମାନବୀୟ ହେଲେ ମଧ୍ୟ ବାଧ୍ୟ ହୋଇ ଏପରି କରାଯାଉଥିବା ସେଠାରେ କାର୍ଯ୍ୟ କରୁଥିବା ମୂଳଭାରତୀୟ ଜୁନିତା ନିତଲା କହିଛନ୍ତି। ଏଭଳି କାର୍ଯ୍ୟ ଡାକ୍ତରୀ ପେଶାଦାରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ସଂକ୍ରମିତଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଶାନ୍ତି ମୃତ୍ୟୁ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ କାର୍ଯ୍ୟରେ ଥିବା ଡାକ୍ତର, ନର୍ସଙ୍କୁ ଗୁରୁତର ସଂକ୍ରମିତଙ୍କ ଭେଣ୍ଟିଲେଟର ସ୍ବିଚ୍ ଅଫ୍ କରିବାକୁ କୁହାଯାଉଥିବା ନିତଲା କହିଛନ୍ତି। ସ୍ବିଚ୍ ଅଫ୍ କରିବା ପରେ ଡାକ୍ତର ଅବା ନର୍ସ କାହାରି ପାଟିରୁ କିଛି ସମୟ ପାଇଁ ପଦୁଟିଏ କଥା ମଧ୍ୟ ବାହାରି ପାରୁ ନ ଥିବା ସେ କହିଛନ୍ତି। ଜୀବନ ରକ୍ଷା କରିବା ଡାକ୍ତରୀ ପେଶାଦାରଙ୍କ ମୂଳମନ୍ତ୍ର ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ଏହା କରାଯାଉଥିବା ନିତଲା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣଭାରତରେ ଜନ୍ମ ହୋଇଥିବା ୪୨ ବର୍ଷ ବୟସ୍କା ନିତଲା ଗତ ୧୬ ବର୍ଷ ଧରି ବ୍ରିଟେନ୍ରେ ଆଇସିୟୁରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।
https://www.dharitri.com/62-hindus-arrives-in-pakistan-for-mahashivratri-from-india-wagah-border/
ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର ହାଶ୍ମୀ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆମୀର ହାଶ୍ମୀ କହିଛନ୍ତି, ମହାଶିବରାତ୍ରୀ ଉତ୍ସବରେ ଭାଗ ନେବାକୁ ମୋଟ ୬୨ ହିନ୍ଦୁ ତୀର୍ଥଯାତ୍ରୀ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଲାହୋରରେ ଇଟିପିବି ଦ୍ୱାରା ଆୟୋଜିତ ମହାଶିବରାତ୍ରୀ ମୁଖ୍ୟ ସମାରୋହ ମାର୍ଚ୍ଚ ୯ରେ ଲାହୋରଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ଚକୱାଲର ଐତିହାସିକ କାଟା ରାଜ ମଣ୍ଡପରେ ଆୟୋଜିତ ହେବ।
https://www.dharitri.com/ଖାଦ୍ୟ-ପାଇଁ-ଡହଳବିକଳ-ଗୋରୁ-କ/
ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି। କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ଏଭଳି ସ୍ଥିତିରେ ପଶୁପ୍ରେମୀ ତଥା ସାମାଜିକ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି। କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ। ଏଥିରୁ ଜୀବଜନ୍ତୁ ବି ବାଦ୍ ପଡ଼ିନାହାନ୍ତି। ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ(ସିଡିିଭିଓ)ଙ୍କ ସୂଚନା ମୁତାବକ ସହରରେ ପ୍ରାୟ ୭୦୦ ଗୋରୁ ଓ ୫ହଜାର ବୁଲା କୁକୁର ରହିଛନ୍ତି। ସିଏମ୍ସି ପକ୍ଷରୁ ପ୍ରତ୍ୟହ ୧୦ହଜାର ଟଙ୍କାର ଅର୍ଥ ଉକ୍ତ ଜୀବଜନ୍ତୁଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି। ଯେଉଁଥିରୁ ୬ହଜାର ଟଙ୍କା ଗୋରୁ ଓ ୪ହଜାର ଟଙ୍କା କୁକୁରଙ୍କ ପାଇଁ ଖର୍ଚ୍ଚ ହେଉଛି। ଚୋକଡ଼ କିଣାଯାଇ ବୁଲା ଗୋର, ଷଣ୍ଢଙ୍କୁ ଦିଆଯାଉଛି। କୁକୁରଙ୍କ ପାଇଁ ବିସ୍କୁଟ ବ୍ୟବସ୍ଥା ହୋଇଛି। ହେଲେ ଏହି ସହାୟତା ସମୁଦ୍ରକୁ ଶଙ୍ଖେ ଭଳି। ୫ହଜାର କୁକୁରଙ୍କ ପାଇଁ ମାତ୍ର ୪ହଜାର ଟଙ୍କାର ବିସ୍କୁଟ ପ୍ୟାକେଟ କିଣାଯାଉଥିବା ସିଏମ୍ସି ପକ୍ଷରୁ କୁହାଯାଇଥିବା ବେଳେ ଏହା କେତେ ମାତ୍ରାରେ ଉକ୍ତ ଜୀବଙ୍କ ଭୋକ ମେଣ୍ଟାଉଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାର ବନ୍ଦ ଥିବା କାରଣରୁ ଖାଦ୍ୟଭାବ ମଧ୍ୟ ଦିନକୁ ଦିନ ବଢ଼ୁଛି। କେତେଜଣ ସାମାଜିକ କର୍ମୀ ନିୟମିତ ଭାବେ ଏମାନଙ୍କ କଥା ବୁଝୁଛନ୍ତି। ଶନିବାର ମହାକାଳ ପରିବାର ପକ୍ଷରୁ ବୁଲା ଗୋରୁ, ଷଣ୍ଢଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ସଙ୍ଗଠନର ବିକାଶ ସୋନି, ରାଜେନ୍ଦ୍ର ନାରାୟଣ ସାହୁ, ହୃଷିକେଶ ସାହୁ ଏହି ସେବା କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରତ୍ୟହ ବିଳମ୍ବିତ ରାତିରେ ବାଦାମବାଡ଼ିର କେତେଜଣ ଯୁବକ ଚୁଡ଼ା ଓ ଅଣ୍ଡା ମିଶ୍ରଣ କରି କୁକୁରଙ୍କୁ ଖାଇବାକୁ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।
https://www.dharitri.com/ବିଭିନ୍ନ-ଦାବି-ନେଇ-ରାସ୍ତାକ/
ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ କମିବା ସହ ଜଳକର ପୈଠ କରିବା ପରେ ମଧ୍ୟ ଜମିକୁ ଜଳ ଯୋଗାଇ ନ ଦେବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। କୋରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ ୮୮୬ ଜଣ ଚାଷୀଙ୍କୁ ଟୋକନ ନ ମିଳିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀ ସେମାବାର ସକାଳୁ କୋରୁକୋଣ୍ଡାଠାରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି। ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା।
https://www.dharitri.com/shock-to-china-againover-ladakh-issue-the-nation-supports-to-india/
ଚାଇନାକୁ ପୁଣି ଝଟ୍‌କା: ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଏହି ଦେଶ ଟୋକିଓ,୩।୭: ଲଦାଖ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦକୁ ନେଇ ଶୁକ୍ରବାର ଜାପାନ ପ୍ରତିକ୍ରିୟା ରଖିଛି। ଲଦାଖ ପ୍ରସଙ୍ଗରେ ଜାପାନ ଭାରତକୁ ସମର୍ଥନ କରିବାକୁ ଯାଇ ଚାଇନାକୁ ବିରୋଧ କରିଛି। ଦୁଇ ଦେଶ ଶାନ୍ତିପୂର୍ଣ୍ଣ ବୁଝାମଣା ଭିତ୍ତିରେ ଏହି ବିବାଦର ସମାଧାନ କରିବା ଉଚିତ ବୋଲି ଜାପାନ କହିଛି। ଏଲଏସି ସ୍ଥିତି ସମ୍ପର୍କରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କ ସହ ଆଲୋଚନା କରିବା ପରେ ଜାପାନର ରାଷ୍ଟ୍ରଦୂତ ସତୋଶି ସୁଜୁକି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ଭାରତ ସରକାର ଏହି ବିବାଦର ସମାଧାନ ପାଇଁ ଯେଉଁ ସବୁ ନୀତି ଆପଣାଇଛନ୍ତି ତାହା ପ୍ରଶଂସନୀୟ। ଜାପାନ ମଧ୍ୟ ଶାନ୍ତିପୂର୍ଣ୍ଣ ସଂକଳ୍ପ ସପକ୍ଷରେ ରହିଛି। ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ କରିବାର ସମସ୍ତ ଉଦ୍ୟମକୁ ଜାପାନ ଜୋରଦାର ବିରୋଧ କରୁଛି ବୋଲି ସତୋଶି ସୁଜୁକି କହିଛନ୍ତି।
https://www.dharitri.com/କରୋନା-ସଚେତନତା-ବାର୍ତ୍ତା-୨/
କରୋନା ସଚେତନତା ବାର୍ତ୍ତା: ୨୫୦୦୦ ସାବୁନ୍‌ ବ୍ୟବହାର କରି ଚିତ୍ର ଆଙ୍କିଲେ ୧୦୦୦ ଛାତ୍ରୀ ଚେନ୍ନାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିଚାଲିଛି। ଏଥିରୁ ବାଦ୍ ପଡ଼ିନି ଭାରତ। ଆମ ଦେଶରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଶନିବାର ୯୦କୁ ବୃଦ୍ଧିପାଇଛି। ଏହି ସଂକ୍ରମଣ ୧୩ଟି ରାଜ୍ୟରେ ବ୍ୟାପିଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନସ୍ତରରେ ସଚେତନତା ସୃଷ୍ଟି ସହ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର କୋଲାଥୁରସ୍ଥିତ ଏଭରଓ୍ବିନ୍ ସ୍କୁଲର ଷଷ୍ଠରୁ ୯ଶ୍ରେଣୀ ପର୍ଯ୍ୟନ୍ତ ୧୦୦୦ ଛାତ୍ରୀ କରୋନା ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ୨୫୦୦୦ ସାବୁନ ବ୍ୟବହାର କରି ଚିତ୍ର ଆଙ୍କିଛନ୍ତି। ଶନିବାର ଶେୟାର ହୋଇଥିବା ଏହି ଚିତ୍ର ସହିତ ପିଲାମାନେ କିପରି ହାତ ଧୋଇବେ ତାହା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଚିତ୍ରଟି ଶେୟାର ହେବା ପରେ ଏହାକୁ ଅନେକ ୟୁଜର୍ସ ବେଶ୍ ପ୍ରଶଂସା କରିଛନ୍ତି। ଆଉ କିଛି ୟୁଜର ଲେଖିଛନ୍ତି, ସାବୁନରେ ହାତ ଧୋଇବା କରୋନା ଭାଇରସର ଏକ ପ୍ରଭାବଶାଳୀ ପ୍ରତିରକ୍ଷା ହୋଇପାରେ। କିନ୍ତୁ ଏହାକୁ ପୂର୍ଣ୍ଣ ଭାବରେ ଏପରି ରୋକାଯାଇପାରିବ ନାହିଁ। ଏହି ଚିତ୍ରଟି ୧୦ ହଜାର ଲମ୍ବର ବର୍ଗଫୁଟର ହୋଇଥିବାବେଳେ ଏଥିରେ ହାତଧୁଆ ଚିତ୍ର ଅଙ୍କା ଯାଇଛି। ସ୍କୁଲର ସିନିୟର ପ୍ରିନ୍ସପାଲ ବି.ପୁରୁଷୋତ୍ତମ, ସିଇଓ ମିସ୍ ମାଗେଶ୍ୱରୀ, ପ୍ରିନ୍ସପାଲ ଏମ୍ କାଲିୟାରଶି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ହେଉଛି ମୂଳ ଉଦ୍ଦେଶ୍ୟ।
https://www.dharitri.com/it-will-rain-from-5/
୫ରୁ ବର୍ଷିବ ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟରେ ମୌସୁମୀ ଚାଲିଯିବା ସହ ତାତି ବଢ଼ିବାରୁ ଅସହ୍ୟ ଗୁଳୁଗୁଳି ଅନୁଭବ ହେଉଛି। ତେବେ ପୁଣି ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ଆଗକୁ ୨ଟି ଲଘୁଚାପ ହେବାକୁ ଥିବାରୁ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ବଢିବ । ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦିତୀୟ ଟି ସେପ୍ଟେମ୍ବର ୯ ରୁ ୧୫ ମଧ୍ୟରେ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ୫ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି।
https://www.dharitri.com/30-lakhs-cannabis-seized-6-arrested/
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୬ ଗିରଫ ଜୟପୁର, ୧୨ା୧୧ (ନି.ପ୍ର./ଡି.ଏନ.ଏ.)-ଜୟପୁର ସଦର ପୋଲିସ ଗୁରୁବାର ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍ ଉପରେ ଚଢାଉ କରିଛି ା ମାମଲାରେ ବିହାର, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାରର ସେନୁ କୁମାର (୧୮), ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ରାମ ମୁତ୍ତି କିର୍ଶାନି (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗ୍ରାମର ନରହରି ପୂଜାରୀ, ପାଞ୍ଜିଆଗୁଡାର ବିଶ୍ୱନାଥ ପରଜା (୩୯), ନନ୍ଦପୁରର ନରେନ୍ଦ୍ର ବଡନାୟକ (୩୨), ଜୟପୁର ସହର ସାମନ୍ତରା ସାହିର ଲକ୍ଷ୍ମୀକାନ୍ତ ମିଶ୍ର (୨୪)। ଖବରରୁ ଜଣାପଡିଛି, ଏକ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ସତୀ ନଦୀ ପାଖରେ ଟିମ୍ ସହ ଜଗି ରହିଥିଲେ। ଏକ କଳା ରଙ୍ଗର ହୋଣ୍ଡା ସିଟି କାରରେ ଚାଲାଣ ହେଉଥିବା ଗଞ୍ଜେଇକୁ କେତେକ ବାଇକ୍ ଆରୋହୀ ସୁରକ୍ଷା ଦେଇ ନେଉଥିବା ବେଳେ ପୋଲିସ ଚଢାଉ କରିଥିଲା। କୋରାପୁଟ ଜିଲା ଜଲାପୁଟରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ା ଜବତ ଗଞ୍ଜେଇର ପରିମାଣ ୨କୁଇଣ୍ଟାଲ ୬୯ କେଜି ୫ ଶହ ଗ୍ରାମ ବୋଲି ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏଥିସହ ୬ଟି ମୋବାଇଲ, ନମ୍ବରବିହୀନ ହୋଣ୍ଡା ସିଟି କାର, ୩ଟି ବାଇକ୍ ଜବତ ହୋଇଛି। ୨୨୨/୨୦ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
https://www.dharitri.com/nda-tops-in-exit-polls/
ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା ନୂଆଦିଲ୍ଲୀ,୨ା୬: ଏକ୍ଜିଟ୍ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ ଇଣ୍ଡିଆନ୍ ନ୍ୟାଶନାଲ ଡେଭେଲପ୍ମେଣ୍ଟାଲ ଇନ୍କ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍ ୧୫୦ ଭିତରେ ସୀମିତ ରହିବ। ଶନିବାର ସନ୍ଧ୍ୟା ୬ଟା ୩୦ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବୁଥ୍ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଏଭଳି ଭବିଷ୍ୟବାଣୀ କରିଛନ୍ତି। ଏକ୍ଜିଟ୍ ପୋଲ୍ ସତ ହେଲେ ଭାଜପା ନେତା ନରେନ୍ଦ୍ର ମୋଦି ହ୍ୟାଟ୍ରିକ୍ ସଫଳତା ସହ ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ଭାଜପା ୩୭୦ ଡେଇଁବ ନାହିଁ ଏବଂ ମୋଦିଙ୍କ ‘୪୦୦ ପାର୍’ ଟାର୍ଗେଟରୁ ଏନ୍ଡିଏ ବିଚ୍ୟୁତ ହେବା ନିଶ୍ଚିତ ବୋଲି ଟିଭି ଚ୍ୟାନେଲଗୁଡ଼ିକ ଦର୍ଶାଉଛନ୍ତି। ତେବେ ‘ଏକ୍ଜିଟ୍ ପୋଲ୍’ ‘ଏକ୍ଜାଟ୍ ପୋଲ୍’ ନୁହେଁ। ତେଣୁ ଜୁନ୍ ୪ ମଙ୍ଗଳବାର ଭୋଟ ଗଣତି ପରେ ଆସିବାକୁ ଥିବା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା। ଅଷ୍ଟାଦଶ ଲୋକ ସଭାର ସମସ୍ତ ୫୪୩ ଆସନରେ ନିର୍ବାଚନ ଶେଷ ହୋଇଛି। ଏପ୍ରିଲ ୧୯ରୁ ମେ’ ୨୫ ଭିତରେ ୬ଟି ପର୍ଯ୍ୟାୟରେ ୪୮୬ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଚୂଡ଼ାନ୍ତ ପର୍ଯ୍ୟାୟରେ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ଅବଶିଷ୍ଟ ୫୭ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ମତଦାନ ସମ୍ପୂର୍ଣ୍ଣ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଭୋଟ ଦେଇ ବୁଥ୍ରୁ ଫେରିଥିବା ମତଦାତାଙ୍କଠାରୁ ସଂଗୃହୀତ ମତାମତକୁ ନେଇ ଏକ୍ଜିଟ୍ ପୋଲ୍ ପ୍ରକାଶ କରିଛନ୍ତି। ତଦନୁସାରେ ଶାସକ ଏନ୍ଡିଏ ପ୍ରାୟ ୩୬୫ ଆସନ ଦଖଲ କରିବାକୁ ଥିବାବେଳେ ବିରୋଧୀ ଇଣ୍ଡିଆ ଦଳଗୁଡ଼ିକୁ ୧୪୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଇଣ୍ଡିଆ ଟିଭି-ସିଏନ୍ଏକ୍ସ ଏନ୍ଡିଏକୁ ସର୍ବାଧିକ ୩୭୧-୪୦୧ ଆସନ ଦେଇଥିବାବେଳେ ଇଣ୍ଡିଆ ୧୦୯ରୁ ୧୩୯ ଭିତରେ ସୀମିତ ରହିବ ଏବଂ ଅନ୍ୟ ଦଳଗୁଡ଼ିକ ୨୮ରୁ ୩୮ ଆସନ ପାଇବେ ବୋଲି ଭବିଷ୍ୟବାଣୀ କରିଛି। ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସର ଆକଳନ ଅନୁସାରେ ଏନ୍ଡିଏ ୩୭୧, ଇଣ୍ଡିଆ ୧୨୫ ଏବଂ ଅନ୍ୟ ଦଳ ୪୭ ଆସନରେ ସଫଳତା ପାଇବେ। ସେହିପରି ଏନ୍ଡିଟିଭି ଇଣ୍ଡିଆ-ଜନ୍ କୀ ବାତ୍ର ସର୍ଭେ କହୁଛି ଏନ୍ଡିଏ ୩୬୫ ଆସନ ଦଖଲ କରିବ। ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ୧୪୨ ଓ ଅନ୍ୟମାନେ ୩୬ ଆସନରେ ସୀମିତ ରହିବେ। ରିପବ୍ଲିକ୍ ଭାରତ-ମାଟ୍ରିଜ୍ ଏନ୍ଡିଏ ୩୫୩-୩୬୮ ଆସନରେ ସଫଳତା ହାସଲ କରିବା ନେଇ ଅନୁମାନ କରିଛି। ଇଣ୍ଡିଆ ୧୧୮-୧୩୩ ଏବଂ ଅନ୍ୟ ଦଳଗୁଡ଼ିକର ପ୍ରାର୍ଥୀମାନେ ୪୩ରୁ ୪୮ ଆସନ ଦଖଲ କରିପାରନ୍ତି ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି। ନ୍ୟୁଜ୍ ନେଶନ୍ର ହିସାବ ଅନୁସାରେ ଶାସକ ଏନ୍ଡିଏ ୩୪୨-୩୭୮, ବିରୋଧୀ ମେଣ୍ଟ ୧୫୩-୧୬୯ ଓ ଅନ୍ୟମାନେ ୨୧-୨୩ ଆସନ ପାଇବେ। ଅନ୍ୟପକ୍ଷେ ଦୈନିକ ଭାସ୍କର ଏନ୍ଡିଏକୁ ସର୍ବନିମ୍ନ ୨୫୦-୨୮୧ ଆସନ ଦେଇଛି। ଏହାର ଆକଳନ ଅନୁସାରେ ଇଣ୍ଡିଆ ମେଣ୍ଟ ୧୪୫-୨୦୧ ଏବଂ ଅନ୍ୟ ପ୍ରାର୍ଥୀ ୩୩-୪୯ ଆସନ ଦଖଲ କରିବାରେ ସକ୍ଷମ ହେବେ। ଏହି ସମସ୍ତ ଏକ୍ଜିଟ୍ ପୋଲ୍କୁ ମିଶାଇ ମୋଟାମୋଟି ଭାବେ ଦେଖିଲେ ଏନ୍ଡିଏ ୩୬୫, ଇଣ୍ଡିଆ ୧୪୧ ଓ ଅନ୍ୟ ଦଳଗୁଡ଼ିକର ପ୍ରାର୍ଥୀ ୩୬ ଆସନରେ ସଫଳତା ପାଇବେ। ଜାତୀୟ ସ୍ତରରେ ଏକ୍ଜିଟ୍ ପୋଲ୍ ଭବିଷ୍ୟବାଣୀ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ କେତେକ ସଂସ୍ଥା ରାଜ୍ୟଓ୍ବାରି ସର୍ଭେ ହିସାବ ମଧ୍ୟ ପ୍ରକାଶ କରିଛନ୍ତି। ତଦନୁସାରେ ସବୁଠୁ ବଡ଼ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତର ପ୍ରଦେଶରେ ଏନ୍ଡିଏ ୮୦ ଆସନ ମଧ୍ୟରୁ ୬୯-୭୪ଟିରେ ସଫଳତା ପାଇବ ଏବଂ ଇଣ୍ଡିଆ ମେଣ୍ଟକୁ ୬-୧୧ ଆସନରେ ସୀମିତ ରହିବାକୁ ପଡ଼ିବ ବୋଲି ରିପବ୍ଲିକ୍ ଭାରତ-ମାଟ୍ରିଜ୍ ହିସାବ କରିଛି। ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସ ୟୁପିରେ ଏନ୍ଡିଏକୁ ୬୯ ଏବଂ ବିରୋଧୀଙ୍କୁ ୬-୧୨ ଆସନ ଦେଇଛି। ଦକ୍ଷିଣ ଭାରତ ଓ ପଶ୍ଚିମବଙ୍ଗରେ ଏନ୍ଡିଏର ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିବା ନେଇ ଅନେକ ସଂସ୍ଥା ଅନୁମାନ କରିଛନ୍ତି। ପଶ୍ଚିମବଙ୍ଗରେ ଭାଜପା ୨୧ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ୧୯ ଆସନ ଦଖଲ କରିବା ନେଇ ୨ଟି ସଂସ୍ଥା ଆକଳନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସହ ମେଣ୍ଟ କରିଥିବା ଏନ୍ଡିଏକୁ ରାଜ୍ୟ ୨୫ ଆସନ ମଧ୍ୟରୁ ୧୮ଟିରେ ସଫଳତା ମିଳିବା ଆକଳନ କରାଯାଇଛି। ତେଲଙ୍ଗାନାର ୧୭ ଆସନରୁ ଭାଜପା ଅର୍ଦ୍ଧାଧିକ ସିଟ୍ ଜିତିପାରେ। ଏପରି କି ଗୈରିକ ଦଳ ତାମିଲନାଡୁରେ ୨ ଓ କେରଳରେ ଗୋଟିଏ ଆସନ ପାଇପାରେ। ସେହିପରି ଓଡ଼ିଶାରେ ଭାଜପା ୧୫ ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି) ୩ରୁ ୮ ଆସନ ପାଇବ ବୋଲି ଏକ୍ଜିଟ୍ ପୋଲ୍ କହୁଛି। ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆସାମ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭାଜପାର ପ୍ରଦର୍ଶନ ଭଲ ରହିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି। କିନ୍ତୁ ବିହାରରେ ଗତ ନିର୍ବାଚନରେ ୪୦ରୁ ୩୯ ଆସନ ଦଖଲ କରିଥିବା ଏନ୍ଡିଏକୁ ଏଥର ନିରାଶ ହେବାକୁ ପଡ଼ିପାରେ। ତେଜସ୍ବୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ୭ ଆସନ ଦଖଲ କରିପାରେ। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବିରୋଧୀ ମେଣ୍ଟ ପୂର୍ବାପେକ୍ଷା ଅଧିକ ଆସନ ନେଇପାରେ। ଅନ୍ୟପକ୍ଷେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏକ୍ଜିଟ୍ ପୋଲ୍ ଆକଳନକୁ ଭୁଲ୍ ପ୍ରମାଣିତ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୩୦୩ ଆସନ ଦଖଲ କରିଥିବାବେଳେ ଏନ୍ଡିଏକୁ ୩୫୨ ଆସନରେ ସଫଳତା ମିଳିଥିଲା। ସେତେବେଳେ କଂଗ୍ରେସ ୫୨ ଆସନ ପାଇଥିବାବେଳେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୯୧ ଆସନରେ ସୀମିତ ହୋଇ ରହିଯାଇଥିଲା। ଚଳିତ ନିର୍ବାଚନରେ ଭାଜପା ଏକୁଟିଆ ୩୭୦ ଟାର୍ଗେଟ ରଖିବା ସହ ଏନ୍ଡିଏ ୪୦୦ରୁ ଅଧିକ ଆସନ ଦଖଲ କରିବା ନେଇ ଲକ୍ଷ୍ୟ ରଖିଥିଲା, ଯାହାକି ପୂରଣ ହୋଇ ନ ପାରେ। ପାର୍ଲାମେଣ୍ଟର ନିମ୍ନ ସଦନରେ ୫୪୩ ଆସନ ଥିବାବେଳେ ସରକାର ଗଠନ ପାଇଁ କୌଣସି ଦଳ ବା ମେଣ୍ଟକୁ ୨୭୨ ଆସନରେ ବିଜୟୀ ହେବା ଜରୁରୀ। ମଙ୍ଗଳବାର ସମସ୍ତ ଆସନରେ ଭୋଟ ଗଣତି କରାଯିବା ପରେ ପ୍ରକୃତ ଫଳାଫଳ ଆସିବ।
https://www.dharitri.com/ନାବାଳକଙ୍କୁ-ଅପହରଣ-ପରେ-ଆକ୍/
ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା ନୟାପଲ୍ଲୀ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଛାତ୍ରଙ୍କୁ ଅନ୍ୟ ସ୍ଥାନକୁ ସ୍କୁଟିରେ ଉଠାଇ ନିଆଯାଇ ମରଣାନ୍ତକ ଆକ୍ରମଣ କରାଯିବା ବେଳେ ପୋଲିସ ପହଞ୍ଚତ୍ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରିଛି। ଏଥିସହ ଏକ ମାମଲା ରୁଜୁ କରି ଅପହରଣକାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଧୀନ ବିଜୁ ପଟ୍ଟନାୟକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ନାବାଳକ ଛାତ୍ର ଜଣକ ପଢନ୍ତି। ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ ସେ ପରୀକ୍ଷା ଦେଇସାରି ସାଙ୍ଗଙ୍କ ସହିତ କ୍ୟାମ୍ପସରୁ ବାହାରିଥିଲେ। ଏହି ସମୟରେ ଆଉ ଜଣେ ନାବାଳକ ଓ ତାଙ୍କ ସହଯୋଗୀ ପହଞ୍ଚି ଏକ ସ୍କୁଟିରେ ବସିବାକୁ ବାଧ୍ୟ କରିଥିଲେ। ନାବାଳକ ଛାତ୍ର ଜଣକ ରାଜି ନ ହେବାରୁ ତାଙ୍କୁ ଭୟଭୀତ କରି ସେହି ନାବାଳକ ସ୍କୁଟିରେ ବସାଇ ନେଇଯାଇଥିଲେ। ଏ ନେଇ ଛାତ୍ରଙ୍କ ସାଙ୍ଗ ଅନ୍ୟମାନଙ୍କୁ ଜଣାଇବା ସହ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଛାତ୍ରଙ୍କ ସାଙ୍ଗମାନେ ମିଶି ଖୋଜାଖୋଜି କରିଥିଲେ। ଦେବରାୟ କଲେଜ ନିକଟରେ ନାବାଳକଙ୍କୁ ଅପହରଣ କରି ରଖାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ତୁରନ୍ତ ପୋଲିସ ସେଠାରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଭଙ୍ଗା ଥଣ୍ଡା ବୋତଲ ଓ ଲୁହାକଡ଼ାରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଏ ନେଇ ସମ୍ପୃକ୍ତ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
https://www.dharitri.com/171-varieties-have-been-developed-by-ouat/
୧୭୧ କିସମ ବିକଶିତ କରିଛି ଓୟୁଏଟି ଭୁବନେଶ୍ବର,୨୬ା୧୨(ବ୍ୟୁରୋ):ଓୟୁଏଟି ପକ୍ଷରୁ ବର୍ତ୍ତମାନ ଯାଏ ବିଭିନ୍ନ ଫସଲର ୧୭୧ଟି କିସମ ବିକଶିତ ହୋଇଛି। ଚଳିତ ବର୍ଷ କଳିଙ୍ଗ ସୁଆଁ ୧୮ ନାମରେ ଏକ ସୁଆଁ କିସମ ବିକାଶ କରାଯାଇଛି। ଗତ ୨୦୨୧-୨୨ ବର୍ଷରେ ଧାନ, ଚିନାବାଦାମ, ସୁଆଁ, ଆଖୁ, ବିରି, ରାଶି ଓ କପା ଫସଲରେ ୧୫ଟି କିସମ ବିକଶିତ ହୋଇଛି ବୋଲି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ବବିଦ୍ୟାଳୟର କୃଷି ଯନ୍ତ୍ରୀମାନେ ଗୋଟିଏ ବଳଦ ଟଣା ବାଜରା ଅମଳ ଯନ୍ତ୍ର ଏବଂ ଗୋଟିଏ କ୍ଷୁଦ୍ର ଶସ୍ୟ ବୁଣିବା ଯନ୍ତ୍ର ବିକଶିତ କରିଛନ୍ତି। ଏହାଛଡ଼ା ‘ଓୟୁଏଟି କଳିଙ୍ଗ ପଲିଶ୍ରୀ’ ନାମରେ ଏକ ରଙ୍ଗିନ୍ କୁକୁଡ଼ା ବିକାଶ କରାଯାଇଛି। କୃଷକଙ୍କ ନିକଟରେ ନୂତନ ଜ୍ଞାନକୌଶଳ ପହଞ୍ଚାଇବା ନିମନ୍ତେ ରାଜ୍ୟର ୨୮ଟି ଜିଲାରେ ୩୧ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରାକୃତିକ କୃଷିର ପ୍ରସାର ନିମନ୍ତେ ୧୦ଟି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଓଡ଼ିଶା ସରକାରଙ୍କ ସହାୟତାରେ ଧାନଚାଷ ପରେ ପଡ଼ିଆ ପଡ଼ୁଥିବା ୫୦୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ ପାଇଁ ଉଦ୍ୟମ କରାଯାଇଛି।
https://www.dharitri.com/ଫିଟ୍‌ନେସ୍‌-ନ-ଥିବାରୁ-ସିଜ୍/
ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌ ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍ ସିଟିରରୁ ସାଢ଼େ ୬ ଲକ୍ଷ ଫାଇନ ଆଦାୟ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍କୁ ପରିବହନ ବିଭାଗ ସିଜ୍ କରିଛି। ଫିଟ୍ନେସ୍ ନ ଥାଇ ରାସ୍ତାରେ ଗଡ଼ିବା ଅଭିଯୋଗରେ ଉଭୟ ବସ୍କୁ ସିଜ୍ କରିଛି ବିଭାଗ। ଏଥିସହ ଉଭୟ ବସ୍ର ରେଜିଷ୍ଟ୍ରେସନ ଏବଂ ପଲ୍ୟୁସନ ସାର୍ଟିଫିକେଟ ମଧ୍ୟ ବୈଧ ନ ଥିବାରୁ ଯାଞ୍ଚରୁ ଜଣାପଡ଼ିଛି। ଫଳରେ ଏହି ୨ଟି ବସ୍କୁ ମୋଟ ୨୫ ହଜାର ୫ଶହ ଟଙ୍କା ଲେଖାଏ ୫୧ ହଜାର ଜରିମାନା କରାଯାଇଛି।
https://www.dharitri.com/୩-ନୂଆ-ଭେନ୍ୟୁରେ-ହୋଇପାରେ-ଆଇ/
୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍‌ ୨୦୨୦ ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ ୩ ନୂଆ ଭେନ୍ୟୁରେ ଖେଳାଯାଇପାରେ। ୮ ଫ୍ରାଞ୍ଚାଇଜର ମାଲିକମାନେ ବିସିସିଆଇର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ମୁମ୍ବାଇଠାରେ ଭେଟିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାଞ୍ଚାଇଜ ଭେନ୍ୟୁ ପରିବର୍ତ୍ତନ ଲାଗି ଅନୁରୋଧ କରିବା ସହ ୩ ଭେନ୍ୟୁ ଯଥା ଲକ୍ଷ୍ନୌ, ଗୁଆହାଟୀ ଓ ଥିରୁଭାନନ୍ତପୁରମର ଭେନ୍ୟୁକୁ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ଅଫିସିଆଲ କହିଛନ୍ତି, କିଙ୍ଗ୍ସ ଏକାଦଶ ପଞ୍ଜାବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଦ୍ୱିତୀୟ ହୋମ ଭେନ୍ୟୁ ଚାହୁଁଥିବାବେଳେ ରାଜସ୍ଥାନ ରୟାଲ୍ସ ତା’ର ଭେନ୍ୟୁ ଅହମ୍ମଦାବାଦରୁ ଗୁଆହାଟୀକୁ ସ୍ଥାନାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛି। ଥିରୁଭାନନ୍ତପୁରମର ଘରୋଇ ଦଳ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଏଠାକୁ ୩ୟ ଭେନ୍ୟୁ କରାଯାଇପାରେ। କାରଣ ଏଠାକର ଗ୍ରାଉଣ୍ଡରେ ସମସ୍ତ ଆବଶ୍ୟକ ସୁବିଧା ରହିଛି ଓ ବହୁ ସଂଖ୍ୟାରେ କ୍ରିକେଟ ପ୍ରଶଂସକ ରହିଛନ୍ତି। ଅହମ୍ମଦାବାଦ ବଦଳରେ ଗୁଆହାଟୀକୁ ହୋମ ଭେନ୍ୟୁ କରିବାକୁ ଚାହୁଁଥିବା ରାଜସ୍ଥାନ ଫ୍ରାଞ୍ଚାଇଜ ପ୍ରସ୍ତାବରେ ଗଭର୍ନିଂ କାଉନ୍ସିଲର କୌଣସି ଅସୁବିଧା ନାହିଁ। ଆଇଏମ୍ଜି ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଯାଞ୍ଚ କରିବା ପରେ ଗ୍ରୀନ୍ ସିଗ୍ନାଲ ମିଳିବ। ସେହିଭଳି ଲକ୍ଷ୍ନୌ ଗ୍ରାଉଣ୍ଡ ଲାଗି ପଞ୍ଜାବ ଫ୍ରାଞ୍ଚାଇଜ ଗତ ସଂସ୍କରଣଠାରୁ ଅନୁରୋଧ କରୁଛି। ନିକଟରେ ସେଠାରେ ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରୁ ରିଭ୍ୟୁ ସିଷ୍ଟମ ବଦଳି ଥିବା ଜଣାପଡ଼ିଛି। ଏଣୁ ଏହି ଗ୍ରାଉଣ୍ଡରେ ପ୍ରଞ୍ଜାବ ଦଳର ଦ୍ୱିତୀୟ ହୋମ ଭେନ୍ୟୁ ହେବା ନେଇ ବିଶେଷ ସମ୍ଭାବନା ରହିଛି। ପୂର୍ବରୁ ଏହି ଦଳ ମୋହାଲି ଓ ହୋଲକାର ଷ୍ଟାଡିୟମରେ ତା’ର ସମସ୍ତ ହୋମ ମ୍ୟାଚ୍ ଖେଳୁଥିଲା। ମିଳିଥିବା ସୂଚନା ମୁତାବକ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଏପରି କି ରାଜସ୍ତାନ ମଧ୍ୟ ସିଜନ ଆରମ୍ଭରୁ ଆଇପିଏଲ୍ ଦଳ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
https://www.dharitri.com/the-situation-is-dire/
ସଙ୍ଗିନ ହେଉଛି ସ୍ଥିତି ଅନୁଗୋଳ ଅଫିସ, ୨୯।୪: ଅନୁଗୋଳ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ଦୁଇଦିନ ଭିତରେ ସଂକ୍ରମଣ ୭୦୦ ପାର୍ କରିଛି। ମଙ୍ଗଳବାର ୨ୟ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ (୩୯୩) ଚିହ୍ନଟ ହୋଇଥିବାବେଳେ ବୁଧବାର ୩୩୬ ଜଣ ପଜିଟିଭ୍ ବାହାରିଛନ୍ତି। ଏଭଳି ଉପରମୁହଁା କରୋନା ଗ୍ରାଫ୍ ପାଇଁ ଚିନ୍ତାରେ ପଡ଼ିଛି ପ୍ରଶାସନ। ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଜିଲାର ୨ ବ୍ଲକ ଓ ଗୋଟିଏ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ସରକାର ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ଆଲୋଚନା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ଜିଲାର ତାଳଚେର ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ବଅଁରପାଳ ଓ ଛେଣ୍ଡିପଦାରେ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକର ୩ ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ସ୍ଥାନରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସର୍ବସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ କାର୍ଯ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ସେହିପରି ତାଳଚେର ପୌରାଞ୍ଚଳରେ ମଧ୍ୟ ପୂର୍ବରୁ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବାବେଳେ ବୁଧବାର ଅନ୍ୟ ଏକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅନୁରୂପ ଭାବେ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଏହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଅତି ସଂକ୍ରମିତ ସ୍ଥାନକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ରେଡ୍ ଜୋନ୍ରେ ଜିଲାର ୧୭୧ ଗ୍ରାମାଞ୍ଚଳ ଥିବାବେଳେ ସହରାଞ୍ଚଳର ୨୬ ୱାର୍ଡ ରହିଛି। ତାଳଚେର ବ୍ଲକର ୩୬ ଗ୍ରାମାଞ୍ଚଳ ରେଡ୍ଜୋନ୍ରେ ଥିବାବେଳେ ବଅଁରପାଳ ବ୍ଲକର ୩୪, ଅନୁଗୋଳ ବ୍ଲକର ୨୭, ଆଠମଲ୍ଲିକ ବ୍ଲକର ୮, ଛେଣ୍ଡିପଦା ବ୍ଲକର ୬, କଣିହଁା ବ୍ଲକର ୩୧, କିଶୋରନଗର ବ୍ଲକର ୨୧ ଏବଂ ପାଲଲହଡ଼ା ବ୍ଲକର ୧୦ ଗ୍ରାମାଞ୍ଚଳକୁ ରେଡ଼୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଅନୁଗୋଳ ପୌରାଞ୍ଚଳରେ ସବୁ ୱାଡ୍ ରେଡ୍ଜୋନ୍କୁ ଆସିଛି। ତାଳଚେର ପୌରାଞ୍ଚଳର ୧୦ ଓ ୧୭ ନମ୍ବର ୱାର୍ଡ, ଆଠମଲ୍ଲିକ ଏନ୍ଏସିର ୬ ନମ୍ବର ୱାର୍ଡକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ରିନିଂ କରିବାକୁ ଏଏନ୍ଏମ୍, ପୁରୁଷ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ କମିଟି ଗଠିତ ହୋଇଛି। ଏମାନେ ରେଡ୍ଜୋନ୍ ଅଞ୍ଚଳର ଘର ଘର ବୁଲି ସ୍କ୍ରିନିଂ କରୁଛନ୍ତି। କରୋନାର ଏହି ଚେନ୍ ଭାଙ୍ଗିବାକୁ ଆଗକୁ ଆସିଛନ୍ତି ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ଅଞ୍ଚଳର ବ୍ୟବସାୟୀ। ସେମାନେ ଦୋକାନ ବନ୍ଦ ରଖିବାକୁ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଅନୁଗୋଳ ସହରାଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶନାମା ପୂର୍ବରୁ ଅପରାହ୍ନରେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଛେଣ୍ଡିପଦା ଓ ବଅଁରପାଳ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ଆଲୋଚନା କରାଯାଇଛି। ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। **ଇଏସ୍ଆଇରେ ଖୋଲିବ ନୂଆ ସିସିସି** ଅନୁଗୋଳ ଜିଲାରେ ଦୁଇ ଦିନ ହେଲା ଦୈନିକ କରୋନା ସଂକ୍ରମଣ ୩ ଶହ ଉପରେ ରହୁଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ତପତ୍ର ହୋଇଉଠିଛି। ଅନୁଗୋଳ ସହର ଉପଖଣ୍ଡ ପଞ୍ଚମହଲାରେ ଖୋଲାଯାଇଥିବା ଜିଲାର ପ୍ରଥମ କୋଭିଡ୍ କେୟାର ସେଣ୍ଟର (ସିସିସି)ରେ ପ୍ରଥମେ ୧୦୦ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହାକୁ ୧୫୦କୁ ବୃଦ୍ଧି କରାଯାଇଛି। ଏଠାରେ ଏବେ ୭୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେହିପରି ବଅଁରପାଳ ବ୍ଲକରେ ଥିବା ଇଏସ୍ଆଇଠାରେ ମଧ୍ୟ ଆଉ ଗୋଟିଏ ସିସିସି ଖୋଲିବାକୁ ଯୋଜନା କରାଯାଉଛି। ସେଠାରେ ୧୦୦ ଶଯ୍ୟା ବ୍ୟବସ୍ଥା କରାଯିବ। ବେଡ଼୍ର ବ୍ୟବସ୍ଥା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। **ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି** କରୋନା ସଂକ୍ରମଣ ବଢୁଥିବାର ସରକାର ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରିଛନ୍ତି। ଅନୁଗୋଳ ବ୍ୟବସାୟୀ ସଂଘ ନିଜ ତରଫରୁ ଦୋକାନ ବଜାର ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିଛନ୍ତି। ବଅଁରପାଳ, ଛେଣ୍ଡିପଦାରେ ସନ୍ଧ୍ୟା ୬ଟା ପରେ ଏବଂ ଅନୁଗୋଳରେ ଅପରାହ୍ନ ପରେ ଦୋକାନ ବନ୍ଦ ପାଇଁ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। **ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ** **୭ ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍** ତାଳଚେର ଉପଖଣ୍ଡ ଅଞ୍ଚଳର ୭ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିରେ ତାଳଚେର ବ୍ଲକର ୫ ସ୍ଥାନ ରହି ଥିବାବେଳେ ପୌରାଞ୍ଚଳରେ ୨ ୱାର୍ଡ ରହିଛି। ଏହି ସମୟରେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଜଳ ଯୋଗାଣ, ବିଦ୍ୟୁତ୍, ପରିମଳ, ଚିକିତ୍ସା ପାଇଁ ଯାତାୟତ କରିବାକୁ ଲୋକଙ୍କୁ ଅନୁମତି ଦିଆଯିବ। **ରଜନୀକାନ୍ତ ସ୍ବାଇଁ, ତାଳଚେର ଉପଜିଲାପାଳ** **ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପ୍ରୟାସ** କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ବଅଁରପାଳ ବ୍ଲକର ତୁଳସୀପାଳ, ଛେଣ୍ଡିପଦା ଅଞ୍ଚଳର ଡଙ୍ଗାପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ନିୟମ ମାନିବାକୁ ପଦକ୍ଷେପ ନିଆଯାଇଛି। ଅନୁଗୋଳ ଉପଖଣ୍ଡରେ ଥିବା ସମସ୍ତ ବ୍ଲକରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ କରୋନା ନିୟମ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। **ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ** **ଜନସାଧାରଣ ସହଯୋଗ କରିବା ଜରୁରୀ** ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଉପର ମୁହଁା ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କୁ ସଚେତନ କରିବାକୁ ପ୍ରଶାସନିକ ଅଧିକାରୀ ଦିନ ରାତି ଏକ୍ କରିଦେଇଛନ୍ତି। ତେଣୁ ଯେ କୌଣସି ପରିସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ହେବ। ଏହି କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କରିବା ନିତାନ୍ତ ରୁରୀ। **ପ୍ରତାପ ମହାପାତ୍ର, ସାମାଜିକ କର୍ମୀ**
https://www.dharitri.com/tiger-took-life-fear-in-the-village/
ବାଘ ନେଇଗଲା ଜୀବନ: ଗାଁରେ ଭୟ ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସାଦଙ୍କ ଘର ଧଣ୍ଡମୁଣ୍ଡା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।
https://www.dharitri.com/nirav-modi-transferred-to-privately-run-prison-in-london/
ଇଂଲଣ୍ଡର ଏକ ଘରୋଇ ଜେଲ୍‌କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ ଖଲିଫଙ୍କୁ ରଖାଯାଇଛି। ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ନିରବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୫୨ବର୍ଷିୟ ନିରବଙ୍କୁ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରା ଲଗାଯାଇଥିବା ଜରିମାନା୧୫୦,୨୪୭,୦୦ପାଉଣ୍ଡର ଶୁଣାଣି ପାଇଁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ପଡିବ।
https://www.dharitri.com/third-earthquake-in-india-today-250-km-from-kargil/
ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି । ସେଣ୍ଟରର ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍ପେଲରେ ୪.୬ ଥିଲା । ସୂଚନାଯୋଗ୍ୟ, ଲଦ୍ଦାଖର ଅଧିକାଂଶ ଅଞ୍ଚଳ ପାର୍ବାତ୍ୟାଞ୍ଚଳ । ସେଥିପାଇଁ ବିପଦ ଆଶଙ୍କା ଅଧିକ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । କୁହାଯାଉଛି କି କାରଗିଲଠାରୁ ୨୫୦ କିଲୋମିଟର ଦୂରରେ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ । ଏହା ପୂର୍ବରୁ ହରିୟାଣା ଓ ଦିଲ୍ଲୀରେ ବର୍ଷର ପ୍ରଥମ ଦିନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
https://www.dharitri.com/taaldada-canal-water-unsuitable-for-drinking-washing/
ତାଳଦଣ୍ଡା କେନାଲ ପାଣି ପିଇବା, ଗାଧୋଇବାକୁ ଅନୁପଯୁକ୍ତ ପାରାଦୀପ,୧୧ା୫(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳ ପାଇଁ ତାଳଦଣ୍ଡା କେନାଲ ହେଉଛି ଜୀବନରେଖା। କାରଣ ସବୁ ଶିଳ୍ପସଂସ୍ଥା, ପାରାଦୀପ ବନ୍ଦର ଏବଂ ସହରାଞ୍ଚଳବାସୀ ତାଳଦଣ୍ଡା କେନାଲ ପାଣି ଉପରେ ନିର୍ଭରଶୀଳ। ଏହାବାଦ୍ ଜଗତ୍ସିଂହପୁର ଜିଲାର ବହୁ ଗ୍ରାମାଞ୍ଚଳ ବାସିନ୍ଦା ମଧ୍ୟ ଏହି କେନାଲ ପାଣି ବ୍ୟବହାର କରିଥା’ନ୍ତି। ସମ୍ପ୍ରତି ଉକ୍ତ କେନାଲରେ ଏବେ ଜଳସଙ୍କଟ ଲାଗି ରହିଛି। କାରଣ ମହାନଦୀରେ ପାଣି ନ ଥିବାରୁ ଆବଶ୍ୟକ ମୁତାବକ ପାଣି କଟକ ଯୋବ୍ରା ଆନିକଟରୁ ଯୋଗାଣ ହୋଇ ପାରୁନାହିଁ ବୋଲି ସରକାରୀ ଭାବେ କୁହାଯାଇଛି। ଜଳାଭାବ ସହ ଆଉ ଗୋଟିଏ ସମସ୍ୟା ଏହି ତାଳଦଣ୍ଡା କେନାଲ ପାଣିରେ ଦେଖାଦେଇଛି। ଯଥା ଉକ୍ତ ପାଣି ପ୍ରଦୂଷିତ ହୋଇଗଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରତିବର୍ଷ ତାଳଦଣ୍ଡା କେନାଲର ପାଣି ପରୀକ୍ଷା କରାଯାଇଥାଏ। ତା’ର ରିପୋର୍ଟ ବୋର୍ଡର ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ସେହି ରିପୋର୍ଟ ମୁତାବକ, ଉକ୍ତ କେନାଲ ପାଣିରେ ଟିସି (ଟୋଟାଲ କେମିକାଲ) ଓ ଏଫ୍ସି (ଫେକାଲ କେମିକାଲ) ମାତ୍ରା ଅଧିକ ରହୁଛି। ଟିସି ଓ ଏଫ୍ସି ସମ୍ପର୍କରେ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରେ କେନାଲ ପାଣିରେ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ମିଶିଲେ ତାହା ପ୍ରଦୂଷିତ ହୋଇଥାଏ। ଏହାବାଦ୍ ପାଣିରେ ସ୍ନାନ, ଶୌଚ କରିବା ଦ୍ୱାରା ଏଫ୍ସି ବୃଦ୍ଧି ପାଇଥାଏ। ଏହି ଟିସି ଓ ଏଫ୍ସି ଅଧିକ ରହିଲେ ଚର୍ମରୋଗ ହେବାର ସମ୍ଭାବନା ଅଛି। ଏତଦ୍ ବ୍ୟତୀତ ଉକ୍ତ କେନାଲର ଅଧିକାଂଶ ସ୍ଥାନରେ ଲୋକମାନେ ଗୃହପାଳିତ ପ୍ରାଣୀ ଗାଈ, ମଇଁଷି, ମେଣ୍ଢା, ଛେଳି, କୁକୁର ଆଦିକୁ ଗାଧୋଇ ଦେଇଥାନ୍ତି। ତାହା ମଧ୍ୟ ହେବାକଥା ନୁହେଁ। କେନାଲ କଡ଼ରେ ଅନେକ ସ୍ଥାନରେ ଗାଡ଼ି ସର୍ଭିସିଂ ସେଣ୍ଟର ଅଛି। ଗାଡ଼ି ଧୁଆରୁ ଉଦ୍ବୃତ୍ତ ତୈଳାକ୍ତ ପାଣି ମଧ୍ୟ ମଣିଷ ଶରୀର ପାଇଁ କ୍ଷତିକାରକ, ଯାହା ଏହି କେନାଲରେ ଅଧିକ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୂଷଣ ବୋର୍ଡ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ତାଳଦଣ୍ଡା କେନାଲର ୬ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହି ୬ଟି ସ୍ଥାନ ହେଲା କଟକ ଯୋବ୍ରା, ରାଣୀହାଟ, ଛତ୍ରବଜାର, ନୂଆବଜାର, ବିରିବାଟୀ ଓ ପାରାଦୀପର ଅଠରବାଙ୍କୀ। ଅନେକ ବୈଷୟିକ ତଥ୍ୟ ଉକ୍ତ ରିପୋର୍ଟରେ ରହିଛି। କେନାଲକୁ ନିୟମିତ ସଫା କରିବା ସହ ଏଥିରେ ଯେପରି ବର୍ଜ୍ୟବସ୍ତୁ ନ ମିଶିବ, ସେଭଳି ବ୍ୟବସ୍ଥା ହେବା ଦରକାର ବୋଲି ପରିବେଶବିତ୍ ଅମରେଶ ନରେଶ ସାମନ୍ତ କହିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ କେନାଲକୁ ଏବେ ନବୀକରଣ କରାଯାଉଛି। କାମ ସମ୍ପୂର୍ଣ୍ଣ ହୋଇଗଲେ ସ୍ବଚ୍ଛତା ଆସିଯିବ। ଖାଲି ତାଳଦଣ୍ଡା କେନାଲ ନୁହେଁ, ରାଜ୍ୟର ଅଧିକାଂଶ ନଦୀର ପାଣି ପ୍ରଦୂଷିତ ବୋଲି ବୋର୍ଡ ରିପୋର୍ଟରେ ଦର୍ଶାଯାଇଛି।
https://www.dharitri.com/the-hat-trick-is-delhis-goal/
ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ ହ୍ୟାଟ୍ରକ ବିଜୟ ଲକ୍ଷ୍ୟରେ ରହିଛି ଶ୍ରେୟାୟ ଆୟାରଙ୍କ ଯୁବଦଳ। ଅନ୍ୟପକ୍ଷରେ ସନ୍ରାଇଜର୍ସ ଖେଳିଥିବା ୨ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନରଙ୍କ ଦଳ ସ୍ବାଭାବିକଭାବେ ଚାପରେ ରହିବ । ଦିଲ୍ଲୀ ଦଳ ଏହାର ପ୍ରଥମ ମ୍ୟାଚରେ ଏକଦା ପରାଜୟ ସ୍ଥିତିରେ ଥିଲେ ହେଁ ଭାଗ୍ୟ ସାଥ୍ ଦେବାରୁ କିଙ୍ଗ୍ସ ଇଲେଭେନକୁ ସୁପର ଓଭରରେ ପରାସ୍ତ କରିଥିଲା। ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ହରାଇବାପରେ ଏହି ଦଳର ମନୋବଳ ବହୁ ଉପରେ ରହିଛି। ଅନ୍ୟପକ୍ଷରେ ସନ୍ରାଇଜର୍ସ ଏକମାତ୍ର ଦଳଭାବେ ଏପର୍ଯ୍ୟନ୍ତ ବିଜୟ ଅପେକ୍ଷାରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚରେ ଜନି ବେୟାରଷ୍ଟୋଙ୍କ ୬୧ ଓ ମନୀଷ ପାଣ୍ଡେଙ୍କ ୩୪ ରନ ସତ୍ତ୍ୱେ ଦଳ ୧୬୪ ରନର ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ସେହିପରି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମିଡଲ ଅର୍ଡର ଦ୍ରୁତ ହାରରେ ରନ ସଂଗ୍ରହରେ ଫେଲ୍ ମାରିବାରୁ ମାତ୍ର ୧୪୨/୪ ରନ କରିପାରିଥିଲା। ଫଳରେ ଦଳକୁ ୭ ଉଇକେଟରେ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ରିଦ୍ଧିମାନ ଶାହା ଅତ୍ୟନ୍ତ ଧିମା ଖେଳି ୩୧ ବଲ୍ରୁ ମାତ୍ର ୩୦ ରନ କରିଥିଲେ। ଦିଲ୍ଲୀ ପାଇଁ ଦକ୍ଷିଣ ଆଫ୍ରିକା ଯୋଡ଼ି କାଗିଶୋ ରାବାଡ଼ା ଓ ଏନରିଚ୍ ନର୍ଜେ ନୂଆ ବଲ୍ରେ ଚମତ୍କାର ବୋଲିଂ କରୁଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଓ ଅମିତ ମିଶ୍ର ବଢ଼ିଆ ବୋଲିଂ କରିଛନ୍ତି। ଆହତ ଅଶ୍ୱିନ ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବେ ନାହିଁ। ”ଅଶ୍ୱିନଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ସେ ରବିବାର ବୋଲିଂ କରିଥିଲେ। ତାଙ୍କ ଆହତ ସମସ୍ୟାକୁ ଫିଜିଓ ଅନୁଧ୍ୟାନ କରୁଛନ୍ତି। ସୋମବାର ମଧ୍ୟ ସେ ଦୀର୍ଘ ସମୟ ନେଟ୍ସରେ ସମୟ ବିତାଇଥିଲେ। ସମ୍ଭବତଃ ସେ ଆଉ ଗୋଟିଏ ମ୍ୟାଚ ମିସ୍ କରିବେ“ ବୋଲି ଅମିତ ମିଶ୍ର ପ୍ରକାଶ କରିଛନ୍ତି। ବ୍ୟାଟିଂରେ ଫାଉଣ୍ଡେଶନ ପାଇଁ ଶିଖର ଧାଓ୍ବନଙ୍କ ପରି ସିନିୟର ଖେଳାଳିଙ୍କ ଉପରେ ଦାୟିତ୍ୱ ରହିବ। ଯୁବ ପ୍ରତିଭା ପୃଥ୍ବୀ ଶ’ ଟପ୍ ଅର୍ଡରରେ ତାଙ୍କୁ ସହାୟତା କରିବେ। ଅଷ୍ଟ୍ରେଲିଆନ ଅଲ୍ରାଉଣ୍ଡର ମାର୍କୁସ ଷ୍ଟୋଇନ୍ସ ଓ ସିମ୍ରନ ହେଟମେରଙ୍କ ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍ଅପ୍ ଦୃଢ଼ ହୋଇଛି। ସନ୍ରାଇଜର୍ସ କିନ୍ତୁ ଓ୍ବାର୍ନର ଓ ବେୟାରଷ୍ଟୋଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଛି। ପ୍ରଥମ ବିଜୟ ହାସଲ କରିବାକୁ ହେଲେ ସମ୍ପୂର୍ଣ୍ଣ ବ୍ୟାଟିଂ ୟୁନିଟକୁ ଦାୟିତ୍ୱ ନେବାକୁ ପଡ଼ିବ। ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଦଳ ଆଫଗାନିସ୍ତାନ ଅଫ୍ସ୍ପିନର ମହମ୍ମଦ ନବିଙ୍କୁ ଦ୍ୱିତୀୟ ମ୍ୟାଚରେ ଖେଳାଇଥିଲା। ସେ ଭଲ ବୋଲିଂ କରିଥିଲେ। କେନ୍ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳିଛନ୍ତି। ତେଣୁ ବ୍ୟାଟିଂ ବିଭାଗକୁ ଦୃଢ଼ କରିବା ପାଇଁ ଦଳ ତାଙ୍କୁ ଲାଇନ୍ଅପ୍ରେ ସାମିଲ କରିପାରେ। ସେ ଖେଳିଲେ ନବିଙ୍କୁ ବାହାରେ ବସିବାକୁ ପଡ଼ିବ। ରଶିଦ ଖାଁ କ୍ରମାଗତଭାବେ ପ୍ରଭାବୀ ପ୍ରଦର୍ଶନ କରି ଚାଲିଥିବାବେଳେ ଦଳରେ ଜଣେ ଦକ୍ଷ ଫାଷ୍ଟ ବୋଲରଙ୍କ ଅନୁପସ୍ଥିତି ଅନୁଭବ ହେଉଛି। ବିକଳ୍ପଭାବେ ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ବିଲି ଷ୍ଟାନ୍ଲେକ ଉପଲବ୍ଧ ଥିଲେ ହେଁ ୪ ଜଣିଆ ବିଦେଶୀ ଖେଳାଳି ନିୟମ ଦୃଷ୍ଟିରୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ସମ୍ଭବ ହେଉନାହିଁ। ସନ୍ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ଜାସନ ହୋଲ୍ଡର, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ। ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟାର(ଅଧିନାୟକ), ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, ଈଶାନ୍ତ ଶର୍ମା, ଅମିତ ମିଶ୍ର, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, କେମୋ ପଲ୍, ମୋହିତ ଶର୍ମା, ଲଳିତ ଯାଦବ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଆର. ଅଶ୍ୱିନ, ମାର୍କୁସ ଷ୍ଟୋଇନ୍ସ, ରିଷଭ ପନ୍ତ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ, ଏନରିଚ୍ ନର୍ଜେ।
https://www.dharitri.com/dhami-in-action-over-banbulpura-violence-seize-masterminds-property/
ବନଭୁଲପୁରା ହିଂସା ଘଟଣାକୁ ନେଇ ଆକ୍ସନ ମୁଡରେ ଧାମି, ମାଷ୍ଟରମାଇଣ୍ଡଙ୍କ ସମ୍ପତ୍ତି ଜବତ, ଆକ୍ରମଣକାରୀଙ୍କ ପୋଷ୍ଟର ଜାରି ହଲଦ୍ୱାନି,୧୭।୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାନୀ ହଲଦ୍ୱାନୀର ବନଭୁଲପୁରାରେ ହୋଇଥିବା ହିଂସାକୁ ନେଇ କ୍ରମାଗତ କାର୍ଯ୍ୟାନୁଷ୍ଠାନରେ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସେ କହିଛନ୍ତି, ଦେବଭୂମି ଉତ୍ତରାଖଣ୍ଡରେ ଅଶାନ୍ତି ସୃଷ୍ଟିକାରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହାକୁ ପିଢି ପରେ ପିଢି ମନେ ରଖିବେ…। ଇତିମଧ୍ୟରେ ଏହି ହିଂସାରେ ଫେରାର ଥିବା ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦଙ୍କ ସମ୍ପତ୍ତି ଜବତ କରିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସ କହିଛି ଯେ ବନବୁଲପୁରାର ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦଙ୍କ ଘର ଜବତ ହୋଇଛି। ଏହି ହିଂସା ହେତୁ ହୋଇଥିବା କ୍ଷତିପୂରଣ ପାଇଁ ଏହି ପଦକ୍ଷେପ ନିଆଯାଉଛି। ମ୍ୟୁନିସିପାଲିଟି କର୍ପୋରେସନ ଏଥିପାଇଁ ଅବଦୁଲ ମଲିକଙ୍କ ବିରୋଧରେ ନୋଟିସ ଜାରି କରିସାରିଛି। ସଂଲଗ୍ନ ପାଇଁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ହାଲଦ୍ୱାନି ଏସପି-ସିଟି ହରବଂସ ସିଂ, ସିଓ-ଲାଲକୁଆଁ ସଂଗୀତା, ହାଲଦ୍ୱାନି ତହସିଲଦାର ସଚିନ କୁମାର, ପ୍ରଭାରୀ ନିରିକ୍ଷକ ଡି.ଆର. ବର୍ମା, ନନ୍ଦନ ସିଂ ରାୱତ, ପୋଲିସ ଷ୍ଟେଶନ ମୁଖ୍ୟ କାଲାଡୁଙ୍ଗି ଏବଂ ପୋଲିସ ଏବଂ ପ୍ରଶାସନର ଦଳ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବନଭୁଲପୁରା ହିଂସା ଅଭିଯୋଗରେ ନୈନିତାଲ ପୋଲିସ ପୋଷ୍ଟର ଜାରି କରିଛି। ହାଲଦ୍ୱାନି ହିଂସା ଘଟଣାର ୯ଜଣ ଆକ୍ରମଣକାରୀଙ୍କୁ ପୋଲିସ ଚିହ୍ନଟ କରିଛି ଯେଉଁଥିରେ ଅବଦୁଲ ମଲିକ (ମାଷ୍ଟରମାଇଣ୍ଡ), ତସଲିମ, ୱାସିମ ଓରଫ ହପ୍ପା, ଅୟାଜ ଅହମ୍ମଦ, ଅବଦୁଲ ମୋଇଦ, ରଇସ ଓରଫ ଦତ୍ତୁ, ଶକିଲ ଅନସାରୀ, ମୌକିନ ସୌଫି ଏବଂ ଜିଆ ଉଲ ରେହମାନ ଅଛନ୍ତି।
https://www.dharitri.com/strengthen-the-college-infrastructure/
‘କଲେଜ ଭିତ୍ତିଭୂମି ସୁଦୃଢ଼ କର’ ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ପରିବେଶ ୟ ସବୁଜିମା ଭରା, ପରିଚ୍ଛନ୍ନ ଓ ଶାନ୍ତ ରହିଲେ ବିଦ୍ୟାର୍ଥୀମାନେ ଶିକ୍ଷା ପ୍ରତି ଆଗ୍ରହୀ ହେବେ। ଏ ଦିଗରେ ଗୁରୁତ୍ୱ ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସବିତା ହରିଚନ୍ଦନ କହିଲେ, ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସକାରାତ୍ମକ ବିଚାରଧାରା ସୃଷ୍ଟି କରିବ। ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ। ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆବଶ୍ୟକ ନିର୍ମାଣ, ନବୀକରଣ କରାଯିବ। ଫୁଲ, ଫଳ ଗଛ ଲଗାଇ ପରିବେଶକୁ ଆକର୍ଷଣୀୟ କରାଯିବ। ମହାପୁରୁଷମାନଙ୍କ ପରାକାଷ୍ଠା ସମ୍ବଳିତ ବାର୍ତ୍ତା, ଫଟୋଚିତ୍ର ଲଗାଯିବ। କଲେଜ ହତାରେ ଅସାମାଜିକ ବ୍ୟକ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ନଜରକୁ ଆସିଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜସ୍ବ ଜମିପଟ୍ଟା ନ ଥିବା କଲେଜଗୁଡ଼ିକୁ ପଟ୍ଟା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜ୍ୟୋତିଶଙ୍କର ସାହୁ, ଉଦୟ କୁମାର ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୌମ୍ୟା ଶତାଭୀଷାଙ୍କ ସମେତ ୨୨ ମହାବିଦ୍ୟାଳୟର ଅଧ୍ୟକ୍ଷ, ପୋଲିସ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।
https://www.dharitri.com/ଦୁର୍ନୀତି-ଅଭିଯୋଗରେ-ସ୍ପେଶା/
ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ନିଲମ୍ବିତ ଭୁବନେଶର,୧୯।୧୧(ବ୍ୟୁରୋ): ଦୁର୍ନୀତି ଅଭିଯୋଗ ପ୍ରମାଣ ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ଅର୍ଜୁନ କହଁର ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଜୁନଙ୍କ ବିରୋଧରେ ଗତ କିଛିଦିନ ହେବ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ବିଭାଗ ପକ୍ଷରୁ ମାମଲାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅର୍ଜୁନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ପୋଲିସ ବିଭାଗ ତାଙ୍କୁ ନିଲମ୍ବିତ କରିଛି।
https://www.dharitri.com/ୟୁଥ୍‌-ଓ୍ବାଲର୍‌ଡ-ରେକର୍ଡ-ଭ/
ୟୁଥ୍‌ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଲେ ଲାଲ୍‌ରିନୁଙ୍ଗା ଆପିଆ, (ସାମୋଆ), ୧୨ା୭ (ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍ର ତୃତୀୟ ଦିବସରେ ୟୁଥ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେରେମି ଲାଲ୍ରିଙ୍ଗୁଆନା ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ସେ ତିନୋଟି ରେକର୍ଡ ଭଙ୍ଗ କରିଛନ୍ତି, କିନ୍ତୁ କ୍ଲିନ୍ ଆଣ୍ଡ୍ ଜର୍କ ଉତ୍ତୋଳନରେ ବିଫଳ ହୋଇଛନ୍ତି। ୬୭ କେଜି କାଟେଗୋରିରେ ଅଂଶଗ୍ରହଣ କରିଥିବା ୧୬ ବର୍ଷୀୟ ଜେରେମି ସ୍ନାଚ୍ କାଟେଗୋରିରେ ୧୩୬କେଜି ଉତ୍ତୋଳନ କରିବା ସହ ୟୁ୍ଥ୍ ଓ୍ବାଲର୍ଡ, ଏସିଆନ ଏବଂ ରାଜ୍ୟଗୋଷ୍ଠୀ ରେକର୍ଡ ଭଙ୍ଗ କରିଛନ୍ତି। ପୂର୍ବରୁ ୟୁଥ୍ ଓ୍ବାଲର୍ଡ ଏବଂ ଏସିଆନ ରେକର୍ଡ ମଧ୍ୟ ଲାଲ୍ରିନୁଙ୍ଗାଙ୍କ ନାମରେ ରହିଥିଲା। ଏପ୍ରିଲରେ ଚାଇନାର ନିଙ୍ଗ୍ବୋଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ ୧୩୪କେଜି ଉତ୍ତୋଳନ କରି ସେ ଏହି ରେକର୍ଡ ଅଧିକାରୀ ହୋଇଥିଲେ। ଭାରତର ଅନ୍ୟ ଭରୋତ୍ତୋଳକମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ତନ୍ମଧ୍ୟରେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ଅଚିନ୍ତା ଶିଉଳି ମୋଟ ୩୦୫କେଜି (୧୩୬କେଜି+୧୬୯କେଜି) ଉତ୍ତୋଳନ କରି ସିନିୟର ଏବଂ ଜୁନିୟର ପୁରୁଷ ୭୩ କେଜି ଶ୍ରେଣୀରେ ସ୍ବର୍ଣ୍ଣ ଜିତିପାରିଛନ୍ତି। ସେହିପରି ମହିଳା ୭୬କେଜି ମହିଳା ବିଭାଗରେ ମନପ୍ରୀତ କୌର ୨୦୭ କେଜି (୯୧କେଜି+୧୧୬କେଜି) ଉଠାଇ ସ୍ବର୍ଣ୍ଣ ଜିତିଛନ୍ତି। ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍ରେ ଏକ ସଙ୍ଗରେ ୟୁଥ୍, ଜୁନିୟର ଓ ସିନିୟର କାଟେଗୋରିରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।
https://www.dharitri.com/after-how-many-days-does-it-take-to-update-aadhaar-card-details-read-full-story-in-odia/
Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…
https://www.dharitri.com/ଆଇସିସି-ଦିନିକିଆ-ର଼୍ୟାଙ୍କି/
ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଅଧିନାୟକ ବିରାଟ କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ହୋଇଛନ୍ତି। କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱକପ୍ରେ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ କରିବା ସହ ରୋହିତ ବ୍ୟାଟିଂ ତାଲିକାର ୨ ନମ୍ବର ସ୍ଥାନ ଅଧିକାର କରିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ ବ୍ୟବଧାନ କମିଛି। ବିଶ୍ୱକପ୍ରେ ଏପର୍ଯ୍ୟନ୍ତ କୋହଲି ୬୩.୧୪ ରନ ହାରରେ ୪୪୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥିସହ ଗୋଟିଏ ପଏଣ୍ଟ ହାସଲ କରି କୋହଲି ୮୯୧ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପଟେ ରୋହିତ ବିଶ୍ୱକପ୍ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫ଟି ଶତକ ହାସଲ କରି ମୋଟ କ୍ୟାରିୟର ଶ୍ରେଷ୍ଠ ୮୮୫ ପଏଣ୍ଟ ପାଇଛନ୍ତି। ସେହିପିରି ପାକିସ୍ତାନର ବାବର ଆଜମ ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଟପ୍ ୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରି ସେ ଏପର୍ଯ୍ୟନ୍ତ ୬୩୮ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କଠାରୁ ସେ ମାତ୍ର ୯ ରନ ପଛରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ସ୍ଥିର ପ୍ରଦର୍ଶନ କରି ୪ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନ ଅଧିକାର କରିବା ସହ ଟପ୍ ୧୦କୁ ଫେରିଛନ୍ତି। ଅଷ୍ଟ୍ରେଲିଆର ଉସ୍ମାନ ଖ୍ବାଜା କ୍ୟାରିୟର ଶ୍ରେଷ୍ଠ ୧୫ତମ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡ ଓପନର ଜାସନ ରଏ ଓ ଜନ୍ନି ବେୟାରଷ୍ଟୋ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ ତାଲିକାରେ ଭାରତର ଯଶପ୍ରୀତ ବୁମ୍ରା ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚ୍ ଖେଳି ୧୭ ଉଇକେଟ ଅକ୍ତିଆର କରିବା ସହ ୨୧ରୁ ଉନ୍ନତି କରି ୫୬ ପଏଣ୍ଟ ହାସଲ କରିଛନ୍ତି ଓ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ସେ ପ୍ରଥମ ବୋଲର ଭାବେ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କୁମିନ୍ସ ୩ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ଓ ଇମ୍ରାନ ତାହିର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନ ସ୍ପିନର ମୁଜିବ ଉର ରହମାନ ଷଷ୍ଠ, ରସିଦ ଖାଁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସପ୍ତମ ଓ ପାକିସ୍ତାନର ମହମ୍ମଦ ଅମୀର ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର ୧୦୩ଟି ସ୍ଥାନ ଉପରକୁ ଉଠି ୪୨ତମ, ମାର୍କ ଉଡ ୧୦ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ୩୪ଟି ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନ ଅଧିକାର କରିଛନ୍ତି। ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଅଲରାଉଣ୍ଡର ତାଲକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ବେନ୍ ଷ୍ଟୋକ୍ସ ୯ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଦଳୀୟ ତାଲିକାରେ ଇଂଲଣ୍ଡ ୧୨୩ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି। ତେବେ ମାତ୍ର କେତୋଟି ଡେସିମାଲ ପଏଣ୍ଟରେ ଭାରତ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୧୨ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ତେବେ ଡେସିମାଲ ପଏଣ୍ଟ ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ତୃତୀୟ ଓ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ୧୧୦ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନ ଅଧିକାର କରିଛି।
https://www.dharitri.com/robo-dog-faints-in-foot-odor/
ପାଦ ଦୁର୍ଗନ୍ଧରେ ବେହୋସ୍‌ ହୁଏ ରୋବୋ ଡଗ୍‌ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କଠାରେ ପରିଲକ୍ଷିତ ହୁଏ। ଜାପାନରେ ତ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୁଏ। ତେଣୁ କାହାରି ଘରକୁ ପ୍ରବେଶ କରିବା ପୂର୍ବରୁ ଜୋତାକୁ ବାହାରେ ରଖିବା ଅନିବାର୍ଯ୍ୟ ଥାଏ। ଏବେ ଏଠାରେ ଏହି ସମସ୍ୟାକୁ ଦୂର କରିବା ପାଇଁ ତିଆରି କରାଯାଇଛି ଏକ ରୋବୋ। ଏହି ରୋବୋଟି ଦେଖିବାକୁ ଏକ ସୁନ୍ଦର କୁକୁର ଛୁଆ ପରି। ଉକ୍ତ ରୋବୋ କୁକରର ନାମ ହେଉଛି ହାନା ଚାନ୍। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କିତାକ୍ୟୁଶୁ କଲେଜ୍ ଦୀର୍ଘ ୨ ବର୍ଷ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲା। ଏବେ ଉକ୍ତ କଲେଜର ଆଫଇଲିଏଟେଡ୍(ସହବଦ୍ଧ) କମ୍ପାନୀ ନେକ୍ସଟ୍ଟେକ୍ନୋଲୋଜି ଏହାକୁ ଲଞ୍ଚ କରିଛି। ୧୫ ସେ.ମି.ର ଏହି ରୋବୋ ଡଗ୍ର ନାକରେ ଏକ ସ୍ବତନ୍ତ୍ରଧରଣର ସେନ୍ସର ଲାଗିଛି। ଉକ୍ତ ସେନ୍ସର ସାହାଯ୍ୟରେ ଏହା ପାଦକୁ ଶୁଙ୍ଘି ଜଣାଇଦେବ ଯେ, ଆପଣଙ୍କ ପାଦ ଦୁର୍ଗନ୍ଧ ହେଉଛି ନା ନାହିଁ। ଆଉ ଏହା ଜଣାଇବାର ତରିକା ବେଶ୍ ମଜାଦାର। ଯଦି ପାଦ ଦୁର୍ଗନ୍ଧ ହେଉ ନ ଥାଏ ତେବେ ଖୁସିରେ ନିଜର କୁନି ଲାଞ୍ଜ ହଲାଇବ। ଯଦି ସାମାନ୍ୟ ଗନ୍ଧ ହେଉଛି, ତେବେ ଏହା ଭୁକିବା ଆରମ୍ଭ କରିଦେବ। ଆଉ ଯଦି ଅତ୍ୟଧିକ ଦୁର୍ଗନ୍ଧ ହେଉଥାଏ ତେବେ ସେ ସେହିଠାରେ ହିଁ ଅଚେତ୍ ହେବା ପରି ପଡିଯିବ। ଯେମିତି କି ଦୁର୍ଗନ୍ଧ ପାଇଁ ସେ ବେହୋସ ହୋଇଯାଇଛି। କୁହାଯାଉଛି ଉକ୍ତ ରୋବୋରେ ଏୟାର୍ ଫ୍ରେଶନର୍ ସ୍ପ୍ରେ ସିଷ୍ଟମ୍ ବି ରହିବ; ଯଦ୍ଦ୍ବାରା ରୋବୋ ଡଗ୍ ଦୁର୍ଗନ୍ଧ ହେଉଥିବା ପାଦ ଉପରେ ଉକ୍ତ ସ୍ପ୍ରେ ପକାଇ ମହକ ଭରିଦେବ। ନେକ୍ସଟ୍ ଟେକ୍ନୋଲୋଜି କମ୍ପାନୀ ଏହାକୁ ୯,୨୮୦ ଡଲାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି।
https://www.dharitri.com/attempts-to-throw-stones-at-bjd-candidates-during-campaigning/
ପ୍ରଚାର ବେଳେ ବିଜେଡି ପ୍ରାର୍ଥୀଙ୍କୁ ପଥରମାଡ଼ ଉଦ୍ୟମ ବିଶୋଇ,୨୨ା୫ (ଅମିତ ଦାସ):ମୟୂରଭଞ୍ଜ ଜିଲା ସାରସକଣା ବିଧାନସଭା କ୍ଷେତ୍ର ଅଧୀନ ବିଜାତଳା ବ୍ଲକ ଅଞ୍ଚଳରେ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଡା.ଦେବାଶିଷ ମାର୍ଣ୍ଡିଙ୍କ ଉପରକୁ ପଥର ମାଡ଼ ଉଦ୍ୟମ ହୋଇଛି। ଏଥିରେ ଡା. ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଶିଶୁ ଓ ଅନ୍ୟଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଜାତଳା ବ୍ଲକ ଅଧୀନ ଅସନା ଗ୍ରାମରେ ବିଜେଡି ପ୍ରାର୍ଥୀ ମାର୍ଣ୍ଡି ମାରାଥନ ପ୍ରଚାର କରିଥିଲେ। ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ, ବ୍ଲକ ସଭାପତି ମାଝିଆରାମ ଟୁଡୁ, ବିଶୋଇ ବ୍ଲକ ସଂଯୋଜକ ବିରଞ୍ଚତ୍ ନାରାୟଣ ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଦଳୀୟ କର୍ମୀ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ପଥପ୍ରାନ୍ତ ସଭା କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଦେବାଶିଷଙ୍କୁ ଲକ୍ଷ୍ୟ କରି ପଥର ମାଡ଼ କରିଥିଲେ। ତେବେ ସୌଭାଗ୍ୟବଶତଃ ଏହି ପଥର ମାଡ଼ରୁ ଦେବାଶିଷ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଉକ୍ତ ଗ୍ରାମର ଜଣେ ଶିଶୁଙ୍କ ମୁଣ୍ଡ ଓ ଅନୃ୍ୟଜଣେ ଯୁବକଙ୍କ କାନମୁଣ୍ଡାରେ ପଥର ମାଡ଼ ହୋଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ପରେ ଦେବାଶିଷ ନିଜ ଗାଡ଼ିରେ ଉଭୟଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ କିଛି ହୀନ ପ୍ରକୃତି ବ୍ୟକ୍ତି ସହିପାରୁ ନ ଥିବାରୁ ଏପରି ଅଭାବନୀୟ କାଣ୍ଡ ଘଟାଉଛନ୍ତି, ଯାହା ନିନ୍ଦନୀୟ ଏବଂ ଆଗାମୀ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ଡା. ମାର୍ଣ୍ଡି କହିଛନ୍ତି।
https://www.dharitri.com/south-koreans-to-become-younger-as-traditional-age-system-scrapped/
କମିବ ଲୋକଙ୍କ ବୟସ ସିଓଲ,୯।୧୨: ଦକ୍ଷିଣ କୋରିଆ ସରକାର ପାରମ୍ପରିକ ବୟସ ଗଣନା ପଦ୍ଧତିକୁ ରଦ୍ଦ କରିବା ପାଇଁ ଗୁରୁବାର ଏକ ଆଇନ ପ୍ରଣୟନ କରିଛନ୍ତି। ଫଳରେ ସରକାର ବୟସ ଗଣନା ପାଇଁ ଅନ୍ତର୍ଜାତୀୟମାନ ବ୍ୟବହାର କରିବେ। ଫଳରେ ନାଗରିକମାନଙ୍କ ବୟସ ୧ରୁ ୨ ବର୍ଷ କମିବ ବୋଲି ସରକାରୀ ଭାବେ କୁହାଯାଇଛି। କୋରିଆରେ ପିଲା ଜନ୍ମ ହେଲେ ତାଙ୍କୁ ୧ ବର୍ଷ ଧରାଯାଇଥାଏ। ଏପରିକି ପ୍ରତି ଜାନୁୟାରୀରେ ଆଉ ୧ ବର୍ଷ ଯୋଗ କରାଯାଇଥାଏ। ଫଳରେ ବୟସ ଗୋଟିଏ ବର୍ଷ ଅଧିକ ବଢ଼ିଥାଏ। ଅନ୍ୟପକ୍ଷେ ମଦ ପିଇବା କିମ୍ବା ଧୂମପାନ ଲାଗି ଆଇନଗତ ବୟସ ନିର୍ଦ୍ଧାରଣ ବେଳେ ଜଣକର ବୟସ ଜନ୍ମରୁ ଶୂନ ଭାବେ ବିବେଚନା କରାଯାଇ ପ୍ରତି ଜାନୁୟାରୀ ୧ରେ ବର୍ଷ ଯୋଡ଼ାଯାଇଥାଏ। ତେବେ ୬୦ ଦଶକରୁ ଦକ୍ଷିଣ କୋରିଆରେ ଚିକିତ୍ସା ଏବଂ ଆଇନଗତ କାଗଜପତ୍ର ପ୍ରସ୍ତୁତିରେ ବୟସ ନିର୍ଦ୍ଧାରଣ ଲାଗି ଜନ୍ମ ସମୟକୁ ଶୂନ ବର୍ଷ ଭାବେ ଗ୍ରହଣ କରାଯାଇ ପ୍ରତି ଜନ୍ମତାରିଖରେ ୧ ବର୍ଷ ଯୋଡ଼ାଯାଇ ଆସୁଛି। ତେଣୁ ବୟସକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ସରକାର ପୁରୁଣା ପଦ୍ଧତିକୁ ବଦଳାଇବାକୁ ଆଇନ ଆଣିଛନ୍ତି। ଫଳରେ ୨୦୨୩ ଜାନୁୟାରୀରୁ ସେଠାରେ ନୂଆ ବୟସ ହିସାବ ପଦ୍ଧତି ଲାଗୁ ହେବାକୁ ଯାଉଛି।
https://www.dharitri.com/manipur-to-host-first-international-friendly-football-match-in-march/
ମଣିପୁରରେ ହେବ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଇମ୍ଫାଲ,୬ା୨: ଭାରତର ଫୁଟବଲ ପାଓ୍ବାର ହାଉସ୍ ମଣିପୁର ଆୟୋଜନ କରିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଭାରତ ସହିତ ମିଆଁମାର ଓ କିର୍ଗିଜସ୍ତାନ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାଗ ନେବେ। ଆସନ୍ତା ମାର୍ଚ୍ଚ ମାସରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ମାର୍ଚ୍ଚ ୨୨, ୨୪ ଓ ୨୬ ତାରିଖରେ ଖୁମାନ ଲମ୍ପକ ଷ୍ଟାଡିୟମରେ ଏହି ମ୍ୟାଚ ଆୟୋଜିତ ହେବା ନେଇ ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ। ଏହି ଘୋଷଣା ସମୟରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍)ର ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ଉପସ୍ଥିତ ଥିଲେ।
https://www.dharitri.com/humble-sympathy-problem-to-the-jdu/
ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ପରଲୋକ ହୋଇଛି। ଏହି ଘଟଣା ରାଜନୈତିକ ସମୀକରଣକୁ ବଦଳାଇଦେବା ଭଳି ସମ୍ଭାବନା ସୃଷ୍ଟି କରିଛି। ପାଶ୍ୱାନଙ୍କ ଦେହାନ୍ତ ପରେ ତାଙ୍କ ପୁଅ ତଥା ଏଲ୍ଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନ ଲଢ଼ିବାକୁ ଯାଉଛି। ଏଭଳି ସମୟରେ ଏଲ୍ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗଣିତକୁ ଭୁଲ୍ ପ୍ରମାଣିତ କରି ଶାସକ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶ୍ଳେଷକ ଓ ରାଜନେତାମାନେ ମତ ଦେଇଛନ୍ତି। ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବ। ଇତିମଧ୍ୟରେ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ପରେ ବିହାରରେ ଏଲ୍ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ପ୍ରବାହିତ ହେବା ଆରମ୍ଭ ହୋଇଛି। ରାଜ୍ୟର ସବୁଠୁ ବଡ଼ ଦଳିତ ନେତାଙ୍କ ମୃତ୍ୟୁ ଏହି ନିର୍ବାଚନକୁ କେତେ ପ୍ରଭାବିତ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଲ୍ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ନିର୍ବାଚନ ଶେଷ ଯାଏ ବହିଚାଲିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ପୁଣି ସରକାର ଗଠନ କରିବା କଷ୍ଟକର ହୋଇଯିବ। ଏବେ ନୀତୀଶଙ୍କ ଜେଡିୟୁ ଏବଂ ଏଲ୍ଜେପି ମଧ୍ୟରେ କଟୁତାକୁ ନେଇ ଜୋର୍ଦାର ଆଲୋଚନା ହେଉଛି। ବିଶେଷକରି ନୀତୀଶଙ୍କୁ ଚିରାଗଙ୍କ ଖୋଲା ଚ୍ୟାଲେଞ୍ଜ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ସିନିୟର ପାଶ୍ୱାନଙ୍କ ସହ ତାଙ୍କ ସମ୍ପର୍କ ନେଇ ଅବତାରଣା କରିଥିଲେ। ହେଲେ ଜେଡିୟୁର ବିନା ସମର୍ଥନରେ ପାଶ୍ୱାନ କ’ଣ ରାଜ୍ୟ ସଭାକୁ ଯାଇପାରିଥାନ୍ତେ ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ। ଖବରଦାତା ସମ୍ମିଳନୀରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଥିଲେ, ରାମବିଲାସ ପାଶ୍ୱାନ ହସ୍ପିଟାଲରେ ନ ଥିଲେ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଏଲ୍ଜେପି କେନ୍ଦ୍ରରେ କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଛାଡ଼ି ନ ଥିବାବେଳେ ରାଜ୍ୟ ଏନ୍ଡିଏରୁ ଓହରିସାରିଛି। ଜେଡିୟୁ ବିରୋଧରେ ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିଥିବା ଚିରାଗ ଭାଜପା ଓ ଅନ୍ୟ ଦଳର ନେତାଙ୍କୁ ଏଲ୍ଜେପିକୁ ସ୍ବାଗତ କରୁଛନ୍ତି। ଇତିମଧ୍ୟରେ କେତେଜଣ ନେତା ମଧ୍ୟ ଏଲ୍ଜେପିରେ ସାମିଲ ହୋଇସାରିଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କୁହାଯାଉଛି। ଅର୍ଥାତ୍ ଜେଡିୟୁ କୋଟା ଯୋଗୁ ଟିକେଟ ପାଇବାରୁ ବଞ୍ଚତ୍ତ ହେବାକୁ ଥିବା ଭାଜପାର ଅସନ୍ତୁଷ୍ଟ ଆଶାୟୀମାନେ ଚିରାଗଙ୍କ ସହ ହାତ ମିଳାଇପାରନ୍ତି। ତେବେ ନୀତୀଶଙ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ଚାହୁଁଥିବା ଚିରାଗ ଗୈରିକ ଦଳରୁ ଏଲ୍ଜେପିକୁ କେତେ ଭୋଟ ଆଣିପାରୁଛନ୍ତି ଏବଂ ବାପାଙ୍କ ମୃତ୍ୟୁର ଅନୁକମ୍ପା ହାଓ୍ବାକୁ କେତେମାତ୍ରାରେ ଭୋଟରେ ରୂପାନ୍ତରିତ କରିପାରୁଛନ୍ତି ତାହା ନଭେମ୍ବର ୧୦ରେ ଗଣତି ପରେ ସ୍ପଷ୍ଟ ହୋଇଯିବ। ଜାତୀୟ ରାଜନୀତିରେ ମୌସୁମୀ ବୈଜ୍ଞାନିକ ଭାବେ ପରିଚିତ ସ୍ବର୍ଗତ ପାଶ୍ୱାନଙ୍କ ପୁଅ ଯୁବ ବିହାରୀ ଚିରାଗ ପାଶ୍ୱାନ ବାପାଙ୍କ ଅବର୍ତ୍ତମାନରେ ପ୍ରଥମ ନିର୍ବାଚନ ଲଢ଼ି କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
https://www.dharitri.com/delhi-corona-update-today-in-delhi/
ଟେଷ୍ଟ କମିବାରୁ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ନୂଆଦିଲ୍ଲୀ,୨।୫: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରୁ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସୋମବାର ଏହି ସଂଖ୍ୟା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୬ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୬.୪୨ପ୍ରତିଶତ ରହିଛି। ବର୍ତ୍ତମାନ ରାଜ୍ୟରେ ମୋଟ ୫୭୪୪ସକ୍ରିୟ ମାମଲା ରହିଥିବା ବେଳେ ହସ୍ପିଟାଲରେ ୧୭୮ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ୧୬,୭୫୩ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୧୦୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଲଗାତର କରୋନା ଟେଷ୍ଟିଂ କମୁଥିବାରୁ କରୋନା ମାମଲା ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
https://www.dharitri.com/କଟ୍ଟ୍ରେଲଙ୍କୁ-ପରିହାସ-କଲେ/
କଟ୍ଟ୍ରେଲଙ୍କୁ ପରିହାସ କଲେ ସାମି ମାଞ୍ଚେଷ୍ଟର,୨୮।୬(ପିଟି)- ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଆନ ପେସର ଶେଲଡନ କଟ୍ଟ୍ରେଲ ସର୍ବଦା ସାଲ୍ୟୁଟ କରନ୍ତି, ଯାହାକି ଚଳିତ ବିଶ୍ୱକପ୍ରେ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାଦ୍ୱାରା ସେ ଜାମାଇକାନ ଡିଫେନ୍ସ ଫୋର୍ସ (ଜେଡିଏଫ୍) ପ୍ରତି ଶ୍ରଦ୍ଧାଞ୍ଜଳି ଜଣାନ୍ତି। କିନ୍ତୁ ଚଳିତ ବିଶ୍ୱକପ୍ରୁ ବହୁ ଖେଳାଳି କଟ୍ଟ୍ରେଲଙ୍କୁ ପରିହାସ କରିବା ଲାଗି ତାଙ୍କ ଭଳି ସାଲ୍ୟୁଟ କରୁଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ କଟ୍ଟ୍ରେଲଙ୍କୁ ୩୦ତମ ଓଭରରେ ୟୁଜଭେନ୍ଦ୍ର ଚହଲ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ। ସେ ପ୍ୟାଭିଲିଅନ ଫେରୁଥିବାବେଳେ ଫିଲ୍ଡିଂ କରୁଥିବା ସାମି ତାଙ୍କ ସାଲ୍ୟୁଟର ନକଲ କରିଥିଲେ। କିଛି ପ୍ରଶଂସକ ସାମିଙ୍କୁ ଏଥିନେଇ ସମାଲୋଚନା କରିବା ସହ ଆର୍ମିଙ୍କୁ ଅପମାନିତ କରିଥିବା କହିଛନ୍ତି। ଏ ସମ୍ପର୍କରେ କଟ୍ଟ୍ରେଲ ହିନ୍ଦୀ ଭାଷାରେ ଟୁଇଟ୍ କରିଛନ୍ତି ଯେ, ବହୁତ ମଜା ଲାଗିଲା। ଭଲ ବୋଲିଂ। ନକଲ କରିବା ସବୁଠୁ ବଡ଼ ଚାପଲୁସି। ଉଲ୍ଲେଖଥାଉ କି, ବାମହାତୀ ପେସର କଟ୍ଟ୍ରେଲ ୧୦ ଓଭର ବୋଲିଂ କରି ୫୦ ରନ୍ ବ୍ୟୟରେ ୨ ଉଇକେଟ ହାତେଇଥିଲେ।
https://www.dharitri.com/sanjay-advised-before-marriage-said/
ବିବାହ ପୂର୍ବରୁ ସଞ୍ଜୟ ଦେଲେ ପରାମର୍ଶ, କହିଲେ… ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଉଭୟଙ୍କ ବିବାହ ସ୍ଥାନଠୁ ଆରମ୍ଭ କରି ଅତିଥିଙ୍କ ତାଲିକା ପର୍ଯ୍ୟନ୍ତ ସବୁ ଅପଡେଟ ଜାଣିବା ପାଇଁ ପ୍ରଶଂସକଙ୍କ ଭିତରେ ଉତ୍ସାହ ଥାଏ। ତେବେ ଦୁହିଁଙ୍କ ବିବାହକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି। ଏହି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରଣବୀର କପୁରଙ୍କୁ ବିବାହ ସହ ଜଡିତ ଏକ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରକୃତରେ ଏବେ ସଞ୍ଜୟ ଦତ୍ତ ତାଙ୍କର ଅପକମିଂ ଫିଲ୍ମ କେଜିଏଫ ୨ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରଣବୀରଙ୍କ ବିବାହ ହେଉଥିବା ଶୁଣି ସଞ୍ଜୟ ପ୍ରଥମେ କହିଥିଲେ ଯେ, ହଁ ସତରେ ରଣବୀର ବିବାହ କରୁଛି ? ଯଦି ସେ ବିବାହ କରୁଛି ତେବେ ତା ପାଇଁ ମୁଁ ବହୁତ ଖୁସି । ସେ ଆହୁରି ମଧ୍ୟ ଏହା କହିଥିଲେ ଯେ, ରଣବୀର ଏବଂ ଆଲିୟା ତାଙ୍କ ପାଇଁ ବହୁତ ଖାସ । ଆଲିୟା ତ ତାଙ୍କ ସାମ୍ନାରେ ହିଁ ବଡ ହୋଇଛି । ବିବାହ ଏକ କମିଟ୍ମେଣ୍ଟ । ଯାହା ସେମାନେ ଆଗରୁ କରିସାରିଛନ୍ତି । ରଣବୀର ଶୀଘ୍ର ପିଲାଛୁଆ କରନ୍ତୁ। ଦୁହେଁ ଖୁସିରେ ରୁହନ୍ତୁ ବୋଲି ସଞ୍ଜୟ କହିଛନ୍ତି।
https://www.dharitri.com/pathan-trailer-leaked-online-ahead-of-release/
ରିଲିଜ୍‌ ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ‘ପଠାନ୍‌’ର ଟ୍ରେଲର ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍’ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ମେଗା ସୁପରଷ୍ଟାର ଶାହରୁଖ ଖାନ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ନିକଟରେ ଫିଲ୍ମ ‘ପଠାନ୍’ର ‘ବେସର୍ମ ରଙ୍ଗ’ ଏବଂ ‘ଜୁମ ଜୋ ପଠାନ୍’ ଦୁଇଟି ଗୀତ ରିଲିଜ୍ ହୋଇଛି। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନଙ୍କ ‘ପଠାନ୍’ ବହୁ ଚର୍ଚ୍ଚାରେ ରହିଛି। ‘ବେସର୍ମ ରଙ୍ଗ’ ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକକୁ ନେଇ ଅନେକ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଏବେ ‘ପଠାନ୍’ର ଟ୍ରେଲର ଅନ୍ଲାଇନ୍ରେ ଲିକ୍ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ‘ପଠାନ’ର ଟ୍ରେଲର ବୋଲି କୁହାଯାଉଛି। ହେଲେ ତାହା ଶାହାରୁଖଙ୍କ ଏକ ପୁରୁଣା ଭିଡିଓ। ପୂର୍ବରୁ ଶାହାରୁଖଙ୍କ ଜନ୍ମଦିନରେ ‘ପଠାନ୍’ର ଟିଜର ରିଲିଜ୍ ହୋଇଥିଲା। ‘ପଠାନ୍’ର ଟ୍ରେଲର ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରେ ରିଲିଜ୍ ହୋଇପାରେ। ତେବେ ‘ପଠାନ୍’ ଆସନ୍ତା ୨୫ରେ ମୁକ୍ତିଲାଭ କରିବ।
https://www.dharitri.com/ଅମ୍ଫନ-କ୍ଷତିଗ୍ରସ୍ତ-ଚାଷୀ/
‘ଅମ୍ଫନ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଦାବିପତ୍ର ବାଲିଆପାଳ,୨୭।୫(ସ୍ବ.ପ୍ର.)- ଅମ୍ଫନ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଚାଷୀ ଏକତା ମଞ୍ଚ ଓ ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦ତାରିଖରେ ହୋଇଥିବା ବାତ୍ୟା ଅମ୍ଫନ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି କରାଇଛି। ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ୱର, ସଦର, ବହାନଗା ଅଞ୍ଚଳରେ ହଜାର ହଜାର ଏକର ଡାଳୁଅଧାନ, ମୁଗବିରି, ଚିନାବାଦାମ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଏଥିସହିତ ଏହିସବୁ ଅଞ୍ଚଳରେ ୫ହଜାରରୁ ଅଧିକ ପାନବରଜ ମାଟିରେ ମିଶିଯାଇଛି। ଶହଶହ ସଂଖ୍ୟାରେ ଥିବା ଚାଳଘର ଛପର ଉଜୁଡ଼ିଯାଇଛି। ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ, ସାର, ଔଷଧ, ଯୋଗାଇଦେବା ସହିତ ପାନଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ସେହିପରି କ୍ଷତିଗ୍ରସ୍ତ ଘରକୁ ତୁରନ୍ତ ପଲିଥିନ ଏବଂ ନୂତନ ଘର ତୋଳିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଅନୁଦାନ ଯୋଗାଇଦେବାକୁ ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ଆବାହକ ଅନୁଜ ମହାପାତ୍ର,ଗଣଚେତନା ମଞ୍ଚର ସଭାପତି କୁଶଧ୍ୱଜ ଜେନା, ନିର୍ମାଣ ଶ୍ରନିକ ସଂଘର ମୃତ୍ୟୁଞ୍ଜୟ ରାଉତ, ନାଗରିକ ସୁରକ୍ଷା କମିଟିର ଆକବର ସାହା, ଧନଞ୍ଜୟ ଜେନା, ଗୋପାଳ ଚନ୍ଦ୍ର ମହାଳିକ, ଦେବେନ୍ଦ୍ର ଦାସ ପ୍ରମୁଖ ସରକାରଙ୍କ ଠାରେ ଦାବି କରିଛନ୍ତି।
https://www.dharitri.com/ମହାପ୍ରଭୁଙ୍କ-ଲୋକଲୀଳାରୁ-ମୁ/
ମହାପ୍ରଭୁଙ୍କ ଲୋକଲୀଳାରୁ ମୁକ୍ତି ସନାତନ ଧାରାରେ କୁହାଯାଇଛି- ‘ସା ବିଦ୍ୟା ଯା ବିମୁକ୍ତୟେ’। ଏହାର ଅର୍ଥ କ’ଣ? ତାହା ହେଉଛି ପ୍ରକୃତ ବିଦ୍ୟା ଯାହା ମଣିଷକୁ ମୁକ୍ତି କରେ। ମଣିଷ ଜନ୍ମ ହୋଇଛି କର୍ମ ଭୋଗ କରିବାକୁ। ପୁଣି ମୁକ୍ତି କ’ଣ! ଏହି କର୍ମରୁ ମୁକ୍ତି ନା ଜୀବନରୁ ମୁକ୍ତି! ଦୁଇଟାଯାକ ଠିକ୍। କର୍ମରୁ ମୁକ୍ତି ଚାହେଁ, ପୁଣି ଜୀବନରୁ ମୁକ୍ତି ଚାହେଁ। କର୍ମରୁ ମୁକ୍ତି କହିଲେ ଆମେ ବୁଝିବା ଅଳସରୁ ମୁକ୍ତି ଓ କର୍ମ ପ୍ରତି ଅନାଗ୍ରହରୁ ମୁକ୍ତି। ସକାରାତ୍ମକ ଦୃଷ୍ଟିରେ ଏହା ବିଚାର କରାହୁଏ। ଅଳସ ମାନସିକତାରୁ ମୁକ୍ତ ହେଲେ କର୍ମ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଯିବ, କାମ କରିବାକୁ ଯେଉଁ ଆଗ୍ରହ ନ ଥିଲା, ତାହା ପୁଣି ଚେଇଁ ଉଠିବ। କର୍ମ କରିବାକୁ ଇଚ୍ଛା ହେବ। କର୍ମ କଲେ ଯାଇ କର୍ମରୁ ମୁକ୍ତି। କର୍ମ ତ ନିର୍ଦ୍ଧାରିତ! କରିବାକୁ ହେବ। ନ କଲେ କେମିତି ମୁକ୍ତ ହେବ! ଅନ୍ୟଟି ହେଲା ଜୀବନରୁ ମୁକ୍ତି। ଜୀବନରୁ ମୁକ୍ତି ମାନେ ଆତ୍ମାର ସ୍ବାଧୀନତା। ଶରୀର ଭିତରେ ଥିବା ଅନ୍ତରାତ୍ମାର ସ୍ବାଧୀନତା। ଆତ୍ମା ତ ସ୍ବାଧୀନ! ତା‘ର ପୁଣି ସ୍ବାଧୀନତା କ’ଣ! ଉପନିଷଦରେ ୟାର ସମାଧାନ ହୋଇଛି। ଅନ୍ତରାତ୍ମା ସେତିକିବେଳେ ସ୍ବାଧୀନ ହୁଏ, ଯେତେବେଳେ ମନ ହୋଇଯାଏ ଆନନ୍ଦମୟ। ସୁଖମୟ ନୁହେଁ। ମନରେ ଆନନ୍ଦ ଭରି ରହିଲେ ଅନ୍ତରାତ୍ମା ଶାନ୍ତିରେ ରହେ। ଅର୍ଥାତ୍ ଶାନ୍ତ ହୋଇଯିବା ମାନେ ସେ ଭୌତିକ ମୁକ୍ତି ଆଡ଼କୁ ଗତିକରେ। ଆମେ ଆମ ଦାରୁଦିଅଁଙ୍କ ଉପାସନାରେ ଏଗୁଡ଼ିକ ପାଉ। ଗହନ ରହସ୍ୟ ଲୌକିକ ଭାବରେ ଏଥିରେ ସ୍ଥାନ ପାଇଛି। ତେଲଲୁଣ ସଂସାର ଭିତରେ ସଭିଏଁ ଗହନ ରହସ୍ୟକୁ ଭେଦିବା ସମ୍ଭବ ନୁହେଁ। ତେଣୁ ମହାପୁରୁ ଲୋକଲୀଳା ଭେଇଛନ୍ତି ଲୋକଙ୍କ ପାଇଁ। ଲୋକଟିଏ ବୁଝୁ ନ ବୁଝୁ ତାଙ୍କ ଲୀଳାରେ ଜାଣନ୍ତରେ ହେଉ କି ଅଜାଣତରେ ହେଉ ସାମିଲ ହୋଇଯିବା ପରେ ହୃଦୟରେ ଆନନ୍ଦ ଭରିଯାଏ। ସୁଖଦୁଃଖର ସେଠି କିଛି ମାନେ ନ ଥାଏ। – ଡ. ସୁରେନ୍ଦ୍ର କୁମାର ମିଶ୍ର
https://www.dharitri.com/bjp-leader-arjun-chowrasia-murder-case-calcutta-high-court-asks-command-hospital-to-conduct-autopsy-report/
ଭାଜପା ଯୁବ ନେତା ଅର୍ଜୁନଙ୍କ ମୃତଦେହର ଆର୍ମି କମାଣ୍ଡ ହସ୍ପିଟାଲରେ ହେବ ପୋଷ୍ଟ ମଟର୍ମ: ହାଇକୋର୍ଟ କୋଲକାତା,୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଯୁବ ନେତା ଅର୍ଜୁନ ଚୌରାସିଆଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ମୃତଦେହର ପୋଷ୍ଟ ମର୍ଟମ ଆର୍ମି ହସ୍ପିଟାଲରେ କରାଯିବ । ଏହାସହ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୌରାସିଆଙ୍କ ମୃତଦେହ ରହସ୍ୟମୟ ଅବସ୍ଥାରେ ମିଳିଥିବାରୁ ଭାଜପା ପକ୍ଷରୁ କୋଲକାତା ହାଇକୋର୍ଟରେ ମାମଲା ଦାଖଲ କରାଯାଇଥିଲା । ଏହା ପୂର୍ବରୁ ପୋଲିସ କହିଥିଲା, ଭାଜପାର ଯୁବ ନେତା ଅର୍ଜୁନ ଚୌରାସିଆଙ୍କ ମୃତଦେହ କାଶୀପୁର ଘୋଷ ବାଗାନ ଅଞ୍ଚଳରେ ଏକ ଶୁନଶାନ କୋଠା ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଭାଜପା ଅଭିଯୋଗ କରିଥିଲା କି ଅର୍ଜୁନଙ୍କୁ ହତ୍ୟା ତ୍ରୁଣମୂଳ କଂଗ୍ରେସ(ଟିଏମସି) ଦ୍ୱାରା କରାଯାଇଛି । ହେଲେ ଟିଏମ୍ସି ଏହାକୁ ଏଡାଇ ଯାଇଛି । ହତ୍ୟାର ସୂଚନା ମିଳିବା ପରେ ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୃତକଙ୍କ ପରିବାରକୁ ଭେଟିଛନ୍ତି ।
https://www.dharitri.com/ram-kapoor-will-return-to-work-soon/
ଖୁବ୍‌ଶୀଘ୍ର କାମକୁ ଫେରିବେ ରାମ୍‌ କପୁର ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ ଘରେ ରାମ୍ କପୁର ନାମରେ ବେଶ ପରିଚିତ। ନିକଟରେ ନକୁଲ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନକୁଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ଯାହାକୁ ନେଇ ତାଙ୍କ ପ୍ରଂଶସକ ଖୁବ୍ ଚିନ୍ତାରେ ପଡ଼ିଯାଇଥିଲେ। ପରେ ତାଙ୍କର ଏକ ସର୍ଜରୀ କରାଯାଇଥିଲା, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତେବେ ସେ ଜୁନ ୮ରୁ ୧୦ ତାରିଖ ମଧ୍ୟରେ କାମକୁ ଫେରିବେ। ଅଭିନେତାଙ୍କୁ ମୁମ୍ବାଇର ସୁଜୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
https://www.dharitri.com/କଟକଣା-ମାନିଲେନି-୩-ବ୍ୟବସାୟ/
କଟକଣା ମାନିଲେନି, ୩ ବ୍ୟବସାୟୀ ଅଟକ ଅନୁଗୋଳ ଅଫିସ୍, ୨୨।୩ – କରୋନା ସଂକ୍ରମଣକୁ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ, କଲେଜ, ଶପିଂମଲ୍, ଫିଲ୍ମ ହଲ୍, ଧର୍ମାନୁଷ୍ଠାନ ଆଦି ଜିଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବାକୁ କୁହାଯାଇଛି। କିନ୍ତୁ ଏହି କଟକଣା ସତ୍ତ୍ୱେ ସହରରେ କେତେକ ଦୋକାନ ଖୋଲାଯାଇଥିବା ବେଳେ ଏକ ମନ୍ଦିରରେ ଅନ୍ନପ୍ରସାଦ ଜଣେ ବ୍ୟବସାୟୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିଲା। ହେଲେ କଟକଣା ମାନିବାକୁ ପ୍ରତିଶ୍ରୁତି ଦେବା ପରେ ୨ଜଣଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଶନିବାର ଅନୁଗୋଳ ସହରରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ଉପଜିଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଏସ୍ଡିପିଓ ଅଶ୍ୱିନୀ କୁମାର ସାହୁ, ତହସିଲଦାର ନେହେରୁ ମାଝି, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ସହର ପରିକ୍ରମା କରିଥିଲେ। ଏହି ସମୟରେ ପ୍ରଶାସନର ଆଡଭାଇଜରି ଅମାନ୍ୟ କରି ଗୋଟିଏ ମଲ୍, ଗୋଟିଏ ସୁନା ଦୋକାନ ଓ ଏକ ମନ୍ଦିରରେ ଅନ୍ନପ୍ରସାଦ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଅନୁଗୋଳ ପୋଲିସ ସମ୍ପୃକ୍ତ ୩ ବ୍ୟବସାୟୀଙ୍କୁ ଥାନାକୁ ଉଠାଇଆଣି ପଚରାଉଚରା କରିଥିଲା। ସେପଟେ ରବିବାର ଜନତା କର୍ଫ୍ୟୁ ପାଇଁ ରବିବାର ଜିଲାରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଜିଲା ବସ୍ ମାଲିକ ସଂଘ ସଭାପତି ମାନସ ରଞ୍ଜନ ସାମଲ ସୂଚନା ଦେଇଛନ୍ତି। ସୋମବାର ବୈଠକ ପରେ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
https://www.dharitri.com/ହରିୟାଣାରୁ-ଓଡ଼ିଆ-ଆଦିବାସୀ/
ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମହିଳାଜଣକ ବୟସ ପ୍ରାୟ ୩୫ ବର୍ଷ ହେବ ଓ ସେ ଓଡିଆରେ କଥା ହେଉଥିବାରୁ ଓଡ଼ିଶାରେ ଥିବା ସଂଗଠନ ସହ ଯୋଗାଯୋଗ କରାଯାଇଥିଲା। ମହିଳା ଜଣକ ନିଜ ଘର ଓଡ଼ିଶାର ମୁନିଗୁଡ଼ା ବୋଲି କହିଥିଲେ। ପରିଷଦର ସଦସ୍ୟମାନେ ରାୟଗଡ଼ା ଏସ୍ପି କାର୍ଯ୍ୟାଳୟ ଓ ମୁନିଗୁଡ଼ା ଥାନାକୁ ମହିଳାଙ୍କ ଫଟୋ ପଠାଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ତେବେ ମହିଳାଙ୍କ ହାତରେ ଏକ ଟାଟୁ ରହିଛି ଯେଉଁଥିରେ ନୀଳିମା ବୋଲି ଲେଖା ରହିଛି। ମହିଳା ଜଣଙ୍କୁ କେହି ଦଲାଲ କୌଣସି ଆଳ ଦେଖାଇ ହରିୟାଣା ଚାଲାଣ କରିଥିବା ଓ ପରେ ଟ୍ୟାକ୍ସି ଷ୍ଟାଣ୍ଡ୍ରେ ଛାଡି ଫେରାର ହୋଇଯାଇଥିବା କୁହାଯାଉଛି। ମହିଳା ଜଣକ ନାନା ଭୟ ଓ ଆଶଙ୍କାରେ ଟ୍ୟାକ୍ସି ଷ୍ଟାଣ୍ଡ୍ରେ ବସିଥିବାବେଳେ ପରିଷଦ ସଦସ୍ୟମାନେ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କୁ ସ୍ଥାନୀୟ ଶର୍ଟ-ଷ୍ଟେ ହୋମ୍ରେ ରଖାଯାଇଛି। ପରିଚୟ ମିଳିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
https://www.dharitri.com/the-chief-minister-praised-the-asha-worker-who-saved-the-lives-of-the-pregnant-women/
ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିବା ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମୋରଡ଼ା,୨୮।୬ (ଡି.ଏନ.ଏ.):ରକ୍ତଦାନ କରି ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛନ୍ତି ଆଶାକର୍ମୀ। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତ ମୋହନପୁର ଗ୍ରାମର ଆଶାକର୍ମୀ ଧାନୀ ମୁର୍ମୁ। ତାଙ୍କର ଏପରି ମହାନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି। ଜଣେ ଗର୍ଭବତୀଙ୍କ ଜୀବନ ରକ୍ଷା ଲାଗି ସ୍ବେଚ୍ଛାକୃତ ଭାବେ ରକ୍ତଦାନ ସହ ଡାକ୍ତରଖାନାରେ ଉତ୍ତମ ବନ୍ଦୋବସ୍ତ କରିବା ଏବଂ ନିଃସ୍ବାର୍ଥପର ସେବା ଯୋଗାଇବା ମାନବିକତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ରବିବାର ଉକ୍ତ ଗ୍ରାମର ଗର୍ଭବତୀ ମହିଳା ସୋନାଲି ଟୁଡୁଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଧାନୀଙ୍କୁ ଖବର ଦେଇଥିଲେ। ଡାକ୍ତରଙ୍କୁ ପରାମର୍ଶ କରି ଧାନୀ ସଙ୍ଗେ ସଙ୍ଗେ ସୋନାଲିଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ନେଇଯାଇଥିଲେ। ସୋନାଲିଙ୍କର ରକ୍ତ ଅଭାବ ଥିବାରୁ ତାଙ୍କୁ ତୁରନ୍ତ ରକ୍ତ ଦରକାର ବୋଲି ଡାକ୍ତର କହିଥିଲେ। ଧାନୀ ନିଜେ ରକ୍ତଦାନ କରି ସୋନାଲିଙ୍କ ଜୀବନ ବଞ୍ଚାଇଥିଲେ।
https://www.dharitri.com/modesty-in-dress-evokes-spirituality/
ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍ଲିମ୍ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍ମାନେ ଗୁରୁଦ୍ୱାର ଗଲେ ସ୍ବତନ୍ତ୍ର ବସ୍ତ୍ର ପରିଧାନର ବିଧିବ୍ୟବସ୍ଥା ରହିଛି। ଓଡିଶାରେ ଯଦିଓ ସେବାୟତମାନେ ସ୍ବତନ୍ତ୍ର ବସ୍ତ୍ର ପରିଧାନ କରୁଛନ୍ତି କିନ୍ତୁ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ବସ୍ତ୍ର ପରିଧାନ ନେଇ କୌଣସି ଅଙ୍କୁଶ ଲାଗିନାହିଁ। ନିକଟରେ ରଥଯାତ୍ରା ସରିବାପରେ ପୁରୀ ଜଗନ୍ନାଥ ଧାମରେ ଶ୍ରଦ୍ଧାଳୁଙ୍କ ବେଶପୋଷାକ ନେଇ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଟିପ୍ପଣୀ ଦେବା ପରେ ଏବେ ମନ୍ଦିର ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ ଆବଶ୍ୟକ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି। ଶାଳୀନତା ପୋଷାକ ଆଧ୍ୟାତ୍ମିକ ଭାବନା ଓ ଚେତନା ଜାଗ୍ରତ କରିବା ସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ, ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି। କେବଳ ପୁରୀ ନୁହେଁ, ରାଜ୍ୟର ମଠ ଓ ମନ୍ଦିର ପ୍ରବେଶ ସମୟରେ ଶ୍ରଦ୍ଧାଳୁଙ୍କ ସ୍ବତନ୍ତ୍ର ପୋଷାକ ପରିଧାନ ବିଧେୟ ବୋଲି ମତପ୍ରକାଶ ପାଇଛି। ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ସେନେଇ ସାଧାରଣରେ ଆଲୋଚନା ହେଉଛି। ମନ୍ଦିରରେ ସେବା ପୂଜା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭକ୍ତିପୂତ ଅର୍ଘ୍ୟ ମନ୍ଦିରର ପରିସରକୁ ରୁଦ୍ଧିମନ୍ତ କରିଥାଏ। ମନ୍ଦିରକୁ ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସଂଯମତା ପୂର୍ବକ ଆଚରଣ ଉଚ୍ଚାରଣ ସହ ପାରମ୍ପରିକ ତଥା ରକ୍ଷଣଶୀଳ ପୋଷାକ ପରିଧାନ କରିବା ବିଧେୟ। -ପ୍ରକାଶ ଚନ୍ଦ୍ର ସାହୁ ,ମ୍ୟାନେଜିଂ ଟ୍ରଷ୍ଟି, ରଘୁନାଥ ମନ୍ଦିର ଅସୁରେଶ୍ୱର ମଠ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିଭୁକୃପା ପାଇଁ ଆସିଥାନ୍ତି। ମନ୍ଦିରର ପରିବେଶ ଓ ନୀତିକ୍ରାନ୍ତି ପାଇଁ ଯେପରି ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି ସେଭଳି ଶ୍ରଦ୍ଧାଳୁମାନେ ମଧ୍ୟ ସଞ୍ଜମତା ପୂର୍ବକ ପୋଷାକ ପରିଧାନ କରିବା ଜରୁରୀ। ଏଥିରେ ସମାଜ ସହ ଶ୍ରଦ୍ଧାଳୁଙ୍କ ବ୍ୟକ୍ତିଗତ ଶୃଙ୍ଖଳତା ଆସିଥାଏ। ମଠ ମନ୍ଦିର ପରିସରରେ ଆଧ୍ୟାମତ୍ିକ ବାତାବରଣକୁ ଜାଗ୍ରତ କରିଥାଏ। ତେଣୁ ଶ୍ରଦ୍ଧାଳୁମାନେ ବେଶଭୂଷା ଉପରେ ଗୁରୁତ୍ୱ ଦେବା ଦରକାର । -ପଣ୍ଡିତ ସୁବୋଧ କୁମାର ଷଡ଼ଙ୍ଗୀ ମଠ ମନ୍ଦିର ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ କି ଧନୀ ଦରିଦ୍ର ସମସ୍ତେ ସମାନ। ସମସ୍ତେ କେବଳ ଗୋଟିଏ ଲକ୍ଷରେ ବିଭୁକୃପା ପାଇଁ ଯାଇଥାନ୍ତି। ତେବେ ଆମର ଏପରି ଏକ ପୋଷାକ ପରିଧାନ କରିବା, ଯାହାକୁ ନେଇ କୌଣସି ଟିପ୍ପଣୀ ହେବ ନାହିଁ। ଓଡ଼ିଶା ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। -ସବିତା ଓଝା, ଶ୍ରଦ୍ଧାଳୁ ବିଭିନ୍ନ ଧର୍ମରେ ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର ବ୍ୟବସ୍ଥା ରହିଛି। ଏପରିକି ଆମ ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗରେ ଥିବା ପ୍ରସିଦ୍ଧ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର କଡ଼ାକଡି ନିୟମ ରହିଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି କିଛି ଯୁବପିଢୀ ଆଧ୍ୟାତ୍ମିକ ପୀଠକୁ ଯିବା ସମୟରେ ପୋଷାକ ପରିଧାନ ଉପରେ ଶାଳୀନତା ରକ୍ଷା କରୁନାହାନ୍ତି। ଯଦି ଦେବୋତ୍ତର ବିଭାଗ ଏହା ଉପରେ କୌଣସି ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଭଲ ହୁଅନ୍ତା। -ବଂଶୀଧର ପଣ୍ଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
https://www.dharitri.com/heavy-solid-waste-to-byasnagar/
ବ୍ୟାସନଗରକୁ ଭାରି କଠିନ ବର୍ଜ୍ୟବସ୍ତୁ ଯାଜପୁର ରୋଡ୍,୬ା୯(ଡି.ଏନ.ଏ.):ରାଜ୍ୟର ସମସ୍ତ ପୌର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କଠିନ ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା ପାଇଁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ତଥା ଆବର୍ଜନା ପକାଯାଉଥିବା ସ୍ଥାନରେ ଜଳାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦ ଏସବୁ ନିର୍ଦ୍ଦେଶକୁ ଅବମାନନା କରିଚାଲିଛିି। ସହରର ଗାନ୍ଧୀ କୁଷ୍ଠ କଲୋନୀ ନିକଟ ରେଲଲାଇନ୍ କଡ଼ରେ ବିସ୍ତୃତ ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପାହାଡ଼ ଭଳି ଗଦା ହେବା ସହ ସେଠାରେ ପୋଡ଼ା ଯାଉଥିବା ଦେଖିବାକୁ ମିଳୁଛି। ୨୦୧୯ରୁ ବ୍ୟାସସରୋବର ନିକଟରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ହୋଇଥିଲେ ହେଁ ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏସବୁକୁ ନିରୀକ୍ଷଣ କରିବା ଦାୟିତ୍ୱରେ ଥିବା ସାନିଟାରୀ ଇନ୍ସପେକ୍ଟର ଆଖିବୁଜି ଦେଇଛନ୍ତି। ଏଭଳି ଅବହେଳାରୁ ତାଙ୍କୁ ବଦଳି ନିର୍ଦ୍ଦେଶ ହୋଇଥିଲେ ହେଁ ପରିମଳ ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ ଭିତିରିଆ ବୁଝାମଣା ଯୋଗୁ ମ୍ୟୁନିସିପାଲିଟିର ମୋହ ତୁଟୁନି ବୋଲି ଅଭିଯୋଗ ହୋଇଛି। ସହରବାସୀଙ୍କ ମତଦାନରେ କାଉନସିଲର ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି, ଯଦ୍ଦ୍ବାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ସହରକୁ ଆହୁରି ବିକାଶମୁଖର କରିପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ପରିମଳ ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି। ଦେଶରେ ସ୍ବଚ୍ଛଭାରତ ଅଭିଯାନ ଜୋରସୋରରେ ଚାଲିଥିବାବେଳେ ବ୍ୟାସନଗର ପୌରପରିଷଦ ଅଞ୍ଚଳକୁ ବୋଧହୁଏ ତାହା ଛୁଇଁ ପାରିନାହିଁ। ବ୍ୟାସନଗରରେ ମଇଳା ଉଠାଣ କାର୍ଯ୍ୟ ନିୟମିତ ଭାବେ ହେଉଥିବାବେଳେ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ଆବର୍ଜନାର ବିଶୋଧନ ପ୍ରକ୍ରିୟା ହୋଇ ପାରୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ସହରର ବ୍ୟାସ ସରୋବର ଅଞ୍ଚଳରେ ଗଦା ଗଦା ମଇଳା ଆବର୍ଜନା ପଡ଼ି ରହିଛି। ଫଳରେ ସହରରେ ମଶାମାଛିଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ୟାସନଗରର କଠିନ ବର୍ଜ୍ୟବସ୍ତୁ ପରିବେଶ ଉପରେ ଭାରି ହେଉଛି। ଏହାର ପରିଚାଳନା ଠିକ ହେଉ ନ ଥିବାବେଳେ ସହରବାସୀଙ୍କ ପାଇଁ ଏବେ ବିପଦର କାରଣ ହେଉଛି। ଏହାଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଉଥିବାବେଳେ ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢ଼ା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ତେଲ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡ଼ି ଦିଆଯାଉଛି। ଶୋଷ ମେଣ୍ଟାଉଥିବା ପାଣି ପାଉଚଗୁଡିକୁ ମଧ୍ୟ ଏପଟେ ସେପଟେ ଫୋପାଡ଼ି ଦିଆଯାଉଛି। ପଇଡ ପାଣି ପିଇ ସେହି ପଇଡକୁ ମଧ୍ୟ ରାସ୍ତା କଡରେ ପକେଇ ଦିଆଯାଉଛି। ଏହାଦ୍ୱାରା ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଦେଖା ଯିବାର ଆଶଙ୍କା ରହିଛି। ଏହିସବୁର ପ୍ରତିକାର ପାଇଁ ସାନିଟାରୀ ଇନ୍ସପେକ୍ଟରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସାନିଟାରୀ ଇନ୍ସପେକ୍ଟରଙ୍କ ଆନ୍ତରିକତାର ଅଭାବ ଯୋଗୁ ସହରର ପରିମଳ ବିପଦଗାମୀ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହାପରେ ସାନିଟାରୀ ଇନ୍ସପେକ୍ଟର ମାଣିକ ରଞ୍ଜନ ନାୟକଙ୍କୁ ୧୨ା୮ା୨୦୨୨ରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ(ସିଡିଏମ୍ଓ) ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ ପାଳନ ହୋଇନାହିଁ। ଏ ସଂକ୍ରାନ୍ତରେ ସାନିଟାରୀ ଇନ୍ସପେକ୍ଟର ନାୟକ କହିଛନ୍ତି, ତାଙ୍କ ରିଲିଭର ଆସି ନ ଥିବାରୁ ସେ ଯାଜପୁର ରୋଡ୍ ସିଏଚ୍ସିରେ ଯୋଗଦେଇ ନାହାନ୍ତି।
https://www.dharitri.com/india-vs-australia-michael-clarke-says-no-one-can-filled-virat-kohli-boots/
କୋହଲିଙ୍କ ବିନା ଭାରତ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ବିଜୟ ହୁଏ ତେବେ… କାନବେରା,୧।୧୨: ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ ଟିମ ଇଣ୍ଡିଆକୁ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡି। ଏହି ସିରିଜ ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବ କାରଣ ଦଳର ନିୟମିତ ଅଧିନାୟକ ବିରାଟ କୋହଲି କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳି ଭାରତ ଫେରିବେ। କୋହଲି ପିତା ହେବାକୁ ଯାଉଛନ୍ତି, ତେଣୁ ପ୍ରଥମ ଟେଷ୍ଟ ପରେ ସେ ପୈତୃକ ଛୁଟିରେ ରହିବେ। ଅନେକ ଭେଟେରାନ ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ମଧ୍ୟ ସମାନ କଥା କହିଛନ୍ତି। ମାଇକେଲ କ୍ଲାର୍କ କହିଛନ୍ତି ଯେ ବିରାଟ କୋହଲି ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ। କିଏ ତାଙ୍କ ସ୍ଥାନରେ ବ୍ୟାଟିଂ କରିବ। କେ.ଏଲ ରାହୁଲ ଅତ୍ୟନ୍ତ ଦକ୍ଷ, ସେ ଏହା ପୂର୍ବରୁ ଏଠାରେ ଖେଳିଛନ୍ତ। କିନ୍ତୁ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କ କ୍ଷତିପୂରଣ ଦେଇ ପାରିବେ ନାହିଁ। ଅଜିଙ୍କେ ରାହାଣେ ଜଣେ ଭଲ ଖେଳାଳି, ସେ ଅଧିନାୟକ ଦାୟିତ୍ୱ ସମ୍ଭାଳି ପାରିବେ। କ୍ଲାର୍କ ଆହୁରି କହିଛନ୍ତି, ଯଦି ବିରାଟଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ନିଜ ଘରୋଇ ଟେଷ୍ଟ ସିରିଜରେ ପରାସ୍ତ କରିଛି, ତା’ହେଲେ ଏହାଠାରୁ ଭଲ କିଛି ହୋଇପାରିବ ନାହିଁ। ଟିମ ଇଣ୍ଡିଆ ଏହା ପରେ ଏକ ବର୍ଷ ପାଇଁ ଉତ୍ସବ ପାଳନ କରିପାରିବ କାରଣ ଏହା ଏକ ବଡ଼ ସଫଳତା ହୋଇପାରେ। ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ରେକର୍ଡ ଅଷ୍ଟ୍ରେଲିଆରେ ଜବରଦସ୍ତ ରହିଛି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୧୨ଟି ଟେଷ୍ଟରେ ହାରାହାରି ୫୫.୩୯ରେ ସେ ୧୨.୭୪ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଅଷ୍ଟ୍ରେଲିଆରେ ୬ଟି ଶତକ ହାସଲ କରିଛନ୍ତି।
https://www.dharitri.com/kerala-girl-delivers-baby-watching-youtube-videos/
ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ନାବାଳିକାଙ୍କ ମା’-ବାପା ଦୃଷ୍ଟିହୀନ ଯୋଗୁ ଏ ଘଟଣା ବିଷୟରେ ଜାଣି ନ ଥିଲେ। ଶିଶୁର ଜନ୍ମ ପରେ ମା ଏବଂ ଶିଶୁକୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ନେଇ ପୋଲିସ ସୂଚନା ଦେଇଛି। ସେପଟେ ଦୁଷ୍କର୍ମ ଅଭିଯୋଗରେ ୨୧ ବର୍ଷୀୟ ଯୁବକଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ସୂଚନାନୁସାରେ, ସମ୍ପୃକ୍ତ ନାବାଳିକା ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କ ପ୍ରେମିକଙ୍କ ସହ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ। ଅକ୍ଟୋବର ୨୦ ତାରିଖରେ ନାବାଳିକା ନିଜ ଘରେ ୟୁଟ୍ୟୁବ ଦେଖି ତାଙ୍କ ପେଟ କାଟି ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନାବାଳିକା ଜଣଙ୍କ ପ୍ରସବ ସମୟରେ କାହାରି କୌଣସି ସହାୟତା ନେଇ ନଥିଲେ ଏବଂ ଅକ୍ଟୋବର ୨୨ରେ ଶିଶୁଟିର କାନ୍ଦ ଶୁଣି ନାବାଳିକାର ମା’-ବାପା ଏହି ଘଟଣା ବିଷୟରେ ଜାଣିଥିଲେ।
https://www.dharitri.com/6-odisha-information-service-officers-have-been-promoted-to-the-post-of-deputy-director/
୬ ଓଡ଼ିଶା ସୂଚନା ସେବା ଅଧିକାରୀ ଉପନିର୍ଦ୍ଦେଶକ ପଦକୁ ଉନ୍ନୀତ ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ସୂଚନା ଓ ଲୋକସମ୍ପର୍କ ବିଭାଗ ୬ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି। ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି, ମୁଖ୍ୟାଳୟର ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର, ବରଗଡ଼ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ କଟକ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏହି ପଦୋନ୍ନତି ପାଇଛନ୍ତି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ବିଭାଗୀୟ କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
https://www.dharitri.com/in-this-india-520/
ଏଇ ଭାରତରେ ପ୍ରାଣୀ ସେବାରେ ଗଭୀର ବିଶ୍ୱାସ ରଖିଥିବା ପିପଲ ଫାର୍ମ ଭଳି ଏକ ବେସରକାରୀ ସଂସ୍ଥା ବୁଲା କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛି। ଉକ୍ତ ଫାର୍ମ ହିମାଚଳପ୍ରଦେଶର ସ୍ପିତି ଭ୍ୟାଲିରେ ରହିଛି। ପ୍ରତ୍ୟେକ ଦିନ ଏହି ଫାର୍ମ ପାଖାପାଖି ୪୦୦ କୁକୁରଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା କରିଛି। ଭ୍ୟାଲିରେ ପ୍ରବଳ ଥଣ୍ଡା ଯୋଗୁ ଗତ ଡିସେମ୍ବରରେ ବହୁ କୁକୁରଙ୍କର ଖାଇବା ବିନା ମୃତ୍ୟୁ ଘଟିଥିଲା। ଏହାକୁ ଲକ୍ଷ୍ୟକରି ପିପଲ ଫାର୍ମ ‘ସ୍ପିତି ଡଗ୍ସ ଫିଡିଂ ଓ୍ବିଣ୍ଟର ପ୍ରୋଗ୍ରାମ’ ଆରମ୍ଭ କରି ସ୍ଥାନୀୟ ମହିଳାଙ୍କ ସହଯୋଗରେ କୁକୁରଙ୍କୁ ଖାଇବାକୁ ଦେଉଛି। ଏଥିରେ ଭ୍ୟାଲିର ୬ଟି ଗାଁରୁ ୧୨ ଜଣ ମହିଳା କାର୍ଯ୍ୟ କରୁଛନ୍ତି ଓ ସେମାନେ ପ୍ରତିଦିନ ରୋଷେଇ କରିବା ସହ ପ୍ୟାକେଟ ପ୍ରସ୍ତୁତ କରନ୍ତି। ଦାନରେ ମିଳୁଥିବା ଅର୍ଥ ଏହି କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି। ତିନି ମାସ ମଧ୍ୟରେ ଏ ବାବଦରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ପ୍ରତିଦିନ କୁକୁରଙ୍କ ପାଇଁ ୫୦-୬୦ କେ.ଜି. ଖାଦ୍ୟ ରୋଷେଇ ହେଉଛିି। ଖାଦ୍ୟ ପ୍ରସ୍ତୁତ ହେବା ପରେ ତାହାକୁ ପ୍ୟାକେଟ କରି ଭ୍ୟାଲିର ୬ଟି ଗାଁକୁ ଯାଉଥିତ୍ବା ପର୍ଯ୍ୟଟକଙ୍କ ହାତରେ ପଠାଯାଇ ସେଠାରେ କୁକୁରଙ୍କୁ ଦିଆଯାଉଛି। ବହୁ ସମୟରେ ଏହି ମହିଳାମାନେ ନିଜେ ଖାଦ୍ୟ ନେଇ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।
https://www.dharitri.com/responding-to-modis-comments-paobar-said-i-did-not-expect-to-pay-such-a-high-price/
ମୋଦିଙ୍କ ମନ୍ତବ୍ୟର ଉତ୍ତର ଦେଲେ ପାଓ୍ବାର, ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋର ଅନୁମାନ ନ ଥିଲା… ମୁମ୍ବାଇ, ୩୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପହଞ୍ଚିଛନ୍ତି। ଏହାର ଉତ୍ତରରେ ଶରଦ ପାୱାର କହିଛନ୍ତି ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି। ଏନସିପି ମୁଖ୍ୟ ଶରଦ ପାୱାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଉତ୍ତର ଦେଇଛନ୍ତି। ଏନସିପି ମୁଖ୍ୟଙ୍କୁ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା। ତାଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ଆପଣଙ୍କ ଆଙ୍ଗୁଠି ଧରି ରାଜନୀତିରେ ପ୍ରବେଶ କରିଛନ୍ତି। ଶରଦ ପାୱାର ଏହି ପ୍ରସଙ୍ଗରେ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ। ପାୱାର କହିଛନ୍ତି ସେ ତାଙ୍କ ବଡୁଥିବା ବୟସରେ କୌଣସି ଦାୟିତ୍ୱ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି। ୨୦୨୪ ଜାତୀୟ ନିର୍ବାଚନ ପାଇଁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ସେ ନିଜକୁ ଦୂରେଇ ରଖିଛନ୍ତି। ମୁଁ କେବଳ ଅଣ-ଭାଜପା ଦଳଙ୍କୁ ଏକାଠି ହୋଇ ଭାଜପା ବିରୋଧରେ ଜନମତ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବି ବୋଲି ପାଓ୍ବାର ସୂଚନା ଦେଇଛନ୍ତି। ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିରେ ଇଣ୍ଟରନେଟ, ଶୌଚାଳୟ, ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଇବା ଆଦି ଅନ୍ତର୍ଭୁକ୍ତ ଥିଲା। ଛୋଟ ଦଳଗୁଡ଼ିକୁ କ୍ଷମତାଠାରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ବିରୋଧୀ ଶାସିତ ରାଜ୍ୟରୁ ବାହାର କରିଦେବା ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛି। ବିରୋଧୀ ଦଳଙ୍କ ବିରୋଧରେ ଭାଜପା ଯାହା କରୁଛି ତାହା ହେଉଛି ସଂସଦୀୟ ଗଣତନ୍ତ୍ର ଉପରେ ଆକ୍ରମଣ। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅଣ-ଭାଜପା ଶାସିତ ସମସ୍ତ ରାଜ୍ୟରେ ଭାଜପା ବିଧାୟକମାନଙ୍କୁ ବିଭାଜନ କରି କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି ବୋଲି ପାଓ୍ବାର କହିଛନ୍ତି।
https://www.dharitri.com/ସରକାରୀ-ଯୋଜନାରୁ-ବଁଚିତ-କୁଟ/
ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌ ଭବାନୀପାଟଣା, ୧୩ା୫ (ଡି.ଏନ୍.ଏ) : ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍ ଅଲଗ୍ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି ଚଲସନ୍। ହେଲେ ଦୁଖର କଥା ସୁଆଧୀନତାର ୭୨ ବଛର ବିତିଯାଇଥିଲେ ବି ଇମାନେ ସମାଜର ମୁଖିଆ ଧାରରେ ସାମିଲ ନାଇଁ ହେଇପାରି। ଇମାନର ଅର୍ଥନୈତିକ ଆର ସାମାଜିକ ବିକାଶ ଲାଗି ସଶକ୍ତିକରଣ ଆର ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆର ଅନ୍ୟାନ୍ୟ କଲ୍ୟାଣ ପଛୁଆ ବିଭାଗ ତରଫୁ ଖାସ୍ କୁଟିଆକଁଧ୍ ଉନ୍ନୟନ ସଂସ୍ଥା ଖୁଲାଯାଇଛେ। ଇ ଯୋଜନା ଜରିଆରେ ସରକାର କୁଟିଆକଁଧକର ଉନ୍ନତି ଲାଗି କୋଟି କୋଟି ଟଁକା ଯୁଗେଇ ଦେଉଛନ୍। ହେଲେ ଆଏଜ୍ ବି ଇ ବିରଲ ଜନଜାତି ଅନେକ ସରକାରୀ ଯୋଜନାରୁ ବଁଚିତ ହେଇ ରହିଛନ୍। ଇ ଯୋଜନା ଜରିଆରେ ପହେଲା ଲାଞ୍ଜିଗଡ଼ ବ୍ଲକର ୧୪ଟା ଗାଁକେ ସାମିଲ କରାଯାଇଥିଲା ଆର ପଛେ ଇ ସଂଖ୍ୟାକେ ବଢ଼ା ଯାଇଥିଲା। ହେଲେ ଆଏଜ୍ବି ଇ ଗାଁବାସୀମାନେ ଶିକ୍ଷା, ସୁଆସ୍ତିଅ, ରାସ୍ତାଘାଟ, ପିଇଲା ପାଏନ୍ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍ ହେଇ ରହିଛନ୍। ସରକାର କହୁଛନ୍ ସବୁ କୁଟିଆକଁଧ୍କୁଁ ଘର ମିଲିଛେ, ହେଲେ ଦେଖ୍ବାକେ ଗଲେ ଆଏଜ୍ବି ଶହ ଶହ କୁଟିଆ ଝାଟିମାଟି ଘରେ ରହୁଛନ୍। ଭୂମିହୀନମାନେ ଜଂଗଲ ଜମିପଟ୍ଟାରୁ ବଁଚିତ ଅଛନ୍। ସେନ୍ତା ପୁଷ୍ଟିକର ଖାଏଦ୍ ଜାଗାରେ ମଡ଼ିଆ ଜାଉ, ଆମ୍, କୁଲୁଥ୍ ଆର ଜଂଗଲଜାତ ଦରବ୍ ଇମାନକର ମୁଖିଆ ଆହାର ପାଲଟିଛେ। ପିଇଲା ପାଏନ୍ର ସୁବିଧା ନାଇଁଥିବାର ଲାଗି ଇମାନେ ନାଲ ନଲିଆ, ଝରନ୍ର ପାଏନ୍ ପିଇ ନିଜର ଶୋଷ୍ ମେଟଉଛନ୍। ଲାଞ୍ଜିଗଡ଼ ବ୍ଲକର ୧୪ କୁଟିଆକଁଧ୍ ବାସକରୁଥିବାର ଗାଁକେ ରାସ୍ତାଘାଟ ନଁାଇଁନ। ଯେନ୍ଥିରଲାଗି ଅନେକ ସମିଆରେ ଜରୁକାଲିନ ପରିସ୍ଥିତିରେ ଦମକଲ, ଆମ୍ବୁଲାନ୍ସ ନାଇଁ ଆସିପାରେ। ଗାଁରେ କାହାରି ଦିହିପା ଖରାପ ହେଲେ ଏକାଧିକ୍ କିଲୋମିଟର ଖଟେ ବୁହି ଡାକ୍ତରଖାନା ପୁହୁଁଚାବାକେ ପଡ଼ୁଛେ। ସରକାର ‘ସଭେ ପଢ଼ୁନ ସଭେ ବଢ଼ୁନ’ ନାରା ଦେଇ ପିଲାକୁ ସ୍କୁଲ ମୁହଁା କରବାର ଲାଗି ବହି, ପେଣ୍ଟସାର୍ଟ, ଜୁତା ଆଦି ଦେଉଛନ୍। ହେଲେ କୁଟିଆକଁଧ୍ ବାସକରୁଥିବାର ଅନେକ ଗାଁରେ ପିଲା ପଢ଼ବାର ଲାଗି ସ୍କୁଲ ନଁାଇଁନ। ଯେନ୍ ଗାଁରେ ସ୍କୁଲ ଅଛେ ସେଠାନ୍କେ ଶିକ୍ଷକ ନାଇଁଯିବାର। ଏନ୍ତା କି ଅନେକ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁ ଥିବାରଲାଗି ଗରଭବତୀ ମହିଲା ଆର ଛୁଆମାନେ ଅପପୁଷ୍ଟିର ଶିକାର ହେଉଛନ୍। ଇ ବାବ୍ଦେ ଖୋଦ୍ ପରଶାସନ ଜାନିଥିଲେ ବି କେହେନ୍ସି ପରକାର ପଦକ୍ଷେପ ନାଇଁ ନେବାର। ଆରଗୁଟେ ଆଡ଼େ କେନ୍ଦ୍ର ଆର ରାଏଜ୍ ସରକାର ସମେତ ଅନେକ ଏନ୍ଜିଓ କୁଟିଆ କଁଧମାନକର ବିକାଶ ଲାଗି କାମ କରୁଥିବାର କହୁଥିଲେ ବି ଅବଗା ସତ୍ କଥାଟା ଅଲଗ ଆଏ। ଇ ଦିଗେ ରାଏଜ ସରକାର ଆର ଥାନୀୟ ପରଶାସନ ଦୁରୁଷ୍ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।
https://www.dharitri.com/farmers-leave-bhubaneswar-on-ulgulan-swearing-in-protest/
କୃଷି ଆଇନକୁ ବିରୋଧ, ଉଲଗୁଲାନ୍‌ ଶପଥ ଯାତ୍ରାରେ ଭୁବନେଶ୍ବର ବାହାରିଲେ ଚାଷୀ ବରଗଡ଼ ଅଫିସ,୨୮।୨: କେନ୍ଦ୍ରସରକାରଙ୍କ ୩ ନୂଆ କୃଷି ଆଇନ୍କୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଏହି କ୍ରମରେ ରବିବାର ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସ ଅବସରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ ଚାଷୀମାନେ ଭୁବନେଶ୍ବର ଅଭିମୁଖେ ଉଲଗୁଲାନ ଶପଥ ଯାତ୍ରାରେ ବାହାରିଛନ୍ତି। ବରଗଡ଼ ଗାନ୍ଧୀଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚାଷୀମାନେ ଯାତ୍ରାର ଶୁଭାରମ୍ଭ କରିଥିଲେ । ଚଳିତ ବିଧାନସଭାରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ସଂସଦରେ ପାରିତ ୩ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟର କୃଷକମାନଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ କରିବା, କେନ୍ଦ୍ର ଦ୍ବାରା ଘୋଷିତ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦରକୁ ସୁନିଶ୍ଚିତ କରିବା ପାଇଁ ମଣ୍ଡି ଜରିଆରେ ସଂଗ୍ରହ ବ୍ୟବସ୍ଥା କରିବା, ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ପ୍ରଦାନ, ଏମ୍ଏସ୍ପିଠାରୁ କମ ଦରରେ କ୍ରୟ କଲେ ଦଣ୍ଡ ବ୍ୟବସ୍ଥା କରିବା, ରାଜ୍ୟର ପ୍ରତି ପଞ୍ଚାୟତ ସ୍ତରରେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ ଓ ବ୍ୟବସ୍ଥିତ କରିବା ଏବଂ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ଧାନକୁ ତୁରନ୍ତ କିଣାଯାଇ ଏମ୍ଏସ୍ପି ପ୍ରଦାନ ଦାବିରେ ଏହି ଶପଥ ଯାତ୍ରା କରାଯାଉଛି। ଏହି ଦାବିରେ ଆସନ୍ତା ମାର୍ଚ୍ଚ ୨ତାରିଖ ଭୁବନେଶ୍ବର ପିଏମଜି ଛକରେ ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ନେତୃତ୍ୱରେ ସୁଶିଲ କୁମାର ସାହୁ, ହର ବଣିଆଙ୍କ ସମେତ ପ୍ରାୟ ୫୦ ଜଣ ବାଇକରେ ଏହି ଯାତ୍ରା କରି ଥିବାବେଳେ ବାଟରେ ସମ୍ବଲପୁର, ରେଢ଼ାଖୋଲ, ଅନୁଗୁଳ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଚାଷୀନେତା ଲିଙ୍ଗରାଜ ସୂଚନା ଦେଇଛନ୍ତି।
https://www.dharitri.com/ex-mp-ravindra-jena-hit-by-high-court/
ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଝଟ୍‌କା କଟକ ଅଫିସ,୭ା୨:ବାଲେଶ୍ୱରର ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଝଟ୍କା ଲାଗିଛି। ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ଲିଙ୍କ୍ ସଂକ୍ରାନ୍ତୀୟ ଶୁଣାଣି ଜାରି ରହିବ ବୋଲି ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କ ବିରୋଧରେ ସିବିଆଇ ଦେଇଥିବା ଏତଲା ଏବଂ ଚାର୍ଜଶିଟ୍କୁ ରଦ୍ଦ କରିବା ନେଇ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ସିବିଆଇ ମାମଲାର ତଦନ୍ତ କରି ତାଙ୍କ ବିରୋଧରେ ସି-ସୋରଠାରୁ ୧ କୋଟି ୭୫ ଲକ୍ଷ ଟଙ୍କା ବେଆଇନ କାରବାର କରିଥିବା ନେଇ ଚାର୍ଜଶିଟ୍ ଦାଖଲ କରିଥିଲା। ରାଜନୈତିକ ପ୍ରଭାବ ବିସ୍ତାର ସହ ସି-ସୋରକୁ ଫାଇଦା ଓ ସୁରକ୍ଷା ଦେବା ଏହି ବେଆଇନ ଅର୍ଥ କାରବାରର ଉଦ୍ଦେଶ୍ୟ ହୋଇଥିବା ନେଇ ସିବିଆଇ ଓକିଲ ସାର୍ଥକ ନାୟକ ଅଦାଲତରେ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ରବୀନ୍ଦ୍ରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏହି ଟଙ୍କା ସି-ସୋରରୁ ସେ ଋଣ ଆକାରରେ ନେଇଥିଲେ। ସମବାୟ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ସି-ସୋର ନିଜ ମେମ୍ବରଙ୍କ ବ୍ୟତୀତ ଅନ୍ୟ କାହାକୁ ଋଣ ଦେଇପାରିବ ନାହିଁ ଏବଂ ଏଥିପାଇଁ ପରିଚାଳନା କମିଟିର ଦସ୍ତାବିଜ ଜାଲ୍ କରାଯାଇଥିବା ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା।
https://www.dharitri.com/take-a-look-at-the-red-zone/
ରେଡ୍‌ ଜୋନ୍‌ ଉପରେ ନଜର ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତଥାପି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଆସନ୍ତା ଜୁଲାଇ ପହିଲାରେ ଆଂଶିକ ଲକ୍ଡାଉନ ଅବଧି ଶେଷ ହେବ। ସଂକ୍ରମଣ ହାର ୫ ପ୍ରତିଶତ ତଳେ ଥିବା ‘ଗ୍ରୀନ୍ ଜୋନ୍’ ଏବଂ ୫ ପ୍ରତିଶତ ଉପରେ ଥିବା ‘ୟେଲୋ ଜୋନ୍’ ଜିଲାଗୁଡ଼ିକରେ ଲକ୍ଡାଉନ କଟକଣାକୁ ଆହୁରି କୋହଳ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି। ତେବେ ରେଡ୍ ଜୋନ୍ରେ ଥିବା ୫ ଜିଲାଗୁଡ଼ିକରେ କଟକଣା ଅଧିକ କଡ଼ାକଡ଼ି କରାଯାଇ ପାରେ। ସ୍ବାସ୍ଥ୍ୟ ବିଭାଗର କରୋନା ରିପୋର୍ଟକୁ ଯାଞ୍ଚ କରାଯାଉଛି। ମଙ୍ଗଳବାର ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ହେବାକୁ ଥିବା ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପରିସ୍ଥିତିକୁ ଅନୁଧ୍ୟାନ କରି ଆଉ କିଛି ମାତ୍ରାରେ ସରକାର କଟକଣାକୁ କୋହଳ କରିପାରନ୍ତି। ତେବେ ଯେଉଁ ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଛି ସେସବୁ ଜିଲାରେ ଆଂଶିକ କଟକଣା ବଳବତ୍ତର ରହିବ। ରାଜ୍ୟରେ ଆଉ ୧୫ ଦିନ ଯାଏ ସପ୍ତାହାନ୍ତ ଶଟ୍ଡାଉନ ବଢ଼ାଇବା ନେଇ ସରକାର ବିଚାର କରିପାରନ୍ତି। କୋଭିଡ୍ ସ୍ଥିତି ଯାଞ୍ଚ ପରେ ଯାହା କିଛି ନିଷ୍ପତ୍ତି ନିଆଯାଇ ପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟ ପକ୍ଷରେ ତୃତୀୟ ଲହର ଓ ଡେଲ୍ଟା ପ୍ଲସ୍ର ଭୟ ରହୁଥିବାରୁ ରାଜ୍ୟ ସରକାର ସତର୍କତାର ସହ ପଦକ୍ଷେପ ନେବେ ବୋଲି ଜଣାପଡିଛି। କୋଭିଡ୍ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ମେ ୫ରୁ ସମଗ୍ର ରାଜ୍ୟରେ ଲଗାଇଥିବା କଟକଣାରେ ଜୁନ୍ ୧୭ ତାରିଖରୁ ଆଂଶିକ କୋହଳ କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ରହୁଥିବାରୁ ସେହି ଜିଲାଗୁଡ଼ିକରେ ଲକ୍ଡାଉନକୁ ଅଧିକ କୋହଳ କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ଲକ୍ଡାଉନକୁ କିଛି ମାତ୍ରାରେ କୋହଳ କରାଯାଇଛି। ରାଜ୍ୟର ସମସ୍ତ ଜିଲାକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି।ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲାକୁ କାଟାଗୋରି-ଏରେ ରଖାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାକୁ ବି କାଟାଗୋରିରେ ରଖାଯାଇଛି। କାଟାଗୋରି-‘ଏ’ ଜିଲାଗୁଡ଼ିକରେ ସକାଳ ୬ରୁ ସା ୫ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହୁଥିବା ବେଳେ କାଟାଗୋରି-‘ବି’ରେ ଥିବା ଜିଲାଗୁଡ଼ିକରେ ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଛି। ଏଥିସହିତ ଉଠା ଦୋକାନୀ, ବୁଲା ବିକାଳି, ଜଳଖିଆ ଦୋକାନୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଛି। ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ମିଠା ଦୋକାନ ଖୋଲା ରହୁଛି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ ଓ ମାଲକାନଗିରି ଜିଲାରେ ସଂକ୍ରମଣ ହାର ୫ରୁ ୮ ପ୍ରତିଶତ ଥିବାରୁ ଏହାକୁ ‘ୟେଲୋ ଜୋନ୍’ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ସଂକ୍ରମଣ ହାର ୮ରୁ ୧୧ ପ୍ରତିଶତ ମଧ୍ୟରେ ରହୁଥିବାରୁ ଏସବୁ ଜିଲାକୁ ‘ରେଡ୍ ଜୋନ୍’ ତାଲିକାରେ ରହିଛି।
https://www.dharitri.com/terrorist-organization-made-video-of-attack-on-policemen/
ପୋଲିସ ଉପରେ କରିଥିବା ଆକ୍ରମଣର ଭିଡିଓ ଭାଇରାଲ କଲା ଆତଙ୍କବାଦୀ ସଙ୍ଗଠନ ଜମ୍ମୁ,୧୪ ।୭: ଶ୍ରୀନଗରର ଲାଲ ବଜାରରେ ମଙ୍ଗଳବାର ଜମ୍ମୁ-କଶ୍ମୀର ପୋଲିସ ଉପରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଘଟଣାର ଭିଡିଓ ଏକ ଆତଙ୍କବାଦୀ ସଙ୍ଗଠନ ଜାରି କରିଛି । ୩୯ ସେକେଣ୍ଡର ଏହି ଭିଡିଓକୁ ବଡି କ୍ୟାମେରା ସାହାଯ୍ୟରେ ରେକର୍ଡ କରାଯାଇଛି । ଏଥିରେ ସ୍ପଷ୍ଟ ଦେଖାଯାଉଛି ପିସ୍ତଲ ନେଇ ଜଣେ ଆତଙ୍କବାଦୀ ପୋଲିସ କର୍ମୀଙ୍କ ଉପରକୁ ଗୁଳି ଚାଳନା କରୁଛନ୍ତି । ଏହାପରେ ଉକ୍ତ ଆତଙ୍କବାଦୀ ଗାଡିରେ ଥିବା ଜଣେ ପୋଲିସକୁ ଟାର୍ଗେଟ କରୁଛନ୍ତି । ଲଗାତାର ପାୟରିଂ ପରେ ପିସ୍ତଲର ମ୍ୟାଗଜିନ ବଦଳାଇ ଗଛ ନିକଟରେ ଠିଆ ହୋଇଥିବା ଜଣେ ପୋଲିସକୁ ଟାର୍ଗେଟ କରୁଛନ୍ତି । ଏହି ଭିଡିଓରେ ଗୁଳି ଚଳାଉଥିବା ଆତଙ୍କବାଦୀ ଧାର୍ମିକ ସ୍ଲୋଗାନ ଦେଉଥିବା ସ୍ପଷ୍ଟଭାବେ ଶୁଣାଯାଉଛି ।
https://www.dharitri.com/govt-preparing-to-impose-presidents-rule-in-delhi-atishi/
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର: ଆତିଶି ନୂଆଦିଲ୍ଲୀ,୧୨।୪: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ତାଙ୍କ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ସରକାରୀ କର୍ମଚାରୀମାନେ ଏହି ବୈଠକକୁ ଆସୁନାହାଁନ୍ତି। ଏପ୍ରିଲ ୧୨ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆତିଶି କହିଛନ୍ତି ଯେ ୨୦ ବର୍ଷ ପୂର୍ବେ ଏହି ଘଟଣାରେ ବିବେକ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ହେଉନାହିଁ। ମିଥ୍ୟା ଅଭିଯୋଗରେ ଅରବିନ୍ଦ କେଜରୱାଲଙ୍କୁ ଗିରଫ କରାଯାଇଛି। ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀର ଜନତା ଆମ ଆଦମୀ ପାର୍ଟିକୁ ପସନ୍ଦ କରନ୍ତି। ତେବେ ଏଠାକାର ନିର୍ବାଚିତ କେଜରିୱାଲ ସରକାରଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ରଚିଛି। ଭାଜପା ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଏଠାରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପୋଷ୍ଟ କରାଯାଉ ନାହିଁ। ଅନେକ ବିଭାଗ ଖାଲି ଅଛି, ଯେଉଁଠାରେ ଅଧିକାରୀମାନେ ଉପସ୍ଥିତ ନାହାଁନ୍ତି । ସରକାର କାମ କରୁନଥିବା କାରଣରୁ ଦିଲ୍ଲୀର ଏଲଜି ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛି। ବିନା କାରଣରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ହଟାଯାଉଛି। ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଥିବା ଏହି ସବୁ ସୂଚନାରୁ ଜଣାପଡିଛି।
https://www.dharitri.com/the-group-of-wagons-arrived-in-belarus/
ବେଲାରୁଷରେ ପହଞ୍ଚିଲେ ଓ୍ବାଗନର ଗ୍ରୁପ୍‌ ମସ୍କୋ,୧୬ା୭: ରୁଷିଆରୁ ବିଦ୍ରୋହ କରୁଥିବା ଓ୍ବାଗନର୍ ଗ୍ରୁପ୍ର ସୈନ୍ୟମାନେ ବେଲାରୁଷରେ ପହଞ୍ଚିଛନ୍ତି। ୟୁକ୍ରେନ ଏବଂ ପୋଲାଣ୍ଡର ଅଧିକାରୀମାନେ ଏନେଇ ନିଶ୍ଚିତ କରିଛନ୍ତି। ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଓ୍ବଗନର୍ ଯୁଦ୍ଧବିମାନ ଓସିପୋଭିଚି ସହର ନିକଟ ଏକ ସାମରିକ ପରିସରରେ ବେଲାରୁଷର ସୈନିକମାନଙ୍କୁ ନିର୍ଦ୍ଦେଶ ଦେଉଥିବାର ନଜର ଆସିଛନ୍ତି। ଜୁନ୍ ୨୪ରେ ଦକ୍ଷିଣ ରୁଷିଆର ରୋଷ୍ଟୋଭ-ଅନ୍-ଡନ୍ ଛାଡ଼ିବା ପରଠାରୁ ଓ୍ବାଗନର୍ ମୁଖ୍ୟ ୟେଭେନି ପ୍ରିଗୋଜିନ ସର୍ବସାଧାରଣରେ ଦେଖା ଦେଇନାହାନ୍ତି।
https://www.dharitri.com/vedanta-nikshay-mitra-abhiyan/
ବେଦାନ୍ତର ନିକ୍ଷୟ ମିତ୍ର ଅଭିଯାନ ଭୁବନେଶ୍ୱର,୨୦।୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ପକ୍ଷରୁ ନିକ୍ଷୟ ମିତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ କମ୍ପାନୀ ଦୃଢ଼ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛି। ସେହିଭଳି ୨୦୨୫ ଶେଷ ସୁଦ୍ଧା ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶରୁ ଯକ୍ଷ୍ମାକୁ ଦୂରକରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସାଙ୍ଗକୁ ସେମାନଙ୍କ ଉପଯୁକ୍ତ ପୋଷଣ ଯତ୍ନ ଉପରେ କେନ୍ଦ୍ର ସରକାରଙ୍କ ଏହା ଏକ ବୃହତ୍ ପଦକ୍ଷେପ ବୋଲି କୁହାଯାଉଛି। ଏହି ଅବସରରେ ବେଦାନ୍ତ ଲିଃ.(ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତାଙ୍କ ସମେତ ଝାରସୁଗୁଡ଼ା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ଜିଲା ମେଡିକାଲ ଅଧିକାରୀ ଡୋଳାମଣି ପଟେଲ, ଜିଲା କାର୍ଯ୍ୟକ୍ରମ ସଂଯୋଜକ ରେସମା ରଣା ଏବଂ ଡବ୍ଲ୍ୟୁଏଚ୍ଓର ପରାମର୍ଶଦାତା ଦିନେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏ ସମ୍ପର୍କରେ ସିଇଓ ଗୁପ୍ତା କହିଛନ୍ତି, ଆମର ସାମାଜିକ ପଦକ୍ଷେପ ମଧ୍ୟରେ ସ୍ବାସ୍ଥ୍ୟ ଓ ସୁସ୍ଥତା ଏକ ପ୍ରମୁଖ ଅଂଶ ହୋଇଥାଏ। ଏପରିକି ପ୍ରଧାନମନ୍ତ୍ରୀଙ୍କ ଟିବିମୁକ୍ତ ଭାରତ ଆହ୍ବାନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଓ ଜାତୀୟ ସ୍ତରୀୟ ଆହ୍ବାନ ହୋଇଥିବାରୁ ଉକ୍ତ ଅଭିଯାନକୁ ଆମେ ବେଶ୍ ସକାରାତ୍ମକ ଭାବେ ଆରମ୍ଭ କରୁଛୁ। ବିଶେଷକରି ଉକ୍ତ ରୋଗକୁ ପ୍ରଭାବଶାଳୀ ହସ୍ତକ୍ଷେପ ଦ୍ୱାରା ରୋକାଯାଇପାରିବ। ତେଣୁ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମକୁ ଆମ ଅଞ୍ଚଳରେ ଠିକ୍ ଭାବେ କାର୍ଯ୍ୟକାରୀ କରାଇପାରିଲେ ସ୍ଥାନୀୟ ଗୋଷ୍ଠୀଙ୍କ ଜୀବନରେ ଉନ୍ନତି ଆସିପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଡା. ଡୋଳାମଣି ପଟେଲ କହିଥିଲେ, ଯକ୍ଷ୍ମା ଚିକିତ୍ସା ସହ ରୋଗୀଙ୍କୁ ସହାୟତା କରିବା ଓ ଦେଶରୁ ଟିବି ରୋଗ ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ ସବୁ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଏଭଳି ଏକ ଅଭିଯାନର ଯୋଜନା କରାଯାଇଛି। ତେଣୁ ମୁଁ ବେଦାନ୍ତ ଆଲୁମିନିୟମକୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହିଁବି। ଏପରି ଏକ ମହତ୍ କାମରେ ଅଂଶଗ୍ରହଣ କରି ଲୋକମାନଙ୍କ ହିତ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ସେହିପରି ଉପଯୁକ୍ତ ସମୟରେ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବେ ବୋଲି ଦିନେଶ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୬୫ଜଣ ରୋଗୀଙ୍କୁ ଆବଶ୍ୟକ ସହାୟତା କରିବା ସହ ସେମାନଙ୍କୁ ଉପଯୁକ୍ତ ପୋଷକ ଓ ଚିକିତ୍ସା ଯୋଗାଇଦେବାକୁ ମତପ୍ରକାଶ କରିଛି।